ପର୍ବପର୍ବାଣୀ ଓ ମନ୍ଦିର ପ୍ରବେଶ ଉପରେ କଟକଣା, ହୋଲିରେ ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଦ୍ବିତୀୟ ଲହର ସଂକ୍ରମଣ ଓ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର ଆଗାମୀ ପର୍ବପର୍ବାଣି ପାଇଁ କେତେକ କଟକଣା ଜାରି କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ଆଦି ପାଳନ ଉପରେ କଟକଣା ଲାଗୁ କରାଯାଇଛି। ଏହି ପର୍ବ ସମୟରେ ମନ୍ଦିର ଓ ଗୀର୍ଜାରେ ଗହଳି ନ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପରାମର୍ଶ ଦେଇଛନ୍ତି।
ସ୍ଥାନୀୟ ପରିସ୍ଥିତିକୁ ଦେଖି କେତେ ଲୋକ ମନ୍ଦିର ବା ଗୀର୍ଜା ଯାଇପାରିବେ ତାହା ଜିଲ୍ଲାପାଳ ଏବଂ ପୌର କମିସନର ନିର୍ଦ୍ଧାରଣ କରିବେ ବୋଲି କୁହାଯାଇଛି। ହେଲେ ମନ୍ଦିର ଓ ଗୀର୍ଜାରେ ରୀତିନୀତି ଅନୁଯାୟୀ ଦେବନୀତି ଅନୁଷ୍ଠିତ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅନ୍ୟପକ୍ଷରେ ହୋଲି କଟକଣାକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିୟମ ଭାଙ୍ଗି ହୋଲି ଖେଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ। କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ହୋଲି ନାଁରେ ପ୍ରସେସନ ନ କରିବାକୁ ଦ୍ବୈତ ନଗରବାସୀଙ୍କୁ ସେ ସୂଚନା ଦେଇ କହିଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ସଚେତନ କରୁଛୁ, ଏଣିକି ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ। ଅମାନିଆଙ୍କ ଉପରେ ପୁଲିସ ନଜର ରଖିଛି। ପ୍ରଥମେ ଯେମିତି ସହଯୋଗ କରୁଥିଲେ, ସେମିତି ସହଯୋଗ କରିବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

%d bloggers like this: