ବଡ଼ ଜଟିଳ ହେଉଛି ବିହାର ରାଜନୀତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଅବଶ୍ୟ ଏହା ନୂଆ ସରକାର ଗଠନ ପୂର୍ବରୁ ଚିରାଚରିତ ଇସ୍ତଫା। କାରଣ ପୂର୍ବ ସରକାର ଭାଙ୍ଗିବା ପରେ ହିଁ ନୂଆ ସରକାର ଗଠନ ପାଇଁ ହେବ କ୍ଷେତ୍ର ପ୍ରସ୍ତୁତି। ତେଣୁ ବିହାର ନିର୍ବାଚନ ପରେ ଏବେ ନୂଆ ସରକାର ଗଠନ ନେଇ କଳ୍ପନାଜଳ୍ପନା। ସେଥିପାଇଁ ୧୫ ନଭେମ୍ବରରେ ହେବ ଏନଡିଏ ବିଧାୟକ ଦଳ ବୈଠକ। ଏହି ବୈଠକରେ ମନୋନୀତ ହେବେ ବିହାର ବିଧାୟକ ଦଳ ନେତା। ବର୍ତ୍ତମାନ ଏନଡିଏର ୧୨୫ ସଦସ୍ୟ ଥିବା ବେଳେ ସେଥିମଧ୍ୟରୁ ବିଜେପିର ୭୪, ଜେଡିୟୁର ୪୩, ହାମ୍ ପାର୍ଟି ଓ ଭିଆଇପି ଦଳର ୪ ଜଣ ଲେଖାଏଁ ବିଧାୟକ ରହିଛନ୍ତି। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ନୀତୀଶ କୁମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ନୁହନ୍ତି। କାରଣ ଭାବରେ କୁହାଯାଉଛି, ଜେଡିୟୁ ବିରୋଧରେ ଲୋକ ଜନଶକ୍ତି ପାର୍ଟି ପ୍ରାର୍ଥୀ ଦେବାକୁ ବିଜେପି ବିରୋଧ କରି ନ ଥିଲା। କିମ୍ବା ଏଲଜେପି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ବି ନେଇ ନ ଥିଲା। ଏଥିନେଇ ହୁଏତ ଅଭିମାନରେ ମୁଖ୍ୟମନ୍ତ୍ରୀ ହେବେନାହିଁ ବୋଲି ସ୍ଥିର କରିଛନ୍ତି ନୀତୀଶ।

ସେପଟେ ବିହାର ପାଟନାରେ ପରସ୍ପର ମଧ୍ୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ ହୋଇଛି। ଏପରି କରି ସେମାନଙ୍କ ମେଣ୍ଟ ଏବଂ ନିଜ ମଧ୍ୟରେ ଫାଟ ଥିବା କଥାକୁ ପ୍ରମାଣିତ କରି ଦେଇଛନ୍ତି କଂଗ୍ରେସ କର୍ମକର୍ତ୍ତା। ଏପରିକି କଂଗ୍ରେସ ବିଧାୟକ ବିଜୟ ଶଙ୍କର ଦୁବେ ଏବଂ ସିଦ୍ଧାର୍ଥଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଛି ଘମାଘୋଟ ମାରପିଟ। ଅବିନାଶ ପାଣ୍ଡେ ଏବଂ ଭୂପେଶ ବଘେଲଙ୍କ ସାମ୍ନାରେ ବିହାର କଂଗ୍ରେସର ବରିଷ୍ଠ ନେତାମାନେ ହାତାହାତି ହୋଇଛନ୍ତି। ଫଳରେ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ପରାଜୟ ଗ୍ଳାନିରୁ ସହଜରେ ମୁକୁଳି ପାରୁନାହାନ୍ତି ବିହାର କଂଗ୍ରେସ କର୍ମକର୍ତ୍ତା ଓ ନେତା।

%d bloggers like this: