ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜନ୍ମଦିନ, ଚାରିଆଡୁ ଶୁଭେଚ୍ଛାର ସୁଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ୮୮ତମ ଜନ୍ମଦିନ। ଦେଶର ବରିଷ୍ଠ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନମୋହନ ସିଂଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ, ସେ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ।

ପୂର୍ବତନ କଂଗ୍ରେସ ସଭାପତି ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧି ଟୁଇଟ୍ କରି ଡ. ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ପରି ପ୍ରଧାନମନ୍ତ୍ରୀଙ୍କ ଅଭାବ ଦେଶ ଅନୁଭବ କରୁଛି। ତାଙ୍କର ସଚ୍ଚୋଟତା, ଶାଳୀନତା ଓ ଉତ୍ସର୍ଗୀକୃତ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ଅଟେ। ତାଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା। ଆଗାମୀ ବର୍ଷ ତାଙ୍କ ଲାଗି ଶୁଭଙ୍କର ହେଉ ବୋଲି ରାହୁଲ ଟୁଇଟ୍ କରିଛନ୍ତି। ସେପଟେ କଂଗ୍ରେସ ସାଂସଦ ଶଶି ଥରୁର, ଜୟବୀର ଶେରଗିଲ, ରୋହନ ଗୁପ୍ତାଙ୍କ ସମେତ ବହୁ ନେତା ସୋସିଆଲ ମିଡିଆ ମାଧ୍ୟମରେ ଡକ୍ଟର ମନମୋହନ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଭାରତ ବିଭାଜନ ପୂର୍ବରୁ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ସେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ମନମୋହନ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସିଂହ ଭାରତର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ ଏବଂ ନେହେରୁଙ୍କ ପରେ ନିଜର ୫ ବର୍ଷ କାର୍ଯ୍ୟକାଳ ଶେଷ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଡ. ମନମୋହନ ସିଂ ପଞ୍ଜାବ ଏବଂ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟ (PhD) ପ୍ରାପ୍ତ କରିଛନ୍ତି । ଏହା ବ୍ୟତୀତ ମନମୋହନ ସିଂ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଛନ୍ତି। ସିଂହ ଭାରତ ସରକାରଙ୍କ ବହୁତ ମୁଖ୍ୟ ପଦରେ ଥିଲେ । ମୁଖ୍ୟ ଅର୍ଥ ପରାମର୍ଶଦାତା, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓ ଯୋଜନା ଆୟୋଗ ମୁଖ୍ୟ ଭାବେ ସେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟରେ ଥିବା ସମୟରେ ଦେଶ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ, ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲେ। ସେ ଅର୍ଥମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଡା ବ୍ୟବସ୍ଥା କରିଥିଲେ। ଆର୍ଥିକ ବଜେଟ୍ ଉପସ୍ଥାପନ କରି ୧୯୯୧-୧୯୯୫ ମସିହାରେ ଦେଶକୁ ଅର୍ଥନୈତିକ ସଙ୍କଟରୁ ରକ୍ଷା କରିଥିଲେ। ଏହି କାରଣରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଥିବା ସଂକଟ ଟଳିଯାଇଥିଲା। ଏବଂ ନିଜକୁ ବିଶ୍ୱ ଦରବାରରେ ସେ ଏକ ମହାନ ଅର୍ଥଶାସ୍ତ୍ରୀ ଭାବେ ପ୍ରତିଷ୍ଠିତ କରିଥିଲେ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଭାବରେ ଡକ୍ଟର ମନମୋହନ ସିଂ ୧୯୯୧ରେ ଅର୍ଥନୈତିକ ସଂସ୍କାର ଦିଗରେ ଅନେକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ମନମୋହନ ସିଂଙ୍କ ନାମ ସର୍ବଦା ଭାରତର ଅର୍ଥନୈତିକ ସଂସ୍କାର ଦିଗରେ ନିଆଯାଏ, କିନ୍ତୁ ସେ ଏଥିପାଇଁ କଦାପି ଶ୍ରେୟ ନେଇ ନଥିଲେ। ଡ. ସିଂହଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ସମେତ ମିଳିଛି ବହୁ ପୁରସ୍କାର ଓ ସମ୍ମାନ ।
ସେ ବର୍ତ୍ତମାନ ରାଜସ୍ଥାନର ଜଣେ ରାଜ୍ୟସଭା ସଦସ୍ୟ ।

%d bloggers like this: