ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା,ତଦନ୍ତ କରିବ ସିଆଇଡି-କ୍ରାଇମବ୍ରାଞ୍ଚ ଟିମ୍

ପ୍ରିଜମ ନ୍ୟୁଜ ବ୍ୟୁରୋ:ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା ଏକ ଭିନ୍ନ ମୋଡ ନେଇଛି। ଶିକ୍ଷୟତ୍ରୀ ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି। ଆଜି ସକାଳେ ସେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜୀ ଜେଲ୍ ପରିସର ରୋଷେଇ ଘର ପାର୍ଶ୍ୱ ଏକ ଗଛରେ ଟାୱେଲରେ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଗଛରେ ଝୁଲୁଥିବା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।ଏହି ମାମଲାରେ ସେ ଏକମାତ୍ର ଅଭିଯୁକ୍ତ ଥିଲେ। ଆଜି ତାଙ୍କୁ କୋର୍ଟରେ ହାଜର ହେବାର ଥିଲା। ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ସରିଥିଲା। ମମିତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟ ଦେଇସାରିଥିଲେ।

ସେପଟେ ଗୋବିନ୍ଦ ସାହୁଙ୍କ ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା।ଏକଦା ଏହି ମାମଲା ରାଜ୍ୟ ରାଜନୀତିରେ ହୁଲୁସ୍ଥୁଲୁ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର ଆୟୋଗ। ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ନେଇ ତଦନ୍ତ କରିବ ସିଆଇଡି-କ୍ରାଇମବ୍ରାଞ୍ଚ । ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହେଲା ଘଟଣାର ହେବ ତଦନ୍ତ ।

ଏଥିପାଇଁ ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍‌ । ଏହି ଟିମରେ ଜଣେ ଇନିସପେକ୍ଟର, ଦୁଇ ଜଣ ଏସଆଇ, ଜଣେ ଫରେନସିକ୍‌ ଓ ଜଣ ହ୍ୟାଣ୍ଡ ରାଇଟିଂ ଅକ୍ସପର୍ଟ ରହିବ । କେମିତି ହେଲା ମୃତ୍ୟୁ ସେନେଇ କ୍ରାଇମବ୍ରାଞ୍ଚ ତନାଘନା କରିବ । ଗୋବିନ୍ଦଙ୍କ ଅସ୍ୱାଭବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଠିଆ କରିଛି ।ସେପଟେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୈତିକ ଝଡ଼ । ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି

Leave a Reply

Your email address will not be published. Required fields are marked *