ଜାତୀୟତାବାଦକୁ ଅସ୍ତ୍ର କରୁଛି ବିଜେପି


ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): କୃଷକ ଆନ୍ଦୋଳନ ଯୋଗୁ ଅନେକାଂଶରେ ଜନସାଧାରଣଙ୍କ ଅସନ୍ତୋଷର ଶିକାର ହୋଇଥିବା ନରେନ୍ଦ୍ର ମୋଦି ସରକାରର ଭାବମୂର୍ତ୍ତି ରକ୍ଷା ସକାଶେ ଶାସକ ଦଳ ବିଜେପି ଜାତୀୟତାବାଦକୁ ଅସ୍ତ୍ର କରୁଛି। କେବଳ ଜାତୀୟତାବାଦ ନୁହେଁ, ହିନ୍ଦୁତ୍ୱ ଏବଂ ଦେଶପ୍ରେମ ମଧ୍ଯ ବିଜେପିର ଅନ୍ୟ ଦୁଇଟି ଅମୋଘ ଅସ୍ତ୍ର ହୋଇ ଉଠୁଛି। ଶୁକ୍ରବାର ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭର ପ୍ରଥମ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ସଦନକୁ ସମ୍ବୋଧିତ କରି ଯାହା କହିଲେ ସେଥିରୁ ଶାସକ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେଉଛି। କହିବାବାହୁଲ୍ୟ ଯେ, ରାଷ୍ଟ୍ରପତି ପାର୍ଲିଆମେଣ୍ଟରେ ଯେଉଁ ଭାଷଣ ଦେଇଥାନ୍ତି ତାହା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ପ୍ରଶସ୍ତି ପତ୍ର। ସରକାରଙ୍କ ସଫଳତା ଏବଂ ଆଭିମୁଖ୍ୟର ଏକ ଦସ୍ତାବିଜ।

ଆଗାମୀ ୨୦୨୨ରେ ଦେଶ ପାଳିବ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି। ତାହାକୁ ସାମ୍ନାରେ ରଖି ନରେନ୍ଦ୍ର ମୋଦି ସରକାର ଜାତୀୟତାବାଦୀ ଭାବାବେଗକୁ ଶୀର୍ଷକୁ ଉଠାଇବାର ପ୍ରୟାସ କରୁଛନ୍ତି। ପାର୍ଲିଆମେଣ୍ଟ ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତିଙ୍କ ଭାଷଣ ଶୁଣିବା ପରେ ରାଜନୈତିକ ବିଶ୍ଳେଷକମନେ ତାହାହିଁ ଅନୁଭବ କରୁଛନ୍ତି। ରାଷ୍ଟ୍ରପତିଙ୍କ ଭାଷଣରେ ଚୀନ ସହ ସୀମା ବିବାଦ ପ୍ରସଙ୍ଗରେ ଥିଲା ଭାରତୀୟ ସେନାର ଭୁରିଭୁରି ପ୍ରଶଂସା। ସେ କହିଥିଲେ, ଦେଶ ରକ୍ଷା କ୍ଷେତ୍ରରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେଉଛି। ଦେଶର ୭୫ତମ ସ୍ୱାଧୀନତା ଦିବସ ପାଇଁ ‘ଅମୃତ ମହୋତ୍ସବ’ ଚଳିତ ବର୍ଷରୁ ଆରମ୍ଭ ହେବ। ଜମ୍ମୁ କାଶ୍ମୀରରୁ ବିଶେଷ ମର୍ଯ୍ୟାଦା ପ୍ରତ୍ୟାହାର ପରେ ସେଠାକାର ଲୋକମାନେ ନୂଆ କରି ସୁବିଧା ସୁଯୋଗ ପାଉଛନ୍ତି। ସେମାନେ ସଶକ୍ତ ହେଉଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟା ଠାରେ ଏକ ଆଖିଝଲସା ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କର ଏଭଳି ଭାଷଣରୁ ସ୍ପଷ୍ଟ ହୋଇଗଲା ଯେ, ବିରୋଧୀଙ୍କ ମୁକାବିଲା ପାଇଁ ମୋଦି ସରକାର କେବଳ ଜାତୀୟତାବାଦକୁ ନୁହେଁ, ହିନ୍ଦୁତ୍ୱ ଏବଂ ଦେଶପ୍ରେମର ଭାବନାକୁ ଅସ୍ତ୍ର କରିବାକୁ ଚାହୁଁଛନ୍ତି। ପୂର୍ବ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଗତ ସାତ ମାସ ଧରି ଚୀନ ସହ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଚୀନ ସେନା ଭାରତୀୟ ଭୂଖଣ୍ଡ ଦଖଲ କରି ବସିଛି ବୋଲି ଅଭିଯୋଗ ଆଣି ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି କଂଗ୍ରେସ ଓ ବାମଦଳ ସହ ବିରୋଧୀ ଦଳ ଗୁଡିକ। ଏହି ପ୍ରସଙ୍ଗ ସମେତ ବିବାଦୀୟ କୃଷି ଆଇନ, ଦୀର୍ଘ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ, ସର୍ବୋପରି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ସଂସଦର ଉଭୟ ଗୃହ ଉତ୍ତାଳ ହେବାକୁ ଯାଉଛି। ଏଭଳି ଆଶଙ୍କା ଓ ସମ୍ଭାବନା ମଧ୍ୟରେ ସଂସଦ ଅଧିବେଶନ ଆରମ୍ଭ ହେଉଥିବା ବେଳେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସରକାରଙ୍କ ସଫଳତା ଫୁଟି ଉଠିଛି। ସେ କହିଛନ୍ତି ଯେ, ମୋ ସରକାର ସଦା ତତ୍ପର ଏବଂ ଦେଶକୁ ସୁରକ୍ଷିତ ରଖିବା ସକାଶେ ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ। ଦେଶର ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରଖିବା ସକାଶେ ନିୟନ୍ତ୍ରଣ ରେଖା ନିକଟକୁ ଅଧିକ ସୈନ୍ୟ ପ୍ରେରଣ କରାଯାଇଛି। ଗତବର୍ଷ ଜୁନ ମାସରେ ଗଲୱାନ ଘାଟି ଠାରେ ସଂଘର୍ଷ ଘଟି ଦେଶର ୨୦ ଯବାନ ସହିଦ ହୋଇଥିଲେ। ଦେଶ ସେମାନଙ୍କର ସାହସ ଏବଂ ବୀରତ୍ୱକୁ ସ୍ମରଣ କରୁଛି। ଦେଶର ପ୍ରତ୍ୟେକ ନାଗରିକ ସେହି ବୀର ଯବାନ ଠାରେ କୃତଜ୍ଞ। ରାଷ୍ଟ୍ରପତିଙ୍କ ଏଭଳି ଭାଷଣରୁ କୂଟନୀତିଜ୍ଞମାନଙ୍କ ମଧ୍ଯରୁ ଗୋଟିଏ ଅଂଶ ମନେ କରୁଛି ଯେ ମୋଦି ସରକାରଙ୍କ ତରଫରୁ ଘଟଣାଟିକୁ ଜାତୀୟତାବାଦର ମୋଡ଼ ଦେବାକୁ ଚେଷ୍ଟା କରାଯାଇଛି।

କେବଳ ଜାତୀୟତାବାଦ ନୁହେଁ, ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଦେଶପ୍ରେମର ଝଲକ ମଧ୍ଯ ଦେଖିବାକୁ ମିଳିଛି। କୋବିନ୍ଦ ତାଙ୍କ ଭାଷଣରେ ବିଭିନ୍ନ କବିଙ୍କର କବିତାର ପଂକ୍ତି ଉଦ୍ଧାର କରିଛନ୍ତି। ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଉଛି, ରାଷ୍ଟ୍ରପତି ତାଙ୍କ ଭାଷଣରେ ଯେଉଁ ସବୁ ରାଜ୍ୟର ବିଖ୍ୟାତ କବିମାନଙ୍କର କବିତା ପଂକ୍ତି ଉଦ୍ଧାର କରିଛନ୍ତି (ପଶ୍ଚିମବଙ୍ଗ, ଆସାମ, କେରଳ ) ସେହିସବୁ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଅଭିଭାଷଣ ଶେଷ କଲା ବେଳକୁ ଦେଶାତ୍ମବୋଧକ ପ୍ରସଙ୍ଗ ଟାଣି ଉଦାହରଣ ଦେଲେ ତିନି ରାଜ୍ୟର କବିଙ୍କ କବିତା ପଂକ୍ତି। ପ୍ରଥମେ ସେ ବଙ୍ଗଳା କବି ଜ୍ୟୋତିରିନ୍ଦ୍ରନାଥ ଠାକୁରଙ୍କ ଲେଖା କବିତା ଆବୃତି କରିଥିଲେ। କବି ଗୁରୁ ରବୀନ୍ଦ୍ର ନାଥ ଠାକୁରଙ୍କ ଦାଦା ଜ୍ୟୋତିରିନ୍ଦ୍ରନାଥ ପଶ୍ଚିମ ବଙ୍ଗର ଜଣେ ପ୍ରଚଣ୍ଡ ପ୍ରତିଭା। ତାଙ୍କ ଲେଖାରେ ଆଧ୍ୟାତ୍ମିକତା, ଦେଶାତ୍ମବୋଧ ଓ ମନନଶିଳତା ଭରପୁର। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବଙ୍ଗଳାର ଭୋଟ କଥା ମନରେ ରଖି ବିଭିନ୍ନ ମଞ୍ଚରେ ବଙ୍ଗାଳୀ ମନୀଷୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ଶେଷରେ କୋବିନ୍ଦଙ୍କ ଭାଷଣରେ ମଧ୍ଯ ଉଠିଆସିଲେ ସେହି ରାଜ୍ୟର କବି। ଠିକ ସେହିପରି ରାଷ୍ଟ୍ରପତି ତାଙ୍କ ଭାଷଣ ଆରମ୍ଭରେ ଏକତାବଦ୍ଧ ଭାରତ କଥା ଉଠାଇ ଆସାମର କବି ଅମ୍ବିକାଗିରି ରାୟଚୌଧୁରୀଙ୍କ କବିତାର ଦୁଇଟି ପଂକ୍ତି ଉଦ୍ଧାର କରିଥିଲେ। ଯେଉଁଥିରେ କୁହାଯାଇଛି ଭାରତର ଗୌରବ ହେଲା ଏକତା। ମାଲାୟାଲାମ କବି ଭାଲ୍ଲାଥଲଙ୍କର ଏକ ଜାତୀୟତାବାଦି ପଂକ୍ତି ମଧ୍ଯ ଉଚ୍ଚାରଣ କରିଥିଲେ କୋବିନ୍ଦ। କେନ୍ଦ୍ର ସରକାର ଏଭଳି ଭାବେ ରାଷ୍ଟ୍ରପତିଙ୍କ ମୁହଁରେ ଜାତୀୟତାର କଥା ଶୁଣାଇ ଜାତୀୟତାବାଦକୁ ଅସ୍ତ୍ର ଭାବେ ବ୍ୟବହାର କରିବାର ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ରାଜନୈତିକ ବିଶାରଦଙ୍କର ଧାରଣା।

%d bloggers like this: