ଭୂମିକମ୍ପ ପୂର୍ବରୁ ଜାଣି ପାରନ୍ତି ପଶୁ !

ଭୂମିକମ୍ପ ପୂର୍ବରୁ ଜାଣି ପାରନ୍ତି ପଶୁ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭୂମିକମ୍ପ, ଅଚାନକ୍ ଆସେ। ଏହାର କେହି ଭବିଷ୍ୟବାଣୀ କରିପାରନ୍ତି ନାହିଁ। ସେସିମୋଗ୍ରାଫିକ୍ ନେଟୱାର୍କ ଦ୍ୱାରା ଏହାକୁ ଆମେ ରେକର୍ଡ କରିପାରୁ, କିନ୍ତୁ ଏହାର ଭବିଷ୍ୟବାଣୀ ଆମେ କରିପାରିବା ନାହିଁ । ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ପ୍ରତିବର୍ଷ ସାରା ବିଶ୍ୱରେ କେବଳ ଭୂମିକମ୍ପ ଦ୍ୱାରା ୬୦ ହଜାର ଲୋକ ପ୍ରାଣ ହରାଇଥାନ୍ତି ।

ତେବେ ଏହି ଭୂମିକମ୍ପ ହେବା ପୂର୍ବରୁ କିନ୍ତୁ ପଶୁମାନେ ଆଭାସ ପାଇଥାନ୍ତି । ଏମିତି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଜର୍ମାନୀର ଏକ ୟୁନିଭର୍ସିଟି ଗବେଷଣା କରି ଏହା ଜାଣି ପାରିଛି । ଗାଈ, ମେଣ୍ଢା ଓ କୁକୁରଙ୍କ ଶରୀରରେ ଗେବଷଣାକାରୀମାନେ ଏକ ସେନସର୍ ଲଗାଇ ଥିଲେ । ଏହାପରେ ସେମାନଙ୍କୁ ଇଟାଲିର ଉତ୍ତର ଦିଗରେ ଥିବା ଭୂମିକମ୍ପପ୍ରବଣ ଅଞ୍ଚଳରେ ଛାଡ଼ି ଦେଇଥିଲେ। କିଛି ମାସ ଧରି ଏହି ପଶୁମାନଙ୍କୁ ସେମାନେ ଅନୁଧ୍ୟାନ କରିଥିଲେ। ପ୍ରତି ତିନି ମିନଟରେ ସେମାନେ ଏକ କମ୍ପୁଟର ସାହାଯ୍ୟରେ ସେମାନଙ୍କ ଅପଡେଟ୍ ପାଉଥିଲେ। ଗବେଷଣାକାରୀମାନେ ସେହି ଅଞ୍ଚଳରେ ପାଖାପାଖି ୧୮ ହଜାର ଥର ଭୂମିକମ୍ପ ହୋଇଥିବା ଜାଣିବାକୁ ପାଇଥିଲେ।
ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଭୂମିକମ୍ପ ହେବାର ପ୍ରାୟ ୨୦ ଘଣ୍ଟା ପୂର୍ବରୁ ପଶୁମାନେ ଆଭାସ ପାଇ ଯାଉଥିଲେ। ସେମାନଙ୍କ ହାବଭାବରେ ପରିବର୍ତ୍ତନ ହେଉଥିବା ଗବେଷଣାକାରୀମାନେ ଜାଣି ପାରିଥିଲେ । ମାତ୍ର, ପଶୁମାନେ କେମିତ ଏହା ଜାଣି ପାରୁଛନ୍ତି, ତାହା ସେମାନଙ୍କୁ ଅଜଣା ଥିଲା । ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଥିବା ପଥରର ଚାପ ଅବା ଭୂମିକମ୍ପ ପୂର୍ବରୁ ନିର୍ଗତ ହେଉଥିବା ଗ୍ୟାସରୁ ପଶୁମାନେ ଜାଣି ପାରୁଥିବା ଗବେଷଣାକାରୀମାନେ ସନ୍ଦେହ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: