ଆରମ୍ଭ ହେଲା ମୌସୁମୀ ଅଧିବେଶନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ଗୃହ ଆରମ୍ଭରୁ ଦିବଙ୍ଗତ ନେତା,କୋଭିଡ ଯୋଦ୍ଧା,ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। କିଛି ବରିଷ୍ଠ ବିଧାୟକ ଲୋକସେବା ଭବନରୁ ଭିଡିଓକନଫରେନ୍ସିଂ ରେ ଉପସ୍ଥିତ ଥିବା ବେଳେ କିଛି ଜିଲ୍ଲା ପ୍ରଶାସନ ମୁଖ୍ୟ କାର୍ଯ୍ୟଲୟରୁ  ଯୋଗ ଦେଇଛନ୍ତି।ଚଳିତ ଅଧିବେଶନରେ ପ୍ରଶ୍ନକାଳ ବାତିଲ କରାଯାଇଛି।

 ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ଧାର୍ଯ୍ୟ କରାଯାଇଛି। ମୌସୁମୀ ଅଧିବେଶନ କାଳରେ ଗୁରୁତ୍ବପୂର୍ଣ୍ଣ ୯ଟି ଅଧ୍ୟାଦେଶ ସମେତ ୧୬ଟି ବିଲ୍‌ ଆଗତ ଓ ପାରିତ କରିବାକୁ ସରକାର ସ୍ଥିର କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ପ୍ରତିହତ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପଟେ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ୍‌ ପରୀକ୍ଷା କରିବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦେଶ ଦେଇଥିଲେ। ପ୍ରଥମ ଦିନରେ ୭୫୮ ନମୁନା ସଂଗ୍ରହ ହୋଇଥିବା ବେଳେ ଏଥିରେ ୧୩୬ ପଜିଟିଭ୍ ରହିଥିଲେ। ଗତକାଲି ୨ଶହରୁ ଅଧିକ ନମୁନା ପରୀକ୍ଷାରୁ ୪୮ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ଉପ-ବାଚସ୍ପତି ରଜନୀକାନ୍ତ ସିଂ ପଜିଟିଭ୍ ହୋଇଛନ୍ତି। ତାଙ୍କୁ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କଠାରେ କରୋନାର ସ୍ବଳ୍ପ ଲକ୍ଷଣ ଥିବା ସେ ନିଜେ ଟ୍ବିଟ୍‌ କରିଛନ୍ତି। ସେହିପରି ମନ୍ତ୍ରୀ ସମୀର ରଂଜନ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ରି ପୋର୍ଟ ପଜିଟିଭ୍ ରହିଛି। ଏହାସହ ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରି ନାଏକ, ପ୍ରଶାନ୍ତ ଜଗଦ୍ଦେବ, ଅଶୋକ ବଳ, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ ଓ ସୁକାନ୍ତ ନାୟକ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସୁକାନ୍ତ ନାୟକ, ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ଓ ସମୀର ରଂଜନ ଦାଶ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ଆରଏନ୍‌ଏ ଫ୍ରାଗମେଣ୍ଟ ଯୋଗୁଁ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି କି ପୁନର୍ବାର ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଆଜି ଆଉ ୨୫ଜଣ ବିଧାୟକ ନିଜର ନମୁନା ପରୀକ୍ଷା କରାଇଥିବା ବେଳେ ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

%d bloggers like this: