ଶ୍ରୁତସଂକ୍ଷିପ୍ତ- ବିପଦମୁଖୀ ସ୍ମାର୍ଟଫୋନ ବ୍ୟବହାରକାରୀ

ଶ୍ରୁତସଂକ୍ଷିପ୍ତ- ବିପଦମୁଖୀ ସ୍ମାର୍ଟଫୋନ ବ୍ୟବହାରକାରୀ

(ଶ୍ରୁତକୀର୍ତ୍ତି ତ୍ରିପାଠୀ): ଏକଦା ଧନୀ ଲୋକଙ୍କ ବିଳାସ ଓ ଅଭିଜାତ୍ୟର ନିଦର୍ଶନ ସାଜିଥିବା ସ୍ମାର୍ଟଫୋନ ଆଜି ପ୍ରତ୍ୟେକ ଗୋଷ୍ଠୀର ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରୂପେ ବ୍ୟବହୃତ ହେବାରେ ଲାଗିଛି l ସ୍ମାର୍ଟଫୋନ, ଆଜି ବର୍ଷକର କଅଁଳା ଛୁଆ ହାତରେ କାର୍ଟୁନ ଦେଖିବା ପାଇଁ ହେଉ କି ସ୍କୁଲ ଯାଉଥିବା ପିଲାଙ୍କ ହାତରେ ଗେମ୍ ଖେଳିବା ପାଇଁ; ସବୁ ବୟସର ଲୋକଙ୍କ ହାତରେ ଏହା ଦେଖିବାକୁ ମିଳୁଛି l ଏହାର ବ୍ୟବହାର ଜୀବନରେ ମନୋରଞ୍ଜନ ଓ ଶିକ୍ଷାର ଉତ୍ସ ହୋଇପାରେ ମାତ୍ର ଏହାର ମାତ୍ରାଧିକ ବ୍ୟବହାର ହେଉଛି ଅନେକ ଅସୁବିଧାର ଜନନୀ l ବିଶେଷ କରି ଛାତ୍ରଛାତ୍ରୀ ମାନେ ସ୍ମାର୍ଟଫୋନ ଯୋଗୁଁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଓ ବିଡମ୍ବନା ଏମିତି ଯେ ସେମାନେ କେତେବେଳେ, ଏହି କୁଶଳ ଯନ୍ତ୍ରଟି ଦ୍ଵାରା ବନ୍ଦୀ ହୋଇଯାଉଛନ୍ତି, ସେଥିପ୍ରତି ସେମାନେ ସମ୍ପୂର୍ଣ୍ଣ ଅଜ୍ଞ l

ଏକ ପରୀକ୍ଷଣରୁ ଜଣାଯାଇଛି ଯେ ୨o୨o ସୁଦ୍ଧା ଭାରତରେ ୭୪୯ ନିୟୁତ ମୋବାଇଲ ଉପଭୋକ୍ତା ହୋଇସାରିଛନ୍ତି, ତନ୍ମଧ୍ୟରୁ ୭୪୪ ନିୟୁତ ଉପଭୋକ୍ତା ମୋବାଇଲରେ ହିଁ ଇଣ୍ଟରନେଟ ବ୍ୟବହାର କରିଥାନ୍ତି l ହାତପାଆନ୍ତା ରେ ଇଣ୍ଟରନେଟର ସୁବିଧା ସହିତ ସ୍ମାର୍ଟଫୋନ ର କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟା ଓ ଏହାର ବ୍ୟବହାର ପାଇଁ ଦାୟୀ ହେଲେ ବିଭିନ୍ନ ମୋବାଇଲ କମ୍ପାନୀ l ସେଇ କମ୍ପାନୀ ଗୁଡିକ ନିଜ ନିଜ ଭିତରେ ପ୍ରତିଯୋଗିତା କରି ବିଭିନ୍ନ ସୁବିଧା ଥିବା ନୁଆଁ ନୁଆଁ ବ୍ରାଣ୍ଡ ର ସ୍ମାର୍ଟଫୋନ ତିଆରି କରିଚାଲିଛନ୍ତି, ସେ ପୁଣି ସୁଲଭ ମୂଲ୍ୟରେ l ଫଳସ୍ୱରୂପ ପ୍ରତ୍ୟେକ ବ୍ୟକ୍ତି ପାଖରେ ଗୋଟିଏ କିମ୍ବା ତା ଠୁ ଅଧିକ ମୋବାଇଲ ଦେଖିବାକୁ ମିଳୁଛି l

ପ୍ରତି ଜେନେରେସନରେ ମୋବାଇଲ ହୋଇଚାଲିଛି ସୁନ୍ଦର, ଉନ୍ନତ ଓ ଅଧିକ କ୍ରିୟାଶୀଳ l ଉଦାହରଣ ସ୍ୱରୂପ :- 1G ଦୁନିଆକୁ ଆନାଲୋଗ ଫୋନ ଦେଲା l 2G ରେ ମେସେଜ ପଠେଇବା ଏବଂ ଭଏସ ରେକର୍ଡ ସୁବିଧା ରହିଲା l 3G ଆଣିଲା ସ୍ମାର୍ଟଫୋନ ଆଉ ବ୍ରଡ଼ବ୍ୟାଣ୍ଡର ବ୍ୟବହାର l 4Gରେ ଅନେକ ଗୁଡିଏ ଫିଚର ଓ ସ୍ପୀଡ଼ ବୃଦ୍ଧି ପାଇଲା l ଏବେ ଆସୁଛି 5G, ଏହା କେବଳ ସ୍ମାର୍ଟଫୋନ ର ସ୍ପୀଡ଼ ବଢେଇବନି, ଲୋକଙ୍କୁ ନେଇଯିବ ଏକ ନୂଆଁ ଜଗତ କୁ ଯେଉଁଠି ପରସ୍ପର ସହିତ କଥା ହେବେ ଯନ୍ତ୍ରପାତି l 4G ଠାରୁ ୧ooo ଗୁଣ ସ୍ପୀଡ଼ ରହିବ 5G ନେଟୱର୍କ ର l ଲୋକଙ୍କ ଜୀବନଶୈଳୀକୁ ସହଜ କରିବ 5G l

ସ୍ମାର୍ଟଫୋନର ସୁବିଧା ଯୋଗୁଁ ଛାତ୍ରଛାତ୍ରୀ ସହଜରେ ଓ ସବୁଠାରେ ଇଣ୍ଟରନେଟ ବ୍ୟବହାର କରିପାରୁଥିବାରୁ ସେମାନଙ୍କ ପାଇଁ ଏହା ଏକ ଅତ୍ୟାବଶ୍ୟକ ଉପକରଣ ରେ ପରିଣତ ହୋଇଛି l ଗତବର୍ଷ କୋରୋନା ମହାମାରୀ ଯୋଗୁ ବିଦ୍ୟାଳୟ ଯାଇ ଶିକ୍ଷାଗ୍ରହଣ ସମ୍ଭବ ହୋଇନାହିଁ l ଅନଲାଇନ ଶିକ୍ଷା ବିକଳ୍ପ ବ୍ୟବସ୍ଥା ହେବା ପରଠୁ ଆମେ ଅଭିଭାବକମାନେ ପିଲାଙ୍କୁ ସ୍ମାର୍ଟଫୋନ ଯୋଗେଇଦେବା ପାଇଁ ବାଧ୍ୟ ହୋଇଛୁ l ଏମିତି ନୁହେଁ ଯେ ଆମେ ସେମାନଙ୍କୁ ଏହା ବ୍ୟବହାର କରିବାକୁ ବାରଣ କରିବା, କିନ୍ତୁ ଆମେ ସେମାନେ ବ୍ୟବହାର କରୁଥିବା ସମୟସୀମା କୁ ହ୍ରାସ ତ କରିପାରିବା l ସ୍ମାର୍ଟଫୋନ ବ୍ୟବହାର କଲାବେଳେ ତାଙ୍କ ପାଖରେ ରହି ତାଙ୍କୁ ଏହାର ମାତ୍ରାଧିକ ବ୍ୟବହାରର ଅପକାରିତା ବିଷୟରେ ଅବଗତ କରେଇପାରିବା l

ଡାକ୍ତର ଓ ମନୋବିଜ୍ଞାନୀଙ୍କ ମତ ଅନୁଯାୟୀ, କିଶୋର ବୟସର ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନ ପ୍ରତି ବେଶୀ ଆସକ୍ତ ହେଉଛନ୍ତି l ଯାହାକି ତାଙ୍କ ଦୈନନ୍ଦିନ ଅଭ୍ୟାସ, ଖେଳକୁଦ, ପାଠପଢାକୁ ବହୁଳ ମାତ୍ରାରେ ପ୍ରଭାବିତ କରୁଛି l ଯେଉଁ ଛାତ୍ରଛାତ୍ରୀ ଯେତେ ବେଶୀ ସମୟ ଏହାକୁ ବ୍ୟବହାର କରୁଛି ସେ ସେତିକି ପରିମାଣରେ ଶାରୀରିକ, ମାନସିକ ଓ ସାମାଜିକ କ୍ଷେତ୍ରରେ ବିପନ୍ନ ହୋଇଉଠୁଛି l ଏହାର ବ୍ୟବହାର ମୋଟାପଣ, ଚିଡଚିଡ଼ ହେବା, ହଠାତ ରାଗିଯିବା, ଅନିଦ୍ରା, ନିରାଶାବାଦୀ ହେବା, ଅଳସୁଆପଣ ଆଦି ଅନେକ ରୋଗକୁ ନିମନ୍ତ୍ରଣ ଦେଉଛି l ମାତାପିତା, ଅଭିଭାବକ ମାନଙ୍କୁ ପରାମର୍ଶ ଦିଆଯାଉଛି ପିଲାମାନଙ୍କୁ ଏହାର ସଠିକ ଓ ଅଳ୍ପ ବ୍ୟବହାର ବିଷୟରେ ଠିକ ସମୟରେ ଅବଗତ କରେଇବା ପାଇଁ l କିଛି ଉଚିତ ପଦକ୍ଷେପ ନେଇପାରିଲେ ଏହି ସ୍ମାର୍ଟଫୋନ ର ବ୍ୟବହାର ନିଶ୍ଚିତ ରୂପେ ସ୍ମାର୍ଟ ଭାବରେ କରାଯାଇପାରିବ l

ଏବେ ତ ସ୍ମାର୍ଟଫୋନ ର ବ୍ୟବହାର ମନୋରଞ୍ଜନଧର୍ମୀ ଏବଂ ଶିକ୍ଷାଧର୍ମୀ ହେବା ଅପେକ୍ଷା ଗଣମାଧ୍ୟମ କୁ ଜାଣିବାରେ ବେଶୀ ବ୍ୟବହାର କରାଯାଉଛି l ସକାଳୁ ଆଖି ଖୋଲିବା ମାତ୍ରେ ଫେସବୁକ, ହ୍ୱାଟ୍ସଆପ ଆରମ୍ଭ ହୋଇ ରାତିରେ ବିଛଣା କୁ ଯିବା ଯାଏଁ ଚାଲୁଛି l ଶୋଇବା ସମୟ ତକ ଛାଡିଦେଲେ ଆବାଳବୃଦ୍ଧବନିତା ସଭିଏଁ ସୋସିଆଲ ମିଡ଼ିଆର ମାୟାଜାଲ ରେ ଛନ୍ଦି ହୋଇ ରହିଛନ୍ତି l ଏହା ବିନା ସତରେ ଯେମିତି ଜୀବନ ଅଚଳ ! ଅପରପକ୍ଷେ ଏହାର ମାତ୍ର କିଛି ଘଣ୍ଟା ର ଅଚଳାବସ୍ଥା ଲୋକଙ୍କୁ ଅଣନିଃଶ୍ୱାସୀ କରିଦେଉଛି l ଏପରିକି ଏହା ବିଶ୍ୱବ୍ୟାପୀ ଚର୍ଚ୍ଚାର ପରିସର ଅନ୍ତର୍ଭୁକ୍ତ ହେଉଛି l ସୋସିଆଲ ମିଡ଼ିଆ ଉପଭୋକ୍ତା ନିଜର କ୍ଷୋଭ ଓ ନୈରାଶ୍ୟ ଜାହିର କରିବାକୁ ସୁଦ୍ଧା ପଛାଉନାହାନ୍ତି l କେବଳ ଭାରତରେ ୩୪ କୋଟିରୁ ଅଧିକ ଫେସବୁକ ବ୍ୟବହାରକାରୀ ଏବଂ ୪୯ କୋଟିରୁ ଅଧିକ ହ୍ଵାଟ୍ସଆପ ବ୍ୟବହାରକାରୀ ଅଛନ୍ତି l ସ୍ମାର୍ଟଫୋନ ଏବଂ ସୋସିଆଲ ମିଡ଼ିଆ ର ବ୍ୟବହାର ଲୋକଙ୍କ ଜୀବନକୁ ଏତେମାତ୍ରାରେ ପ୍ରଭାବିତ କରିସାରିଛି ଯେ ଧୀରେ ଧୀରେ ସେମାନେ ଘରୁ ବାହାରି କାହା ସହିତ ମିଶିବାକୁ ଇଛା କରୁନାହାନ୍ତି l ଏକୁଟିଆ ନିଜ ଭିତରେ ସୀମିତ ରହିଯାଉଛନ୍ତି l

ମାନବ ଜାତି ଭୁଲିଯାଉଛି ଯେ ସ୍ମାର୍ଟଫୋନ ଅନୁପସ୍ଥିତିରେ ବି ଦିନେ ଜୀବନ ସମ୍ଭବ ଥିଲା ! ସୋସିଆଲ ମିଡ଼ିଆ ରେ ହଜାର ହଜାର ବନ୍ଧୁ ନ ଥିଲେ, ହେଲେ ଯେଉଁ କିଛି ବନ୍ଧୁ ଥିଲେ ପରସ୍ପର ଭିତରେ ବନ୍ଧୁତା, ଭାଇଚାରା, ଏକତା ଥିଲା l ପିଲାମାନଙ୍କ ପାଖରେ ନିଜ ବୃଦ୍ଧ ପିତାମାତାଙ୍କ ପାଇଁ ସମୟ ଥିଲା l ରୋଜଗାରିଆ ସ୍ୱାମୀ ଟିଏ କାମରୁ ଫେରି ସ୍ମାର୍ଟଫୋନ ନୁହେଁ ପରିବାର ଗହଣରେ ସମୟ ବିତାଉଥିଲା l ସ୍ତ୍ରୀଲୋକ ମାନେ ଫଟୋ, ଭିଡିଓ ସେୟାର କରିବାରେ ବ୍ୟସ୍ତ ନ ରହି ନିଜ ସାଙ୍ଗସାଥୀ, ପରିବାର ସଦସ୍ୟ ଙ୍କ ସହିତ ଖୁସିଗପ କରୁଥିଲେ l ଛାତ୍ରଛାତ୍ରୀ ମାନେ ଅବସର ବିନୋଦନ ପାଇଁ ଗପବହି, ବିଭିନ୍ନ ଖେଳର ସାହାରା ନେଉଥିଲେ l ଏହି ସ୍ମାର୍ଟଫୋନ ତ ଛୋଟ ପିଲାଙ୍କୁ ବି କିମିଆ କରିଛିl ସେମାନେ ଜହ୍ନମାମୁ, ବାଇଚଢେଇ, ବାଘମାମୁ ଗପ ଓ ଗୀତ ମା’, ଜେଜେମା’, ଆଈଙ୍କ ଠାରୁ ନ ଶୁଣି ମୋବାଇଲ ରେ କାର୍ଟୁନ ଦେଖି ଖାଇବା ଓ ଶୋଇବା ଆଦି କାମ କରୁଛନ୍ତି l ଅବଶ୍ୟ ଏହାପଛରେ ଦାୟୀ ବି ପିଲାଙ୍କ ଅଭିଭାବକ ମାନେ ନିଜେ ! ଆଶ୍ଚର୍ଯ୍ୟ ଲାଗେ, କଣ ଏହାହିଁ ପ୍ରଗତି ? ମଣିଷର ଭାବନା, ବିଚାର, ସମ୍ବେଦନଶୀଳତା, ସଂସ୍କାର କୁ କ୍ଷତିଗ୍ରସ୍ତ କରି କ’ଣ ପ୍ରକୃତ ଉନ୍ନତି ସମ୍ଭବପର ହେଲାଣି ? ବିଚାର ପାଠକଙ୍କ ହାତରେ !

ସମାଜ ଯେତେ ଉନ୍ନତି କରିବାକୁ ଚାହିଁଲେ ମଧ୍ୟ, ଆଧୁନିକତାର ବଶବର୍ତ୍ତୀ ହୋଇ ଆମେ ଆମ ପିଲାମାନଙ୍କୁ ପଥଭ୍ରମ ହେବାର ଅନୁମତି ଦେଇପାରିବା ନାହିଁ l ପ୍ରଗତି କେବେ ସମାଜକୁ ବିପଥଗାମୀ କରାଏ ନାହିଁ ବରଂ ଶୃଙ୍ଖଳିତ, ମାର୍ଜିତ ଓ ସୁରକ୍ଷିତ ହେବାକୁ ଶିକ୍ଷାଦିଏ l ଏଣୁ ମାତାପିତାଙ୍କୁ ଅନୁରୋଧ ପିଲାଙ୍କ ସ୍ମାର୍ଟଫୋନ ର ବହୁଳ ବ୍ୟବହାର କୁ କମେଇବା ସହିତ ତାର ସୁବ୍ୟବହାର ପ୍ରତି ମଧ୍ୟ ସଚେତନ କରେଇବା ଉଚିତ l ସୋସିଆଲ ମିଡ଼ିଆ ପ୍ରତି ଆସକ୍ତି ପାରୁପର୍ଯ୍ୟନ୍ତ କମେଇବାକୁ ହେବ l ସ୍ମାର୍ଟଫୋନ ରୁ ବାହାରି ନିଜ ଚାରିପଟେ ଘଟିଯାଉଥିବା ଜୀବନ, ସୁନ୍ଦର ପ୍ରକୃତିରୁ ଶିକ୍ଷା, ଜ୍ଞାନ ଓ ଅଭିଜ୍ଞତା ର ଅନୁସରଣ ପରେ ହିଁ ଏକ ସୁସ୍ଥ ସମାଜର ଗଠନ ହୋଇପାରିବ l ସମସ୍ତେ ଏକ ଉନ୍ନତ ଭବିଷ୍ୟତ ପାଇଁ ଆଶାବାଦୀ ରହିବେ l

0 Comments

Leave Your Comment

Your email address will not be published. Required fields are marked *

%d bloggers like this: