‘ରାବଣ’ଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି; ସୋସିଆଲ ମିଡିଆରେ ସେୟାର କଲେ ସ୍ମୃତି

We have lost Shri Arvind Trivedi, who was not only an exceptional actor but also was passionate about public service.

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କେବଳ ଜଣେ ଅଭିନେତା ନଥିଲେ ଜନ ପ୍ରତିନିଧି ଭାବେ ବେଶ୍ ପ୍ରସିଦ୍ଧି ହାସଲ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ପିଏମ୍ ମୋଦି । ରାମାୟଣରେ ସେ ଅଭିନୟ କରିଥିବା ରାବଣ ଭୂମିକା ପାଇଁ କିନ୍ତୁ ସବୁଦିନ ପାଇଁ ମନେ ରହିବେ ।

 ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ନେଇ ତାଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି।

ଦୀର୍ଘ ଦିନ ଧରି ଅସୁସ୍ଥ ରହୁଥିବା ଅରବିନ୍ଦଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଗୁଜବ ପ୍ରଚାର ହେଉଥିବା ବେଳେ ଏହାକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଉଥିଲା। ଗତ ମେ’ ମାସରେ ଅରବିନ୍ଦ ଆଖି ବୁଜି ଦେଇଥିବା ପ୍ରଚାର ହୋଇଥିବା ବେଳେ ତାଙ୍କ ପୁତୁରା କୌସ୍ତୁଭ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ମିଥ୍ୟା ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଥିଲେ। ତେବେ ହୃଦ୍‌ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ଉଚ୍ଚକୋଟୀର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିପାରିଥିଲେ। ସେ ଟିଭି ଧାରାବାହିକ ‘ବିକ୍ରମ ବେତାଳ’ରେ ମଧ୍ୟ ନଜର ଆସିଥିଲେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଅରବିନ୍ଦ ତ୍ରିବେଦୀ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।  ଅରବିନ୍ଦଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ଗୁଜରାଟୀ ସିନେ ଇଣ୍ଡଷ୍ଟ୍ରିରେ ଜଣେ ଚର୍ଚ୍ଚିତ ଚେହେରା। ସେ ଅନେକ ଗୁଜରାଟୀ ଫିଲ୍ମରେ ଅଭିନୟ କରିଛନ୍ତି। ଗୁଜରାଟୀ ଭାଷାରେ ଧାର୍ମିକ ଓ ସାମାଜିକ ଫିଲ୍ମରେ ଅଭିନୟ କରି ଅରବିନ୍ଦ ଗୁଜରାଟୀ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ଗୁଜରାଟୀ ସିନେ ଇଣ୍ଡଷ୍ଟ୍ରିରେ କାମ କରିଥିଲେ।

ଉଚ୍ଚକୋଟୀର ଅଭିନୟ ପାଇଁ ଅରବିନ୍ଦ ତ୍ରିବେଦୀ ବହୁବାର ପୁରସ୍କୃତ ମଧ୍ୟ ହୋଇଥିଲେ। ସେ ପ୍ରାୟ ୩୦୦ ହିନ୍ଦୀ ଓ ଗୁଜରାଟୀ ଫିଲ୍ମୀରେ ଅଭିନୟ କରିଥିଲେ।  ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ୧୯୯୧ରେ ସେ ଭାରତୀୟ ଜନତା ପାର୍ଟିର ଟିକେଟ୍‌ରେ ସାଂସଦ ମଧ୍ୟ ହୋଇଥିଲେ। କରୋନା ଲକ୍‌ଡାଉନ୍‌ ସମୟରେ ‘ରାମାୟଣ’ ପ୍ରସାରଣ କରାଯାଇଥିଲା, ଯାହାକି ପୁଣିଥରେ ଚର୍ଚ୍ଚାକୁ ଆସିଥିଲା।

Leave a Reply

Your email address will not be published. Required fields are marked *