ରାଜ୍ୟରେ ମହାଦ୍ରୁମ ମିଶନ ଶକ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୦୧ ମାର୍ଚ୍ଚ ୮ରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା’ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି। ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା’ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ମା’ମାନେ ଖୁବ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡର ଆହ୍ୱାନମୂଳକ ସମୟରେ ମା’ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତିର ମା’ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଆଦି ସବୁ ମା’ମାନେ ସବୁଠାରୁ ବେଶୀ ଦାୟିତ୍ୱର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି। ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ୱାସକୁ ବୃଦ୍ଧି କରିଛନ୍ତି । ଯେଉଁ ଦେଶରେ ମା’ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ। ମା’ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ନବୀନ କହିଛନ୍ତି।

%d bloggers like this: