Connect with us

ସାହିତ୍ୟ ସ୍ତମ୍ଭ

ତୁଘଲକର ବିଦାୟ ନାହିଁ- ଜ୍ୟୋତି ନନ୍ଦ

Published

on

(ଜ୍ୟୋତି ନନ୍ଦ): ନାଟକର ନାଆଁ ତୁଘଲକ।ନାଟକଟି ମୂଳ କନ୍ନଡରେ ଲେଖା ୧୯୬୪ମସିହାରେ।ପରେ ଏହା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଏ ଓ ମଞ୍ଚ ନାଟକ ହିସାବରେ ଅତ୍ୟନ୍ତ ସଫଳ ହୁଏ।ତୁଘଲକ ନାଟକ ଯାହା ଉପରେ ଆଧାରିତ ସେ ଜଣେ ଐତିହାସିକ ଚରିତ୍ର।ମହମ୍ମଦ ବିନ୍ ତୁଘଲକ୍।ଭାରତର ମସନଦ ରେ ବସି ତାଙ୍କର ଶାସନ କରିବାର ସମୟ ହେଉଛି ଚତୁର୍ଦ୍ଦଶ ଶତାବ୍ଦୀ,୧୩୨୫ଖ୍ରୀଅ ଠାରୁ ୧୩୫୧ ଖ୍ରୀଅ।ପ୍ରାକ୍ ମୁଘଲ କାଳର ଏହି ଚର୍ଚ୍ଚିତ ମୁସଲମାନ ନରପତି ଜଣଙ୍କ ବିଷୟରେ ଆମର ଏଠିକାର ଇତିହାସ ପଢୁଥିବା ପିଲାଏ ବେଶ୍ ଭଲଭାବରେ ଜାଣନ୍ତି।କାରଣ ଇତିହାସ ପରୀକ୍ଷାରେ ଏହି ନରପତି ଜଣକ ବେଶ୍ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆକାରରେ ପ୍ରାୟତଃ ଦୃଶ୍ୟମାନ ହୁଅନ୍ତି ଯେଉଁଠି ପିଲାଙ୍କୁ ସାବ୍ୟସ୍ତ କରିବାକୁ ପଡେ ଯେ ଏହି ସଂପୃକ୍ତ ସମ୍ରାଟ ଜଣକ କେତେ ପରିମାଣରେ ଆଡବାୟା,କେତେ ପରିମାଣରେ ବିରୋଧାଭାଷର ଗଂଠୁଲି,କେତେପରିମାଣରେ ସଫଳ।ପରୀକ୍ଷାଖାତାର କହିବାକୁ ଗଲେ ଅନ୍ୟତମ ନାୟକ ଏଇ ରାଜାଟି ପିଲାଙ୍କୁ ଏତେ ପ୍ରଭାବିତ କରିଥାଏ ଯେ,ପରୀକ୍ଷାବାହାରେ ଯଦି ସେମାନେ କେଉଁଠି କାହାର ଦ୍ୱନ୍ଦ୍ୱ ଟିକୁ ହାସ୍ୟକର ବୋଲି ଭାବିଲେ,ତେବେ ସିଧାସଳଖ କହିବାର ଶୁଣାଯାଏ ସେମାନଙ୍କର ମୁହଁରୁ,ଆରେ,ଏମିତି କାହିଁକି ଦିଲ୍ଲୀରୁ ଦୌଲତାବାଦ ହେଉଛୁ?ଥୟଧର!

ଚତୁର୍ଦ୍ଦଶ ଶତାବ୍ଦୀର ଏହି ଐତିହାସିକ ଚରିତ୍ରଟି ମଂଚରେ ନାୟକ ହିସାବରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିବା ପଛରେ ଏକମାତ୍ର କାରଣ ହେଉଛି ଏହି ଚରିତ୍ରଟି ଐତିହାସିକ ତଥା ପୁରୁଣା ହୋଇଥିଲେ ହେଁ ଆମର ଅନେକ ମୌଳିକ ପ୍ରଶ୍ନର କିଛି ସଂଭାବିତ ଓ ସନ୍ତୋଷଜନକ ଉତ୍ତର ଆମ ଆଗରେ ପ୍ରସ୍ତୁତ କରି ଆମକୁ ଆମର ପରିସ୍ଥିତିରେ ଆଲୋଡିତ କରିଛି ଆଉ ସେଇଥିପାଇଁ ଆମକୁ ଏହି ଚରିତ୍ରଟି ଆକର୍ଷଣୀୟ ଓ ଅଦ୍ଭୁତ ଲାଗିଛି।ଆମେ କହିବାକୁ ଗଲେ ଏହି ଚରିତ୍ରର ମଂଚମାୟାରୁ ମୁକୁଳି ପାରୁନାହୁଁ।

ମହମ୍ମଦ ବିନ୍ ତୁଘଲକ ଙ୍କର ସବୁ ବିଷୟରେ ଗଭୀର ମନନଶୀଳ ଆଗ୍ରହ ଥିଲା।ଏବଂ ଯାହାକୁ କୁହାଯାଏ ସେ ଜଣେ ଯାହାକୁ କହନ୍ତି ଚିନ୍ତାଶୀଳ ନରପତି ଥିଲେ।ଅଧ୍ୟୟନ,ଚିନ୍ତନ,ଓ ଯଥେଷ୍ଟ ଧର୍ମ ପରାୟଣ ଥିଲେ ସେ।ସେ ମୁସଲମାନଧର୍ମାବଲମ୍ବୀ ହେଲେ ମଧ୍ୟ ହିନ୍ଦୁ-ମୁସଲମାନ ସଂପ୍ରିତୀରେ ବିଶ୍ୱାସ କରୁଥିଲେ।କିନ୍ତୁ ଜଣେ ଶାସକ ହେବାପାଇଁ ଏହି ଗୁଣର ଆବଶ୍ୟକତା ହୁଏତ ସେତେ ପଡିବ ନାହିଁ।ତେଣୁ ଜଣେ ପ୍ରକୃତ ଶାସକ ହେବାପାଇଁ ସେ ନିଜର ଶତ୍ରୁ ମାନଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ସଂହାର କରୁଥିଲେ। ସେ ବ୍ୟବହାରିକ ଜୀବନ ଯଥେଷ୍ଟ ନିଷ୍ଠୁର ଥିଲେ,ଯେଉଁ ପ୍ରକାର ନିଷ୍ଠୁରତା କୌଣସି ପୁସ୍ତକପ୍ରେମୀ ମନନଶୀଳ ବ୍ୟକ୍ତି ପାଖରେ ପ୍ରାୟତଃ ରହି ନଥିବାର କଥା।ସବୁବେଳେ ନିଜ ସ୍ୱାର୍ଥ ବ୍ୟତୀତ ଆଉ କିଛି ତାଙ୍କର କାର୍ଯ୍ୟରେ ପ୍ରକାଶିତ ହେଉନଥିଲା।ହୁଏତ ଏଥିରୁ ତୁଘଲକ ଙ୍କର ଜୀବନର ବିରୋଧାଭାଷକୁ ଆପଣମାନେ କିଛି ପରିମାଣରେ ବୁଝି ପାରୁଥିବେ।

ଏହି ନାଟକରେ ଦେଖାଯାଇଛି ଯେ ଦୁଇଟି କଥା ଯଥା କ୍ଷମତାର ଲୋଭ ଆଉ ସ୍ୱୈରାଚାର ଜଣେ ମଣିଷର ଭିତରେ ଥିବା ସମସ୍ତ ବୈଚାରିକ ସୁଗୁଣକୁ କଳାବାଦଲ ଭଳି ଆଛାଦିତ କରି ରଖିଥାଏ ସବୁସମୟ।ଏବଂ ନିଜ ସହ କ୍ଷମତା ଆଉ ସ୍ୱୈରାଚାର ର ଭାଲ୍ୟୁ ଆଡିସନ୍ ବା ମୂଲ୍ୟାଙ୍କ ସଂଯୋଜନ କରିବା ପ୍ରକ୍ରିୟାରେ ସେହି ମଣିଷଟି ମଣିଷର ଯେଉଁ ମାନବିକ ସ୍ତରଟି ସାଧାରଣ ଭାବରେ ରହିବାର କଥା ତାହାଠାରୁ କ୍ରମଶଃ ତଳକୁ ତଳକୁ ଖସି ଯାଉଥାଏ।

ତୁଘଲକ ନିଜ ଜୀବନ କାଳରେ କେବଳ ନିଜକୁ ନିଜେ ନିର୍ଦ୍ଦେଶ ଦେଇଛନ୍ତି ଆଉ ନିଜେ ବା ସମ୍ରାଟ ସ୍ୱୟଂ ଏହି ନିର୍ଦ୍ଦେଶ ମାନୁଥିବାରୁ ତାହାର ବିରୋଧତା ଆଉ କୌଣସି ଅଧସ୍ତନ ମଣିଷ ପକ୍ଷରେ କରିବା ପ୍ରାସଂଗିକ ନୁହଁ।ଯଦି କିଏ ତଥାପି ଏହାର ବିରୋଧତା କରୁଛି ତେବେ ତାହାର ମୃତ୍ୟୁଦଣ୍ଡ ୱାଜିବ୍ କଥା।

କ୍ଷମତା ପାଇଁ ଧର୍ମର ଉପଯୋଗିତା କୁ ବେଶ୍ ଭଲ ଭାବରେ ବୁଝିଥିବା ସମ୍ରାଟ ମାନଙ୍କ ଭିତରେ ସେ ଅନ୍ୟତମ।ସେ ସମୟରେ ମୁସଲମାନ ଶାସିତ ରାଜ୍ୟକୁ ଏକ ଧର୍ମଭିତ୍ତିକ ରାଜ୍ୟ ବା ଥିଓକ୍ରାଟିକ ଷ୍ଟେଟ୍ ହିସାବରେ ବିବେଚନା କରାଯାଉଥିଲା।ଏହି ଧର୍ମରାଜ୍ୟ ବା ଦାର-ଉଲ୍ -ଇସଲାମ୍ ର ପ୍ରତିଷ୍ଠା ପାଇଁ ଇସଲାମୀୟ ଧର୍ମ ବ୍ୟବସ୍ଥାରେ ଏକ ସ୍ୱତନ୍ତ୍ର ବିଧି ରହିଥିଲା। ନବୀଜୀ ଙ୍କ ପରେ ଇସଲାମ ଧର୍ମର ମୁଖ୍ୟ ଗୁରୁ ଥିଲେ ଖଲିଫା ଆଉ କୌଣସି ସ୍ଥାନରେ ମୁସଲମାନ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା ପରେ ଖଲିଫା ଯିଏ ବାଗଦାଦ୍ ର ନିବାସୀ ସେ ସେହି ଇସଲାମିକ୍ ରାଜ୍ୟକୁ ଏକ ସ୍ୱୀକୃତି ପତ୍ର ପ୍ରଦାନ କରୁଥିଲେ ।ଏହାକୁ ମନସୁର୍ -ଉଲ୍-ମୋମିନମ୍ ବୋଲି କୁହାଯାଉଥିଲା ।ଯେ ପର୍ଯ୍ୟନ୍ତ ଗୋଟିଏ ମୁସଲମାନ ରାଜ୍ୟ ଖଲିଫାଙ୍କର ମନସୁର୍ ପ୍ରାପ୍ତ ହୋଇନାହିଁ ସେଯାଏଁ ତାହା ଏକ ବୈଧ ମୁସଲମାନ ରାଜ୍ୟ ହେଉନଥିଲା।ତୁଘଲକ ପ୍ରଥମେ ସମ୍ରାଟ ହେଲା ପରେ ଏହି ଧାର୍ମିକ ଦିଗକୁ ଅସ୍ୱୀକାର କରୁଥିଲେ ମାତ୍ର ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ସ୍ଥାନାନ୍ତର କରିବାର ବିଫଳତା,ପ୍ରତୀକମୁଦ୍ରା ବା ଟୋକେନ୍ କରେନ୍ସି ପ୍ରଚଳନ ର ବିଫଳତା,ଏବଂ ଶାସନରେ ଧର୍ମଗୁରୁ ମାନେ ଅବହେଳିତ ହେବାର ଧାର୍ମିକ ଆକ୍ରୋଶ ତାଙ୍କୁ କ୍ଷମତାଧର ହେବା ପାଇଁ ଖଲିଫାଙ୍କର ସ୍ୱୀକୃତି ପତ୍ର ମନସୁର୍ କୁ ଥରେ ନୁହଁ ଦୁଇଥର ଆଣିବାକୁ ବାଧ୍ୟ କରିଥିଲା।

ତୁଘଲକ ନାଟକର ମାଧ୍ୟମରେ ଯେଉଁ ଚିରସ୍ଥାୟୀ ବାର୍ତ୍ତା ସମସ୍ତଙ୍କ ପାଇଁ ରହିଛି ତାହା ହେଉଛି ,କ୍ଷମତାର ପରିବଳୟରେ ଯିଏ ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ସେ କଦାପି ଭୁଲ କରି ପାରିବ ନାହିଁ।ଦୁଇରେ,କ୍ଷମତା ହାସଲ ପାଇଁ ସେ ଯେ କୌଣସି ସ୍ତରକୁ ବା ଯେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ଓ ତାହାର ସେମିତି ଯେକୌଣସି କାର୍ଯ୍ୟପ୍ରତି ଅନ୍ୟ ସମସ୍ତଙ୍କର ସମର୍ଥନ ରହିବା ବାଧ୍ୟତାମୂଳକ।ତିନି ରେ,କ୍ଷମତା ହେଉଛି ଏକମାତ୍ର ସତ୍ୟ ଏବଂ ଏହା କୁ ଲାଭ କରିବା ପାଇଁ ଯେ କୌଣସି କୌଶଳ ବୈଧ।

ପୃଥିବୀର ଇତିହାସରେ ସବୁ କ୍ଷମତା ଇତିହାସରେ ଏକଥା ରହିଛି,ସେ ମହମ୍ମଦ ବିନ୍ ତୁଘଲକ ହୁଅନ୍ତୁ କି ଆଉ ଯିଏ ବି ହୁଅନ୍ତୁ। ତୁଘଲକର ବିଚାରଧାରା କେତେ ପ୍ରାସଂଗିକ ତାହାର ବିଚାର ଆପଣ ମାନଙ୍କ ଉପରେ ରହିଲା। ତୁଘଲକ ର ବିଦାୟ ନାହିଁ। ଏମିତି ରେ କୌଣସି ବିଚାରଧାରାର ବିଦାୟ ନାହିଁ।ପାଦଛୁଇଁ ମୁଣ୍ଡିଆ ମାରିବା ପରେ ଗୁଳି କଲେ ବି ହାଡ଼ କେତେଖଣ୍ଡ ଉପରେ ଚମଛାଉଁଣୀ ହୋଇଥିବା ଶୀର୍ଣ୍ଣକାୟ ବୁଢାର ବିଚାର କ୍ରମଶଃ ସ୍ଥୁଳକାୟା ଧାରଣ କରୁଥାଏ।

[ ଆଜକୁ ଦୁଇବର୍ଷ ହେଲା ସେ ଆମ ସହିତ ଆଉ ନାହାନ୍ତି। ଆଜି ଅର୍ଥାତ୍ ୧୦ ଜୁନ୍ ୨୦୧୯ରେ ତାଙ୍କର ଦେହାବସାନ ହୋଇଥିଲା। ପ୍ରଣାମ ଶ୍ରୀଯୁକ୍ତ ଗିରୀଶ କନ୍ନଡ।]

Advertisement
Click to comment

Leave a Reply

Your email address will not be published. Required fields are marked *

Advertisement
Advertisement

Trending