ମହିଳା କ୍ରିକେଟର ଭବିଷ୍ୟତ କ’ଣ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ବିରୋଧରେ ସାରା ବିଶ୍ୱ ଲଢ଼େଇ ଜାରି ରଖିଛି। ଧୀରେଧୀରେ ସଂସାର ବି କୋରୋନାମୁକ୍ତ ହେବାକୁ ଲାଗିଛି। କଟକଣା କୋହଳ ହେଉଥିବା ବେଳେ ସ୍ଥିତି ସୁଧାରିବାରେ ସବୁ ଦେଶ ଲାଗିଛନ୍ତି। ମାର୍କେଟ୍ ଖୋଲୁଥିବା ବେଳେ ମୁଭି, କ୍ରୀଡ଼ା, କସରତ, ଭ୍ରମଣର ମଜା ନେଇପାରୁଛନ୍ତି। ବିଶେଷ କରି ମଇଦାନରେ ବିନା ଦର୍ଶକରେ ମୁକାବିଲା ଆରମ୍ଭ ପରେ ଏବେ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିପାରିବେ ବୋଲି ଖବର ଆସିଛି। ଇଂଲଣ୍ଡ କ୍ରିକେଟ୍ ଟିମ୍ ଭାରତ ଗସ୍ତ କରୁଥିବା ବେଳେ ୫ ତାରିଖରୁ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ସେପଟେ, ପାଖାପାଖି ଏକବର୍ଷ ହେଲା ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହିଁ ଭାରତୀୟ ମହିଳା କ୍ରିକେଟ୍ ଟିମ୍। କୋରୋନା ଏଥିରେ ବାଧକ ସାଜିଛି। ସେମାନଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି, କ୍ରିକେଟ୍ ଟିମର ଭବିଷ୍ୟତ କ’ଣ? ସେମାନେ ପେଷାଦାର କ୍ରିକେଟ୍ ଖେଳିବେ ତ ! ଲଗାତାର କ୍ରିକେଟ୍ ଖେଳିବାର ସୁଯୋଗ ପାଇବେ ତ! ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ମହିଳା ଟିମ୍ ଏଯାଏ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନି, ଯାହା ସମସ୍ତଙ୍କୁ ଟେନସନ୍ ଦେଇଛି। ତେବେ, ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା ଟିମ୍ ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ। ଏଯାଏ ତାରିଖ ସ୍ଥିର ହୋଇନି। ତଥାପି ଖେଳ ଆୟୋଜନ ନେଇ ଉଭୟ ବୋର୍ଡ ତୟାର ଅଛନ୍ତି। ପୁଣି ଥରେ ମଇଦାନରେ ମହିଳା କ୍ରିକେଟ ଟିମର ଦବଦବା ଦେଖିବାକୁ ମିଳିବ।

ସେପଟେ, ସିନିୟର ପ୍ଲେୟାର ଟିମରେ ରହିବେ ନା ନାହିଁ, ସେମାନଙ୍କୁ ସାମିଲ୍ କରାଯିବ ନା ୟଙ୍ଗଷ୍ଟର ସୁଯୋଗ ପାଇବେ ସେ ନେଇ ସମୀକ୍ଷା କରିବାର ସମୟ ଆସିଛି। କାରଣ ମିତାଲି ରାଜ, ଝୁଲଣ ଗୋସ୍ୱାମୀଙ୍କ ପରି ଷ୍ଟାର ଖେଳାଳି ବେଶୀ ଦିନ ମଇଦାନରେ ଦେଖାଦେବେନି। ହରପ୍ରୀତ, ମନ୍ଧାନା, ପୁନମ ଯାଦବଙ୍କ ସମେତ ୟଙ୍ଗଷ୍ଟର ଜେମିମା ରଡ୍ରିଗଜ୍, ସେଫାଳୀ ବର୍ମା, ପ୍ରିୟା ପୁନିଆ, ପୁନମ ଭଳି ପ୍ଲେୟାର ଟିମକୁ ଆଗକୁ ବଢ଼ାଇବେ। ଏହି ଖେଳାଳିମାନେ ବ୍ୟାଟିଂ ଓ ବୋଲିଂରେ କମାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦିନିକିଆରେ ଦଳ ଦ୍ୱିତୀୟରେ ଥିବାବେଳେ ଟି-ଟ୍ୱେଣ୍ଟିରେ ତୃତୀୟ ସ୍ଥାନରେ ଅଛି। ତେବେ, ସେମାନଙ୍କ ପାଇଁ ସବୁ ପ୍ରକାର ସାହାଯ୍ୟ, ସହାୟତା, ପ୍ରୋତ୍ସାହନ ଏବଂ ତାଲିମ୍ ମିଳୁଛି ତ ! କାରଣ ଟିମ୍ ଇଣ୍ଡିଆ (ପୁରୁଷ ଟିମ)କୁ ଯେତିକି ପ୍ରଶଂସା, ଅର୍ଥ ରାଶି ମିଳୁଛି ତା’ ତୁଳନାରେ ମହିଳାଙ୍କୁ ମିଳୁନି। ଅନ୍ୟାନ୍ୟ ସୁବିଧା ସୁଯୋଗରୁ ମଧ୍ୟ ସେମାନେ ବଞ୍ଚିତ ରହୁଛନ୍ତି। ଏବେ ମୁଖ୍ୟ କୋଚ୍ w.v. ରମଣ ଏବଂ ବୋଲିଂ କୋଚ୍ ନରେନ୍ଦ୍ର ହିରମାନୀଙ୍କ ସମୟ ସରିଛି। ସେହି ପଦ ଏବେ ଖାଲି ଅଛି। ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ତେଣୁ, ଏବେ ବିନା ମୁଖିଆରେ ଏକ ପ୍ରକାର ଟିମ୍ ଚାଲିଛି। ସେଥିପାଇଁ ଦଳର ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।


ଅନ୍ୟପଟେ କ୍ରିକେଟ୍ ବଂଶାନୁକ୍ରମିକରେ ମହିଳା କ୍ରିକେଟରଙ୍କୁ ନେଇ କିଛି ମଜାଦାର ତଥ୍ୟ ଆସିଛି। ପୁରୁଷ କ୍ରିକେଟରଙ୍କ ଝିଅ, ଭାରତୀୟ କ୍ରିକେଟ ଟିମର ଭବିଷ୍ୟତ ଷ୍ଟାର ହେବେନି ତ ! ତେବେ, ସେମାନେ ହିଁ ଟିମ୍ ଲିଡ୍ କରିପାରନ୍ତି ବୋଲି ମଜାରେ ମଜାରେ କହିଛନ୍ତି ଲିଜେଣ୍ଡାରୀ ତଥା ବଲିଉଡ୍ ଷ୍ଟାର ବିଗ୍ ବି। ଏପରିକି ଫ୍ୟାନମାନଙ୍କୁ ପ୍ରଶ୍ନ କରିଛନ୍ତି, ଧୋନିଙ୍କ ଲାଡଲୀ ଦଳର କ୍ୟାପଟେନ୍ ହେବେ କି ? କାରଣ ସୌଭାଗ୍ୟର ବିଷୟ, ଅଧିକାଂଶ ନାମୀଦାମୀ କ୍ରିକେଟରଙ୍କୁ କନ୍ୟା ସନ୍ତାନ ମିଳିଛି। ଆପଣ ଜାଣିଥିବେ, ନିକଟରେ ରନ୍ ମେସିନ୍ ତଥା ଟିମ୍ ଇଣ୍ଡିଆ ଅଧିନାୟକ କୋହଲି ମଧ୍ୟ ଏହି କ୍ଲବରେ ସାମିଲ୍ ହୋଇଛନ୍ତି। ପୂର୍ବରୁ ଧୋନି, ରୈନା, ଗମ୍ବୀର, ରୋହିତ, ମହମ୍ମଦ ସାମି, ରାହାଣେ, ଅଶ୍ୱିନ, ଜାଡେଜା, ହରଭଜନଙ୍କ ପରି ଷ୍ଟାର ପ୍ଲେୟାରଙ୍କୁ କନ୍ୟା ସନ୍ତାନ ପ୍ରାପ୍ତି ହୋଇଛି।

%d bloggers like this: