ଦିଲ୍ଲୀର ବ୍ୟାଟିଂ ଓ ବୋଲିଂ ଫେଲ୍, ପୁଣି ମୁମ୍ବାଇ ହାତରେ ଟାଇଟଲ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫେଲ୍ ମାରିଲା ସବୁ ରଣନୀତି। ଦିଲ୍ଲୀର ଟାଇଟଲ୍ ଆଶା ଧୂଳିସାତ୍। ଫାଇନାଲରେ ଦୁର୍ବଳ ପ୍ରଦର୍ଶନ କରି ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମ ଥର ଚାମ୍ପିଅନ୍ ହେବାକୁ ଆଶା ରଖିଥିବା ଦିଲ୍ଲୀ ଶେଷରେ ନିରାଶ ହୋଇଛି। ଦୁବାଇରେ ଟସ୍ ଜିତି ବ୍ୟାଟିଂ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ମାତ୍ର ବୋଲ୍ଟଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ ରାହାଣେ ଓ ଇନଫର୍ମ ଷ୍ଟୋଇନିସ୍। ଜୟନ୍ତ ଯାଦବ ଅଭିଜ୍ଞ ଧାୱନଙ୍କୁ ପ୍ୟାଭିଲିଅନ୍ ପଠାଇଥିଲେ। ୨୨ ରନରେ ଦଳ ୩ଟି ୱିକେଟ୍ ହରାଇ ସଂଘର୍ଷ କରୁଥିବା ବେଳେ ଅଧିନାୟକ ଆୟାରଙ୍କ ସାଥ୍ ଦେଇଥିଲେ ପନ୍ତ। ଉଭୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପନ୍ତ ୩୮ ବଲରୁ ୫୬ ରନ୍ କରି ବିଦାୟ ନେଇଥିଲେ। ତେବେ, ସଂଘର୍ଷ କରି ଅପରାଜିତ ୬୫ ରନର ସାହସିକ ଇନିଂସ ଖେଳିଥିଲେ ଆୟର। ଅନ୍ୟ ଖେଳାଳିମାନେ ଫ୍ଲପ୍ ମାରିବାରୁ ଦଳ ମାତ୍ର ୧୫୬ ରନରେ ସୀମିତ ରହିଥିଲା। ବ୍ୟାଟସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁ ବଡ଼ ସ୍କୋର କରିବାରେ ଫେଲ୍ ମାରିଥିଲା ଟିମ୍।

ଅନ୍ୟପଟେ, ବୋଲରମାନେ ମୁମ୍ବାଇ ଖେଳାଳିଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିଲେନି। ଆରମ୍ଭରୁ ଆଟାକିଂ ସଟ୍ ଖେଳିଥିଲେ ମୁମ୍ବାଇ ପ୍ଲେୟାର। ଡିକକ୍ ୧୨ ବଲରୁ ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ସୁଦ୍ଧା ଦିଲ୍ଲୀ କମବ୍ୟାକ୍ କରିପାରି ନ ଥିଲା। ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରି ଦଳକୁ ପୁଣି ଥରେ ଚାମ୍ପିୟନ୍ କରାଇଛନ୍ତି।

ବ୍ୟାଟିଂ ଫେଲ୍ ପରେ ବୋଲିଂରେ ମଧ୍ୟ ଫେଲ୍ ମାରିଲା ଦିଲ୍ଲୀ। ଆଇପିଏଲ ଇତିହାସରେ ପ୍ରଥମ ଥର ଫାଇନାଲରେ ଏଣ୍ଟ୍ରି ମାରିଥିଲେ ସୁଦ୍ଧା ଟାଇଟଲ୍ କିନ୍ତୁ ଜିତି ପାରିନାହିଁ ଆୟାର ଆଣ୍ଡ କୋ। ଦୁବାଇ ମଇଦାନରୁ ଖାଲି ହାତରେ ଦଳକୁ ଫେରିବାକୁ ପଡ଼ିଛି। ଟାଇଟଲ୍ ବିଜୟୀ ହେବା ସ୍ୱପ୍ନ , ସ୍ୱପ୍ନ ହୋଇ ରହିଯାଇଛି। ସେପଟେ, ଟୁର୍ଣ୍ଣାମେଣ୍ଟର ମୁଖ୍ୟ ହକଦାର ମୁମ୍ବାଇ, ପଞ୍ଚମ ଥର ଟ୍ରଫି ନିଜ ନାଁରେ କରିଛି। କୋରୋନାରେ ଦର୍ଶକଙ୍କ ଭିଡ଼ ନଥିବା ବେଳେ କୋରୋନା କଟକଣା ମଧ୍ୟରେ ଚାଲିଥିଲା ମୁକାବିଲା। ପୁଣିଥରେ ଆଇପିଏଲର ମଜା ନେବା ପାଇଁ ୨୦୨୧କୁ ଅପେକ୍ଷା।

%d bloggers like this: