ପ୍ରିଜମ୍ ନ୍ୟୁଜ(ସମ୍ପାଦକୀୟ): ରାଜ୍ୟରେ ଏବେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୟାନ। ସମ୍ୱିତ ପାତ୍ର ପୁରୀରୁ ନିର୍ବାଚନ ଲଢ଼ିବା ପରେ ଲୋକେ ପୁରୀକୁ ବାହାର ଲୋକ ଜାଣିବା କଥା ହେଉ କିମ୍ୱା କୋଲକତାରେ ପୁରୀ ଥିବା, କଥା ଏହାକୁ ନେଇ ଚାଲିଛି ଚର୍ଚ୍ଚା। ଧୀରେଧୀରେ ବିରୋଧ ବଢ଼ୁଛି। ନିଆଁ ଚିହିଁକି ଉଠୁଛି। ଆଉ ଏହି ନିଆଁରେ ଜଳୁଛନ୍ତି ମାଡାମ୍ ଲେଖାଶ୍ରୀ। କଂଗ୍ରେସ ତ ୨୪ ଘଣ୍ଟିଆ ଚେତାବନୀ ଦେଇଛି। ଆଉ ପୂଜକ ସଂଘ କ୍ଷମା ନ ମାଗିଲେ ମନ୍ଦିରକୁ ପୂରେଇ ଦିଆଯିବ ନାହିଁ ବୋଲି ମଧ୍ୟ ତାଗିଦ୍ କରିଛି। ଏସବୁ ଭିତରେ କିନ୍ତୁ, ମାଡାମ୍ ନିଜ ଜିଦରେ ଅଟଳ। ହଁ, ତାଙ୍କ କଥା ବି ଠିକ୍। ଭୁଲ କରିଥିଲେ ସିନା କ୍ଷମା ମାଗନ୍ତେ। ଓଡ଼ିଶାକୁ କ’ଣ ଲୋକେ ଆଗରୁ ଜାଣିଥିଲେ ? ପୁରୀ କ’ଣ ସତରେ ଓଡ଼ିଶାରେ ଅଛି ?
ସମ୍ୱିତ୍ ପାତ୍ର ମଧ୍ୟ ନିଜର ଏକ ମନ୍ତବ୍ୟ ରଖିଛନ୍ତି। ଖୁବ ମାପିଚୁପି ସେ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ଲଢ଼ିବା ପରେ ଲୋକେ ତାଙ୍କୁ ଜାଣିଛନ୍ତି। ଆଉ ପୁରୀ ପାଇଁ ତାଙ୍କୁ ଚିହ୍ନିଛନ୍ତି ବୋଲି ସେ କହିଛନ୍ତି। ଏଇ ସମ୍ୱିତ ପାତ୍ରଙ୍କ ପାଇଁ ଲେଖାଶ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲେ, ସେହି ସମ୍ୱିତ ପାତ୍ର ସିଧା ସିଧା ନିଜ ଗୋଡ଼ରୁ କାଦୁଅ ଛଡ଼େଇ ଦେଲେ। ବିଜେପି ମଧ୍ୟ ଏହି ପ୍ରସଙ୍ଗରେ କିଛି ବି ପ୍ରତିକ୍ରିୟା ରଖୁନି। ବିରୋଧୀ ଦଳ ନେତା ପ୍ରଦୀପ ନାଏକ ମଧ୍ୟ ଗଣମାଧ୍ୟମ ସାମ୍ନାରେ ମାପିଚୁପି ନିଜର ମତ ରଖିଛନ୍ତି। ତେଣୁ, ଏତେ ସବୁ ପରେ ବି ଲେଖାଶ୍ରୀ କାହିଁକି ନିଜ ଭୁଲକୁ ସ୍ୱୀକାର କରୁନାହାନ୍ତି। ନିଜ ଦଳ ତ ତାଙ୍କୁ ଡିଫେଣ୍ଡ କରୁନି, ତେବେ କାହା ବଳରେ ସେ ବଳିୟାନ ହେଉଛନ୍ତି !
ଓଡ଼ିଶା ର ପାଣି, ପବନ, କଳା ସଂସ୍କୃତି ସାରା ବିଶ୍ୱରେ ପରିଚିତ। ବାହାରକୁ କେହି ଓଡ଼ିଆଟିଏ ଗଲେ, ସମସ୍ତେ ଆଗେ କୁହନ୍ତି..ଓଃ, ଆପଣ ଜଗନ୍ନାଥ ଧାମରୁ ଆସିଛନ୍ତି। ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଲୋକଙ୍କ ଆରାଧ୍ୟ ଦେବତା। ତଥାପି ମାଡାମ୍ କେମିତି ଏଭଳି ମନ୍ତବ୍ୟ ରଖିଲେ ?
ଖ୍ରୀ.ପୂ ୭୯୫ରେ କେଶରୀ ରାଜବଂଶର ରାଜା ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକାଠି କରିଥିଲେ। ଯାଜପୁରରେ ଏହାର ରାଜଧାନୀ ସ୍ଥାପନ କରିଥିଲେ। ଏହାପରେ ୧୦୭୮-୧୪୩୪ ଖ୍ରୀ.ରେ ଗଙ୍ଗ ରାଜବଂଶ ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ଆରମ୍ଭ ହୋଇଥିଲା। ୧୦୭୮-୧୧୫୦ ଖ୍ରୀ.ରେ ଚୋଳଗଙ୍ଗ ଦେବଙ୍କ ରାଜୁତି ଆରମ୍ଭ ହୋଇଥିଲା। ଏହି ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ ହେଲା ଏବଂ କଟକକୁ କରାଗଲା ନୂଆ ରାଜଧାନୀ। ଏହାପରେ ୧୧୭୦-୧୧୯୮ ଖ୍ରୀ.ରେ ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ସମୟରେ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ଏଇଠୁ ଆରମ୍ଭ ହୋଇଥିଲା ଆଧୁନିକ ଶ୍ରୀକ୍ଷେତ୍ରର ଜନ୍ମ। ଏହା ପୂର୍ବରୁ ବି ପୁରୀ ଥିଲା। ପୁରାଣରେ ମଧ୍ୟ ପୁରୀ ଥିବାର କେତେକ ଗବେଷକ କୁହନ୍ତି। ସିଏ ସ୍କନ୍ଦ ପୁରାଣର ଶଙ୍ଖକ୍ଷେତ୍ର ହେଉ ଅବା ଅଷ୍ଟଶକ୍ତି, ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥର ବର୍ଣ୍ଣନା। ସେହିପରି ପୁରୀକୁ ନୀଳକ୍ଷେତ୍ର ମଧ୍ୟ କୁହାଯାଏ। ତେଣୁ, ଏହା ଉପରେ ଗବେଷଣା କଲେ ଆପଣ ମଧ୍ୟ ଜାଣିପାରିବେ ଯେ, ପୁରୀର କେତେ ଅଲୌକିକ ମହାତ୍ମ୍ୟ ରହିଛି। ତେଣୁ, ଏଭଳି ଏକ ପବିତ୍ର ମାଟି ବିଷୟରେ କେହି ବି କହିବାକୁ ସାହସ କରନ୍ତିନି। ଏହି ପରିପ୍ରେକ୍ଷୀରେ ପୁରୀ ବିଷୟରେ ଏତେବଡ଼ ମନ୍ତବ୍ୟ ଲେଖାଶ୍ରୀ ସାମନ୍ତସିଂହାର କେମିତି ଦେଲେ ? ମନ୍ତବ୍ୟ ଦେବା ଯେତେବଡ଼ ଭୁଲ୍ ନୁହେଁ, ତାକୁ ମୁର୍ଖଙ୍କ ପରି ଡିଫେଣ୍ଡ କରିବା ଆଉ ଏକ ମସ୍ତବଡ଼ ଭୁଲ୍। କାରଣ ନିଜର ପୂର୍ବ ମନ୍ତବ୍ୟକୁ ବଜାୟ ରଖି ମୁହଁ ତୋଡ଼ରେ ଲେଖାଶ୍ରୀ କହିଛନ୍ତି, ସେ ନିଜ ବୟାନରେ ଶ୍ରୀଜଗନ୍ନାଥଙ୍କ କଥା କେଉଁଠି ହେଲେ କହି ନାହାନ୍ତି। ତେବେ ସେ ବୁଝିନେବା ଦରକାର, ସମ୍ବିତଙ୍କ ପୂର୍ବରୁ ପୁରୀକୁ କେହି ଜାଣି ନ ଥିଲେ କହି ସେ କ’ଣ ପ୍ରମାଣିତ କରିଛନ୍ତି। ଯଦି ସମ୍ବିତ ପାତ୍ରଙ୍କ ପାଇଁ ହିଁ ପୁରୀକୁ ଦେଶ ତଥା ବିଶ୍ୱବାସୀ ଜାଣିଲେ, ତେବେ ଏହା ପରୋକ୍ଷରେ ଶ୍ରୀଜଗନ୍ନାଥଙ୍କ ପାଇଁ ଅପମାନ ହେଲା ନାହିଁକି ? ତେଣୁ ସିଧାକଥାରେ ଶ୍ରୀଜଗନ୍ନାଥଙ୍କ ନାମ ନ ନେଇ ମଧ୍ୟ ସେ ତାଙ୍କର ଅପମାନ କରିନାହାନ୍ତି କି ? ଏହା ତାଙ୍କର ନିର୍ବୋଧତାକୁ ପ୍ରମାଣିତ କରୁନାହିଁ କି ! ଯଦି ପୁରୀ ଏବଂ ଓଡ଼ିଶାର ଇତିହାସ ଏତେ ପୁରୁଣା, ତେବେ ଲୋକମାନେ ତାକୁ ଏବେ କେମିତି ଚିହ୍ନିଲେ, ତାହା ମାଡାମଙ୍କ ପାଇଁ ନିହାତି ଲକ୍ଷେ ଟଙ୍କିଆ ପ୍ରଶ୍ନ। ଆଜି ନ ହେଲେ କାଲି, ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଖରେ ମାଡାମ୍ ଲେଖାଶ୍ରୀ ଏହି ପ୍ରଶ୍ନ ପାଇଁ ଉତ୍ତରଦାୟୀ ରହିବେ ନିଶ୍ଚୟ।