ଚାଇନାରେ ଚିନ୍ତା ବଢ଼ାଇଲାଣି ଡେଲଟା ଭ୍ୟାରିଆଣ୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚାଇନାରେ ପୁଣି ଥରେ ଭୟଙ୍କର ରୂପ ନେଲାଣି କରୋନା ଭାଇରସ। ଲୋକଙ୍କ ଅବସ୍ଥା ଖରାପ କରୁଛି ଡେଲଟା ଭାରିଆଣ୍ଟ । ସଂକ୍ରମଣ ବୃଦ୍ଧି ଭୟରେ ଲୋକଙ୍କୁ ଘରୁ ବାହାରିବା ପାଇଁ ହୋଇଛି ମନା। ଚାଇନାରେ ସଂକ୍ରମଣ ବୃଦ୍ଧି ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନେକ ଭିଡିଓ। ଭାଇରାଲ ଭିଡ଼ିଓରେ ଚାଇନାର ଅଧିକାରୀମାନେ ଘରମାନଙ୍କରେ ଲୋକଙ୍କୁ ସିଲ୍ କରୁଥିବାର ଦେଖିବାକୁ ମିଳିଛି। ଚୀନ୍‌ର ଜିଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗରେ ଡେଲଟା ଭାରିଆଣ୍ଟର ଆକ୍ରାନ୍ତ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ତାଇୱାନ ନ୍ୟୁଜ୍’ ର ଏକ ରିପୋର୍ଟ ଅନୁଯାୟୀ ପିପିଇ କିଟ୍ ପିନ୍ଧିଥିବା କର୍ମୀମାନେ ଲୁହା ରଡ ଲଗାଇ ଲୋକଙ୍କ ଘରଦ୍ୱାର ବନ୍ଦ କରୁଛନ୍ତି। କେହି ଭିତରକୁ ନଯିବାକୁ ଏବଂ ଭିତରୁ କେହି ବାହାରକୁ ନଆସିବା ପାଇଁ ଘର ଦୁଆର ମୁହଁରେ ଲୁହା ରଡ ଲଗାଯାଉଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ଯଦି କେହି ଦିନକୁ ତିନିଥରରୁ ଅଧିକ କବାଟ ଖୋଲନ୍ତି ତେବେ ତାଙ୍କୁ କର୍ତ୍ତୃପକ୍ଷ ତାଲା ପକାଇ ଦେବେ। ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ ବିଭିନ୍ନ ଅଞ୍ଚଳର ଘରର କବାଟ ସିଲ୍ କରାଯାଉଛି। କେବଳ ସେତିକି ନୁହେଁ ଲୋକମାନେ ବାହାରକୁ ଯିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ଯଦି ବାହାରକୁ ଯାଇ କେହି ଧରାପଡ଼ନ୍ତି ତେବେ ସେମାନଙ୍କ କବାଟ ସିଲ୍ କରାଯିବ ବୋଲି ମାଇକି ଲଗାଇ ଘୋଷଣା ମଧ୍ୟ କରାଯାଉଛି।

ଖବର ଅନୁଯାୟୀ ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ୯ ଅଗଷ୍ଟ ସୁଦ୍ଧା ୧୭ ଟି ପ୍ରଦେଶରେ ୧୪୩ ଟି ନୂଆ କରୋନା ମାମଲା ଚିହ୍ନଟ କରିଥିବାର ବେଳେ ଚୀନର ୨୩ ଟି ପ୍ରଦେଶ ମଧ୍ୟରୁ ୧୩ ଟିରେ ଡେଲ୍ଟା ଭାରିଆଣ୍ଟ ବୃଦ୍ଧି ଅଧିକାରୀଙ୍କ ଚିନ୍ତା ବଢ଼ାଇଛି। ପରିସ୍ଥିତି ହାତରୁ ଖସିବା ପୂର୍ବରୁ ବେଜିଂ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି ଏବଂ କରୋନା ମାମଲା ବଢୁଥିବା ପ୍ରଦେଶରୁ ଲୋକଙ୍କ ଆଗମନକୁ ବନ୍ଦ କରିଛି। ତେବେ ବେଜିଂରେ ମଧ୍ୟ ଗତ ସପ୍ତାହରେ ବହୁ ସଂଖ୍ୟକ କରୋନା ମାମଲା ରହିଥିଲା। NHC ଅନୁଯାୟୀ, ଚାଇନାରେ ଅତି କମରେ ୧୭୦୨ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ୨୦୨୦ ମସିହା ପ୍ରାରମ୍ଭରେ ଚୀନରେ କରୋନ ଆରମ୍ଭ ସମୟରେ ଏହିଭଳି ଘରଗୁଡ଼ିକ ସିଲ୍ କରାଯିବା ଘଟଣା ସମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *