ଗତବର୍ଷ ଅପେକ୍ଷା କୃଷି ବ୍ୟୟବରାଦ ହ୍ରାସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗତବର୍ଷ ଅପେକ୍ଷା ଏଥର ରାଜ୍ୟ ବଜେଟରେ କମିଛି କୃଷି ବ୍ୟୟବରାଦ। କୋରୋନା ପାଇଁ ରାଜ୍ୟର ରାଜସ୍ୱ ମଧ୍ୟ ପ୍ରଭାବିତ ହୋଇଛି। ଏହାଯୋଗୁଁ କୃଷି କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ବଜେଟରେ କୃଷି ପାଇଁ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି, ଯାହାକି ୨୦୨୦-୨୧ ବର୍ଷର ବ୍ୟୟ ବରାଦ ଠାରୁ ପ୍ରାୟ ୧୦ ପ୍ରତିଶତ କମ୍। ପୂର୍ବ ବର୍ଷ ୧୯,୪୦୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ‘କାଳିଆ’ ଯୋଜନା ପାଇଁ ଏଥର ୧୮ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ଆର୍ଥିକ ବର୍ଷ ନିମନ୍ତେ କାଳିଆ ଯୋଜନା ପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ନୂଆ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ ମଧ୍ୟରୁ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ରାଜସ୍ୱ ପ୍ରାପ୍ତିରୁ ମିଳିବ। ଏହା ମଧ୍ୟରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ୩୭ ହଜାର ୫ଶହ କୋଟି ଟଙ୍କା ରହିବ। ୨୦୨୦-୨୧ ବର୍ଷରେ ଏହା ୩୮ ହଜାର ୩୫୦ କୋଟି ଟଙ୍କା ଥିଲା। ସେହିପରି କେନ୍ଦ୍ରୀୟ ଟିକସରୁ ମଧ୍ୟ ରାଜ୍ୟ ଭାଗ କମିବା ଆଶଙ୍କା ରହିଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ୩୬ ହଜାର ୩୦୦ କୋଟି ଟଙ୍କା ଥିବାବେଳେ ନୂଆ ଆର୍ଥିକ ବର୍ଷରେ ତାହା ୩୦ ହଜାର ୧୩୭ କୋଟିକୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

%d bloggers like this: