ଏହି ପିଢ଼ି ତୁମଠାରୁ ହିଁ ରିସ୍କ ନେବା ଶିଖିଛି ‘ଧୋନି’: ପ୍ରଧାନମନ୍ତ୍ରୀ ମୋଦି

ଏହି ପିଢ଼ି ତୁମଠାରୁ ହିଁ ରିସ୍କ ନେବା ଶିଖିଛି ‘ଧୋନି’: ପ୍ରଧାନମନ୍ତ୍ରୀ ମୋଦି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାମାଜିକ ଗଣମାଧ୍ୟମରେ ଏବେ ଖୁବ୍ ଜୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଇ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ପୂର୍ବତନ ଟିମ୍ ଇଣ୍ଟିଆ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଚର୍ଚ୍ଚା । ଧୋନିଙ୍କୁ ଭାରତୀୟ କ୍ରିକେଟ ଲାଗି ବଳିଷ୍ଠ ଅବଦାନ ପାଇଁ ପ୍ରଶଂସାପତ୍ର ପ୍ରଧାନମନ୍ତ୍ରୀ ପଠାଇଥିବା ବେଳେ ସମାନ ଭାବେ ସୋସିଆଲ ମିଡିଆରେ ମୋଦିଙ୍କ ଚିଠି ସହ ଏଥିପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଉ ଏହାକୁ ନେଇ ଏବେ ବେଶ୍ ଭାବ ବିହ୍ୱଳ ହୋଇପଡ଼ିଛନ୍ତି କ୍ରିକେଟରୁ ସନ୍ୟାସ ଘୋଷଣା କରିସାରିଥିବା ଏମଏସଡି ।

ପ୍ରଧାନମନ୍ତ୍ରୀଙ୍କଠାରୁ ପାଇଥିବା ଏହି ୨ ପୃଷ୍ଠା ସମ୍ବଳିତ ଚିଠିକୁ ଧୋନି ତାଙ୍କ ଟ୍ବିଟରରେ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଶବ୍ଦ ଏବଂ ଶୁଭକାମନା ପାଇଁ ଧୋନି ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଣେ କଳାକାର, ସୈନିକ ଓ କ୍ରୀଡ଼ାବିତ୍‌ଭାବେ ଯାହା ବି ପ୍ରଶଂସାର ଯୋଗ୍ୟ ତାହାସବୁ ତାଙ୍କ କଠିନ ପରିଶ୍ରମ ଓ ବଳିଦାନ ପାଇଁ ଦୃଷ୍ଟିଗୋଚର ହୋଇପାରିଛି ଏବଂ ପ୍ରତ୍ୟେକଙ୍କ ଦ୍ବାରା ପ୍ରଶଂସିତ ହୋଇଛି। ସେଥିପାଇଁ ପ୍ରଶଂସା ଓ ଶୁଭେଚ୍ଛା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ ବୋଲି ଟ୍ବିଟରରେ ଲେଖି ତାଙ୍କ ଶୁଭେଚ୍ଛାର ଉତ୍ତର ରଖିଛନ୍ତି ଧୋନି।

ଚିଠିରେ ସ୍ନେହର ମହେନ୍ଦ୍ର ବୋଲି ସମ୍ବୋଧନ କରି ମୋଦି ଲେଖିଛନ୍ତି ଯେ ୧୫ ଅଗଷ୍ଟରେ ତୁମେ ତୁମର ନିଆରା, ସ୍ବତନ୍ତ୍ର ତଥା ସହଜ ଶୈଳୀରେ ଏକ ଛୋଟ ଭିଡିଓ ସେୟାର କରିଥିଲ, ଯାହା ସମଗ୍ର ଦେଶ ପାଇଁ ଏକ ଲମ୍ବା, ଆବେଗପୂର୍ଣ୍ଣ ଓ ଭାବପୂର୍ଣ୍ଣ ଚର୍ଚା ପାଇଁ ପର୍ଯ୍ୟାପ୍ତ ଥିଲା। ୧୩୦ କୋଟି ଭାରତୀୟ ନିରାଶ ଥିଲେ। ହେଲେ ଗତ ଦେଢ଼ ଦଶନ୍ଧି ଧରି ତୁମେ ଭାରତୀୟ କ୍ରିକେଟ୍ ପ୍ରତି କରିଥିବା ଅତୁଳନୀୟ ଅବଦାନ ଲାଗି ହୃଦୟର ଗଭୀରତମ ପ୍ରଦେଶରୁ ୧୩୫ କୋଟି ଭାରତୀୟ ତୁମକୁ କୃତଜ୍ଞତା ଜାହିର କରୁଥିଲେ।

ତୁମ କ୍ୟାରିୟରକୁ ପରିସଂଖ୍ୟାନର ଝରକାରେ ଦେଖାଯାଇପାରେ। ତୁମେ ସଫଳତମ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ, ବିଶ୍ବ ମାନ୍ୟତାରେ ଭାରତକୁ ଶିଖରରେ ପହଞ୍ଚାଇବାରେ ତୁମେ ପ୍ରମୁଖ ଭୂମିକା ତୁଲାଇଛ। ତୁମ ନାଁକୁ କ୍ରିକେଟ୍ ଇତିହାସର ସଫଳତମ ଅଧିନାୟକ, ମହାନ ବ୍ୟାଟ୍ସମ୍ୟାନ୍ ଏବଂ ନିଶ୍ଚିତ ଭାବେ କ୍ରିକେଟ୍ ଦୁନିଆ ଦେଖିଥିବା ଅନ୍ୟତମ ସର୍ବଶ୍ରେଷ୍ଠ ୱିକେଟ୍ ରକ୍ଷକ ଭାବେ ନିଆଯିବ। କଠିନ ପରିସ୍ଥିତିରେ ତୁମ ନିର୍ଭରତା, ମ୍ୟାଚ୍ ଫିନିସ୍ କରିବାର ଅନନ୍ୟ ଶୈଳୀ, ବିଶେଷ କରି ୨୦୧୧ ବିଶ୍ବକପ୍ ଫାଇନାଲ୍‌, ଆଗାମୀ ଅନେକ ପିଢ଼ିର ଲୋକଙ୍କ ମନରେ ସବୁଦିନ ପାଇଁ ସ୍ମରଣୀୟ ଓ ସତେଜ ହୋଇ ରହିବ। ମୋଦି ଆହୁରି ଲେଖିଛନ୍ତି ଯେ ମହେନ୍ଦ୍ର ସିଂହ ଧୋନିଙ୍କୁ କେବଳ ତାଙ୍କ କ୍ୟାରିୟର ପରିସଂଖ୍ୟାନ କିମ୍ବା ନିର୍ଦ୍ଦିଷ୍ଟ ମ୍ୟାଚ୍ ବିଜୟୀ ଭୂମିକା ପାଇଁ ମନେ ରଖା ଯିବନି। କେବଳ ଜଣେ ଖେଳାଳି ଭାବେ ମୂଲ୍ୟାୟନ କରିବା ତୁମ ପ୍ରତି ଅନ୍ୟାୟ ହେବ। ଠିକ୍ ଭାବେ ମୂଲ୍ୟାଙ୍କନ କରିବା ଲାଗି ତୁମକୁ ଜଣେ ମହାନ ଓ ବିଶିଷ୍ଟ ବ୍ୟକ୍ତିତ୍ବର ଅଧିକାରୀ ରୂପେ ଦେଖାଯିବା ଉଚିତ।

ଏକ ଛୋଟ ସହରରୁ ବାହାରି କଠୋର ସାଧନା ଓ ଏକାଗ୍ରତା ବଳରେ ରାଷ୍ଟ୍ରୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବା ଏବଂ ଦେଶକୁ ଗର୍ବିତ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ। ଏହାପରେ ତୁମ ଅଭ୍ୟୁଦୟ, ଶାଳୀନତାପୂର୍ଣ୍ଣ ବ୍ୟବହାର; ରାଜକୀୟ, ସମ୍ଭ୍ରାନ୍ତ ପରିବାର ତଥା ନାମୀଦାମୀ ବିଦ୍ୟାଳୟରୁ ଆସିନଥିବା କୋଟି କୋଟି ଭାରତୀୟ ଯୁବକ ଯୁବତୀଙ୍କୁ ଅନୁପ୍ରେରିତ କରିଥିଲା। ସର୍ବୋଚ୍ଚ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ଓ ଅଲଗା କରିବା ଲାଗି ସେମାନଙ୍କ ପାଖରେ କେବଳ ପ୍ରତିଭା ହିଁ ଥିଲା। ତୁମେ ଭାରତର ଆତ୍ମାକୁ ପ୍ରତିଫଳନ କରୁଥିବା ‌ରୋଲ୍ ମଡେଲ ବା ଆଦର୍ଶ , ଯେଉଁଠାରେ ପରିବାର ନାଁ ଯୁବବର୍ଗର ଭାଗ୍ୟ ଲେଖି ନଥାଏ। ସେମାନେ ନିଜ ନାଁକୁ ନିଜେ ସାର୍ଥକ କରିଥା’ନ୍ତି, ନିଜ ହାତରେ ନିଗ ଭାଗ୍ୟ ଲେଖିଥା’ନ୍ତି। ଯେ ପର୍ଯ୍ୟନ୍ତ ଆମେ ଆମ ଲକ୍ଷ୍ୟକୁ ଚିହ୍ନିଛେ, ଜାଣିଛେ, ସେ ପର୍ଯ୍ୟନ୍ତ ଆମେ କେଉଁଠାରୁ ଆସିଛେ, କ’ଣ କରୁଛେ, ତାର କୌଣସି ମହତ୍ବ ନଥାଏ। ପଡ଼ିଆ ଭିତରେ ତୁମର ଅଗଣିତ ଅବିସ୍ମରଣୀୟ ସଫଳତା ଆଗାମୀ ପିଢ଼ି ନିଶ୍ଚିତ ଭାବେ ମନେ ରଖିବେ। ଏହି ପିଢ଼ି ତୁମଠାରୁ ହିଁ ରିସ୍କ ନେବା ଶିଖିଛି। କଠିନ ପରିସ୍ଥିତି ଓ ଅସହ୍ୟ ଚାପ ପରିସ୍ଥିତିରେ ତୁମେ ଯେଭଳି ଅନେକ ସମୟରେ ରିସ୍କ ନେଇ ସଫଳ ହୋଇଛ, ସେମାନେ ମଧ୍ୟ ଠିକ୍ ସେହିପରି ନିଜ ଦକ୍ଷତା ଉପରେ ଭରସା କରି ଆଗେଇ ଚାଲିଛନ୍ତି।

୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଏହାର ଏକ ଜ୍ବଳନ୍ତ ଉଦାହରଣ। କଠିନରୁ କଠିନ ପରିସ୍ଥିତିରେ ସନ୍ତୁଳନ ରକ୍ଷା କରିବାର କଳା ମଧ୍ୟ ଏହି ପିଢ଼ି ତୁମଠାରୁ ଶିଖିଛି। ଏବେକାର ଭାରତୀୟ ପିଢ଼ି ନିର୍ଣ୍ଣାୟକ ପରିସ୍ଥିତିରେ ଅଧୈର୍ଯ୍ୟ ହେଉନାହାନ୍ତି, ସେମାନେ ସାହସ ହରାଉ ନାହାନ୍ତି। ଆମେ ଏହାକୁ ତୁମର ଅନେକ ପାଳି ଓ ମ୍ୟାଚ୍‌ରେ ଦେଖିଛୁ। ଆମ ଯୁବ ପିଢ଼ି ବିପରୀତ ପରିସ୍ଥିତିରେ ଓ ଶତ୍ରୁ ସମ୍ମୁଖରେ ଆତ୍ମବିଶ୍ବାସ ହରାଉ ନାହାନ୍ତି। ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଲା ସେମାନେ ନିର୍ଭୀକ ହୋଇ ଯାଇଛନ୍ତି, ଠିକ୍ ତୁମେ ନେତୃତ୍ବ ନେଇଥିବା ସେହି ଦଳ ଭଳି। ତୁମେ କିଭଳି ହେୟାର ଷ୍ଟାଇଲ୍ କରୁଥିଲେ, ଛୋଟ କିମ୍ବା ଲମ୍ବା କେଶ ରଖୁଥିଲେ, ତାହା କୌଣସି ଫରକ୍‌ ପକାଏ ନାହିଁ। ବିଜୟ ହେଉ ଅଥବା ପରାଜୟ, ତୁମେ ସବୁବେଳେ ଶାନ୍ତ ରହୁଥିଲେ। ପ୍ରତ୍ୟେକ ଯୁବକଯୁବତୀଙ୍କ ପାଇଁ ଏହା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଶିକ୍ଷା।

ମୋଦୀ ଆହୁରି ଲେଖିଛନ୍ତି ଯେ ଭାରତୀୟ ସେନା ବାହିନୀ ପ୍ରତି ତୁମର ସ୍ନେହ, ଭଲ ପାଇବା, ସହଭାଗିତା ବିଷୟରେ ମଧ୍ୟ ମୁଁ ସ୍ବତନ୍ତ୍ର ଭାବେ ଏଠାରେ କିଛି କହିବାକୁ ଚାହେଁ। ତୁମେ ଜଣେ ସୈନ୍ୟ ଅଧିକାରୀ ଭାବେ ସବୁଠାରୁ ବେଶି ଖୁସି ଜଣାପଡ଼। ସେମାନଙ୍କ କଲ୍ୟାଣ ପାଇଁ ତୁମ ବ୍ୟଗ୍ରତା ଓ ପ୍ରତିବଦ୍ଧତା ଅତୁଳନୀୟ।

ଶେଷରେ ଧୋନିଙ୍କ ପରିବାର ପ୍ରସଙ୍ଗ ଉଠାଇ ମୋଦୀ ଲେଖିଛନ୍ତି ଯେ ମୁଁ ଆଶା କରୁଛି, ଏଣିକି ସାକ୍ଷୀ ଓ ଜିଭା ତୁମ ସହ ଅଧିକ ସମୟ କଟାଇବାର ସୁଯୋଗ ପାଇବେ। ମୁଁ ତୁମମାନଙ୍କୁ ଏଥିଲାଗି ଶୁ‌ଭେଚ୍ଛା ଓ ଶୁଭକାମନା ଜଣାଉଛି। କାରଣ ସେମାନଙ୍କ ତ୍ୟାଗ ଓ ସମର୍ଥନ ବ୍ୟତୀତ କିଛି ବି ସମ୍ଭବ ହୋଇ ପାରି ନଥା‌’ନ୍ତା। ପେସାଦାର ଓ ବ୍ୟକ୍ତିଗତ ଜୀବନରେ କିଭଳି ସନ୍ତୁଳନ ଓ ତାଳମେଳ ରକ୍ଷା କରାଯାଏ ସେକଥା ମଧ୍ୟ ଆମ ଯୁବ ପିଢ଼ି ତୁମଠାରୁ ଶିଖିବା କଥା। ଏକ ନିର୍ଦ୍ଦିଷ୍ଟ ପ୍ରତିଯୋଗିତାର ବିଜୟ ଉତ୍ସବକୁ ଅନ୍ୟମାନେ ପାଳନ କରୁଥିଲା ବେଳେ ତୁମେ ତୁମ ‌ଗେହ୍ଲା ଝିଅ ସହ ଖେଳୁଥିବାର ଫଟୋ ମୁଁ ଦେଖିଛି। ସେ ହିଁ ବିଶିଷ୍ଟ ଧୋନି। ଭବିଷ୍ୟତ ପାଇଁ ମଞ୍ଚ ତୁମକୁ ଅଶେଷ ଅଶେଷ ଶୁଭକାମନା ଜଣାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: