ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ପର୍ଯ୍ୟଟନକୁ ଏକ ଶିଳ୍ପ ବୋଲି କୁହାଯାଉଥିଲେ ମଧ୍ଯ ମାନ୍ୟତା ଖାତିରରେ ଏହି ଶିଳ୍ପ ପଛରେ ପଡ଼ିଥିବା କୁହାଯାଉଛି। ପର୍ଯ୍ୟଟନ ଶିଳ୍ପ ସହ ଯୋଡ଼ି ହୋଇ ରହିଛି ହୋଟେଲ, ରେସ୍ତୋରାଁ, ପରିବହନ, ଟୁର ଆଣ୍ଡ ଟ୍ରାଭେଲ ଭଳି ଏକାଧିକ ଶିଳ୍ପ। ପର୍ଯ୍ୟଟନ ପ୍ରୋତ୍ସାହିତ ହେଲେ କେବଳ ଏହି ଶିଳ୍ପ ଗୁଡ଼ିକ ଲାଭବାନ ହେବେ ନାହିଁ, ସରକାରଙ୍କ ରାଜସ୍ବ ବୃଦ୍ଧି ହେବା ସହ ବିଦେଶୀ ଅର୍ଥ ମଧ୍ଯ ଦେଶରେ ପ୍ରବେଶର ସୁଯୋଗ ସୃଷ୍ଟି ହେବ। ବିଦେଶୀ ମୁଦ୍ରା ଭଣ୍ଡାର କଳେବର ମଧ୍ଯ ବଢ଼ିବ। ଏହା ସରକାରୀ ଅଧିକାରୀ ଓ ରାଜନେତାମନେ ଉତ୍ତମ ରୂପେ ଜାଣିଛନ୍ତି। ଏହାସତ୍ତ୍ୱେ ପର୍ଯ୍ୟଟନକୁ କାହିଁକି ଅଣଦେଖା କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ? ଚଳିତ ମାସ ପହିଲାରେ ସଂସଦରେ ଉପସ୍ଥାପିତ ୨୦୨୧-୨୨ ସାଧାରଣ ବଜେଟରେ ପର୍ଯ୍ୟଟନକୁ ଅଣଦେଖା କରାଗଲା କାହିଁକି ? ଏହି ପ୍ରଶ୍ନ ପଚାରିବା ଆରମ୍ଭ କଲେଣି ପର୍ଯ୍ୟଟନ ଓ ଅତିଥେୟତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ।
କୋରୋନା ମହାମାରୀ କାରଣରୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପହଞ୍ଚିଥିବା ପର୍ଯ୍ୟଟନ ଶିଳ୍ପ ପାଇଁ ନିର୍ମଳାଙ୍କ ବଜେଟ ଏତେ ଅନୁଦାର କାହିଁକି ? ଗତ ବର୍ଷ ମାର୍ଚ୍ଚ ମାସ ଶେଷ ବେଳକୁ କୋରୋନା ସଂକ୍ରମଣ ଆରମ୍ଭ ହୋଇ ଯିବାରୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଜାରି କରିଦେଲେ। ଜଳ, ସ୍ଥଳ ଓ ଆକାଶ ପଥରେ ଯାତ୍ରୀ ପରିବହନ ବନ୍ଦ ହୋଇଗଲା। ଲୋକମାନଙ୍କୁ ଗୃହବନ୍ଦୀ ଜୀବନ ବିତାଇବାକୁ ପଡ଼ିଲା। ଦୀର୍ଘ କାଳ ଏହି ଅବସ୍ଥା କାରଣରୁ ହୋଟେଲ, ରେସ୍ତୋରାଁ, ଅତିଥେୟତା ସବୁ ବନ୍ଦ ହୋଇଗଲା। ପ୍ରାୟ ୫୩ ହଜାର ଟ୍ରାଭେଲ ଏଜେଣ୍ଟ, ୧.୩୦ ଲକ୍ଷ ଟୁର ଅପରେଟର, ୧୦ ଲକ୍ଷ ପରିବହନ ସଂସ୍ଥା, ୫୩ ହଜାର ହୋଟେଲ, ୫ ଲକ୍ଷ ରେସ୍ତୋରାଁ ସଂକଟରେ ପଡ଼ିଗଲେ। ଏହି ଗୁଡ଼ିକ ରୋଜଗାର ଶୂନ୍ୟ ହୋଇଗଲେ। ୨୦୧୯ ମସିହାରେ ଏହି ଶିଳ୍ପ ଗୁଡିକ ୧ ଲକ୍ଷ ୯୪ ହଜାର ୮୮୧ କୋଟି ଟଙ୍କା ରୋଜଗାର କରିଥିଲେ ମଧ୍ଯ କୋରୋନା କାରଣରୁ ୨୦୨୦ରେ ସେମାନଙ୍କ କ୍ଷତି ଅଙ୍କ ୯୦ ହଜାର କୋଟି ଟପିଯାଇଛି। ଆଶା କରାଯାଉଥିଲା ନିର୍ମଳା ଏହି ବିପର୍ଯ୍ୟସ୍ତ ପର୍ଯ୍ୟଟନ ଓ ଅତିଥେୟତା କ୍ଷେତ୍ର ସକାଶେ ବଜେଟରେ କିଛି ପ୍ୟାକେଜ ଘୋଷଣା କରିବେ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକ ବଜେଟକୁ ଭରସା କରୁଥିଲେ। ମାତ୍ର ବଜେଟରେ ଉପେକ୍ଷା ହିଁ ଭାଗ୍ୟରେ ଜୁଟିଲା। ହୋଟେଲ ଓ ଅତିଥେୟତା ଶିଳ୍ପର ପ୍ରତିନିଧିମାନେ ଏଵେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଗୁହାରି କରିବାକୁ ସଜବାଜ ହେଉଛନ୍ତି। ବିଶେଷକରି ପର୍ଯ୍ୟଟନ-ଅତିଥେୟତା କ୍ଷେତ୍ରର ଦୁଇ ସଂଗଠନ ଏଫଏଆଇଟିଏଚ ଏବଂ ଏଫଏଚଆରଏଆଇର ଦାବି କୋରୋନା ଧକ୍କା ସବୁଠୁ ବେଶୀ ସେମାନଙ୍କୁ ଲାଗିଛି। ପରିସ୍ଥିତି ସାମାନ୍ୟ ସୁଧୁରିବା ପରେ ଏବେ ଅନେକେ କାମ ପାଇଁ ବାହାରକୁ ବାହାରିଛନ୍ତି। ମାତ୍ର, କୌଣସି ସ୍ଥାନକୁ ବୁଲିବା ପାଇଁ ଯିବାକୁ ହେଲେ ହଜାରେ ଥର ଚିନ୍ତା କରୁଛନ୍ତି। ଫଳରେ ପର୍ଯ୍ୟଟନ ଓ ଅତିଥେୟତା ଶିଳ୍ପରେ ନାମମାତ୍ର ବ୍ୟବସାୟ ହେଉଛି। ଏବେ ମଧ୍ଯ ଅନେକ ହୋଟେଲ, ରେସ୍ତୋରାଁର ଝାମ୍ପ ବନ୍ଦ। କେତେକ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରିସ୍ଥିତିକୁ ଆସିଗଲେଣି। ସଂଗଠନର କର୍ମକର୍ତ୍ତାମାନଙ୍କ କହିବା ଅନୁଯାୟୀ, ବିଦେଶୀ ପର୍ଯ୍ୟଟନ ବସ୍ତୁତଃ ବନ୍ଦ। ମୋଟ ବ୍ୟବସାୟ କୋରୋନା ପୂର୍ବର ୨୫ ଶତାଂଶରୁ କମ୍। ସୁତରାଂ ବଜାରରେ ତିଷ୍ଠିବା ମୁସ୍କିଲ। ଅଥଚ ବଜେଟରେ ଅର୍ଥମନ୍ତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ଏହି ଶିଳ୍ପ କଥା ଉଲ୍ଲେଖ ମଧ୍ଯ କଲେ ନାହିଁ। ପ୍ରଶ୍ନ ଉଠୁଛି, ପର୍ଯ୍ୟଟନ କ୍ଷେତ୍ର କର୍ମସଂସ୍ଥାନର ଏକ ବୃହତ୍ତର ସୁତ୍ର ହୋଇଥିଲେ ମଧ୍ଯ ଅର୍ଥମନ୍ତ୍ରୀ ଏହାକୁ ବଞ୍ଚିତ କଲେ କାହିଁକି ?
ବଜେଟରେ ଭିତ୍ତିଭୂମି ଏବଂ ଟ୍ରେନରେ ‘ଟୁରିଷ୍ଟ କୋଚ’ ଭଳି ବର୍ଦ୍ଧିତ ସୁଯୋଗ ସୃଷ୍ଟି କରାଯାଇଥିଲେ ମଧ୍ଯ ଏହାର ତ୍ୱରିତ ସୁଫଳ ମିଳିବା ଅସମ୍ଭବ। ସୁଫଳ ମିଳିବା ପର୍ଯ୍ୟନ୍ତ ଶିଳ୍ପ ତିଷ୍ଠି ରହିଥିଲେ ତ ? ସେତେଦିନ ପର୍ଯ୍ୟନ୍ତ ବ୍ୟବସାୟ ଚାଲିବ କିପରି ? ପର୍ଯ୍ୟଟନ ଓ ଅତିଥେୟତା ପାଇଁ ବଜେଟରେ କୌଣସି ପ୍ୟାକେଜ ବ୍ୟବସ୍ଥା ତ କରାଗଲା ନାହିଁ, ବରଂ କୃଷି ସେସ ଭଳି ବୋଝ ଲଦି ଦିଆଗଲା। ପର୍ଯ୍ୟଟନ ଓ ଅତିଥେୟତା ଶିଳ୍ପର କର୍ମକର୍ତାମାନେ ବିସ୍ମିତ ଯେ ସରକାର ସେମାନଙ୍କର ଦାବି ପ୍ରତି ଆଦୌ ନଜର ପକାଇଲେ ନାହିଁ। କୋରୋନା କାଳରେ ସରକାର ବିଭିନ୍ନ କ୍ଷେତ୍ର ସକାଶେ ସହାୟତା ପ୍ୟାକେଜ ଘୋଷଣା କାରିଥିଲେ। ମାତ୍ର ଏହି କ୍ଷେତ୍ର ସକାଶେ କୌଣସି ଦୃଷ୍ଟି ଦେଇ ନଥିଲେ। ସହାୟତା ପ୍ୟାକେଜ ଘୋଷଣା ସମୟରୁ ଏହି ଶିଳ୍ପ ମହଲର କର୍ମକର୍ତାମାନେ ସେମାନଙ୍କର ସମସ୍ୟା ନେଇ ବାରମ୍ବାର ସରକାରଙ୍କୁ ବିଷଦ ଭାବେ ଅବଗତ କରାଇଥିଲେ। ଦାବିପତ୍ର ମଧ୍ଯ ଦେଇଥିଲେ। ବଜେଟ ପୂର୍ବରୁ ମଧ୍ଯ ଏହି ଶିଳ୍ପର ପ୍ରୟୋଜନୀୟତା କଥା ଦାବିପତ୍ର ମାଧ୍ୟମରେ କେନ୍ଦ୍ରକୁ ଅବଗତ କରାଯାଇଥିଲା। ବିଡ଼ମ୍ବନାର ବିଷୟ ହେଉଛି ନିର୍ମଳାଙ୍କ ବଜେଟର କୌଣସି ସ୍ଥାନରେ ପର୍ଯ୍ୟଟନର ଉଲ୍ଲେଖ ରହିଲା ନାହିଁ। ଏହା ଯେତିକି ଆଶ୍ଚର୍ଯ୍ୟକର ସେତିକି ଅବିଶ୍ବାସ୍ୟ। ଉଲ୍ଲେଖଯୋଗ୍ୟ ଯେ, ଅନ୍ୟ ଦେଶଗୁଡ଼ିକ କୋରୋନା ପରବର୍ତ୍ତୀ ସୁଧାର କାଳରେ ପର୍ଯ୍ୟଟନ ପ୍ରତି ବିଶେଷ ନଜର ପକାଇଲେଣି। ମାତ୍ର ଭାରତ ସରକାର ଏହି କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ଅନ୍ତତଃ କର୍ମସଂସ୍ଥାନ ଓ ଜିଡିପି ବୃଦ୍ଧି ସ୍ୱାର୍ଥରେ ପର୍ଯ୍ୟଟନ ଶିଳ୍ପ ପ୍ରତି ସରକାରଙ୍କର ଦୃଷ୍ଟି ଦେବା ଆବଶ୍ୟକ ଥିଲା। ଏନେଇ ଏକାଧିକବାର ଦାବି ସତ୍ତ୍ୱେ ପର୍ଯ୍ୟଟନ ପାଇଲାନି ଭିତ୍ତିଭୂମି ଓ ଶିଳ୍ପର ମାନ୍ୟତା। ଜିଏସଟିରେ ମଧ୍ଯ ସୁବିଧା ମିଳିଲା ନାହିଁ। କୋରୋନା ଜନିତ ବିପର୍ଯ୍ୟସ୍ତ ପରିସ୍ଥିତିକୁ ଦେଖି ସରକାର ଅନ୍ତତଃ ଏକ ବର୍ଷ ସମ୍ପୂର୍ଣ୍ଣ ଟିକସ ରିହାତି ଓ ଲକ ଡାଉନ ସମୟତକ ବିଦ୍ୟୁତ ଖର୍ଚ୍ଚ ଛାଡ଼ ଭଳି ପଦକ୍ଷେପ ନେଇ ପାରିଥାନ୍ତେ ବୋଲି ଶିଳ୍ପ ମହଲର ଦାବି।