WODC ଅନୁଦାନ ୨ଶହ କୋଟି ବୃଦ୍ଧି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯୁବକଯୁବତୀଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ୧୯୯୯-୨୦୦୦ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ। ପଶ୍ଚିମ ଓଡ଼ିଶାରେ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ପାଇଁ ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡ଼ିଏ ବୃହତ ପ୍ରକଳ୍ପକୁ ତ୍ବରାନ୍ବିତ କରି ଠିକ୍ ସମୟରେ ଶେଷ କରିବା ପାଇଁ WODC ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ବିଜୁ ଏକ୍‌ସପ୍ରେସ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଦି ବୃହତ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଦ୍ବାରା ପଶ୍ଚିମ ଓଡ଼ିଶାର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି।

%d bloggers like this: