ନବୀନଙ୍କ ହଁରେ ହଁ; ଯୋଗୀଙ୍କୁ ପୁରାପୁରି ନା, କ’ଣ ଚାଲିଛି?

ନବୀନଙ୍କ ହଁରେ ହଁ; ଯୋଗୀଙ୍କୁ ପୁରାପୁରି ନା, କ’ଣ ଚାଲିଛି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତା। ଏହା ବିଜେପିର ମେଣ୍ଟ କିମ୍ବା ସହଯୋଗୀ ନୁହେଁ। ସ୍ୱାଭାବିକ ଭାବେ କହିବାକୁ ଗଲେ, ବିଜେଡି ବିଜେପି ପାଇଁ ଏକ ବିରୋଧୀ ଦଳ। ତେଣୁ, ରାଜନୈତିକ ଓ ପ୍ରାଶାସନିକ ଶତ୍ରୁତାରେ କୌଣସି ଅସ୍ୱାଭାବିକତା ନାହିଁ। ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସେ ବିଜେପିର। କିନ୍ତୁ, ତାଙ୍କ ପ୍ରତି ମୋଦି କଠୋର ହେଉଥିବା ବେଳେ ନବୀନଙ୍କ ପ୍ରତି ଅପେକ୍ଷାକୃତ ନରମ। ତେଣୁ, ଆପଣଙ୍କୁ ଶୀର୍ଷକଟି ଅବାଗିଆ ଲାଗୁଥାଇପାରେ। ହେଲେ କଥାଟି ସତ। ଏକଥା ନିକଟରେ ହୋଇଥିବା ଏକ ପ୍ରାଶାସନିକ ନିଯୁକ୍ତିରୁ ଜଣାପଡ଼ିଛି।

ଓଡ଼ିଶା ପ୍ରଶାସନର ଧୁରନ୍ଧର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଛି । କୌଣସି ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ରାଜ୍ୟ ଆବେଦନ କରିପାରିବ। ହେଲେ ଏହାକୁ କେନ୍ଦ୍ରୀୟ ଅନୁମୋଦନ ଦରକାର। ପୂର୍ବରୁ ପୋଲିସ ଡିଜି ରହିଥିବା ଅଭୟଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିଷ୍ପତ୍ତି ଦେଖିବାକୁ ମିଳିଥିଲା। ଓଡ଼ିଶା ସରକାରଙ୍କ ଆବେଦନକୁ ଚଟ୍ କିନା ଅନୁମୋଦନ ଦେଇ ଦେଉଥିବା କେନ୍ଦ୍ର ସରକାର ୟୁପି ପାଇଁ ଭିନ୍ନ ଆଭିମୁଖ୍ୟ ଆପଣାଇଥିବା ଲକ୍ଷ୍ୟ କରାଯାଇଛି।

ନିକଟରେ ୟୁପିର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ଏହାପରେ ସେଇ ଅଫିସରଙ୍କର କାର୍ଯ୍ୟକାଳ ବୃଦ୍ଧି ନ କରି କିମ୍ବା ସେହି ରାଜ୍ୟରେ ଥିବା ବରିଷ୍ଠ ଅଧିକାରୀଙ୍କୁ ୟୁପିର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇ ନାହିଁ। ବରଂ ମୋଦିଙ୍କ ‘ବ୍ଲ୍ୟୁ ଆଇଡ୍ ବ୍ୟୁରୋକ୍ରାଟ୍’ ଦୁର୍ଗା ମିଶ୍ରଙ୍କୁ ମୁଖ୍ୟ ଶାସନ ଭାବେ ନିଯୁକ୍ତି ଦିଆଗଲା। ଏହା ପୂର୍ଣ୍ଣ ଭାବେ ଥିଲା ମୋଦିଙ୍କ ନିଷ୍ପତ୍ତି। ରାଜ୍ୟ ସରକାର ଏଥିପାଇଁ ଆବେଦନ କରି ନ ଥିଲେ କି ମୁଖ୍ୟମନ୍ତ୍ରୀ ଯୋଗୀ ବି ଚାହିଁ ନଥିଲେ। ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋଦିଙ୍କ ଗରମ ଏବଂ ତଥାକଥିତ ବିରୋଧୀ ବିଜେଡିର ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ନୂଆଦିଲ୍ଲୀ- ଲକ୍ଷ୍ନୌ- ଭୁବନେଶ୍ୱର ପାୱାର କରିଡରରେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ କିଛିମାସ ପୂର୍ବେ, ମମତା ବାନାର୍ଜୀଙ୍କ ସୁପାରିଶ ସତ୍ତ୍ବେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ ବୃଦ୍ଧି କରଯାଇନଥିଲା। ଓଲଟି ଅଳ୍ପନଙ୍କୁ ରାତିଅଧିଆ ଦିଲ୍ଲୀ ଡକାଯାଇଥିଲା। ଓଡ଼ିଶାର ମୁଖ୍ୟ ଶାସନ ସଚିବ ହେବାପାଇଁ ଏକାଧିକ ବରିଷ୍ଠ ଦୌଡ଼ରେ ଅଛନ୍ତି। ଏହା ସତ୍ତ୍ବେ ସେମାନଙ୍କୁ ସୁଯୋଗ ନଦେଇ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବିଜେପି-ବିଜେଡିର ଗୋପନ ସମ୍ପର୍କକୁ ଦାଣ୍ଡରେ ପକାଇ ହାଟରେ ଗଡ଼ାଉଛି। ଯୋଗୀଙ୍କ ମନ ପସନ୍ଦର ନିଯୁକ୍ତି ଦେବାକୁ ମୋଦିଙ୍କ ମନ କୁଣ୍ଠାବୋଧ, ହେଲେ ନବୀନଙ୍କ ବେଳକୁ ମୋଦିଙ୍କ ପ୍ରେମ କାହିଁକି ଯେ ଝରିପଡ଼ୁଛି ତାହା ଚର୍ଚ୍ଚାର ବିଷୟ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: