ହାଇକୋର୍ଟଙ୍କ ନିର୍ଦ୍ଦେଶ: ୫୦ ଗଛ ଲଗାଇବେ ତହସିଲଦାର

ହାଇକୋର୍ଟଙ୍କ ନିର୍ଦ୍ଦେଶ: ୫୦ ଗଛ ଲଗାଇବେ ତହସିଲଦାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିବା କାକଟପୁର ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା। ଏଥିପାଇଁ ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକର ସିଡିଏର ଯେକୌଣସି ସେକ୍ଟରରେ ରାସ୍ତାକଡ଼ରେ ସେ ଗଛ ଲଗାଇବେ। ଏଥିପାଇଁ ସେ ସିଡିଏ କର୍ତ୍ତୃପକ୍ଷଙ୍କ ସହଯୋଗ ନେବେ। ଆଜି ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ। ଏକ ଜବରଦଖଲ ମାମଲାରେ ଜବରଦଖଲକାରୀ ମିତା ଦାସଙ୍କୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା। ସେ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ନୋଟିସର ଜବାବ ଦାଖଲ କରି ପାରି ନଥିଲେ। ତେବେ ତାଙ୍କୁ ଆଉ ସୁଯୋଗ ଦେବା ତ ଦୂରର କଥା ସେହିଦିନ ହିଁ ତହସିଲଦାର ତାଙ୍କୁ ଜୋରିମାନାରେ ଦଣ୍ଡିତ କରିଥିଲେ।

ତାଙ୍କ ପକ୍ଷ ନଶୁଣି ଏଭଳି ନିର୍ଦେଶ ଜାରି କରାଯାଇଥିବା ଦର୍ଶାଇ ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ତହସିଲଦାର ବେପରୁଆ ଭାବେ କାର୍ଯ୍ୟ କରିଥିବା କୋର୍ଟ ଅନୁଭବ କରିଥିଲେ। ତହସିଲଦାରଙ୍କ ଏଭଳି ଖାମଖିଆଲି କାର୍ଯ୍ୟ ଯୋଗୁ ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ହାଇକୋର୍ଟକୁ ଆସିବା କଥାକୁ ଜଷ୍ଟିସ ବିଶ୍ୱନାଥ ରଥ ନାପସନ୍ଦ କରଥିଲେ। ଜବରଦଖଲ ମାମଲାର ଶୁଣାଣିରେ ତହସିଲଦାରଙ୍କ ଏଭଳି ଖାମଖିଆଲୀ ମନୋଭାବ ଯୋଗୁ ମୋକଦ୍ଦମା ସଂଖ୍ୟା ବଢୁଛି ବୋଲି ସେ କହିଥିଲେ। ଏଥିପାଇଁ ସମସ୍ତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଓ ଆଇନ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମ୍ପୃକ୍ତ ମାମଲାର ଶୁଣାଣି ପୁନର୍ବାର କରିବାକୁ ତହସିଲଦାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: