ଆଉ ନାହାନ୍ତି ‘ହାକିମ ବାବୁ’ ଅଜିତ ଦାସ

ଆଉ ନାହାନ୍ତି ‘ହାକିମ ବାବୁ’ ଅଜିତ ଦାସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ଅନ୍ୟତମ ଅପ୍ରତିଦ୍ୱନ୍ଦି ନାୟକ ଅଜିତ ଦାସ । ହାକିମ ବାବୁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଯାଇଛନ୍ତି । 71 ବର୍ଷ ବୟସରେ ଆଜି ଓଲିଉଡର ଏହି ଶ୍ରେଷ୍ଠତମ କଳାକାରଙ୍କ ନିଧନ ଘଟିଛି । ଏନେଇ ଅଜିତ ଦାସଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମେଡିକାଲରେ ଚିକିତ୍ସାଧୀନ ଥିଲେ ।ଅଜିତ ଦାସଙ୍କ ପରଲୋକ ଖବର ଶୁଣି କଳା ଜଗତ ଏକ ପ୍ରକାର ନିସବ୍ଧ ହୋଇଯାଇଛି । ସମସ୍ତେ ଏବେ ଅଜିତଙ୍କୁ ଖୋଜୁଛନ୍ତି ଆଉ ସମସ୍ତେ ପୁରୁଣା ଦିନକୁ ଫେରିଯାଇ ତାଙ୍କ ଜୀବନ ଅଭିନୟକୁ ମନ ପକାଉଛନ୍ତି । ଏବେ ସବୁ ଦିନ ସେ ଟିଭି ପରଦାରେ ହିଁ ମନେ ରହିବେ ।

ଓଡ଼ିଆ ସିନେମା ଜଗତ ପାଇଁ ଅଜିତ୍ ଦାସଙ୍କ ଅବଦାନ ଅତୁଳନୀୟ । କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ୍ ଦାସ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଡ୍ରାମା ବିଭାଗର ଅଧ୍ୟାପକ ଥିଲେ ଅଜିତ ଦାସ୍‌ । ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ଅଜିତ ଦାସ୍‌ ।

ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।

ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ସିନ୍ଦୁର ବିନ୍ଦୁ କଥାଚିତ୍ରରେ, ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । କଥାଚିତ୍ର ବ୍ୟତିତ, ସେ ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ । ସେ, ଅଜିତ ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରିଆସୁଛନ୍ତି ।

%d bloggers like this: