ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ ଦେଇଥିଲା। କେବଳ କୋଭିଡ୍ ଟିକାକରଣ ନୁହେଁ, ପିଲାଙ୍କ କ୍ଷେତ୍ରରେ ମିଶନ୍ ଇନ୍ଦ୍ର ଧନୁଷ ପ୍ରଚଳନ କରି ମାଗଣା ଟିକାପ୍ରଦାନ କରାଯାଇଥିଲା। ଏହାଦ୍ୱାରା ଦେଶରେ ଅସାଧ୍ୟ ରୋଗଗୁଡ଼ିକୁ କାବୁ କରାଯାଇପାରିଥିଲା ବୋଲି ୟୁନିସେଫ୍ ରିପୋର୍ଟରେ କୁହାଯାଇଛି। ସରକାରଙ୍କ ନେତୃତ୍ୱରେ ଆଜି ବିଶ୍ୱସ୍ତରରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିଥିବାରୁ ଆଉ ଏକ ପ୍ରଶଂସା ସାମ୍ନାକୁ ଆସିଛି।
ୟୁନିସେଫ୍ ଇଣ୍ଡିଆ ପକ୍ଷରୁ ଆଜି ‘ଦି ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ଚିଲଡ୍ରେନ ୨୦୨୩: ଫର ଏଭରି ଚାଇଲଡ ଭ୍ୟାକସିନେସନ ‘ ନାମକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଶିଶୁ ଅବସ୍ଥାରେ ଟିକାକରଣର ମହତ୍ୱକୁ ଦାର୍ଶାଉଛି। ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ ଦ୍ୱାରା ସଂଗୃହିତ ଏବଂ ୟୁନିସେଫ୍ ଦ୍ୱାରା ପ୍ରକାଶିତ ଦି’ ଭ୍ୟାକ୍ସିନ୍ କନଫିଡେନସ ପ୍ରୋଜେକ୍ଟର ନୂତନ ତଥ୍ୟ ଉପରେ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ, ପିଲାମାନଙ୍କ ପାଇଁ ଟିକାକରଣର ମହତ୍ତ୍ୱ ବିଷୟରେ ଅଧ୍ୟୟନ କରିଥିବା ବିଶ୍ୱର ୫୫ ଦେଶ ମଧ୍ୟରୁ କେବଳ ଚୀନ୍, ଭାରତ ଏବଂ ମେକ୍ସିକୋରେ ଏହା ଉପରେ ଲୋକଙ୍କ ଧାରଣା ଅଧିକ ଲୋକପ୍ରିୟ ଏବଂ ଉନ୍ନତ ହେଇଛି ।
ଅଧ୍ୟୟନ କରାଯାଇଥିବା ଦେଶ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ଦେଶ ଯଥା ରିପବ୍ଲିକ୍ ଅଫ୍ କୋରିଆ, ପାପୁଆ ନ୍ୟୁ ଗିନିଆ, ଘାନା, ସେନେଗାଲ୍ ଏବଂ ଜାପାନ ପରି ଦେଶରେ ମହାମାରୀ ଆରମ୍ଭ ପରେ ଏଇ ଦେଶ ଗୁଡିକରେ ଟିକା ଉପରୁ ବିଶ୍ୱାସ ହ୍ରାସ ପାଇଲା। ବିଭ୍ରାନ୍ତିକର ସୂଚନା ତଥା ଟିକାକରଣ ପ୍ରଭାବ ଉପରେ ବିଶ୍ୱାସ ହ୍ରାସ ହେଉଥିବା ଭଳି କାରଣ ହେତୁ ଟିକାକରଣ ପାଇଁ ଦ୍ୱିଧାବୋଧ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।
ଦେଖିବାକୁ ଗଲେ ବିଗତ ୩୦ ବର୍ଷ ମଧ୍ୟରେ ଶିଶୁଙ୍କ ଟିକାକରଣ ପ୍ରକ୍ରିୟାରେ ଲୋକଙ୍କ ଟିକା ଉପରୁ ବିଶ୍ୱାସ ହ୍ରାସ ହେବା ସବୁଠୁ ଅଧିକ ଦେଖିବାକୁ ମିଳିଛି। ଏହା କୋଭିଡ -19 ଦ୍ୱାରା ଅନେକ ମାତ୍ରରେ ପ୍ରଭାବିତ ହେଇଛି ବୋଲି ରିପୋର୍ଟରେ କୁହାଯାଇଛି। ସେତେବେଳେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସଙ୍କଟ, COVID-19 ଟିକାକରଣ ପାଇଁ ସାଧାରଣ ଟିକାକରଣର ସମଗ୍ର ସମ୍ବଳକୁ ନିୟୋଜିତ କରିବା, ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଅଭାବ ଏବଂ ଘରେ ରହିବା ଭଳି ପଦକ୍ଷେପ ପ୍ରାୟ ସବୁ ସ୍ଥାନରେ ପିଲାମାନଙ୍କ କ୍ଷେତ୍ରରେ ଟିକାକରଣରେ ବାଧା ସୃଷ୍ଟି କରିଥିଲା ।
ହେଲେ ଭାରତରେ ଦୃଢ଼ ନେତୃତ୍ୱ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କୁ ଟିକା ପ୍ରଦାନ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ଏହାଦ୍ୱାରା ଭାରତ ଟିକାଦାନ କ୍ଷେତ୍ରରେ ସବୁଠାରୁ ଭରସାଯୋଗ୍ୟ ରାଷ୍ଟ୍ରର ମାନ୍ୟତା ପାଇଛି। ଏହା ଭାରତ ସରକାରଙ୍କ ରାଜନୈତିକ ଏବଂ ସାମାଜିକ ପ୍ରତିବଦ୍ଧତାର ଏକ ନିଦର୍ଶନ। ସରକାରଙ୍କ ବିଭିନ୍ନ ପଦକ୍ଷେପ ମହାମାରୀ ସମୟରେ ବି ପ୍ରତ୍ୟେକ ଶିଶୁଙ୍କ ଟିକାକରଣ ଦ୍ୱାରା ନିୟମିତ ଟିକାକରଣ ପ୍ରତ ଥିବା ବିଶ୍ୱାସକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଛି ବୋଲି ୟୁନିସେଫ୍ ଇଣ୍ଡିଆର ପ୍ରତିନିଧୀ ସିନ୍ଥିଆ ମ୍ୟାକଫ୍ରେ କହିଛନ୍ତି।
ମ୍ୟାକଫ୍ରେ ଆହୁରି ମଧ୍ୟ କହିଛନ୍ତି, ଟିକାକରଣ ହେଉଛି ମାନବିକତାର ଅନ୍ୟତମ ଉଲ୍ଲେଖନୀୟ ସଫଳତାର କାହାଣୀ, ଯାହା ପିଲାମାନଙ୍କୁ ସୁସ୍ଥ ଜୀବନଯାପନ କରିବାକୁ ତଥା ସମାଜରେ ନିଜର ଯୋଗଦାନ କରିବାକୁ ସକ୍ଷମ କରାଇଥାଏ। ଟିକାକରଣ ପ୍ରତ୍ୟେକ ଶିଶୁଙ୍କ ପାଖକୁ ପହଞ୍ଚିବା ହେଉଛି ସମାନତାର ଏକ ପ୍ରମୁଖ ସୂଚକ, ଯାହା କେବଳ ପିଲାଙ୍କୁ ନୁହେଁ, ସମଗ୍ର ସମ୍ପ୍ରଦାୟକୁ ଲାଭ ଦିଏ। ଭବିଷ୍ୟତର ମହାମାରୀକୁ ରୋକିବା ରୋଗ ଏବଂ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ନିୟମିତ ଟିକାକରଣ ଏବଂ ଦୃଢ଼ ସ୍ୱାସ୍ଥ୍ୟସେବା ପ୍ରଣାଳୀ ଆମକୁ ଆହୁରି ଭଲଭାବରେ ପ୍ରସ୍ତୁତ କରିପାରିବ ବୋଲି ସେ କହିଛନ୍ତି।
ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ୨୦୧୯ ରୁ ୨୦୨୧ ମଧ୍ୟରେ ମୋଟ ୬ କୋଟି ୭୦ ଲକ୍ଷ ଶିଶୁ ଟିକାକରଣରୁ ବଞ୍ଚିତ ହୋଇଛନ୍ତି ଏବଂ ୧୧୨ ଟି ଦେଶରେ ଟିକାକରଣ କଭରେଜ୍ ସ୍ତର ହ୍ରାସ ପାଇଛି। ଫଳରେ ୨୦୨୨ରେ ଉଦାହରଣ ସ୍ୱରୂପ, ମିଳିମିଳା ରୋଗ ସଂଖ୍ୟା ପୂର୍ବ ବର୍ଷରେ ମୋଟ ଦୁଇଗୁଣରୁ ଅଧିକ ଥିଲା । ପୋଲିଓ ଦ୍ୱାରା ପକ୍ଷାଘାତ ହୋଇଥିବା ଶିଶୁଙ୍କ ସଂଖ୍ୟା ୨୦୨୨ ମସିହାରେ ବର୍ଷ ତୁଳନାରେ ୧୬% ବୃଦ୍ଧି ପାଇଥିଲା। ୨୦୧୯ରୁ ୨୦୨୧ ସମୟକୁ ପୂର୍ବ ତିନିବର୍ଷ ସହିତ ତୁଳନା କରିବାବେଳେ ପୋଲିଓ ଦ୍ୱାରା ପକ୍ଷାଘାତ ହୋଇଥିବା ଶିଶୁଙ୍କ ସଂଖ୍ୟାରେ ଆଠ ଗୁଣ ବୃଦ୍ଧି ଘଟିଥିଲା। ଏହିସବୁ ଦୁଃସାଧ୍ୟ ରୋଗର ବୃଦ୍ଧି ଟିକାକରଣ ପ୍ରୟାସକୁ ଜାରି ରଖିବା ଆବଶ୍ୟକତା ଉପରେ ଆଲୋକପାତ କରିଛି ।
ମହାମାରୀ ସମୟରେ ୨୦୨୧ରୁ ୨୦୨୧ ମଧ୍ୟରେ ଶୂନ-ଡୋଜ୍ (ଅପହଂଚ ବା ବଞ୍ଚିତ) ପିଲାଙ୍କ ସଂଖ୍ୟା ତିନି ନିୟୁତରେ ବୃଦ୍ଧି ହେବା ସତ୍ୱେ ଭାରତ ବ୍ୟାକ୍ ସ୍ଲାଇଡ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା ଏବଂ ଏହି ସଂଖ୍ୟାକୁ ୨ କୋଟି ୭୦ ଲକ୍ଷକୁ ହ୍ରାସ କରିଥିଲା, ଯାହା ଭାରତର -୫ ବର୍ଷରୁ କମ୍ ଶିଶୁ ଜନସଂଖ୍ୟା ର ଆକାର ଏବଂ ବିଶ୍ୱ ର ସର୍ବ ବୃହତ ଜନ୍ମ ସମୂହର ଏକ ଛୋଟ ଅନୁପାତକୁ ଦର୍ଶାଏ । ଏହି ସଫଳତାର ଶ୍ରେୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ଥାୟୀ ପ୍ରମାଣ-ଆଧାରିତ କ୍ୟାଚ୍ ଅପ୍ ଅଭିଯାନ, ଇଣ୍ଟେନସିଫାଏଡ୍ ମିଶନ୍ ଇନ୍ଦ୍ରଧନୁଷ (ଆଇଏମ୍ଆଇ), ପ୍ରାଥମିକ ସ୍ୱାସ୍ଥ୍ୟ ସେବା, ଏକ ଶକ୍ତିଶାଳୀ ରୁଟିନ୍ ଟୀକାକରଣ କାର୍ଯ୍ୟକ୍ରମ ଏବଂ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ।
ଓଡ଼ିଶାରେ ଟିକାକରଣ କଭରେଜ୍ ୯୦.୫ ପ୍ରତିଶତ ରହିଛି ଯାହା NFHS ୫ ଅନୁଯାୟୀ ଜାତୀୟ ହାର ୭୬.୪ ପ୍ରତିଶତ ଠାରୁ ଯଥେଷ୍ଟ ଅଧିକ ଅଟେ। ଅପହଞ୍ଚ ଅଞ୍ଚଳରେ ପିଲାମାନଙ୍କୁ ଟିକାକରଣ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଅନନ୍ୟ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି। ଫଳସ୍ୱରୂପ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ପୂର୍ଣ୍ଣ ଟିକାକରଣର ହାର ୯୦ ପ୍ରତିଶତରୁ ଅଧିକ ହେଇଛି ।
ବଣ ପାହାଡ଼ ଘେରା ଦୁର୍ଗମ ଅଂଚଳ ଭାବେ ପରିଚତ ଜନଜାତି (PVTG ) ବସବାସ କରୁଥିବା ଓଡ଼ିଶାର ୧୪୪ଟି ବ୍ଲକ ଯେଉଁଠାରେ ଗମନାଗମନର କୌଣସି ସୁବିଧା ନ ଥିବା ସତ୍ୱେ ଏଇ ଅଂଚଳରେ ଟିକାକରଣର ହାର ଅଧିକ ହେଇଛି I ପୂର୍ଣ୍ଣ ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ମାଧ୍ୟମରେ ଫ୍ରଣ୍ଟଲାଇନ ୱାର୍କର ଯଥା ଆଶା ଓ ଆଙ୍ଗନବାଡୀ କର୍ମଚାରୀ ମାନଙ୍କୁ ଅପହଞ୍ଚ ଇଲାକାକୁ ଯାଇ ପରିବାର ମାନଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରା ଯାଇଥିଲା । ସାରା ରାଜ୍ୟରେ ଟିକାକରଣର କ୍ଷମତା ଏବଂ ପ୍ରଭାବକୁ ବଜାୟ ରଖିବା ପାଇଁ ସରକାରଙ୍କ ଦକ୍ଷ ନୀତି ଓ ବ୍ୟବସ୍ଥା ଏକ ଉଚ୍ଚମାନର ଟୀକାକରଣ କଭରେଜ୍ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
ମହାମାରୀ ସାମ୍ପ୍ରତିକ ଅସମାନତା କୁ ଆହୁରି ବଢ଼ାଇ ଦେଇଛି I ବିଶେଷକରି ଗରିବ, ଅସହାୟ ଓ ଉପେକ୍ଷିତ ବର୍ଗର ଅନେକ ଶିଶୁଙ୍କ ପାଇଁ ଟିକାକରଣ ଏପର୍ଯ୍ୟନ୍ତ ଅପହଞ୍ଚ ଅନୁପଲବ୍ଧ ବା ସୁଲଭ ନୁହେଁ । ମହାମାରୀ ପୂର୍ବରୁ ମଧ୍ୟ ଟିକାକରଣରେ ଅଗ୍ରଗତି ପ୍ରାୟ ଏକ ଦଶନ୍ଧି ଧରି ଅଟକି ରହିଥିଲା କାରଣ ବିଶ୍ୱ ବହୁ ସଂଖ୍ୟାରେ ଗରିବ ଓ ଉପେକ୍ଷିତ ଶିଶୁ ମାନଙ୍କ ନିକଟରେ ପହଞ୍ଚିବା ପାଇଁ ସଂଘର୍ଷ କରୁଥିଲା।
ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଇକ୍ୱିଟି ଇନ୍ ହେଲଥ ଦ୍ୱାରା ଏକ ରିପୋର୍ଟ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ତଥ୍ୟରୁ ଜଣାପଡିଛି ଯେ, ଗରିବ ପରିବାରରେ ପ୍ରତି ୫ ଜଣ ପିଲା ଶୂନ-ଡୋଜ ଥିବାବେଳେ ଧନୀମାନଙ୍କ ମଧ୍ୟରେ ଏହା ମାତ୍ର ୨୦ରେ ୧ ଅଟେ । ଏହା ଦେଖାଗଲା ଯେ ଟିକା ନେଇ ନ ଥିବା ଶିଶୁ ମାନେ ପ୍ରାୟତଃ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ବସ୍ତିରେ ଥିବା ଗରିବ ଉପେକ୍ଷିତ ଓ ଅପହଞ୍ଚ ସମ୍ପ୍ରଦାୟରୁ ଥାନ୍ତି । ସେମାନେ ଏମିତି ମା’ର ସନ୍ତାନ ଥାନ୍ତି ଯେଉଁ ମା’ମାନେ କେବେ ସ୍କୁଲ ଯାଇ ନଥାନ୍ତି ଏବଂ ସେମାନଙ୍କୁ ପରିବାରର କୌଣସି ନିଷ୍ପତିରେ ସାମିଲ କର ଯାଏ ନାହିଁ । ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଅଟେ ଯେଉଁଠି ସହରାଞ୍ଚଳର ପ୍ରାୟ ୧୦ ଜଣ ପିଲା ଏବଂ ଗ୍ରାମାଞ୍ଚଳରେ ୬ ରୁ ୧ ପିଲା ଜିରୋ ଡୋଜ ଅଟନ୍ତି । ଉଚ୍ଚ-ମଧ୍ୟବିତ୍ତ ଆୟକାରୀ ଦେଶରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ପ୍ରାୟ କୌଣସି ଫରକ ନାହିଁ ।
0 Comments