ଖୁବଶୀଘ୍ର ବଦଳିବ ନବୀନଙ୍କ ଟିମ୍, ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା

ପ୍ରିଜମ୍ ନ୍ୟୁଜ(EXCLUSIVE): ନୂଆବର୍ଷରେ ନୂଆ ସଂକଳ୍ପ ନେଇ ଆଗକୁ ବଢ଼ିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିମ୍। ସେଥିପାଇଁ ତ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଆଭାସ ମିଳିଲାଣି। ଗତ କିଛିଦିନ ଧରି ରାଜ୍ୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଏବେ ନବୀନ ନିଜ ଖେଳାଳିଙ୍କୁ ଅଦଳବଦଳ କରିବା ନେଇ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ।

ସ୍ନେହାଙ୍ଗିନି ଛୁରିଆଙ୍କୁ ବିଜୁ ମହିଳା ଦଳର ରାଜ୍ୟ ସଭାପତି ଦାୟିତ୍ୱ ଦେଇ ସୁପ୍ରିମୋ ନବୀନ ତାଙ୍କୁ ସନ୍ତୁଷ୍ଟ କରିଛନ୍ତି। ସେ ଏବେ ଦଳର ସାଙ୍ଗଠନିକ ସ୍ଥିତି ଓ ମହିଳା ଭୋଟ୍ ହାର ବୃଦ୍ଧି ପାଇଁ କାମ କରିବେ। ତେଣୁ, ତାଙ୍କୁ ମନ୍ତ୍ରୀପଦରୁ ବାହାରେ ରଖି ନବୀନ ତାଙ୍କ ସ୍ଥାନରେ ନୂଆ ଜଣେ ଖେଳାଳିଙ୍କୁ ସୁଯୋଗ ଦେବେ। ସେହିପରି ସଂସ୍କୃତି ଓ ପର୍ଯ୍ୟଟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କ୍ରୀଡ଼ା, ସୂଚନା ଓ ବୈଷୟିକ ବିଭାଗ ଆଦିରେ ପରିବର୍ତ୍ତନ ହେବାର ଚର୍ଚ୍ଚା ହେଉଛି। ସେହିପରି ପରୀ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଥିବାବେଳେ ଅରୁଣ ସାହୁଙ୍କୁ ତାଙ୍କ ବିଭାଗରୁ ଅନ୍ୟ ବିଭାଗକୁ ଥଇଥାନ କରାଯାଇପାରେ। ସେହିପରି ସ୍ମାର୍ଟ ଆଣ୍ଡ ଆକ୍ଟିଭ ଲିଡରଙ୍କ ଭିତରୁ ଆଉ କେତେ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। କିଛି ନୂଆ ମୁହଁ ଓ କିଛି ବରିଷ୍ଠ ଚେହେରାଙ୍କୁ ନବୀନ ନିଜ ଟିମରେ ସ୍ଥାନ ଦେଇପାରନ୍ତି।

ଆଗକୁ ପୌର ଓ ଏକ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତେଣୁ, ଦଳକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରିବାକୁ କେତେକ ଦକ୍ଷ ଓ ପରିଶ୍ରମ କରୁଥିବା ନେତାଙ୍କୁ ଗ୍ରାଉଣ୍ଡ ପାଇଁ ପଠାଯାଇପାରେ। ତେଣୁ, ସେମାନଙ୍କୁ ନିଜ ନିଜର ମନ୍ତ୍ରୀପଦରୁ ମୁକ୍ତ କରି ମୁଖିଆ ଦଳୀୟ କାର୍ଯ୍ୟ ପାଇଁ ଦାୟିତ୍ୱ ଦେଇପାରନ୍ତି। ସେହିପରି ନିଜ ଉପରକୁ ଟିକିଏ ବି ଆଞ୍ଚ ଆସିଲେ ଜମାରୁ ରିସ୍କ ନେବାକୁ ଚାହୁଁ ନ ଥିବା ନବୀନ ଏଥର ବି କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁ ନାହାନ୍ତି। ପରୀ ହତ୍ୟା ମାମଲା, ପିପିଇ କିଟ୍ ଦୁର୍ନୀତି, ଧାନ ଅବ୍ୟବସ୍ଥା ପ୍ରସଙ୍ଗ, ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ଅଭିଯୋଗ ଆସିବା ପରେ ଏବେ ନବୀନ ପଟ୍ଟନାୟକ ନିଜର ଟିମ୍ କୁ ବଦଳାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ପଞ୍ଚମ ଇନିଂସର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାକୁ ଯାଉଥିବାବେଳେ ଗଞ୍ଜାମରୁ କାହାକୁ ମନ୍ତ୍ରୀପଦ ମିଳିବ, ସେନେଇ ମଧ୍ୟ ଚର୍ଚ୍ଚା ହେଉଛି। କାରଣ, ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବିଦା କରିବା ପରେ ଏବେ ଗଞ୍ଜାମରୁ ଜଣଙ୍କୁ ମନ୍ତ୍ରୀପଦ ମିଳିବା ନେଇ ସ୍ପଷ୍ଟ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ପୁଣି ଥରେ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ହେଉଛି। ସେହିପରି ଦାୟିତ୍ୱ ମୁଣ୍ଡାଇ ପାରି ନ ଥିବା ମନ୍ତ୍ରୀମାନଙ୍କ ଭିତରେ ପଦ୍ମିନୀ ଦିଅନ୍, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାଶ, ଜଗନ୍ନାଥ ସାରକା, ଜ୍ୟୋତି ପାଣିଗ୍ରାହୀଙ୍କ ନାଁ ରହିଛି। ତେଣୁ, ସେମାନେ ମନ୍ତ୍ରୀପଦରୁ ଆଉଟ୍ ହୋଇପାରନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରୁ ଏହି ମନ୍ତ୍ରିମଣ୍ଡଳ ପୂରା ଭିନ୍ନ ଥିଲା। ବିଜେପିରୁ ଆସିଥିବା କେତେକ ଚେହେରାଙ୍କୁ ମୁଖିଆ ମନ୍ତ୍ରୀପଦ ଲଲିପପ ଦେଇଥିଲେ। କିନ୍ତୁ, ସେମାନଙ୍କ ନିଷ୍କ୍ରିୟତା ପୁଣି ଥରେ ନବୀନଙ୍କୁ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରେ।

%d bloggers like this: