ଭୟ ବଢ଼ାଉଛି ଭାଇରସ: ସ୍ଥାନୀୟ ସଂକ୍ରମଣ ଚିନ୍ତାଜନକ, ଟେଷ୍ଟିଂ ଉପରେ ଦିଆଯାଉ ଗୁରୁତ୍ୱ

ଭୟ ବଢ଼ାଉଛି ଭାଇରସ: ସ୍ଥାନୀୟ ସଂକ୍ରମଣ ଚିନ୍ତାଜନକ, ଟେଷ୍ଟିଂ ଉପରେ ଦିଆଯାଉ ଗୁରୁତ୍ୱ

ପ୍ରିଜମ ନ୍ୟୁୁଜ୍ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କୋଭିଡ-19 ମାମଲା । ନିତିଦିନ ନୂଆ ନୂଆ ରେକର୍ଡ ପାର୍ କରୁଛି କରୋନା ଭାଇରସ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା । ଉଦବେଗଜନକ କଥା ହେଲା ପ୍ରତିଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ମଧ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ । କେବଳ ସରକାର କାହିଁକି ବଢ଼ୁଥିବା ଭାଇରସ ଭୟକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଅବଶ୍ୟ ଏ ପର୍ଯ୍ୟନ୍ତ ସରକାର ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ସରକାର କେବଳ ସଚେତନ ଏବଂ ପରାମର୍ଶ ମଧ୍ୟରେ ସୀମିତ ରହିଛନ୍ତି ଏବଂ ଆବଶ୍ୟକ ସଂଖ୍ୟକ ଟେଷ୍ଟି କରାଯାଉନାହିଁ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏଭଳି ଘଡ଼ ସନ୍ଧି ମୁହୁର୍ତ୍ତରେ ଆଜିର କରୋନା ଅପଡେଟ ପୁଣି ଚିନ୍ତାର କାରଣ ପାଲଟିଛି ।

ରାଜ୍ୟରେ ୨୨ଟି ଜିଲ୍ଲାରୁ ନୂଆ ୪୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୭ଟି ଲୋକାଲ କେସ୍‌ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କରୋନାରେ ଆକ୍ରାନ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ଗଞ୍ଜାମରୁ ୪ କରୋନା ଯୋଦ୍ଧାଙ୍କ ସହ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ଯୋଗୁ ରାଜ୍ୟରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାକୁ ଲାଗିଥିବା ବେଳେ ଏହା ସରକାରଙ୍କ ଚିନ୍ତା ବଢ଼ାଉଛି।

୪୫୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଯାଜପୁର ୫୭, ବରଗଡ଼ରୁ ୩୩, ନବରଙ୍ଗପୁରରୁ ୨୪, ଜଗତସିଂହପୁରରୁ ୨୩ ଓ ରାୟଗଡ଼ାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଖୋର୍ଦ୍ଧାରୁ ୨୧, ବାଲେଶ୍ୱରରୁ ୧୪, କଟକରୁ ୧୩, ଭଦ୍ରକରୁ ୧୨, କୋରାପୁଟରୁ ୧୦, ବଲାଙ୍ଗିରରୁ ୬, ମୟୂରଭଞ୍ଜରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ ୫, ନୟାଗଡ଼ରୁ ୪, ପୁରୀ, କନ୍ଧମାଳରୁ ୩ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରୁ ୨, ଅନୁଗୋଳ, ଢେଙ୍କାନାଳ, ଗଜପତି, କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଥିବା ବେଳେ ୬୨୨୪ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୩୨୫୪ ଆକ୍ଟିଭ କେସ୍‌ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: