ମୋଦିଙ୍କ କଟାକ୍ଷ: ବିନା ଆନ୍ଦୋଳନରେ ବଞ୍ଚି ପାରିବେନି ନୂଆ ପିଢ଼ିର ଆନ୍ଦୋଳନକାରୀ

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଦେଶରେ ଏବେ ଏକ ନୂଆ ପ୍ରଜନ୍ମର ଆନ୍ଦୋଳନକାରୀ ସାମ୍ନାକୁ ଆସିଛନ୍ତି। ଯେଉଁମାନେ ବିନା ଆନ୍ଦୋଳନରେ ବଞ୍ଚି ପାରିବେ ନାହିଁ। ଦୀର୍ଘ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସଂସଦରେ ଏହି ମନ୍ତବ୍ୟକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇପାରୁନାହିଁ। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଚର୍ଚ୍ଚାରେ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସୋମବାର ରାଜ୍ୟ ସଭାରେ ପ୍ରାୟ ୭୦ ମିନିଟ୍ ଭାଷଣ ଦେଇଥିଲେ। ଏଥିରେ ସେ କୃଷକ ଆନ୍ଦୋଳନ, କୃଷି ଆଇନ, କରୋନା ଟୀକାକରଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। କୃଷକ ଆନ୍ଦୋଳନକୁ ବିରୋଧୀମାନେ ଯେଉଁ ଭଳି ପ୍ରୋତ୍ସାହିତ କରୁଛନ୍ତି ତାହାକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ତୀବ୍ର ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ମୋଦି ନୂଆ ପିଢ଼ିର ଆନ୍ଦୋଳନକାରୀଙ୍କ ପ୍ରତି ଦେଶବାସୀ ସତର୍କ ରହିବା ଆବଶ୍ୟକ ବୋଲି କହିଥିଲେ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ରାଜ୍ୟ ସଭାରେ କହିବା ସମ୍ଭବତଃ ପ୍ରଥମ ଘଟଣା। ଏହା ଉପରେ ସାଧାରଣତଃ ପ୍ରଧାନମନ୍ତ୍ରୀ ଲୋକସଭାରେ କହିଥାନ୍ତି। ଭାଷଣ ପ୍ରସଙ୍ଗରେ ମୋଦି ଯେଉଁ ନୂଆ ପିଢ଼ିର ଆନ୍ଦୋଳନକାରୀଙ୍କ କଥା କହିଛନ୍ତି ତାହା ନିଶ୍ଚିତ ଭାବେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କ ପାଇଁ ଉଦ୍ଦିଷ୍ଟ। କାରଣ ଏମାନେ ସରକାରଙ୍କ କୌଣସି ପ୍ରସ୍ତାବକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ସେମାନେ ଗୋଟିଏ ଜିଦିରେ ଦୁଇମାସରୁ ଉର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଚଳାଇଛନ୍ତି। କେବଳ ଆନ୍ଦୋଳକାରୀ ନୁହନ୍ତି, ସରକାର ମଧ୍ଯ ନିଜ ଜିଦି ଛାଡ଼ୁନାହାନ୍ତି। କୃଷକଙ୍କ ଦାବି ନୂଆ କୃଷି ଆଇନ ପ୍ରତ୍ୟାହାର, ସରକାରଙ୍କ ଜିଦି ଆଇନ ପ୍ରତ୍ୟାହାର ପ୍ରଶ୍ନ ଉଠୁନାହିଁ। ଏଥିରେ କୌଣସି ପରିବର୍ତ୍ତନ ନେଇ ପ୍ରସ୍ତାବକୁ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ। ଏଭଳି ଟଣାଓଟରା ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ପୁଣିଥରେ ଆନ୍ଦୋଳନ ପ୍ରତ୍ୟହାର ପାଇଁ କୃଷକମାନଙ୍କୁ ଅନୁରୋଧ କରିଛନ୍ତି। ଏହାସହ ସ୍ପଷ୍ଟ କରି ଦେଇଛନ୍ତି ଯେ, ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉଠିଯିବାର ପ୍ରଶ୍ନ ଉଠୁନାହିଁ। ଏମଏସପି ଥିଲା, ଏମଏସପି ଅଛି, ଏମଏସପି ରହିବ ବୋଲି ମୋଦି ସ୍ପଷ୍ଟ ଭାଷାରେ ବୁଝାଇ ଦେଇଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ଗରିବଙ୍କ ପାଇଁ ସୁଲଭ ମୂଲ୍ୟର ରାସନ ବ୍ୟବସ୍ଥା ଅବ୍ୟାହତ ରହିବ। ମଣ୍ଡିଗୁଡ଼ିକର ଆଧୁନିକୀକରଣ କରାଯାଇ ଚାଷୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯିବ। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଆନ୍ଦୋଳନକାରୀ କୃଷକଙ୍କ ଉପରେ କିପରି ପ୍ରଭାବ ପକାଇବ ତାହା କହିବା ମୁସ୍କିଲ। କିନ୍ତୁ ଗୋଟିଏ କଥା ପୁନର୍ବାର ସ୍ପଷ୍ଟ ହୋଇଗଲା ଯେ, ସରକାର ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ଚିନ୍ତାଧାରାରେ ନାହାନ୍ତି। ଆଶା କରାଯାଉଥିଲା ଯେ, ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନକୁ ସମାପ୍ତ କରିବା ସକାଶେ କିଛିଟା ନରମ ଭାଷାରେ କଥା କହିବେ। କିନ୍ତୁ ମୋଦିଙ୍କ ବକ୍ତବ୍ୟରୁ ସେଭଳି କୌଣସି ସୂଚନା ମିଳିଲା ନାହିଁ। ଏଥିରେ ଆନ୍ଦୋଳନକାରୀ ନିରାଶ ହେବା ପରିବର୍ତ୍ତେ ଅଧିକ ଆକ୍ରମକ ହେବା ପ୍ରାୟତଃ ନିଶ୍ଚିତ।

କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ଦେଶବ୍ୟାପୀ ତିନି ଘଣ୍ଟିଆ ‘ଚକା ଜାମ୍’ ଆନ୍ଦୋଳନ କରାଯାଇଥିଲା। ଦିନ ୧୨ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହୋଇଥିବା ଏହି ‘ଚକା ଜାମ୍’ ସଫଳ ହୋଇଛି ବୋଲି ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟୀକାୟତ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଟୀକାୟତ କହିଛନ୍ତି ଯେ, ଆମର ଦାବି ଯେତେଦିନ ପର୍ଯ୍ୟନ୍ତ ପୂରଣ ନହୋଇଛି ସେତେଦିନ ପର୍ଯ୍ୟନ୍ତ ଆମେ ଆନ୍ଦୋଳନସ୍ଥଳ ଛାଡ଼ିବୁ ନାହିଁ। ଆମେ ସରକାରଙ୍କୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଉଛୁ। ଏହି ସମୟ ମଧ୍ୟରେ ସରକାର ଆଇନ ପ୍ରତ୍ୟାହାର କରିନେବା ଉଚିତ୍। କୌଣସି ଚାପରେ ପଡ଼ି ଆମେ ସରକାରଙ୍କ ସହ ଆଲୋଚନା କରିବୁ ନାହିଁ ବୋଲି କହିଛନ୍ତି ଟୀକାୟତ। ପ୍ରଶ୍ନ ଉଠୁଛି, ଆଇନ ପ୍ରତ୍ୟାହାର ଶେଷ ସମୟସୀମା ଭାବେ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀକୁ କାହିଁକି ବାଛିନେଲା ଆନ୍ଦୋଳକାରୀ କୃଷକ ସଂଗଠନ। ତାହାର କୌଣସି ସ୍ପଷ୍ଟ ବ୍ୟାଖ୍ୟା ଦେଇ ନାହାନ୍ତି ଟୀକାୟତ। ଏହି ଦୀର୍ଘ ସମୟ ମଧ୍ୟରେ ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନ ଆସିଲେ, ସରକାର ନିଜ ଆଭିମୁଖ୍ୟରେ ଅଟଳ ରହିଲେ, କୃଷକମାନଙ୍କର ପଦକ୍ଷେପ କ’ଣ ହେବ, ତାହା ମଧ୍ଯ ସ୍ପଷ୍ଟ କରାଯାଇନାହିଁ। ତେଣୁ ପ୍ରଶ୍ନ ଉଠୁଛି, ଏହା ଫଳରେ ଆନ୍ଦୋଳନ ଗୌଣ ହୋଇଯିବ ନାହିଁକି ? ସରକାରଙ୍କ ପକ୍ଷରୁ ଓ କୃଷକମାନଙ୍କ ପକ୍ଷରୁ ପ୍ରବଳ ଚାପ ଯୋଗୁ ଏହି ଆନ୍ଦୋଳନକୁ ଚଳାଇ ରଖିବା ଆନ୍ଦୋଳନକାରୀ ନେତାମାନଙ୍କ ପକ୍ଷେ ସମ୍ଭବ ହେବକି ? ଏହାସହ ଅନ୍ୟ ଏକ ପ୍ରଶ୍ନ, ଆନ୍ଦୋଳକାରୀ କୃଷକମାନେ ସରକାରଙ୍କ ହାତକୁ ଏତେ ଦୀର୍ଘ ସମୟ ଟେକି ଦେଇ କୌଣସି ସନ୍ଧି ପ୍ରସ୍ତାବ ନେଇ ଆଲୋଚନା ଆରମ୍ଭ କରିବାର ଦ୍ୱାର ଖୋଲି ଦେଲେ ନାହିଁ ତ ? ଅବଶ୍ୟ ଏସବୁ ପ୍ରଶ୍ନର ଉତ୍ତର ହଠାତ ମିଳିବା କଷ୍ଟ। ଏଥିପାଇଁ ନିକଟ ଭବିଷ୍ୟତକୁ ଅନିଶା କରିବାକୁ ପଡ଼ିବ।

%d bloggers like this: