କଟକଣା ଆଉ ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍: କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା

ଯେଉଁ ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପରୀକ୍ଷାଫଳ ଅଗଷ୍ଟ ୨୨ ସୁଦ୍ଧା ବାହାର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି।

ପ୍ରିଜମ ନ୍ୟୁଜ ବ୍ୟୁରୋ: କଟକଣା ଆଉ ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍। ସାମାଜିକ ଦୂରତା ରଖି କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା। ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ ମାସ୍କ। ନିୟମିତ ଭାବେ ପୁରା ସ୍କୁଲ୍‌କୁ ବିଶୋଧନ କରାଯିବ। ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ। ତାସହିତ ସ୍କୁଲ୍‌ରେ ଆଇସୋଲେସନ ରୁମ ବି ରହିବ। ତେବେ ହଷ୍ଟେଲ୍ ଖୋଲିବ ନାହିଁ। ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ।

ରବିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ  ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲ୍ଲାର ନୋଡାଲ ଅଫିସର ସ୍କୁଲ୍‌କୁ ଯାଇ ନିୟମିତ ତଦାରଖ କରିବେ। ଏଣେ ଏତେ ଦିନ ପରେ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ୱାଗତ ତ କରିଛନ୍ତି ତେବେ ସଂପୂର୍ଣ୍ଣ ଟିକାକରଣ ହୋଇନଥିବାରୁୁ ମନରେ ଆଶଙ୍କା ବି ରହିଛି।

ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଦ୍ୱନ୍ଦ୍ୱରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ୟୁଜି-ପିଜି ଲାଗି କେବେଠୁ କ୍ଲାସ୍ ହେବ। ତାହା ସରକାର ସ୍ପଷ୍ଟ କରିନଥିବାରୁ ବଢିଛି କଳ୍ପନାଜଳ୍ପନା। ତେବେ କ୍ଲାସ ଆରମ୍ଭ ପରିବର୍ତ୍ତେ ଫାଇନାଲ୍ ସେମିଷ୍ଟର ପରୀକ୍ଷା ସାରିବାକୁ  ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ଜଣାପଡିଛି। ପରୀକ୍ଷା ପରେ ଅକ୍ଟୋବରରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରାଯିବା ସମ୍ଭାବନା ରହିଛି। ତେବେ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନହେବ ସେଥିପ୍ରତି ବିଭାଗ ଦୃଷ୍ଟି ଦେଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ମୋବାଇଲ ନେଟଓ୍ୱର୍କ ସମସ୍ୟା ଓ ସ୍ମାର୍ଟ ଫୋନ ଅଭାବ ଭଳି କାରଣକୁ ନେଇ ସମସ୍ତଙ୍କ ପାଖରେ ପହଞ୍ଚିପାରୁନି ଅନଲାଇନ ଶିକ୍ଷା। ସ୍କୁଲ ପିଲାଙ୍କ କ୍ଷେତ୍ରରେ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ତେଣୁ ସତର୍କତା ମଧ୍ୟରେ ଦଶମ ଓ ଦ୍ୱାଦାଶ କ୍ଲାସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।

Leave a Reply

Your email address will not be published.