ବଢୁଛି ନିର୍ବାଚନୀ ପାରା, ରେମୁଣା ବିଜେଡିରେ ଛକାପଞ୍ଝା, ରେସ୍‌ରେ ଦୀପକ ମଲ୍ଲିକ

ବଢୁଛି ନିର୍ବାଚନୀ ପାରା, ରେମୁଣା ବିଜେଡିରେ ଛକାପଞ୍ଝା, ରେସ୍‌ରେ ଦୀପକ ମଲ୍ଲିକ

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଫେବ୍ରୁଆରୀରେ ରାଜ୍ୟର ପାରା ହାଇ । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ତୀବ୍ର ହେବାରେ ଲାଗିଛି। ତାରିଖ ଘୋଷଣା ହୋଇନି, କିନ୍ତୁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପଲିଟିକାଲ ଗସିପ୍ ଜୋର୍‌ଦାର ଚାଲିଛି। ବିଶେଷ କରି ଦଳୀୟ ଟିକେଟ୍ ହାତେଇବା ପାଇଁ ବିଭିନ୍ନ ଆଶାୟୀମାନେ ସେମାନଙ୍କର ଲବିକୁ ଷ୍ଟ୍ରଙ୍ଗ୍‌ କରୁଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀରେ ମଧ୍ୟ ଆଶାୟୀ ମାନେ ଦଳୀୟ ଟିକେଟ ପାଇଁ ଲଗାଇ ଦେଇଛନ୍ତି ଜିଜାନ୍‌ ।

ବିଜେଡି ଟିକେଟ୍‌ ପାଇଁ ଦୁଇ ଗଣ୍ଡା ଆଶାୟୀ ମୁଣ୍ଡ ଟେକିଛନ୍ତି। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଧାଂଶୁ ଶେଖର ପରିଡ଼ା ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ। କିନ୍ତୁ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି। ଫଳରେ ଆଗାମୀ ନିର୍ବାଚନରେ ସୁଧାଂଶୁ ଶେଖର ପରିଡ଼ାଙ୍କୁ ବିଜେଡି ଟିକେଟ୍‌ ମିଳିବା ସମ୍ଭାବନା କ୍ଷୀଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେଣୁ, ସୁଧାଂଶୁଙ୍କ ଉତ୍ତରାଧିକାରୀ ହେବା ପାଇଁ ବିଜେଡିରେ ଏବେ ଚାଲିଛି ଛକାପଞ୍ଝା । ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଯୁବନେତା ଦୀପକ ମଲ୍ଲିକ, ସମିତିସଭ୍ୟ ଶାନ୍ତା ଦାସ, ସାମ୍ବାଦିକ ବଂଶିଧର ଦଳେଇ, ଯୁବନେତା ଚନ୍ଦନ ମଲ୍ଲିକ ଓ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ବିଜେଡି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି।
ସୁଦର୍ଶନ ଜେନା ୨୦୦୯ ମସିହାରେ ରେମୁଣା ଆସନରୁ ବିଜେଡି ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସଙ୍କ ଠାରୁ ହାରିଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ ସୁଦର୍ଶନ। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବିଜେଡିରୁ ବହିଷ୍କାର ହେବା ପରେ ସୁଦର୍ଶନ ପୁଣି ଥରେ ଦଳୀୟ ଟିକେଟ ରେସ୍‌ରେ ଥିବା ଜଣାପଡ଼ିଛି।
ସେହିପରି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ମଧ୍ୟ ବିଜେଡି ଟିକେଟ ରେସ୍‌ରେ ଅଛନ୍ତି। ସେ ଏବେ ବାଲେଶ୍ୱର ବିଜେଡିର ଏସସି/ଏସଟି ମୋର୍ଚ୍ଚାର ସଭାପତି ଅଛନ୍ତି। ପ୍ରଫେସର ମଲ୍ଲିକ ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା କରି ଅବସର ପରେ ବିଜେଡିରେ ସାମିଲ ହୋଇଥିଲେ। ସେ ୨୦୦୯ରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଏଥିରେ ସଫଳତା ମିଳିନାହିଁ।

ତେବେ ରେମୁଣା ଆସନ ପାଇଁ ଯୁବନେତା ଇଂ ଦୀପକ ମଲ୍ଲିକଙ୍କ ନାଁକୁ ନେଇ ସବୁଠି ଚର୍ଚ୍ଚା। ଇଂ ଦୀପକ ମଲ୍ଲିକ ଆଇଆଇଟି ଖଡ଼ଗପୁରରେ ଇଞ୍ଜିନିୟରିଂରେ ଶିକ୍ଷାଲାଭ କରିବା ପରେ ଭୁବନେଶ୍ୱରରେ ଏକ ଷ୍ଟାର୍ଟଅପ କମ୍ପାନି ଖୋଲିଛନ୍ତି। ବହୁ ଯୁବକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ରାଜନୀତିକୁ ଆସି ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।


ଶ୍ରୀ ମଲ୍ଲିକ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ। ହେଲେ କମ୍‌ ଦିନ ଭିତରେ ସେ ବିଜେପି ଛାଡ଼ିଥିଲେ। ଦୀପକ ମଲ୍ଲିକଙ୍କ ବାପା ସିମୁଳିଆ ବ୍ଲକର ବିଜେପି ସମର୍ଥିତ ବ୍ଲକ୍‌ ଅଧ୍ୟକ୍ଷ ଅଛନ୍ତି। ଯଦି ଦୀପକଙ୍କୁ ବିଜେଡି ଟିକେଟ ମିଳେ, ତେବେ ତାଙ୍କ ବାପା ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇ ପାରନ୍ତି। ଅନ୍ୟପଟେ ରେମୁଣାରେ ଦୀପକ ମଲ୍ଲିକଙ୍କ ଲୋକପ୍ରିୟତା ବେଶ୍‌ ରହିଛି। କେବଳ ସେତିକି ନୁହେଁ, ଦୀପକ ପ୍ରତିଦିନ ରେମୁଣାରେ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ସଭା ସମିତିରେ ମଧ୍ୟ ଲିପ୍ତ ରହୁଛନ୍ତି। ଏହାବ୍ୟତୀତ ଦୀପକ ମଲ୍ଲିକଙ୍କୁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରହିଛି।
ଦୀପକଙ୍କ ପ୍ରାର୍ଥିତ୍ୱକୁ କେତେକ ବିଜେଡି ନେତା ଓ ଅଫିସର ଲବି ମଧ୍ୟ ସମର୍ଥନ କରୁଛନ୍ତି। ଅନ୍ୟପଟେ ରେମୁଣାରେ ବିଜେଡିରେ ଏକାଧିକ ଆଶାୟୀ ଥିବାରୁ ଦଳ ପାଇଁ ଅଡୁଆ ସୃଷ୍ଟି ହୋଇଛି। ସେହିପରି ବିଜେପି ଟିକେଟ ପାଇଁ ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ଓ ଇଂ ବିଜୟ ସେଠୀ ପ୍ରମୁଖ ଦାବିଦାର ଅଛନ୍ତି। ତେବେ କଂଗ୍ରେସ ଏହି ଆସନରେ ବେଶ୍‌ ଦୁର୍ବଳ ଥିବାରୁ ଏଠାରେ କଂଗ୍ରେସ ଟିକେଟ୍ ପାଇଁ କିଛି ସମସ୍ୟା ନାହିଁ। ରେମୁଣା ନିର୍ବାଚନ ମଣ୍ଡଳୀଟି ଏସସି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀଟି ପୁନର୍ଗଠନ ହୋଇଥିଲା। ଅଦ୍ୟାବଧି ଏହି ଆସନରେ ଦୁଇ ଥର ବିଜେଡି ବାଜିମାତ୍ କରିଥିବା ବେଳେ ବିଜେପି ଥରୁଟିଏ ବିଜୟ ଲାଭ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: