ପାଗଳ ପ୍ରେମୀଙ୍କ ପ୍ରେମରେ ପ୍ରଥମେ ପଡ଼ିଥିଲେ ଅର୍ଚ୍ଚିତା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମାର୍ଚ୍ଚ ପ୍ରଥମ ସପ୍ତାହରେ ଖୁବ୍ ଚର୍ଚ୍ଚାରେ ରହିଲେ ସବ୍ୟର୍ଚ୍ଚିତା । ହଁ, ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ବଲିଉଡ୍ ଷ୍ଟାଇଲକୁ ଫଲୋ କରି ଦୁହେଁ ଦୁହିଁଙ୍କ ନାମକୁ ସବ୍ୟର୍ଚ୍ଚିତା ରଖିଛନ୍ତି । ଯେମିତି ଦୀପିକା ପାଦୁକୋନ୍-ରଣବୀର ସିଂ ନିଜକୁ  ଦୀପବୀର୍ , ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ମିଶି ବିରୁସ୍କା ସେମିତି ସବ୍ୟ ଓ ଅର୍ଚ୍ଚିତା ନିଜକୁ ସବ୍ୟର୍ଚ୍ଚିତା ନା ଦେଇଛନ୍ତି ।

ଏବେ ଆସିବା ଖବରକୁ, ମାର୍ଚ୍ଚ ପହିଲାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  ରାଜସ୍ଥାନର ଐତିହାସିକ ନିମ୍ରାଣା ଫୋର୍ଟ ପ୍ୟାଲେସରେ  ପାରମ୍ପରିକ ରୀତିନୀତି ଅନୁଯାୟୀ ଉଭୟଙ୍କର ବାହାଘର ସଂପନ୍ନ ହୋଇଛି । ଚତୁର୍ଦ୍ଦଶ ଶତାଦ୍ଦୀର ଏହି ପ୍ରାଚୀନ ଦୁର୍ଗରେ ଉଠାଇଥିବା କିଛି ଫଟୋକୁ ସେୟାର କରିଥିଲେ ସବ୍ୟସାଚୀ । ବିବାହ ପୂର୍ବରୁ ସୋସିଆଲ୍ ମିଡ଼ିଆରେ ସୂଚନା ଦେଇ ପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଶଂସକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ଓଡ଼ିଆ ଦର୍ଶକଙ୍କୁ ସବୁବେଳେ ନୂଆ ନୂଆ ଭେଟି ଦେଉଥିବା ଓଲିଉଡର ଏହି ସଫଳ ଯୋଡ଼ି ।

ମାର୍ଚ୍ଚ 5 ତାରିଖ ଶୁକ୍ରବାର ସଂଧ୍ୟାରେ ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନର ଏୟାର ଇଣ୍ଡିଆ ବିମାନ ଯୋଗେ ଓଡ଼ିଶା ଫେରିଛନ୍ତି । ଉଭୟଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ଦେଇଥିଲେ ଦୁହିଁଙ୍କ ସମ୍ପର୍କୀୟ ଓ ପ୍ରଶଂସକ । ପୂର୍ବରୁ ସବ୍ୟସାଚୀ ଭୁବନେଶ୍ୱର ଫେରିବା ନେଇ ସୂଚନା ଦେଇସାରିଥିଲେ । ମିଡିଆକର୍ମୀମାନେ ମଧ୍ୟ ଏହି ଷ୍ଟାର କପୁଲଙ୍କ ସ୍ୱାଗତ ସହ ସେମାନଙ୍କ ପ୍ରତିକ୍ରିୟା ନେବାକୁ ଅପେକ୍ଷା କରି ରହିଥିଲେ ।

ସାମ୍ବାଦିକଙ୍କ ସହ ବିମାନ ବନ୍ଦର ସମ୍ମୁଖରେ ସବ୍ୟର୍ଚ୍ଚିତା ମନଖୋଲି କଥା ହୋଇଥିଲେ । ବିବାହ କଥାଠୁ ଆରମ୍ଭ କରି କେମିତି ଓ କେବେଠୁ ଆରମ୍ଭ ହୋଇଥିଲା ସମ୍ପର୍କ ସେ ସବୁର ଉତ୍ତର ନିର୍ଦ୍ୱନ୍ଦରେ ଦେଇଥିଲେ ଦୁହେଁ । ଏଠାରେ କହି ରଖୁଛୁ ଯେ, ଗତ କିଛି ବର୍ଷ ଧରି ସିନେମା ଓ ମିଡିଆ ଇଣ୍ଡଷ୍ଟ୍ରି ସହ ସାଧାରଣରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ପ୍ରେମ ଓ ବିବାହକୁ ନେଇ ଗୁଜବ ପ୍ରଚାର ହେଉଥିଲା । ଅବଶ୍ୟ ଏହି ଦୁଇ କପୁଲ କେବେ ମଧ୍ୟ ନିଜ ସମ୍ପର୍କକୁ ନେଇ ସାର୍ବଜନୀନ ସ୍ଥାନରେ ଗ୍ରହଣ କରିନଥିଲେ । ଅବଶ୍ୟ ଫେବ୍ରୁଆରୀ ଶେଷରେ ଦୁହିଁଙ୍କ ବିବାହ ମାର୍ଚ୍ଚ ପହିଲାରେ ବୋଲି ସାମାଜିକ ଗଣମାଧ୍ୟମରେ ଜଣାଇଥିଲେ ସବ୍ୟସାଚୀ । ରାତି ପାହିଲେ ବାହାଘର ଖବର ଶୁଣି ସାରା ରାଜ୍ୟ ଚକିତ ହୋଇଥିଲେ । ଏହି ବିବାହକୁ ନେଇ କିନ୍ତୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଯୋଡ଼ିକୁ ପସନ୍ଦ କରୁଥିବା ଦର୍ଶକ ବେଶ୍ ଖୁସି ପ୍ରକଟ କରିଛନ୍ତି ।

ଏବେ ଆସନ୍ତୁ ଜାଣିବା ଦୁହେଁ ମିଡିଆକୁ ଦେଇଥିବା ପ୍ରଶ୍ନର ଉତ୍ତର ସବୁ କଣ ରହିଛି….

ପ୍ରିଜମ ନ୍ୟୁଜର ପ୍ରଶ୍ନ: ପ୍ରେମ କେବେ ଓ କେମିତି ହେଲା?

ସବ୍ୟର୍ଚ୍ଚିତା: ପ୍ରେମ କେବେ, କେମିତି ହେଇଗଲା ଜାଣିନୁ । ସମସ୍ତଙ୍କ ଭଳି ଆମ ଦୁହିଁଙ୍କ ମଧ୍ୟରେ ବନ୍ଧୁତାରୁ ହିଁ ପ୍ରେମର ସୃଷ୍ଟି ହୋଇଥିଲା ।

ସାରା ଓଡ଼ିଶାରୁ ଦୁହିଁଙ୍କ ପାଇଁ ଯେଉଁ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ମିଳିଲା ତାହା ଆମ ପାଇଁ ଆର୍ଶୀବାଦ । ଆଗକୁ ମଧ୍ୟ ଆମ ନୂଆ ସଂସାର ପାଇଁ ଦର୍ଶକ ଓ ଶୁଭେଛୁ ଏମିତି ଭଲ ପାଇବା ଦେବା ଜାରି ରଖନ୍ତୁ ।

ପ୍ରିଜମ ନ୍ୟୁଜର ପ୍ରଶ୍ନ: ଅର୍ଚ୍ଚିତାଙ୍କ ସମ୍ପର୍କରେ କଣ କହିବେ?

ସବ୍ୟସାଚୀ: ଯେବେଠାରୁ ଅର୍ଚ୍ଚିତା ମୋ ଜୀବନରେ ଆସିଛନ୍ତି ସବୁ କିଛି ବଦଳି ଯାଇଛି । ସେ ମୋ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି । ମୋର ପ୍ରତିଟି ସଫଳତା ପଛରେ ଅର୍ଚ୍ଚିତାଙ୍କ ହାତ ରହିଛି । କରୋନା ପରଠାରୁ ଆରମ୍ଭ କରିଥିବା ସମାଜସେବା କାର୍ଯ୍ୟ ଯେମିତି ଆଗକୁ  କରିପାରିବି ସେଥିପାଇଁ ଅର୍ଚ୍ଚିତାଙ୍କ ସହଯୋଗ କାମନା କରୁଛି । ମୁଁ ଆଗକୁ ସମାଜସେବାରେ ଅଧିକ ସମୟ ଦେବାକୁ ଚାହୁଁଛି ଏଣୁ ଅର୍ଚ୍ଚିତା ମୋତେ ସମୟ ଦେବା ସହ ସହଯୋଗ କରିବାକୁ ଇଚ୍ଛା ଜାହିର କରୁଛି ଏଥିପାଇଁ ଅର୍ଚ୍ଚିତା ଆଜିଠୁ ଶପଥ ନିଅନ୍ତୁ ଯେ, ସେ ମୋତେ ସବୁବେଳେ ସାଥ୍ ଦେବେ।

ଅର୍ଚ୍ଚିତା: ମୁଁ ଖୁସି ହେବି । ସବ୍ୟ ଯାହା କରୁଛନ୍ତି ତାହା ଆଗକୁ ବି ଜାରି ରଖନ୍ତୁ । ମୁଁ ବି ସବ୍ୟଙ୍କ ସହ ମିଶି ସମାଜସେବା କରିବାକୁ ଆଗ୍ରହୀ ରହିଛି । ଆଗରୁ ସବ୍ୟ ଏକାଠି ଏହି ମହତ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଠାରୁ ସେ ବି ସମାଜସେବାରେ ସମୟ ଅତିବାହିତ କରିବେ ବୋଲି କହିଛନ୍ତି ଅର୍ଚ୍ଚିତା । ପୂର୍ବରୁ ଗୋଟିଏ ହାତ ଥିଲା ଏବେ ଦୁଇ ହାତ ଏକାଠି ହୋଇ ସମାଜସେବା କରିବ ।

ପ୍ରିଜମ ନ୍ୟୁଜର ପ୍ରଶ୍ନ: ଓଡ଼ିଶା ବାହାରେ ବିବାହ କାହିଁକି ? ସିକ୍ରେଟ ମ୍ୟାରେଜର କାରଣ ସମ୍ପର୍କରେ କଣ କହିବେ?

ସବ୍ୟର୍ଚ୍ଚିତା: ଆମ ଦୁହିଁଙ୍କ ୨୦୨୦ ମସିହା ମାର୍ଚ୍ଚ ମାସରେ ହେବା ଥିଲା । ମହାମାରୀ କରୋନା ସଙ୍କଟ ପାଇଁ ଏହି ବିବାହ ହୋଇପାରିନିଥିଲା । ପରବର୍ତ୍ତୀ ବିବାହ ତାରିଖକୁ ନେଇ ଦୁଇ ପରିବାର ମଧ୍ୟ ଆଲୋଚନା ପରେ ଚଳିତ ବର୍ଷର ମାର୍ଚ୍ଚ ପହିଲାକୁ ସ୍ଥିର କରିଥିଲୁ । ଓଡ଼ିଶାରେ ବିବାହ ହୋଇଥିଲେ ଭିଡ଼କୁ ନିୟନ୍ତ୍ରଣ କରିବାରେ ହୁଏତ ସମସ୍ୟା ଉପୁଜିଥାନ୍ତା ତେଣୁ କମ୍ ପରିବାର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ହିଁ ବିବାହ ଉତ୍ସବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଥିଲୁ ।

ପ୍ରିଜମ ନ୍ୟୁଜର ପ୍ରଶ୍ନ: ପ୍ରେମ ସମ୍ପର୍କରେ କଣ କହିବେ?

ଅର୍ଚ୍ଚିତା: ସବ୍ୟସାଚୀଙ୍କୁ ମୁହିଁ ପସନ୍ଦ କରିବା ଆରମ୍ଭ କରିଥିଲି । କେବେ ଓ କେମିତି ସବ୍ୟଙ୍କୁ ଭଲ ପାଇ ବସିଲି ସେ କଥା ଜାଣିନି । ଅନ୍ୟସମସ୍ତଙ୍କ ଭଳି ମୁଁ ବି କେତେବେଳେ ପସନ୍ଦ କରିବା ଆରମ୍ଭ କରିଦେଇଥିଲି, ମନ ଦେଇଥିଲି ଜାଣିପାରିନିଥିଲି । ସବ୍ୟଙ୍କୁ ଭଲ ପାଇ ବସିବା ପରେ ମନର କଥାକୁ ମନରେ ନ ରଖି ହୃଦୟର କଥା କହିଦେଇଥିଲି। ସବ୍ୟଙ୍କୁ ଆଇ ଲଭ୍ ୟୁ ବୋଲି କହିଦେଲି ସିନା ସେ କିନ୍ତୁ ପ୍ରେମ ନିବେଦନକୁ ସ୍ୱୀକାର କରିବାକୁ ଢେର୍ ସମୟ ନେଇଥିଲେ ।

ପ୍ରିଜମ ନ୍ୟୁଜର ପ୍ରଶ୍ନ: ଦୁହେଁ ରୂପେଲି ପରଦାରେ ଏକାଠି ପୁଣି କେବେ ନଜର ଆସିବେ?

ଅର୍ଚ୍ଚିତା: ବିବାହ ସରିଛି, ଏବେ ଘର ସଂସାର କଥା । କିଛି ଦିନ ସ୍ୱାମୀ ଓ ପରିବାର ସହ ବିତାଇବା ପରେ ସିନେମା କଥା ଚିନ୍ତା କରିବି । ମୋ ପାଇଁ ସଂସାର, ସ୍ୱାମୀ, ଶାଶୁ ଶ୍ୱଶୁର ଆଗ । ତା ପରେ ଯାଇ ସିନେମା କଥା ଚିନ୍ତା କରିବି ।

%d bloggers like this: