କିମାଶ୍ଚର୍ଯ୍ୟମ୍(୨)- ଚପଳ ମନରେ ବିଷ!

କିମାଶ୍ଚର୍ଯ୍ୟମ୍(୨)- ଚପଳ ମନରେ ବିଷ!

(ପରଂବ୍ରହ୍ମ ତ୍ରିପାଠୀ): ୨୦୧୭ର କଥା। ପ୍ରି-ନର୍ସରିରେ ପୁଅର ଆଡମିଶନ କରିବାର ଥାଏ। ସାଙ୍ଗସାଥି ଓ ଚିହ୍ନାଜଣଙ୍କୁ ପଚାରି ମୁଁ ଦିଲ୍ଲୀରେ ରହୁଥିବା ଛତରପୁର ଅଞ୍ଚଳର ଏକ ସମ୍ଭ୍ରାନ୍ତ ଦିଶୁଥିବା ବିଦ୍ୟାଳୟକୁ ଗଲି ବୁଝାବୁଝି ପାଇଁ। କାଉନସେଲରଙ୍କ ସହ କଥାବାର୍ତ୍ତା ଆରମ୍ଭ ହେଲା। ତାଙ୍କର ପ୍ରଥମ ପ୍ରଶ୍ନ ଥିଲା ବୋଧହୁଏ ଆପଣ କ’ଣ କରନ୍ତି ଓ ବାର୍ଷିକ ଆୟ କେତେ? ଯଦିଓ ଏ ଦୁଇଟି ଯାକ ଜିନିଷର ପୁଅ ବିଦ୍ୟାରମ୍ଭ ସହ ସେମିତି କିଛି ସମ୍ପର୍କ ନାହିଁ, ତଥାପି ସେ ପ୍ରଶ୍ନ ଦ୍ବୟର ଉତ୍ତର ଦେଇ କଥାବାର୍ତ୍ତା ଆଗକୁ ବଢ଼ାଇଲି। କାଉନସେଲର ଯୁବତୀ ଜଣକ କହିଚାଲିଥାନ୍ତି, ସୁଇମିଙ୍ଗ ଠାରୁ ସ୍କେଟିଂ, ଯିବା ଆସିବା ପାଇଁ ଏସି କ୍ୟାବ୍ ଠାରୁ ଦୁଇ ପିରିୟଡ୍ ମଝିରେ ଦିଆ ଯାଉଥିବା ଟିଫିନ, ପର୍ସନାଲିଟି ଡେଭଲେପମେଣ୍ଟ ଠାରୁ ନେଇ ଆବାକସ୍- ଏମିତି କେତେ କ’ଣ କଥା। ପାଖାପାଖି ଦଶ ମିନିଟ୍ ପରେ ମୁଁ ପଚାରିଲି , ଆପଣଙ୍କ ଶିକ୍ଷକମାନଙ୍କ କିଛି ପ୍ରୋଫାଇଲ ଅଛି କି ? ମୁଁ ସେଇଟି ଦେଖିବାକୁ ଚାହେଁ। ଯୁବତୀ ଜଣକ ମତେ ଏମିତି ଚାହିଁଲେ ସତେ ଯେମିତି ମୁଁ ତାଙ୍କୁ ଆଣ୍ଟି ଡାକିଦେଲି। ମୁହଁଟିକୁ କେମିତି କରି ପଚାରିଲେ, କାହିଁକି? ପ୍ରୋଫାଇଲ କ’ଣ ପାଇଁ ଦେଖିବେ ? ଏଇଟି ବ୍ରୋସର ଦେଖନ୍ତୁ, ଆପଣଙ୍କ ପିଲା ଆମ ସ୍କୁଲରେ କ’ଣ କ’ଣ କରିବ ସବୁ ଏଠି ଲେଖା ଅଛି। ମୁଁ ପୁଣି ମୋ କଥା ଦୋହରାଇଲି, କହିଲି, ମତେ ଶିକ୍ଷକମାନଙ୍କ ପ୍ରୋଫାଇଲ ଦରକାର, ନାହିଁ ଯଦି କୁହନ୍ତୁ, ମୁଁ ଅନ୍ୟ ସ୍କୁଲ ଦେଖିବି। ଯୁବତୀ ଜଣକ କର୍ମ ଦାୟରେ ରାଗିବାକୁ ଚାହୁଁ ନଥିଲେ ବି ତାଙ୍କ ମୁହଁ ତାଙ୍କର ମୋ ଉପରେ ଥିବା ବିରକ୍ତି ଭାବ ଲୁଚାଇ ପାରୁ ନଥିଲା। କୃତ୍ରିମ ହସ ଧାରେ ଓଠରେ ରଖି ଯୁବତୀ ଜଣକ କହିଲେ ଗତ ପାଞ୍ଚ ବର୍ଷ ହେଲା ମୁଁ ଏଠି କାଉନ୍ସେଲର ଅଛି। ଗତ ପାଞ୍ଚ ବର୍ଷ ଭିତରେ ଅନ୍ୟୁନ ପାଞ୍ଚ ହଜାର ଗାଡ଼ିଆନଙ୍କ ସହ କଥା ହେଇଛି, କେହି ଜଣେ ବି ପଚାରି ନାହାନ୍ତି ଶିକ୍ଷକଙ୍କ ପ୍ରୋଫାଇଲ ବିଷୟରେ। ଆପଣ ବ୍ରୋସରରେ ଦିଆଯାଇଥିବା ଜିନିଷ ଗୁଡିକୁ ବୁଝି ପାରୁନାହାନ୍ତି କି? ଯଦି ଇଂରାଜୀରେ ଅସୁବିଧା ହେଉଛି ମୁଁ ହିନ୍ଦୀରେ ବୁଝାଇ ଦେବି। ଏବେ ମୋ ହସ ଆଉ ମୁଁ ରୋକି ପାରିଲିନି। ଉତ୍ତର ଦେଇ କହିଲି, ଆଜ୍ଞା ମୁଁ ଏଥିପାଇଁ ଶିକ୍ଷକଙ୍କ ପ୍ରୋଫାଇଲ ମାଗୁଛି କାରଣ ମୁଁ ନିଶ୍ଚିତ ହେବାକୁ ଚାହେଁ ମୋ ପିଲାକୁ ପଢ଼ାଇବାକୁ ଯାଉଥିବା ଶିକ୍ଷକ ଆନୁଷ୍ଠାନିକ ଭାବେ ତାଲିମପ୍ରାପ୍ତ କି ନୁହେଁ। ମୋ ପିଲାର ପାଠ ପାଇଁ ମୁଁ ପଇସା ଦେବି , କିନ୍ତୁ ଜାଣି ପାରିବିନି ତାକୁ ପଢ଼ାଉଥିବା ଲୋକର ଶିକ୍ଷାଗତ ଯୋଗ୍ୟତା କଣ? କଥାକୁ ଆଉ ଆଗକୁ ନବଢ଼େଇ ମୁଁ ବାହାରି ଆସିଲି।

ଏ ଉଦାହରଣଟି ଦେବାର ପୃଷ୍ଠଭୂମି ହେଉଛି ଗତ କିଛି ଧରି ଚାଲିଥିବା ଅଣ୍ଡା-ଛତୁଆ ବିତର୍କ। ବିତର୍କଟି କ’ଣ ସେ ବିଷୟରେ ବହୁ ରାମାୟଣ ମହାଭାରତ ଲେଖା ଓ କୁହା ସାରିଲାଣି। ତେଣୁ ଏ ଲେଖାଟି କ’ଣକୁ ନୁହେଁ କାହିଁକିକୁ ଛୁଇଁବ। ପରିଶ୍ରମ ଅନୁସାରେ ଫଳ ନମିଳିଲେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ ଓ ତାରୁଣ୍ୟ ହେଉଛି ପ୍ରତିକ୍ରିୟାଶୀଳତାର ମହାପର୍ବ। ସେ କି ତରୁରଣ୍ୟ ଯିଏ ପ୍ରତିକ୍ରିୟାଶୀଳ ହେବାରେ କାର୍ପଣ୍ୟ ଦେଖାଏ? ନିଜ କଥା କହୁଛି, ୧୯୯୬ ମସିହା ମାଟ୍ରିକ୍ ପରୀକ୍ଷା ଫଳ ବାହାରିବା ଦିନ ମୁଁ ଯେତେବେଳେ ଜାଣିଲି ଯେ ମାତ୍ର ଏକ ନମ୍ବର ପାଇଁ ମୁଁ ଓଡ଼ିଶାର ବେଷ୍ଟ ଟେଂଥ ତାଲିକାରେ ସ୍ଥାନ ପାଇ ପାରିନି, ମୁଁ ଠାକୁର ଘରର ମୂର୍ତ୍ତି ଫୋପାଡ଼ିବାକୁ ଯାଉଥିଲି। ବୋଉ ଯେତେବେଳେ ପଚାରିଥିଲା ଏମିତି କାହିଁକି କରୁଛୁ, ମୁଁ ଉତ୍ତର ଦେଇଥିଲି ୯୦ ପ୍ରତିଶତ ନମ୍ବର ରଖିବା ପାଇଁ ପରିଶ୍ରମ ଓ ମେଧା ଆବଶ୍ୟକ କିନ୍ତୁ ବେଷ୍ଟ ଟେଂଥ ପାଇଁ ପରିଶ୍ରମ ଓ ମେଧା ସହ ସାମାନ୍ୟ ଭାଗ୍ୟ ବି ଦରକାର। ଯଦି ମୁଁ କେବଳ ମୋ ପରିଶ୍ରମ ଓ ମେଧାର ଫଳ ପାଇବି, ତା’ହାଲେ ଭାଗ୍ୟକୁ ଠାକୁର ଘରେ ରଖିବି କାହିଁକି ? ଏ ଉତ୍ତର ଥିଲା ହାଲକା ନିଶ ଗଜୁରି ଆସୁଥିବା ଏକ ପନ୍ଦର ବର୍ଷୀୟ ତରୁଣର। ସେଥିରୁ ଭୁଲ ଠିକ ବାଡ଼ି ପକେଇ ମାପିବା ଛେନାରୁ ଚୋପା ଛଡେଇଲା ଭଳି କାମ। ପ୍ରତିକ୍ରିୟାଶୀଳତା ସ୍ୱାଭାବିକ, ତେଣୁ ଏଠି ଆଲୋଚନାର ବିଷୟବସ୍ତୁ ହେଲା କେଉଁ ଉପାୟରେ ପ୍ରତିକ୍ରିୟାଶୀଳତା ପ୍ରଦର୍ଶନ କରାଗଲା ଓ ସେ ଉପାୟର ଉତପ୍ରେରକ କିଏ?

ମୁଁ କାହିଁକି ମୂର୍ତ୍ତି ଫୋପାଡ଼ିବାକୁ ଯାଉଥିଲି ? ତା’ର କାରଣ ଆଜି ଯେତେବେଳେ ପଚିଶ ବର୍ଷ ପରେ ଭାବୁଛି କାରଣ ଏମିତି ବୁଝା ପଡୁଛି। ଏକା ମୁଁ ନୁହେଁ, ୮୦-୯୦ ଦଶକରେ ଓଡ଼ିଶାରେ ବଡ଼ ହେଉଥିବା ପିଲାମାନେ ପ୍ରାୟ ଏଇ କଥା ଶୁଣି ଶୁଣି ବଡ଼ ହେଇଥିଲେ ଯେ କଠିନ ପରିଶ୍ରମ କର, ତା’ପରେ ଭଗବାନଙ୍କ ଆଶୀର୍ବାଦ ରହିଲେ ତୁମେ ସଫଳତା ପାଇବ। ମୋର ଦକ୍ଷତା ଥିଲା, ମୁଁ ସଠିକ ପରିଶ୍ରମ କରିଥିଲି, ତାପରେ ବି ମୋ ଇପ୍ସିତ ଫଳ ମୋ ଠାରୁ ମାତ୍ର ଏକ ନମ୍ବର ଦୂରରେ ରହିଗଲା। ମୋ ମନକୁ ତେଣୁ ଆସିଲା ଭାଗ୍ୟ ହିଁ ଚାବି ମୋଡ଼ିଦେଲା। ତେଣୁ ମୁଁ ପ୍ରତିକ୍ରିୟାଶୀଳ ହେଲି ମୂର୍ତ୍ତି ଉପରେ। ଏ ପିଲାଟି ଶୁଣି ଶୁଣି ବଡ଼ ହେଲା ସରକାରୀ ସ୍କୁଲରେ ମୂର୍ଖ ପଢ଼ନ୍ତି, ରିକ୍ସାବାଲା ଦିନ ମଜୁରିଆଙ୍କ ପିଲା ପଢ଼ନ୍ତି, କମ ଦକ୍ଷତାର ପିଲା ପଢ଼ନ୍ତି, ଭୋକିଲା ଗରିବ ଏଠି ପଢିବାକୁ ନୁହେଁ ମାଗଣା ଖାଇବା ପାଇଁ ଆସନ୍ତି। ଏ ଜିନିଷ ତା ମୁଣ୍ଡ ଭିତରେ ସିମେଣ୍ଟ ମାରି ପଲସ୍ତରା କରିଦିଆ ଗଲା। ସିଏ ପୂର୍ବ ଶ୍ରେଣୀରେ ଯେତେବେଳେ ଆଶା ଠାରୁ ସାମାନ୍ୟ କମ ନମ୍ବର ରଖୁଥିଲା, ଗାଳି ଶୁଣିଲା ବେଳେ ବାପା ମାଙ୍କ ଠାରୁ ଶୁଣୁ ଥିଲା, ତୋ ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରୁଛୁ, ହେଲେ ତୁ ୯୮ ପରସେଣ୍ଟ ରଖି ପରିଲୁନି? ଏମିତି ହେଲେ ଆରବର୍ଷ ତତେ ସରକାରୀ ସ୍କୁଲ ପଠେଇ ଦେବୁ। ଏସବୁ ଭିତରେ ତା ମନରେ ବସା ବାନ୍ଧିଲା ଗୋଟେ ଅଦୃଶ୍ୟ କିନ୍ତୁ ସଶକ୍ତ ସୁପରିଅରଟି କମ୍ପ୍ଲେକ୍ସ। ପରୀକ୍ଷା ଫଳ ବାହାରିଲା ବେଳକୁ ଯେତେବେଳେ ସେଇ କମ୍ପ୍ଲେକ୍ସ ବିପରୀତ ଫଳ ପାଇଲା, ସେ ନିଶ୍ଚିତ ଭାବେ ଗଭୀର ଆଘାତ ପାଇଥିବ। ସେତେବେଳେ ପ୍ରତିକ୍ରିୟାରେ ତା ମୁହଁରୁ କଣ ବାହାରିବ? ଅଣ୍ଡା ଛତୁଆ ନା? ଯଦି ଆମେ ଗଣ୍ଠି ପକେଇ ଧରିବା, ତାହାଲେ କୋଉଟିକି ଧରିବା ବେଶୀ ଉଚିତ ହେବ? ଗୋଟିଏ ପନ୍ଦର ବର୍ଷିଆ ଝିଅର ପ୍ରତିକ୍ରିୟାଶୀଳତା କୁ ନା ଏଥିପାଇଁ ଉତପ୍ରେରକ ସାଜିଥିବା ଶିକ୍ଷା ବ୍ୟବସ୍ଥା ଓ ପାରିବାରିକ ମାନସିକତାକୁ ?

ଆଉ ଗୌରଚନ୍ଦ୍ରିକା ନକରି ଏବେ ସିଧାସଳଖ ପଏଣ୍ଟକୁ ଆସିବା। ବେସରକାରୀ ସ୍କୁଲ ଓ କେବଳ ବେସରକାରୀ ସ୍କୁଲରେ ହିଁ ଗୁଣାତ୍ମକ ଶିକ୍ଷା ମିଳି ପାରିବ, ଏ ପରସେପସନ ବା ଅବଧାରଣାର ସୃଷ୍ଟିକର୍ତା କିଏ? ଆପଣ ମୋ ମନ୍ତବ୍ୟ ସହ ଏକ ମତ ହୋଇ ନ ପାରନ୍ତି। ମୋ ମତରେ ଏ ଅବଧାରଣା ଅଭିଭାବକମାନେ ନୁହେଁ, ବରଂ କିଛି ମୁଷ୍ଟିମେୟ ଶିକ୍ଷା ବେପାରୀ ସୃଷ୍ଟି କରିଛନ୍ତି। ତାହାଲେ ଦୋଷ ତାଙ୍କୁ ଦେବା? ଉତ୍ତର ବୋଧ ହୁଏ ହେବ ଯେ ସମ୍ପୂର୍ଣ ଦୋଷ ଶିକ୍ଷା ବେପାରୀଙ୍କୁ ଦେଇ ହେବନି। କାରଣ, ନିଜ ଜିନିଷକୁ ଦୁନିଆର ସର୍ବଶ୍ରେଷ୍ଠ ବୋଲି କହିବା ବେପାରର ପ୍ରଥମ ନିୟମ। ଶିକ୍ଷା ବେପାରୀ ଆଜି ତା ଶିକ୍ଷା ବ୍ୟବସ୍ଥାକୁ ସର୍ବୋତ୍ତମ କହୁଛି, କାଲି ଶିକ୍ଷା ଛାଡି ଆଳୁଚପ ବେପାର କଲେ ତା ଆଳୁଚପକୁ ବି ବିଶ୍ବର ଶ୍ରେଷ୍ଠ ଆଳୁଚପ କହିବ। ହେଲେ କିଣିଲା ଲୋକ ତ ଆମେ ନା!

ଏବେ ପ୍ରଶ୍ନ ଆମେ କାହିଁକି କିଣୁଛେ? ଛାତିରେ ହାତ ରଖି କୁହନ୍ତୁ, ବେସରକାରୀ ଶିକ୍ଷା କିଣିବା ପଛରେ ଏକମାତ୍ର କାରଣ କଣ ଗୁଣାତ୍ମକ ଶିକ୍ଷା? ଉତ୍ତର ବୋଧ ହୁଏ ନା। ଆଉ ଏକ ପ୍ରମୁଖ କାରଣ ହେଲା ଶିକ୍ଷା ବେପାରୀ ନିଜ ବେପାରର ସୁରକ୍ଷା ଓ ବୃଦ୍ଧି ପାଇଁ ଶିକ୍ଷା ସହ ଅଭିଭାବକର ଷ୍ଟାଟସକୁ ଯୋଡିବାର ଯେଉଁ ଜାଲ ତିଆରି କରିଥିଲା, ସେଥିରେ ସଠିକ ଭାବେ ଛନ୍ଦି ହୋଇଯାଇଛି ତାର ଶିକାର -ମାନେ ମଧ୍ୟବିତ୍ତ ଓ ନବ ମଧ୍ୟବିତ୍ତ। ବେପାରୀ ତା ଜିନିଷ ପାଇଁ ଗୋଟେ କୃତ୍ରିମ ଶ୍ରେଷ୍ଠତ୍ୱ ଏଇଥିପାଇଁ ସୃଷ୍ଟି କରିଛି ଯେ ଏ ଶ୍ରେଷ୍ଠତ୍ୱ ବିନା ତା ବ୍ୟବସାୟିକ ମଡେଲର ଅସ୍ତିତ୍ୱ ଅସମ୍ଭବ। କୃତ୍ରିମ ଶ୍ରେଷ୍ଠତ୍ୱକୁ ସଠିକ ଭାବେ ମାର୍କେଟିଙ୍ଗ କରିବାରେ ସଫଳ ହେଇଛି ଶିକ୍ଷାବେପାରୀ କାରଣ ମଧ୍ୟବିତ୍ତ ମାନସିକତାକୁ ସେ ସଠିକ ଭାବେ କେବଳ ମୂଲ୍ୟାୟନ କରିନି, ତାକୁ ନିଜ ଅନୁସାରେ ପରିଚାଳନା ବି କରି ପାରିଛି। ଆଉ ଇତିହାସ ସାକ୍ଷୀ ଅଛି, ପୃଥିବୀର ଯେଉଁ ଦେଶରେ ମଧ୍ୟବିତ୍ତ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ଠାରୁ ଦୁରେଇବା ଆରମ୍ଭ କରିଛି, ସେଠି ଶିକ୍ଷା ଓ ସ୍ୱାସ୍ଥ୍ୟ ତଳକୁ ଯାଇଛି। କାହିଁକି? କାରଣ ମଧ୍ୟବିତ୍ତ ହିଁ ହେଉଛି ସବୁଠାରୁ ବଡ଼ ପ୍ରତିକ୍ରିୟାଶୀଳ ଗୋଷ୍ଠୀ। ସେ ଯେତେବେଳେ ଯେତେବେଳେ ପ୍ରତିକ୍ରିୟା ଦେଖାଇବା ବନ୍ଦ କରେ, ପ୍ରାଶାସନିକ ଶିଥିଳତା ଅବଶମ୍ଭାବୀ ହୋଇଯାଏ।
ମତେ ଆଶ୍ଚର୍ଯ୍ୟ ଲାଗେ ଆମ ଟିକସ ପଇସାରେ ଗରିବଙ୍କୁ ଟଙ୍କିକିଆ ଚାଉଳ କାହିଁକି ଦିଆଯିବ ସେ ଉପରେ ତର୍କର ତାଣ୍ଡବ ସୃଷ୍ଟି କରୁଥିବା ମଧ୍ୟବିତ୍ତ ଅସମ୍ଭବ ଭାବେ କିପରି ଉଦାସୀନ ରୁହେ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟର ପ୍ରସଙ୍ଗରେ। କାରଣ ବୋଧ ଏଇଟା ଯେ ଶିକ୍ଷା ବେପାରୀର କୃତ୍ରିମ ଉତ୍କର୍ଷତା ଜାଲରେ ସେ ଏମିତି ଆବଦ୍ଧ ଯେ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ତା ପାଇଁ କିମ୍ବା ତା ପିଲା ଓ ପରିବାରର ଭବିଷ୍ୟତ ପାଇଁ ବିତର୍କର ବିଷୟ ସେ ଭାବି ପାରେନା।

ଆମେ ପିଲା ମୁଣ୍ଡରେ ଭର୍ତ୍ତି କରୁଛେ ଗୋଟେ କୃତ୍ରିମ ଉତ୍କର୍ଷତା, ତାକୁ ଶିଖିବାକୁ ବାଧ୍ୟ କରୁଛେ ଯେ ପଇସା ଯାର ଶିକ୍ଷା ତାର, ସ୍ୱାସ୍ଥ୍ୟ ତାର, ସୁଯୋଗ ତାର, ତାକୁ ବଡ କରୁଛେ ଏମିତି ଏକ ପରିବେଶରେ ଯେଉଁଠି ଘର ନିଅଁରେ କେଉଁ ଲୁହାଛଡ ଲାଗିଛି ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଘରେ କେଉଁ ରଙ୍ଗ ଦିଆଯିବ ସେଇଟା ବେଶୀ ଗୁରୁତ୍ୱପୂର୍ଣ୍ଣ-ଆଉ ପିଲା ଯେତେବେଳେ ସେଇ ଜିନିଷ ବାନ୍ତି କରୁଛି ଆମେ ବଡ଼ କିଛି ମିଶି ଯାଇ ତାକୁ ଟ୍ରୋଲ କରି ବୈଠକଖାନାରେ ଚା ପକୁଡି ସହ ପାଉଛେ ଗୋଟେ ପୈଶାଚିକ ଶାନ୍ତି। ଏ କି ଦୋଗଲାପଣ?

ଶେଷରେ ଏତିକି। ଗତବର୍ଷ ପ୍ରବାସୀମାନେ ଗାଁକୁ ଫେରୁଥିବା ସମୟ ମନେ ପକାନ୍ତୁ, ଆଉ ମନେ ପକାନ୍ତୁ ‘ମୁଁ ଓଏଏସ ତୁ ଦାଦନ’ର କୁଖ୍ୟାତ ସଂଳାପ। ଆମେ ଆମ ପିଲାଙ୍କୁ କଣ ସେଇ ଦିଗରେ ଠେଲୁଛେ? ପାଠ ସହ ହାପିନେସ କରିକୁଲମକୁ ବି ସେତିକି ଗୁରୁତ୍ୱ ଦିଆ ଯାଉ। ଆଉ ପିଲାଙ୍କ ସହ ଆମ ମଧ୍ୟବିତ୍ତ ଅଭିଭାବକମାନଙ୍କ ପାଇଁ ବି ଗୋଟେ ହାପିନେସ କରିକୁଲମର ରିଫ୍ରେଶର କୋର୍ସ ଆସୁ।

(ପରଂବ୍ରହ୍ମ ତ୍ରିପାଠୀ, ସାମ୍ୱାଦିକତା ଓ ଓଡ଼ିଶା ସାହିତ୍ୟ ଜଗତରେ ଜଣେ ଜଣାଶୁଣା ନାଁ)

ନାଉଗାଁହାଟ, ଜଗତସିଂହପୁର
9717302205

0 Comments

Leave Your Comment

Your email address will not be published. Required fields are marked *

%d bloggers like this: