ମାନସ ହଂସରେ ବସି ଉଡ଼ିଗଲେ ସରସ୍ବତୀଙ୍କ ଶୁଦ୍ଧ ପ୍ରବାହ

ମାନସ ହଂସରେ ବସି ଉଡ଼ିଗଲେ ସରସ୍ବତୀଙ୍କ ଶୁଦ୍ଧ ପ୍ରବାହ

ପ୍ରିଜମ ନ୍ୟୁଜ ବ୍ୟୁରୋ: ତାଙ୍କ ସ୍ବରରେ ଥିଲା ବିରହୀ ମନର ବେଦନା। ଛାତି ତଳର ଦରଜ ଆଉ ଉସାସ୍ ମନରେ କେମିତି ଗୋଟେ ଅଜବ ହାଲୁସିନେସନ୍। ତାଙ୍କ କଣ୍ଠର ବିମୁଗ୍ଧ ଚମତ୍କାରିତା ଯେ କୌଣସି ବୟସର ପ୍ରତିଟି ମଣିଷକୁ ଯୋଗାଇ ଥାଏ ଅମ୍ଳଜାନ। ଲତା ଦିଦି। ଭାରତୀୟ ସଙ୍ଗୀତ ଜଗତର ନାଇଟ୍-ଏଙ୍ଗେଲ। ତାଙ୍କୁ ବର୍ଣ୍ଣନା କରିବାକୁ ଶବ୍ଦର ଅଭାବ ପଡ଼ିବ। କାରଣ ସେ ଅବର୍ଣ୍ଣନୀୟ। ତାଙ୍କୁ ବୁଝିବାକୁ କେତେ ଯେ ଯୁଗ ଲାଗିଯିବ, କାରଣ ସେ ଯୋଗଜନ୍ମା। ସରସ୍ବତୀଙ୍କ ଶୁଦ୍ଧ ପ୍ରବାହ। ବେମିସାଲ କଣ୍ଠର ଯାଦୁଗର।

ଆଉ ନାହାନ୍ତି ସଙ୍ଗୀତର ସେହି ମହାନ କଳାକାର। ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ସେ ପୁଣି ଶୁକ୍ରବାର ଭେଣ୍ଟିଲେଟରେ ଆଡମିଟ୍ ହୋଇଥିଲେ। ପରେ ତାଙ୍କ ସ୍ୱାସ୍ଥାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା ।
ଭାରତର ନାଇଟେଙ୍ଗଲ ଭାବେ ପରିଚିତ ଲତା ଦିଦିଙ୍କର ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ତାରିଖରେ ହୋଇଥିଲା। ହିନ୍ଦୀ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ୱନ୍ଦୀ ଗାୟିକା ଲତା ତାଙ୍କର ସୁଲଳିତ କଣ୍ଠର ଯାଦୁ ପାଇଁ ଭାରତ ତଥା ଭାରତ ବାହାରେ ବେଶ୍‍ ପ୍ରସିଦ୍ଧ ଥିଲେ ।


ଦେଶାତ୍ମବୋଧକ ସଙ୍ଗୀତ “ଏ ମେରେ ୱତନ୍ କି ଲୋଗୋଁ” ସଙ୍ଗୀତ ଜରିଆରେ ଲତା ଭାରତୀୟ ମନରେ ଯେଉଁ ଛାପ ଛାଡ଼ିଛନ୍ତି ତାହା ସବୁଦିନ ପାଇଁ ମନେ ରହିବ। ସେହିପରି ହିନ୍ଦୀ ଚଳଚ୍ଚିତ୍ରରେ ତାଙ୍କର ଏକାଧିକ ସଙ୍ଗୀତ ଆଜିବି ଲୋକଙ୍କ ହୃଦୟରେ ରହିଛି । ସଙ୍ଗୀତ ଦୁନିଆ ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ଅନେକ ପୁରସ୍କାର ପାଇଛନ୍ତି । ୩ ଥର ଜାତୀୟ ପୁରସ୍କାର ପାଇଛନ୍ତି । ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଲତା ମଙ୍ଗେସକର । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ବି ତାଙ୍କୁ ପ୍ରଦାନ କରାଯାଇଛି ।

ଲତା ଦିଦି କେବେ ମରି ପାରନ୍ତିନି। କାରଣ କଳାକାର କେବେ ମରେନା। ଆଉ ଲତା ଦିଦି ତ ମା’ ସରସ୍ବତୀଙ୍କ ଶୁଦ୍ଧ ପ୍ରବାହ। ମାନସ ହଂସରେ ସେ ଆଜି ଉଡ଼ିଯାଇଛନ୍ତି। ଆଉ ଏକ ଦୁନିଆକୁ। ସଙ୍ଗୀତର ମନ୍ତ୍ରମୁଗ୍ଧ ସମ୍ମୋହନର ପୁଣି ଥରେ ବାରିଧାରା ଢାଳିବାକୁ। ଆଉ ଦୁନିଆରେ ସମସ୍ତଙ୍କୁ ସ୍ନେହ, ପ୍ରେମ ଓ ଶ୍ରଦ୍ଧାର ଡୋରିରେ ବାନ୍ଧିବାକୁ। ଲତା ଦିଦିଙ୍କୁ ପ୍ରିଜମ୍ ନ୍ୟୁଜ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: