ଗ୍ରାହକ ହୋଇ ଆସିଲେ ଦେବଦୂତ, ୨୮୦୦ ଟଙ୍କାର ଖାଇ ଦେଲେ ୧୨ ଲକ୍ଷ ଟିପ୍

ଗ୍ରାହକ ହୋଇ ଆସିଲେ ଦେବଦୂତ, ୨୮୦୦ ଟଙ୍କାର ଖାଇ ଦେଲେ ୧୨ ଲକ୍ଷ ଟିପ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁହାଯାଏ ସମୟରେ ସହାୟ ହେଉଥିବା ବ୍ୟକ୍ତି ଦେବଦୁତ ସଦୃଶ। ସତରେ ତ କେହି ଆଜି ପର୍ଯ୍ୟନ୍ତ ଦେବଦୁତଙ୍କୁ ଦେଖି ନାହାନ୍ତି ଖଳିଯାହା ଅନୁଭବ କରିହୁଏ।ସେମାନେ ଯେକୌଣସି ରୂପରେ ଆମ ସାମ୍ନାକୁ ଆସିପାରନ୍ତି। ଦେବଦୁତ ଜଣେ ଦରଦୀ ହୃଦୟର ବ୍ୟକ୍ତି କହିଲେ ଭୁଲୁ ହେବନି। ଯିଏ ଅନ୍ୟକୁ ବିନା ସ୍ୱାର୍ଥରେ ଖୁସି ଦେଇଥାଏ। ନ୍ୟୁ ହାମ୍ପସାୟାରର ଏକ ରେଷ୍ଟୁରାଣ୍ଟରେ ସେହିଭଳି ଜଣେ ଦେବଦୂତ ପହଞ୍ଚିଥିଲେ, କେହି ତାଙ୍କୁ ଚିହ୍ନି ପାରିନଥିଲେ ସତ କିନ୍ତୁ ସେ ଯିବା ପୂର୍ବରୁ ରେଷ୍ଟୁରାଣ୍ଟର ସମସ୍ତ କର୍ମଚାରୀଙ୍କ ଆଖିରେ ଲୁହ ଓ ମୁହଁରେ ଖୁସି ଦେଇ ଯାଇଥିଲେ। ଏବେ ସେହି ମଣିଷ ରୂପି ଦେବଦୂତଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି। କରୋନା ଭାଇରସ୍ କାରଣରୁ ଅନେକ ଅନୁଷ୍ଠାନ ବନ୍ଦ ପଡ଼ିଥିବା ବେଳେ ଆଉ କେତେକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ତେବେ ଖାଦ୍ୟ ବ୍ୟବସାୟରେ ନିୟୋଜିତ ଲୋକଙ୍କର ଅବସ୍ଥା ସବୁଠାରୁ ଅଧିକ ଖରାପ ହୋଇଛି। କରୋନା ପାଇଁ ଲୋକମାନେ ରେଷ୍ଟୁରାଣ୍ଟକୁ ଆସିବା ବନ୍ଦ କରିଦେଇଥିଲେ। ରେଷ୍ଟୁରାଣ୍ଟ ମାଲିକଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ, କରୋନା କାରଣରୁ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ନ୍ୟୁ ହାମ୍ପସାୟାରର ଏକ ରେଷ୍ଟୁରାଣ୍ଟ (ଷ୍ଟମ୍ବୁଲ୍ ଇନ୍ ବାର୍ ଏବଂ ଗ୍ରିଲ୍ ଇନ୍) ରେ ଏହିଭଳି ସମାନ ଉଦାସୀନତାର ପରିବେଶ ଥିଲା, ତେବେ ହଠାତ ଦିନେ ଜଣେ ଦୂତ ପରି ବ୍ୟକ୍ତି ସେମାନଙ୍କ ରେଷ୍ଟୁରାଣ୍ଟକୁ ଆସିଥିଲେ। ସେ ଏଠାକୁ ଆସି ଏହି ଲୋକଙ୍କ ଜୀବନରେ କେବଳ ଖୁସି ଆଣିଦେଇଥିଲା ତାହା ନୁହେଁ, ବରଂ ସମସ୍ତଙ୍କୁ ମାନବିକତାର ଏକ ନୂତନ ଶିକ୍ଷା ଦେଇଥିଲେ।
ନ୍ୟୁ ହାମ୍ପସାୟାରର ଲଣ୍ଡଣ୍ଡେରୀରେ ମାଇକ୍ ଜରେଲାଙ୍କର ଏକ ରେଷ୍ଟୁରାଣ୍ଟ ଏବଂ ବାର୍ ଅଛି । ଏହାର ନାମ ହେଉଛି ଷ୍ଟମ୍ବୁଲ୍ ଇନ୍ ବାର୍ ଏବଂ ଗ୍ରିଲ୍ ଇନ୍ । କରୋନା ପୂର୍ବରୁ, ଏହି ସ୍ଥାନଟି ବହୁତ ଗହଳି ରହୁଥିଲା, କିନ୍ତୁ କୋଭିଡ ସମୟରେ ଏଠାରେ ଗ୍ରାହକଙ୍କ ଆସିବା କମି ଯାଇଥିଲା। ଦିନେ ଜଣେ ବ୍ୟକ୍ତି ତାଙ୍କ ରେଷ୍ଟୁରାଣ୍ଟକୁ ଆସିଲେ, ଯିଏ ଖାଦ୍ୟ ଖାଇବା ପରେ ଯାହା କରିଥିଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିଛି। ଖାଇବା ପରେ ସେ ବ୍ୟକ୍ତି ଜଣକ ହଜାର କି ଦୁଇ ହଜାର ନୁହେଁ ବରଂ କର୍ମଚାରୀଙ୍କୁ ୧୨ ଲକ୍ଷ ଟଙ୍କାର ଟିପ୍ସ ଦେଇଥିଲେ । ତେବେ ଜରେଲା ସେହି ଗ୍ରାହକଙ୍କ ନାମ ପ୍ରକାଶ ନକରି ଫେସବୁକରେ ସେ ଦେଇଥିବା ଚେକ୍ ସେୟାର କରିଛନ୍ତି। ଲୋକମାନେ ଏହି ଦୟାଳୁ ବ୍ୟକ୍ତିଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରୁଛନ୍ତି।
ମାଇକ୍ ଜରେଲା କହିଛନ୍ତି ଯେ ଏହା ପ୍ରାୟ ଏକ ବର୍ଷ ତଳର କଥା। ସେଦିନ ଜଣେ ଗ୍ରାହକ ରେଷ୍ଟୁରାଣ୍ଟକୁ ଆସିଥିଲେ। ସେ କିଛି ଅଣ-ମଦ୍ୟପ ପାନୀୟ ସହିତ ଦୁଇଟି ଚିଲି ପନିର ହଟଡଗ୍ ଅର୍ଡର କରିଥିଲେ। ଏହି ଜିନିଷ ଖାଇବା ପରେ ସେ ସେଠାରେ ଉପସ୍ଥିତ ଥିବା ବାରଟେଣ୍ଡରଙ୍କଠାରୁ ବିଲ୍ ପୈଠ କରିବାକୁ ଚେକ୍ ମାଗିଥିଲେ। ସେ ଖାଇଥିବା ଖାଦ୍ୟର ମୂଲ୍ୟ ୨୮୦୦ ଟଙ୍କା ହୋଇଥିଲା। ହେଲେ ଚେକରେ ସେ ୧୨ ଲକ୍ଷ ଟଙ୍କା ଲେଖି ବାରଟେଣ୍ଡରଙ୍କୁ ଦେଇ କହିଥିଲେ ଏହି ସବୁ ଟଙ୍କା ଗୋଟିଏ ସ୍ଥାନରେ ଖର୍ଚ୍ଚ କରିବେନି। ପ୍ରଥମେ ବାରଟେଣ୍ଡର ଚେକ୍ କୁ ଅଧିକ ଧ୍ୟାନ ଦେଇନଥିଲେ। ତା’ପରେ ଯେତେବେଳେ ସେ ଏହାକୁ ବାରମ୍ବାର ଦେଖିଥିଲେ ଓ ସେ ଗୋଟିଏ ସ୍ଥାନରେ ଖର୍ଚ୍ଚ କରିବ ନାହିଁ ଶୁଣିଥିଲେ, ସେତେବେଳେ ସେ ଚେକ୍ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାରଟେଣ୍ଡର ଏହାପରେ ତାଙ୍କୁ ସେହି ଚେକ୍ ରେ ଅଧିକ ଶୂନ ଭୁଲରେ ଲେଖିଥିବା ବିଷୟରେ ଜଣାଇଥିଲେ, ଯେଉଁଥିରେ ସେ ଉତ୍ତର ଦେଇ କହିଥିଲେ – ତୁମେ ବହୁତ ପରିଶ୍ରମ କରୁଛ, ଏହା ତୁମର ପ୍ରାପ୍ୟ।
ଯେତେବେଳେ ରେଷ୍ଟୁରାଣ୍ଟ ମାଲିକ ମାଇକ୍ ଜରେଲା ସେହି ଗ୍ରାହକଙ୍କ ବିଷୟରେ ଜାଣିବାକୁ ପାଇଲେ, ସେ ତାଙ୍କ ନିକଟକୁ ଯାଇ ତାଙ୍କ ସହ କଥା ହୋଇଥିଲେ। ତଥାପି, ସେ ନିଜକୁ ପରିଚିତ କରିନଥିଲେ। ଏହାସହ ସେ ରେଷ୍ଟୁରାଣ୍ଟକୁ ସବୁଦିନ ମଧ୍ୟ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ନଥିଲେ। ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି ଯେ ଟିପ୍ ରେ ମିଳିଥିବା ଟଙ୍କା ୮ ଜଣ ବାରଟେଣ୍ଡର ଓ ରୋଷେଇ ଘରେ କାମ କରୁଥିବା କର୍ମଚରୀମାନଙ୍କ ଭିତରେ ବାଣ୍ଟି ଦିଆଯାଇଥିଲା। ସେହି ବ୍ୟକ୍ତିଙ୍କ ନାମ ଜାଣି ନ ଥିବାରୁ ରେଷ୍ଟୁରାଣ୍ଟର ମାଲିକ ଚେକ୍ ର ଫଟୋ ଫେସବୁକରେ ସେୟାର କରିଥିଲେ। ଯେକେହି ଏହାକୁ ଦେଖିଲେ ଗ୍ରାହକଙ୍କ ଉଦାରତାକୁ ପ୍ରଶଂସା ନକରି ରହି ପାରିବେ ନାହିଁ। ରେଷ୍ଟୁରାଣ୍ଟ କର୍ମଚାରୀମାନେ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ସେ କହିଛନ୍ତି ଯେ ଏହା ଘଟିବା ପରେ ସେ ଅନୁଭବ କଲେ ଯେପରି ମାନବିକତା ଏବେ ବି ବଞ୍ଚିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: