ମୋଟିଭେସନାଲ ସ୍ପିକରଙ୍କ ଶେଷ କଥା: ଅନେକ ଅକୁହା କଥା କହି ଯାଇଛନ୍ତି ଆଦିତ୍ୟ

ମୋଟିଭେସନାଲ ସ୍ପିକରଙ୍କ ଶେଷ କଥା: ଅନେକ ଅକୁହା କଥା କହି ଯାଇଛନ୍ତି ଆଦିତ୍ୟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାମ୍ନାକୁ ଆସି ସାରିଛି ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ୱର ଜିଆରପି ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ତଦନ୍ତ ଆଗକୁ ବଢ଼ାଇଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି GRP ତଦନ୍ତ ଆରମ୍ଭ କରିଛି।

ସେପଟେ କିନ୍ତୁ ସୋସିଆଲ ମିଡିଆରେ ମୋଟିଭେସନାଲ ସ୍ପିକରଙ୍କ ମନର କଥା ସମସ୍ତେ ପଢ଼ୁଛନ୍ତି । ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ଏବେ ବେଶ୍ ଭାଇରାଲ୍ ହୋଇଛି। ଯେଉଁଥିରେ ତାଙ୍କର କିଛି ରୋଚକ ଭରା ଧାଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହ ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଛି, ଏ ଦେଶର ଯୁବକ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କର, ନଚେତ୍‌ ବଞ୍ଚିବା ମୁସ୍କିଲ କରିଦେବେ। ଓଡ଼ିଶାରୁ ମଦ ହଟିଲେ ମୋ ‌ଆତ୍ମାକୁ ଚିର ଶାନ୍ତି ମିଳିବ ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଛି। ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

୪ ପୃଷ୍ଠାର ଏହି ସୁଇସାଇଡ୍ ନୋଟ୍‌ରେ ଆଦିତ୍ୟ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି। ତେବେ ଦେଶ ପାଇଁ କିଛି କରିବାର ଇଚ୍ଛା, ଇଚ୍ଛାରେ ହିଁ ରହିଗଲା ଏବଂ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ଷ୍ଟ୍ରଙ୍ଗ କରି ଗଢ଼ି ତୋଳିବାକୁ ମାନବପ୍ରେମୀ ଆଦିତ୍ୟ ଯୁବବର୍ଗଙ୍କୁ ତାଙ୍କ ସୁଇସାଇଡାଲ ନୋଟରେ ପରାମର୍ଶ ଦେଇଛନ୍ତି। ନିଜ ଡାଏରୀରେ ଲେଖିଥିବା ସୁଇସାଇଡାଲ୍‌ ନୋଟ୍‌ ପତ୍ନୀ ଶ୍ରୀଙ୍କୁ ସେ ବେଶ୍ ଭଲ ପାଆନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହାସହ ବୃଦ୍ଧାଶ୍ରମ ଆଗକୁ କେମିତି ଚାଲିବ, ନିଜ ବାପା ମାଙ୍କ ଦାୟିତ୍ୱ ନେବା ପାଇଁ ପପୁ ଓ ବିକାଶ ନାମକ ଦୁଇ ଜଣଙ୍କ ଉପରେ ଦାୟିତ୍ୱ ଛାଡ଼ିଥିବା ସୁଇସାଇଡ୍ ନୋଟରୁ ସୂଚନା ମିଳିଛି।

ଯିବା ପୂର୍ବରୁ କ’ଣ ଲେଖିଛନ୍ତି ଆଦିତ୍ୟ?

‘‘ପ୍ରିୟ ପପୁ, ବିକାଶ ଏବଂ ‘ପିପୁଲ୍‌ ଫର୍‌ ସେବା’ର ଅନ୍ୟ ସଦସ୍ୟମାନେ । ମୃତ୍ୟୁ କେତେ ବେଳେ କୋଉ ବାଟରେ ଆସି କାହା ପାଖରେ ପହଞ୍ଚିଯାଏ ସେ କଥା କେହି ବି ଜାଣିନାହାନ୍ତି । ଆଜି ଠିକ୍‌ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ । କହନ୍ତି କି ଯିଏ ଯେତେ ଦିନ ପାଇଁ ଏ ଦୁନିଆକୁ ଆସିଛି ସେତେ ଦିନ ହିଁ ରହିବ । ମୋ’ର ବି ବୋଧେ ଶେଷ ସମୟ ଆସିଯାଇଛି ।

ତେବେ ଏହି ବାକ୍ୟ ‘‘ଆଜି ଠିକ୍‌ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ’’ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କ’ଣ ସେହି କାରଣ ଯାହା ମୃତ୍ୟୁ ହୋଇ ତାଙ୍କ ପାଖରେ ଉପସ୍ଥିତ ହୋଇଥିଲା? ସେ କାରଣ ଯେ ଅନ୍ତତଃ ପାରିବାରିକ ନୁହେଁ ତାହା ଏହି ସୁଇସାଇଡ୍‌ ନୋଟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ଏହି ନୋଟ୍‌ ଦେଖିଥିବା କେତେକ ବୁଦ୍ଧିଜୀବୀ ।

‘‘ବଞ୍ଚି ଥାଉ ଥାଉ ଯାହା କରିପାରିଲି ନାହିଁ, ହୁଏତ ମୁଁ ଗଲା ପରେ ଲୋକଙ୍କ ସହାନୁଭୁତିରେ ମୋ’ର ଶେଷ ଇଚ୍ଛାଟି ପୂରଣ ହୋଇପାରିବ । ଆଶ୍ରମ ପାଇଁ ଜମି ଖଣ୍ଡେ କିଣି ଘର ଗୋଟେ ବନେଇବ । ବଡ଼ ନ ହେଉ ପଛକେ, ଛୋଟ ହେଲେ ବି ଉପରୁ ଦେଖି ମୋ’ ଆତ୍ମା ଶାନ୍ତି ପାଇବ,’’ ଲେଖିଛନ୍ତି ଆଦିତ୍ୟ ନିଜ ସୁଇସାଇଡ୍‌ ନୋଟରେ ।

ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଆଦିତ୍ୟ ଲେଖିଛନ୍ତି ଏହି ଚାରିଟି ବାକ୍ୟ: ‘‘ବୋଧ ହୁଏ ଏତିକି ଦିନ ହିଁ ମୋ’ର ଆୟୁଷ ଥିଲା । ଶ୍ରୀ ତୁମେ ବହୁତ ଭଲ । ତୁମକୁ ମୋ’ର ବହୁତ ଭଲପାଇବା । ଉପରେ ରହି ମୁଁ ତୁମକୁ ବହୁତ ମିସ୍‌ କରିବି ।’’

‘‘କାଲି ସକାଳେ ସେ (ତାଙ୍କ ବାପା ଓ ମା) ଆସି ପହଞ୍ଚିବେ । ତା’ ପୂର୍ବରୁ ହୁଏତ ମୁଁ ଦୁନିଆରେ ନ ଥିବି । ମୋ’ର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି,’’ ସେ ଲେଖିଛନ୍ତି । ‘‘ବିକାଶ, ମୋ’ ବାପା ମା’ ତୋତେ ଲାଗିଲେ । ତାଙ୍କ କଥା ବୁଝୁଥିବୁ,’’ ଆଉ ଜାଗେ ଲେଖିଛନ୍ତି ସେ ।

ନିଜର ଦୁଇ ଘନିଷ୍ଠ ସହଯୋଗୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଯାଇଛନ୍ତି: ‘‘ପପୁ ତୁ ଚେୟାରମ୍ୟାନ ଓ ବିକାଶ ତୁ ଟ୍ରେଜରର୍‌ ପଦରେ ରହି PFS ଅନୁଷ୍ଠାନକୁ ଚଳାଇବ । ମୋ’ ଫୋନ୍‌ ରହିଲା । ସେଥିରେ ସବୁ ନମ୍ବର ଅଛି । ମୁଁ ଗଲା ପରେ ମଧ୍ୟ କିଛି ଅସୁବିଧା ହେବ ନାହିଁ ।’’

ଏହି ସୁଇସାଇଡ୍‌ ନୋଟ୍‌ ଆଦିତ୍ୟଙ୍କ ହାତଲେଖା ନା ଅନ୍ୟ କାହାର ତାହା ଜାଣିବା ପାଇଁ ପୋଲିସ ଏହାର ଫରେନସିକ୍‌ ଟେଷ୍ଟ କରିବ । ଗୁରୁବାର ଫରେନସିକ ଟେଷ୍ଟ ପାଇଁ ଏହି ଚିଠି ପଠାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: