Connect with us

ସାହିତ୍ୟ ସ୍ତମ୍ଭ

କିମାଶ୍ଚର୍ଯ୍ୟମ୍(୮)- କ୍ଷମତାର ଡିଆଁରୋଗ

କ୍ଷମତାର ଅପବ୍ୟବହାର ଏକ ଡିଆଁରୋଗ। ବାପାମାଙ୍କ ଠାରୁ ପିଲାଙ୍କୁ, ବନ୍ଧୁ ଠାରୁ ବନ୍ଧୁକୁ , ଉପରିସ୍ଥ ଠାରୁ କନିଷ୍ଠକୁ ବିଦ୍ୟୁତ ଗତିରେ ସଂକ୍ରମିତ ହେବାର ଦକ୍ଷତା ଅଛି ଏ ରୋଗର। ଆଉ ଥରେ ଏ ରୋଗ ହେଲେ, କୌଣସି ଔଷଧ କି ଟିକା କାମ ଦିଏନି।

Published

on

(ପରଂବ୍ରହ୍ମ ତ୍ରିପାଠୀ)- ହିନ୍ଦୀ ଚଳଚିତ୍ରରୁ ବିଚାରପତିମାନଙ୍କ କ୍ଷମତା ଓ ଠାଣି ଦେଖି, ତାରୁଣ୍ୟରେ ମୋର ଗୋଟେ ବଡ଼ ଇଛା ଥିଲା ବିଚାରପତିଙ୍କ ଘର, ସେମାନେ ଘରେ କେମିତି ରୁହନ୍ତି, କଣ କରନ୍ତି ଏସବୁ ପାଖରୁ ଦେଖିବାକୁ। ତେଣୁ ୨୦୦୮ ଜୁନ ମାସରେ ଆଶିଷ ଚୌଧରୀ ସହ ତା ଘରକୁ ଯିବା ବେଳେ ମୋ ଭିତରେ ଥାଏ ଗୋଟେ ଅଲଗା ଉତ୍ସାହ ଓ ରୋମାଞ୍ଚ। ଆଶିଷର ବାପା, ମାନେ ବଳଦେବ ଚୌଧରୀ ମଉସା ସେତେବେଳେ ଥାଆନ୍ତି ରାଜସ୍ଥାନ ନାଗୋର ଜିଲ୍ଲା ଅଦାଲତରେ ବିଚାରପତି। ମଉସା, ମାଉସୀ ଓ ଆଶିଷର ଭାଇ ଭାଉଜଙ୍କୁ ଦେଖି ନଥିଲେ ବି ଫୋନରେ ସେମାନଙ୍କ ସହ ବହୁବାର କଥା ହେଇଥିଲି। ଫୋନରେ ଯେଉଁ ପରିମାଣର ଅତ୍ମୀୟତା ପାଇଥିଲି, ଲାଗୁଥିଲା ଦୁଇ ଦିନିଆ ଛୁଟିଟି ଭାରି ମଜାରେ କଟିବ। ହେଲେ ଘରେ ପହଁଚିଲା ପରେ ଦେଖିଲି ସମ୍ପୂର୍ଣ୍ଣ ବିପରୀତ କଥା। ଘରେ ନୀରବତା ଏତେ ସାନ୍ଧ୍ର ଥିଲା ଯେ ମୋ କାଶ କି ଆଶିଷ ସହିତ ସ୍ୱାଭାବିକ କଥାଟି ବି ଅନାବଶ୍ୟକ କୋଳାହଳ ଭଳି ଲାଗୁଥାଏ। ଆଶିଷକୁ ପଚାରିଲେ ବି ଉତ୍ତର ନାହିଁ। ସନ୍ଧ୍ୟାରେ ମୁଁ, ଆଶିଷ ଓ ବଡ଼ଭାଇ ବସିଥାଉ ତାଙ୍କ ସରକାରୀ ଆବାସ ଛାତ ଉପରେ, ମାଉସୀ ଆଣିକି ଆସିଲେ ଲଙ୍କା ପକୋଡା, ଆଉ ସମ୍ଭାଳି ନପାରି ତାଙ୍କୁ ପଚାରି ଦେଲି, କଣ ହେଇଛି ବୋଲି।

କଥାଟି ଏମିତି। ଦିନ ବେଳା ମାଉସୀ ଓ ଭାଉଜ ଯାଇଥିଲେ ଲୁଗା କିଣିବା ପାଇଁ। ମନପସନ୍ଦର କିଛି ଲୁଗା ଆଣିଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ମଉସା ଯେବେ ଦେଖିଲେ ଲୁଗା ଓ ଜାଣିଲେ ଲୁଗା କେଉଁ ଦୋକାନରୁ ଆସିଛି, ସେତେବେଳଠୁ ତାଙ୍କ ପାରା ଚଢ଼ିଛି। ସେ ଲୁଗା ଦୋକାନୀର ଗୋଟେ କେସ ମଉସାଙ୍କ ଅଦାଲତରେ ବିଚାରାଧୀନ ଥାଏ। ମଉସାଙ୍କ କହିବା କଥା, କଣ ଆବଶ୍ୟକତା ଥିଲା ସେଠୁ ଲୁଗା କିଣିବା। ମାଉସୀଙ୍କ କହିବା କଥା ହେଉଛି ସେ କେମିତି ଜାଣିଲେ କେସ କଥା, ତାପରେ ସେ ତ ପଇସା ଦେଇ କିଣିକି ଆଣିଛନ୍ତି। ଏ କଥା ଉପରେ ମଉସାଙ୍କ ପ୍ରତିକ୍ରିୟା ଥିଲା ଯେ କଣ ଗ୍ୟାରେଣ୍ଟି ଅଛି ଯେ ପାଞ୍ଚ ହଜାର ଜିନିଷକୁ ଦୋକାନୀ ଜାଣିଶୁଣି ଦୁଇ ହଜାର କହି ନଥିବ ବୋଲି ଓ ବିଚାରପତିଙ୍କ ସ୍ତ୍ରୀ ମୋ ଦୋକାନରୁ ଶାଢ଼ୀ ନେଇଛନ୍ତି ବୋଲି କହି ମାମଲାର ଅପରପକ୍ଷକୁ ମାନସିକ ଭାବେ ଦୁର୍ବଳ କରିବାକୁ ଚେଷ୍ଟା କରିବ ନାହିଁ ବୋଲି? ମୁଁ ପଚାରିଲି ମାଉସୀଙ୍କୁ ତାପରେ କଣ ହେଲା ବୋଲି। ମାଉସୀ ମୁହଁ ଶୁଖେଇ କହିଲେ, କଣ ଆଉ ହେବ, ଆମେ ଶାଶୁ ବୋହୁ ଖରାରେ ପୁଣି ଥରେ ଯାଇ ସେ ଦୋକାନୀକୁ ଲୁଗା ଫେରେଇ ଆସିଲୁ, ତଥାପି ମଉସାଙ୍କ ରାଗ ସରିନି।
୨୦୧୦ ମସିହାରେ ବଳଦେବ ମଉସା ରାଜସ୍ଥାନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତି ପାଇଲେ, ୨୦୧୬ରେ ଅବସର ନେଲେ। ସେଦିନ ଶାଢ଼ୀ କିଣିବାକୁ ଯାଇଥିବା ଭାଉଜ ଆଜି ନିଜେ ଜିଲ୍ଲା ଜଜ। ଆଶିଷ ମୋର ଆଜି ବି ଭଲ ବନ୍ଧୁ। ଭଲ ଲେଖେ ଓ ହିନ୍ଦୀ ସାହିତ୍ୟର ଯୁବ ସ୍ୱର ଭିତରେ ସେ ଏକ ସଶ୍ରଦ୍ଧ ଉଚ୍ଚାରଣ। ୨୦୦୯ରୁ ତା ଉପନ୍ୟାସର ପାଣ୍ଡୁଲିପି ପ୍ରସ୍ତୁତ ଥିଲା, ମାତ୍ର ପ୍ରକାଶ ପାଇଲା ୨୦୧୫ରେ। ବିଳମ୍ବ ସବୁ ଲେଖକ ପରି ଆଶିଷକୁ ବି ବ୍ୟତିବ୍ୟସ୍ତ କରୁଥିଲା। ହେଲେ ମତେ ଆଉ ଗୋଟିଏ କଥା ଆଶ୍ଚର୍ଯ୍ୟ କରୁଥିଲା ଯେ ମୋ ଜାଣିବାରେ ତାକୁ ଅନ୍ୟୁନ ଚାରି ଜଣ ପ୍ରକାଶକ ଯୋଗାଯୋଗ କରି ସାରିଥିଲେ। ମୁଁ ଆଶିଷକୁ ପଚାରିଥିଲି, ଆରେ ବହି ବାହାର କରିବାକୁ ମନ, ପ୍ରକାଶକଙ୍କୁ ମନା କରୁଛୁ କାହିଁକି? ଆଶିଷ ଉତ୍ତର ଦେଇ କହିଥିଲା, ସେମାନେ ଲେଖକ ଆଶିଷ ଚୌଧୁରୀ ନୁହେଁ, ଜଜ ବଳଦେବ ଚୌଧୁରୀଙ୍କ ପୁଅର ବହି ଛାପିବାକୁ ଚାହୁଁଛନ୍ତି। ହବନି, ମୋ ଦ୍ୱାରା ସେ କାମ।

ଆମ ଜନଜୀବନରେ ଦୁର୍ନୀତି ଯେତିକି ବଡ଼ ଚର୍ଚ୍ଚାର ବିଷୟ, କ୍ଷମତାର ଅପବ୍ୟବହାର ସେତିକି ବଡ଼ ନୁହେଁ। ଜୋଇଁଙ୍କ ସରକାରୀ ଗାଡ଼ିରେ ଝିଅ ବାପଘର ଆସିଲେ ଅନେକ ବାପାମାଙ୍କ ଛାତି କୁଣ୍ଢମୋଟ ହେଇଯିବାର ମୁଁ ଦେଖିଛି। ଏଇ ଗୋଟେ କଥା, ପୁଅ ମୋର ସେଠି ତହସିଲଦାର, ମୁଁ କହି ଦଉଛି, ନହେଲା କାମ ହେବ, କହିବାରେ ବାପାମାଙ୍କ ଲଜ୍ୟା ନୁହେଁ ଅହଂକାର ଝଲସିବାର ମୁଁ ଅନେକ ଥର ଦେଖିଛି। ସ୍ୱାମୀଙ୍କ ତଳ ପଦବୀରେ କାମ କରୁଥିବା ଚାକିରିଆମାନଙ୍କୁ ନିଜ ଅର୍ଦ୍ଦଳି ଭଳି ବ୍ୟବହାର କରିବାରେ ଯେଉଁ ସୁଖ ଥାଏ ତାକୁ ତିଳ ତିଳ ଉପଭୋଗ କରିବାର ଦୃଶ୍ୟ ଏକା ମୁଁ ନୁହେଁ ଆପଣମାନେ ମଧ୍ୟ ଅନେକ ଥର ଦେଖିଥିବେ। ଯେକୌଣସି ଦିନ ମାର୍କେଟ ବିଲିଡ଼ିଂରେ କିଛି ଘଣ୍ଟା ବିତାନ୍ତୁ, ସରକାରୀ ଗାଡିକୁ କିପରି ଲୁଗାକିଣା, ବନ୍ଧୁବାନ୍ଧବଙ୍କ ଚାଟ ଗୁପଚୁପ ଖିଆ ଭଳି ମହତ କାମରେ ଲଗାଯାଇ ପାରେ ତାର ଅନେକ ଉଦାହରଣ ପ୍ରତ୍ୟକ୍ଷ କରି ଆପଣ ମଧ୍ୟ ନିଜକୁ ଧନ୍ୟ କରି ପାରିବେ।

କ୍ଷମତାର ଅପବ୍ୟବହାର ଏକ ଡିଆଁରୋଗ। ବାପାମାଙ୍କ ଠାରୁ ପିଲାଙ୍କୁ, ବନ୍ଧୁ ଠାରୁ ବନ୍ଧୁକୁ , ଉପରିସ୍ଥ ଠାରୁ କନିଷ୍ଠକୁ ବିଦ୍ୟୁତ ଗତିରେ ସଂକ୍ରମିତ ହେବାର ଦକ୍ଷତା ଅଛି ଏ ରୋଗର। ଆଉ ଥରେ ଏ ରୋଗ ହେଲେ, କୌଣସି ଔଷଧ କି ଟିକା କାମ ଦିଏନି। ପ୍ରତିକାର କଣ? କେଜାଣି? କ୍ଷମତା ଯେ ବ୍ୟବହାର ପାଇଁ ମିଳୁଛି, ଅପବ୍ୟବହାର ପାଇଁ ନୁହେଁ, ଏଇଟା କଣ ବହୁ ସାର୍ଟିଫିକେଟ ଧରି ନିଜକୁ ଶିକ୍ଷିତ, ସଭ୍ୟ ବୋଲାଉଥିବା ଲୋକଙ୍କୁ ବୁଝାଇବା ସତରେ ଦରକାର???

Advertisement

Trending