ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମାଙ୍କନ

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମାଙ୍କନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମାଙ୍କନ ଦାଖଲ । NDA ପ୍ରାର୍ଥୀ ଭାବେ ଧନଖଡ଼ ନାମାଙ୍କନ ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା , କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ । ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ଜଗଦୀପ ଧନଖଡ଼ଙ୍କୁ ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୟନ କରାଯାଇଛି ।

୧୯୫୧ ମସିହା ମେ ୧୮ ତାରିଖରେ ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଜଗଦୀପ ଧନଖଡ଼ ରାଜନୀତିରେ ପାଦ ଦେବା ଆଗରୁ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।୧୯୭୯ରୁ ୧୯୮୯ ମଧ୍ୟରେ ସୁପ୍ରିମକୋର୍ଟ ଓ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ସେ ଓକିଲାତି କରିଛନ୍ତି । ତେବେ ୧୯୮୯ରେ ସେ ଝୁନଝୁନୁ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଏହାପରେ ୧୯୯୦ରେ ପାର୍ଲାମେଣ୍ଟାରି କମିଟି ଚେୟାରମ୍ୟାନ୍ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ ଜଗଦୀପ ଧନଖଡ଼ । ୧୯୯୩ରୁ ୧୯୯୮ ଯାଏଁ ସେ ରାଜସ୍ଥାନ କିଶନଗଡ଼ ଆସନରୁ ବିଧାୟକ ଥିଲେ । ୨୦୧୯ ଜୁଲାଇ ୨୦ରେ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ୱଗ୍ରହଣ କରିଥିଲେ । ତେବେ ୨୦୨୧ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଘଟିଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ଭୋଟିଂ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୧୯ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ । ଜୁଲାଇ ୨୦ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ଜୁଲାଇ ୨୨ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ବାଛିବା ପାଇଁ ଅଗଷ୍ଟ ୬ରେ ମତଦାନ ଅନୁଷ୍ଠିତ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: