ପ୍ରିଜମ ନ୍ୟୁଜ ବ୍ୟୁରୋ: ଜଣେ ବାପା ତା’ ପୁଅର ଶବକୁ କାନ୍ଧରେ ବୋହି ଘରକୁ ଚାଲିଚାଲି ଯିବାର ଘଟଣା ବେଶ୍ ଦୁଃଖ ଦାୟକ। ଏହି ଘଟଣା ପୁଣି ଥରେ ମନେ ପକାଇ ଦେଇଛି କଳାହାଣ୍ଡିର ସେ ଦାନ ମାଝୀର ଘଟଣା । ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ କାନ୍ଧରେ ଲଦି ବାପା ଦେଢ଼ କିଲୋମିଟର ଚାଲି ଚାଲି ଘରକୁ ଫେରିଥିବା ଅଭିଯୋଗ ହୋଇଛି । ଝାଡାବାନ୍ତି ଯୋଗୁ ଆକାଶ ହସ୍ପିଟାଲରେ ଆଡମିଟ ହୋଇଥିଲା । ଦେହ ଅତ୍ୟନ୍ତ ଖରାପ ହେବାରୁ ବାପା ସୂରଧର ଓ ପରିବାର ଲୋକେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଉକ୍ତ ସମୟରେ ମେଡିକାଲରେ ଦାୟିତ୍ୱରେ ଥିବା ଡାକ୍ତର ଆକାଶକୁ ପ୍ରାଥମିକ ଚିକିତ୍ସା କରିବା ପରେ ଅଧବାଟରେ ତାର ମୃତ୍ୟୁ ହୋଇଯାଇଥିବା କହିଥିଲେ । ଦୀର୍ଘ ସମୟ ଧରି ହସ୍ପିଟାଲ ପକ୍ଷରୁ ପୁଅର ମରଶରୀରକୁ ନେବା ପାଇଁ କୌଣସି ବ୍ୟବସ୍ଥା କରା ନ ଯିବାରୁ ଶେଷରେ ବାଧ୍ୟ ହୋଇ ବାପା ସୂରଧର ନିଜ କାନ୍ଧରେ ବୋହି ବୋହି ଘରକୁ ପୁଅର ଶବ ଆଣି ସତ୍କାର କରିଥିଲେ । ପୁଅକୁ କାନ୍ଧରେ ନେଇ ଚାଲିଯିବା ସମୟରେ ସହରର କେହି ଜଣେ ଯୁବକ ଭିଡିଓ ଶୁଟକରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।ତେବେ ସରକାରଙ୍କ ତରଫରୁ ମରଶରୀରକୁ ନେବା ପାଇଁ ମହାପ୍ରୟାଣ ଗାଡି ଭଳି ଅନେକ ବ୍ୟବସ୍ଥା ଥିଲେ ମଧ୍ୟ ସୂରଧରଙ୍କ ପାଇଁ କାର୍ଯ୍ୟକାରୀ ହେଲା ନାହିଁ , ଯାହାକି ଦାନମାଝି ଘଟଣାର ପୁନରାବୃତ୍ତି ଭଳି ହୋଇଛି ।ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ରାୟଗଡ଼ା ଜିଲ୍ଲାପାଳ କହିଛନ୍ତି ଯେ, ମୃତଦେହ ନେବା ପାଇଁ ସେଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଡ଼ି ରହିଛି। ତେବେ ହୁଏତ ଭୁଲ୍ ବୁଝାମଣାରୁ ଏହି ଘଟଣା ଘଟିଥାଇପାରେ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜିଲ୍ଲାପାଳ ।
0 Comments