ଗଞ୍ଜାମ ମଡେଲ ଅନୁସରଣ କର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ ମଡେଲ ଅନୁସରଣ କର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି। କୋରୋନା ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ଆଇସିୟୁ ବେଡ୍‌ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଟ୍ୱିନ୍ ସିଟିରେ ଅଧିକ ଆମ୍ବୁଲାନ୍‌ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ସପ୍ତାହରେ ଭୁବନେଶ୍ୱର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋଲିସ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ୱୟ ରଖି ନିୟମାବଳୀ କଡ଼ାକଡ଼ି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଲୋକ ନିୟମାବଳୀ ଠିକ୍‌ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ଗଞ୍ଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ- ଭୁବନେଶ୍ୱର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ଜିଲ୍ଲା ମାନଙ୍କରେ କୋଭିଡ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ଟିଏମସି, କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ କେୟାର ହୋମ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଘରୋଇ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂରକ୍ଷିତ ରଖିବା, ଡାକ୍ତରଖାନା ଗୁଡିକରେ ଗୁଣାତ୍ମକ ସେବା ଯୋଗାଇବା ଏବଂ ଗୃହ ସଂଗରୋଧରେ ଥିବା ରୋଗୀମାନଙ୍କ ଚିକିତ୍ସା ତଦାରଖ କରିବା, ଗୋଷ୍ଠୀକୁ ସାଥିରେ ନେଇ ବିଭିନ୍ନ ଜୋନଭିତ୍ତିକ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।।

%d bloggers like this: