ଉତ୍ତରାଖଣ୍ଡ ବିପର୍ଯ୍ୟୟ ପାଇଁ ଦାୟୀ କିଏ?

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ହିମାଳୟ ରାଜ୍ୟ ଉତ୍ତରାଖଣ୍ଡରେ ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ। ଦେବଭୂମି ଭାବେ ପରିଚିତ ଏହି ରାଜ୍ୟରେ ପ୍ରକୃତି ଦାଉ ସାଧି ନେଉଛି ଶତାଧିକ ଜୀବନ। ଏହା କ’ଣ ପ୍ରକୃତରେ ଦୈବୀକୋପ, ନା ମାନବର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛି ? କାରଣ ଖୋଜୁଛନ୍ତି ପରିବେଶବିତ୍, ବିଜ୍ଞାନୀ, ଭୌଗୋଳିତ ଓ ଭୂତତ୍ତ୍ୱବିତ୍। ଫେବୃୟାରୀ ୭ର ବିପର୍ଯ୍ୟୟ ସାତବର୍ଷର ଭୟଙ୍କର ସ୍ମୃତିକୁ ପୁନଃ ଉଜାଗର କରିଛି। ଅବଶ୍ୟ ବାଦଲଫଟା ବର୍ଷା ଏଥର ବିପଦ ଆଣିନାହିଁ, ନନ୍ଦାଦେବୀ ହିମବାହ (ଗ୍ଲେସିୟର) ଭୁଶୁଡି ଆସିଛି ବିପତ୍ତି। ଇତିମଧ୍ୟରେ ପ୍ରାୟ ୩୦ ମୃତ ଦେହ ଉଦ୍ଧାର ହେଲାଣି, ଶତାଧିକ ନିଖୋଜ ଅଛନ୍ତି। ଭାଙ୍ଗିଯାଇଛି ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପ, କେତୋଟି ଗ୍ରାମ ବନ୍ୟା ପ୍ଲାବିତ ହୋଇଛି । ଶତାଧିକ ଘରଦ୍ୱାର ବନ୍ୟା କାରଣରୁ ଭାଙ୍ଗିଯାଇଛି। ତେବେ ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ କିଛି ନୂଆ ନୁହେଁ। ଏହି ରାଜ୍ୟର ଲୋକେ ଏଭଳି ବିପଦ ସହ ଚିର ପରିଚିତ।

ଅତୀତକୁ ଦେଖିଲେ ଏମିତି କେତୋଟି ବିପର୍ଯ୍ୟୟ ସ୍ମରଣକୁ ଆସେ ଯାହା ଥିଲା ଅତ୍ୟନ୍ତ ଲୋମଟାଙ୍କୁରା। ଗତ ୩୦ ବର୍ଷ ମଧ୍ୟରେ ଦେଖିଲେ ଉତ୍ତରାଖଣ୍ଡରେ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନାକୁ ଆସେ। ୧୯୯୧ ମସିହାରେ ଉତ୍ତରକାଶୀରେ ଆସିଥିଲା ଭୟାବହ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୮। ଏଥିରେ ପ୍ରାଣ ହରାଇଥିଲେ ୭୬୮ ଜଣ ଲୋକ। ଧ୍ବଂସ ପାଇଯାଇଥିଲା ବେଶ କେତେ ହଜାର ଘରଦ୍ୱାର। ୧୯୯୮ରେ ପିଥୋରଗଡ଼ ଜିଲ୍ଲାରେ ଭୂସ୍ଖଳନ ଘଟିଥିଲା। ନିଶ୍ଚିହ୍ନ ହୋଇଯାଇଥିଲା ମାଲପା ଗ୍ରାମ। ପ୍ରାଣ ହରାଇଥିଲେ ୨୨୫ ଲୋକ। ଏହାର ଠିକ ବର୍ଷକ ପରେ ୧୯୯୯ ମସିହାରେ ଚାମୋଲି ଜିଲ୍ଲାରେ ଦେଖାଦେଲା ଭୂକମ୍ପ। ଏହାର ପ୍ରଭାବ ରୁଦ୍ରପ୍ରୟାଗ ଜିଲ୍ଲାରେ ମଧ୍ଯ ପଡିଲା। ଶତାଧିକ ମୃତାହତ ହେଲେ, ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ୨୦୧୩ରେ ବାଦଲଫଟା ବର୍ଷା କେବଳ ବନ୍ୟା ଆଣି ନଥିଲା, ଭୂକମ୍ପ ମଧ୍ଯ ସୃଷ୍ଟି କରିଥିଲା। ସରକାରୀ ତଥ୍ୟ ମୁତାବକ, ଏହି ପ୍ରାକୃତିକ ବିପର୍ଯ୍ୟୟ ଉତ୍ତରାଖଣ୍ଡରେ ନେଇଥିଲା ୫ ହଜାର ୭ଶହ ବ୍ୟକ୍ତିଙ୍କ ଜୀବନ। ରାସ୍ତାଘାଟ, ଅନେକ ସେତୁ ଧ୍ବଂସ ହୋଇଯିବା ଫଳରେ ଚାରଧାମ ଯାତ୍ରାରେ ଆସିଥିବା ପ୍ରାୟ ୩ ଲକ୍ଷ ପୁଣ୍ୟାର୍ଥୀ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ସେହିଭଳି ଏକ ବିପର୍ଯ୍ୟୟ ଚଳିତ ମାସ ୭ ତାରିଖରେ ଘଟିଥିଲା। ପ୍ରଶ୍ନ ଉଠୁଛି, ଉତ୍ତରାଖଣ୍ଡରେ ବାରମ୍ବାର ଏଭଳି ବିପର୍ଯ୍ୟୟ କାହିଁକି ? ଭୂଗୋଳ ଓ ଭୂତତ୍ତ୍ୱବିତମାନେ ଏଥିପାଇଁ ବିଶ୍ୱତାପନ ସହ ଅତ୍ୟଧିକ ଜନବସତି ଗଠନକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଏହାସହ ଯେଉଁଠି ସେଇଠି ନଦୀବନ୍ଧ ନିର୍ମାଣ ଓ ନଦୀ ଶଯ୍ୟା ଜବରଦଖଲ ମଧ୍ଯ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ଦର୍ଶାଯାଉଛି। ସମାନ ଅଭିଯୋଗ ୨୦୧୩ ବାଦଲଫଟା ବର୍ଷା ଜନିତ ବିପର୍ଯ୍ୟୟ ପରେ ମଧ୍ଯ ଉଠିଥିଲା। ନଦୀ ଶଯ୍ୟା ପୋତି ସହରୀକରଣକୁ ମଧ୍ଯ ଦାୟୀ କରାଯାଇଥିଲା।

ଗତ ରବିବାର ବିପର୍ଯ୍ୟୟ ବୁଝାଇ ଦେଲା ଯେ ପ୍ରଶାସନ ପୂର୍ବର ବିପତ୍ତିରୁ କୌଣସି ଶିକ୍ଷା ଗ୍ରହଣ କରିନାହାନ୍ତି। ନଦୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଉତ୍ତରାଖଣ୍ଡର ଏହି ଅଂଚଳ ଏମିତିରେ ସମ୍ବେଦନଶୀଳ। ଶୀତ ଶେଷ ବେଳକୁ ଏଭଳି ତୁଷାରଖଣ୍ଡ ଧସିଯିବା ଘଟଣାକୁ ଅସ୍ଵାଭିକ କୁହାଯାଇପାରିବ ନାହିଁ। କିନ୍ତୁ ବେଶ୍ କିଛି ଦଶକ ପୂର୍ବରୁ ଏଭଳି ଘଟଣା ଘଟୁ ନଥିଲା। ଯେବେଠାରୁ ଲୋକେ ନିଜର ଖୁସି ମୁତାବକ ନଦୀକୁ ବ୍ୟବହାର କଲେ, ନଦୀ ଶଯ୍ୟା ଦଖଲ କରି ଏହାର ଗତିପଥ ବଦଳାଇ ଦେଲେ, ସେହିଦିନ ଠାରୁ ଏଭଳି ବିପଦ ଦେଖାଦେଉଛି। ଅଣମୌସୁମୀ ସମୟରେ ନଦୀର ଧାରା ପ୍ରକୃତ ପ୍ଲାବନ ଭୂମି ନୁହେଁ। ନଦୀ ଶଯ୍ୟା ପୋତି ବାସସ୍ଥାନ ନିର୍ମାଣ କରାଗଲେ, ସହରୀକରଣ ଓ ଶିଳ୍ପ ସଂସ୍ଥା ଗଢିଲେ ଏପରି ବିପଦ ଆସିବା ନିଶ୍ଚିତ। ସେହିପରି ନଦୀ ଉପରେ ଇଚ୍ଛା ମୁତାବକ ବନ୍ଧ ନିର୍ମାଣକୁ ମଧ୍ଯ ବିପର୍ଯୟର କାରଣ ବୋଲି ମନେ କରୁଛନ୍ତି ପରିବେଶବିତ୍। ସେମାନଙ୍କ ମତରେ ହିମବାହ ଫାଟି ନଦୀରେ ବୋହି ଆସିବା ଏକ ସ୍ୱାଭାବିକ ପ୍ରକ୍ରିୟା। ତେବେ ଏହି ପ୍ରବାହ ଯଦି ନଦୀବନ୍ଧ ଗୁଡିକ କାରଣରୁ ବାଧାପ୍ରାପ୍ତ ହୁଏ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ। ପାହାଡ଼ିଆ ଅଞ୍ଚଳରେ ଥିବା ଏହି ନଦୀଗୁଡ଼ିକ ଉପରେ ଉଭୟ ପାର୍ଶ୍ୱ ପାହାଡ଼କୁ ବନ୍ଧ ଦ୍ୱାରା ସଂଯୁକ୍ତ କରାଯାଇ ଉପରମୁଣ୍ଡରେ ଜଳକୁ ଅଟକାଇ ରଖାଯାଉଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଭାରି କଂକ୍ରିଟ୍ ବନ୍ଧ ନିର୍ମାଣ କରାଯାଉଥିବାରୁ ଉକ୍ତ ଅଞ୍ଚଳର ଭୂ-ସ୍ତରୀୟ ଭାରସ୍ୟାମ ନଷ୍ଟ ହେଉଛି। ଗତ ରବିବାର ତୁଷାରଖଣ୍ଡ ଫାଟି ଯିବା ଘଟଣାକୁ କେତେକ ପରିବେଶବିତ୍ ବିଶ୍ୱତାପନର ପ୍ରଭାବ ବୋଲି ଅନୁମାନ କରୁଛନ୍ତି। ଭୌଗୋଳିକଙ୍କ ମତରେ ବିଶ୍ୱତାପନ କାରଣରୁ ହିମବାହର ନିମ୍ନସ୍ତର ତରଳି ଏଭଳି ଘଟିଛି। ହିମବାହ ଉପରେ ବିଶ୍ୱ ତାପନର ପ୍ରଭାବ ଲକ୍ଷ୍ୟ କରାଗଲାଣି ବୋଲି ଜାତିସଙ୍ଘ ରିପୋର୍ଟ ପ୍ରମାଣିତ କରୁଛି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଯାହା ଘଟିଲା ତାହାର କାରଣ ଠିକ ଭାବେ ଅନୁମାନ ଲଗାଇବା ସମ୍ଭବ ହୋଇ ନଥିଲେ ମଧ୍ଯ ବିଶ୍ୱତାପନ ଏହାର ଅନ୍ୟତମ କାରଣ ବୋଲି କହିବା ଭୁଲ ହେବ ନାହିଁ।

%d bloggers like this: