କାହିଁକି ଚାଷୀଙ୍କ ସମସ୍ୟାର ହୋଇପାରୁନି ସମାଧାନ ?

କାହିଁକି ଚାଷୀଙ୍କ ସମସ୍ୟାର ହୋଇପାରୁନି ସମାଧାନ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଞ୍ଜାବ ଜଳନ୍ଧରରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ସରକାର, ଚାଷୀଙ୍କୁ ଦେଇଥିଲେ ପ୍ରସ୍ତାବ । କିଛି ଡାଲିଜାତୀୟ ଫସଲ, ମକା ଏବଂ କପା ଉପରେ ଦେଇଥିଲେ ୫ ବର୍ଷିଆ MSP ସହ ଲିଗାଲ୍ ଗ୍ୟାରେଣ୍ଟି । ଅର୍ଥାତ ସରକାରଙ୍କ ଅଧୀନରେ ଥିବା ଜାତୀୟ ଖାଉଟି ସମବାୟ ସଂଘ ବା NCCF, ଜାତୀୟ କୃଷି ସମବାୟ ବଜାର ସଂଘ ବା NAFED ମାଧ୍ୟମରେ ଚାଷୀଙ୍କଠାରୁ ଏସବୁ ଫସଲ କିଣିବାକୁ ହୋଇଥାନ୍ତା ଚୁକ୍ତି । MSP ଉପରେ ଏହି ଦୁଇ ସଂସ୍ଥା ଚାଷୀଙ୍କଠାରୁ ୫ ବର୍ଷ ପାଇଁ ସେମାନଙ୍କ ଅମଳ କିଣିଥାନ୍ତେ । MSP ଦାମରେ ଫସଲ କିଣିବାର କୌଣସି ପରିମାଣ ଧାର୍ଯ୍ୟ ହେବ ନାହିଁ ବୋଲି ପ୍ରସ୍ତାବ ଦେଇଥିଲେ ସରକାର । ଚାଷୀଙ୍କ କହିବା କଥା, ସେମାନଙ୍କୁ ତୈଳବୀଜ ଏବଂ ବାଜରା ଉପରେ ମଧ୍ୟ MSP ସହ ଲିଗାଲ୍ ଗ୍ୟାରେଣ୍ଟି ଦିଆଯାଉ । ସରକାରଙ୍କ ପ୍ରସ୍ତାବ ସବୁ ଚାଷୀଙ୍କୁ ସୁହାଇଲା ଭଳି ନୁହେଁ କହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି ଚାଷୀ ସଂଗଠନ।

ସରକାର ପ୍ରତିବର୍ଷ ୨୩ଟି ଫସଲ ଉପରେ MSP ଘୋଷଣା କରୁଛନ୍ତି । କିନ୍ତୁ ଲିଗାଲ୍ ଗ୍ୟାରେଣ୍ଟି ଦେଉ ନାହାନ୍ତି । ଫଳରେ ଚାଷୀ, ସେମାନଙ୍କ ଫସଲକୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଉଦ୍ଦାହରଣସ୍ବରୂପ- ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ୪୨ ଶହ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ବଜାରରେ ଚାଷୀ ଏହାକୁ କ୍ବିଣ୍ଟାଲ୍ ପିଛା ୨ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଲିଗାଲ୍ ଗ୍ୟାରେଣ୍ଟି ନଥିବାରୁ ଚାଷୀଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡୁଛି । ସୋରିଷ ଏବଂ ସୂର୍ଯ୍ୟମୁଖୀ ଉପରେ ପ୍ରତିବର୍ଷ MSP ଘୋଷଣା ହେଉଛି । କିନ୍ତୁ ଦେଶର ଆବଶ୍ୟକତା ପାଇଁ ପ୍ରତିବର୍ଷ ସରକାର ଲକ୍ଷେ ୭୫ ହଜାର କୋଟି ଟଙ୍କାର ପାମ୍ ଅଏଲ୍ ବାହାରୁ ଆମଦାନୀ କରୁଛନ୍ତି । ଚାଷୀଙ୍କ କହିବା କଥା- ସମସ୍ତ ତୈଳବୀଜ ଫସଲ ପାଇଁ ଏହି ଟଙ୍କାକୁ ଯଦି MSP ସହ ଲିଗାଲ୍ ଗ୍ୟାରେଣ୍ଟି ଭାବେ ବ୍ୟବହାର କରାଯାଏ, ତେବେ ଏହା ଦେଶର ପାମ୍ ଅଏଲ୍ ଚାହିଦାକୁ ପୂରଣ କରିପାରିବ । ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନି।

ଚାଷୀଙ୍କ ଦାବି, ସେମାନଙ୍କୁ ଡକ୍ଚର ସ୍ବାମୀନାଥନ କମିଟିଙ୍କ ଅନୁମୋଦନ ଅନୁସାରେ ମିଳୁ MSP ଉପରେ ଲିଗାଲ୍ ଗ୍ୟାରେଣ୍ଟି । ଅର୍ଥାତ କଷ୍ଟ ଅଫ୍ ପ୍ରଡକସନ୍ ବା ଅମଳ ମୂଲ୍ୟ ଉପରେ ଦେଢ଼ଗୁଣା ଟଙ୍କା ମିଳୁ । କେବଳ ଆଖୁ ଉପରେ ସେମାନେ C2+ 100 Percent ଚାହୁଁଛନ୍ତି । କାରଣ ଅନ୍ୟ ଫସଲ ଅପେକ୍ଷା ଆଖୁ ଚାଷରେ ସାଦାରଣତଃ ଚାଷୀମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ସ୍ବାମୀନାଥନ କମିଟିର MSP ଫର୍ମୁଲା ହେଉଛି C2+ 50 Percent । କିନ୍ତୁ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ- ତାର ଫର୍ମୁଲା ହେଉଛି A2+FL+50 Percent। ସ୍ବାମୀନାଥନ କମିଟିଙ୍କ ରିପୋର୍ଟ ଅନୁସାରେ, C2 ହେଉଛି, Actual Cost of Production। ଯେଉଁଥିରେ ଫସଲ ଅମଳ ପାଇଁ ଦରକାର ହେଉଥିବା ବିହନ, ସାର, ଔଷଧ ଏବଂ ଶ୍ରମର ମୂଲ୍ୟକୁ ହିସାବକୁ ନିଆ ଯାଇଥାଏ । ଶ୍ରମ ମୂଲ୍ୟ ଏଠି ବାହାର ଶ୍ରମିକଙ୍କ ପାରିଶ୍ରମିକ ସହ ଜମି ମାଲିକଙ୍କ ପରିବାର ସଦସ୍ୟଙ୍କ ଶ୍ରମକୁ ମଧ୍ୟ ଆର୍ଥିକ ହିସାବରେ ନିଆ ଯାଇଥାଏ । C2ର ଆଉ ଗୋଟେ ଦୃଷ୍ଟିକୋଣ ହେଉଛି, ଏଥିରେ ଅତିରିକ୍ତ ଭାବେ ଜମିର ଭଡ଼ା ବା ସାମୟିକ ମୂଲ୍ୟକୁ ମଧ୍ୟ ହିସାବକୁ ନିଆ ଯାଇଥାଏ ।

ତେବେ ସରକାର ଦେଇଥିବା MSPର A2+FL+50 Percent ଫର୍ମୁଲାକୁ ଯଦି ଦେଖିବା, ଏଠି A2 ହେଉଛି Actual Cost of Production, ଯେଉଁଥିରେ ସାର, ବିହନ, ଔଷଧ ଓ ଶ୍ରମ ଖର୍ଚ୍ଚକୁ ହିସାବକୁ ନିଆଯିବ । FL ଏଠି ଫ୍ୟାମିଲି ଲେବର୍ ବା ଚାଷୀଙ୍କ ପରିବାର ସଦସ୍ୟଙ୍କ ଶ୍ରମର ପାରିଶ୍ରମିକକୁ ମଧ୍ୟ ହିସାବକୁ ନେଇଥିଲେ ସରକାର । କିନ୍ତୁ ଜମିର ଭଡ଼ା ବା ସାମୟିକ ମୂଲ୍ୟକୁ ହିସାବକୁ ନେଇ ନାହାନ୍ତି । ଯେଉଁଥି ପାଇଁ ଚାଷୀମାନେ ତାହା ଅଗ୍ରାହ୍ୟ କରିଦେଲେ। ସରକାରଙ୍କ ପ୍ରସ୍ତାବରେ ଥିବା Crop Diversification ବା ଫସଲରେ ପରିବର୍ତ୍ତନ । ଅର୍ଥାତ୍‌- ଗୋଟେ ଫସଲ ପରେ ଆଉ ଗୋଟେ ଫସଲ କରିବେ ଚାଷୀ । ତାହା ପୁଣି ପ୍ରସ୍ତାବରେ ଥିବା ଫସଲକୁ ନେଇ । ଅର୍ଥାତ ପ୍ରସ୍ତାବରେ ଥିବା ଫସଲକୁ ଯଦି ଚାଷୀ ଅମଳ କରିବେ, ତେବେ ଯାଇ ସେମାନଙ୍କ ସହ NCCF ବା NAFED ଚୁକ୍ତି କରିବେ । ଚୁକ୍ତି ହେଲେ ହିଁ ସେମାନଙ୍କୁ ଫସଲ ଉପରେ MSP ସହ ଲିଗାଲ୍ ଗ୍ୟାରେଣ୍ଟି ମିଳିବ । କିନ୍ତୁ ଯଦି ପ୍ରସ୍ତାବ ବାହାରେ ଫସଲ ଅମଳ କରନ୍ତି MSP ଉପରେ ଲିଗାଲ୍ ଗ୍ୟାରେଣ୍ଟି ମିଳିବ ନାହିଁ । ଯେଉଁଥି ପାଇଁ ସରକାରଙ୍କ ପ୍ରସ୍ତାବକୁ ଚାଷୀ ଖାରଜ କରି ଦେଇଛନ୍ତି।

ମାଟିର ଉର୍ବରତା, ଏହାର ଗୁଣାତ୍ମକ ମାନ ଏବଂ ଜଳସ୍ତରର ସୁରକ୍ଷା ପାଇଁ Crop Diversification ବା ଚାଷରେ ବିବିଧତାର ଆବଶ୍ୟକତା ରହିଛି । ବିଶେଷକରି ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀଙ୍କ ପାଇଁ Crop Diversificationର ଯଥେଷ୍ଟ ଆବଶ୍ୟକତା ରହିଛି । ଯେଉଁଥି ପାଇଁ ଏସବୁ ରାଜ୍ୟର ଚାଷୀ ମକା ଏବଂ ଡାଲି ଜାତୀୟ ଫସଲ ଅମଳ ଉପରେ ଅଧିକ ଗୁରୁତ୍ବ ଦେବାକୁ ପ୍ରସ୍ତାବରେ କହିଥିଲେ ସରକାର । ପୁଣି ଦେଖିବାକୁ ଗଲେ, Stubble Burning କିଛିଦିନ ହେବ ଗୁରୁତର ପ୍ରଦୂଷଣ ସମସ୍ୟା ସୃଷ୍ଟି କରୁଛି । ଗତ ନଭେମ୍ବରରେ ଏନେଇ ଚିନ୍ତାବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ । Stubble Burning ଜନିତ ପ୍ରଦୂଷଣ କମ କରିବାକୁ ପଞ୍ଜାବର ଚାଷୀମାନେ ମକା ଚାଷ ଉପରେ ଗୁରୁତ୍ବ ଦେବାକୁ କହିଥିଲେ ସୁପ୍ରିମକୋର୍ଟ । ଏଥି ସହିତ ଚାଷୀଙ୍କ ସହ ଆଲୋଚନା କରି ସରକାର, ପରିବେଶ ସୁରକ୍ଷା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନେବାକୁ କହିଥିଲେ ସର୍ବୋଚ୍ଚ କୋର୍ଟ । ଯେଉଁଥି ପାଇଁ ସରକାର ତାଙ୍କ ପ୍ରସ୍ତାବରେ Crop Diversification କଥା ଉଲ୍ଲେଖ କରିଥିଲେ । କିନ୍ତୁ ଚାଷୀମାନେ ତାହା ଗ୍ରହଣ କରିନାହାନ୍ତି।

ସରକାରଙ୍କ ଆଗରେ ୧୦ ଦଫା ଦାବି ରଖିଛନ୍ତି ଚାଷୀ ସଂଗଠନ, ଯାହା ମଧ୍ୟରେ ପ୍ରମୁଖ ହେଉଛି MSP ଉପରେ ଲିଗାଲ୍ ଗ୍ୟାରେଣ୍ଟି। ଏହା ବ୍ୟତୀତ ଚାଷୀଙ୍କ ଋଣ ଓ ବିଦ୍ୟୁତ୍ ବିଲ୍ ଛାଡ଼, ୬୦ ବର୍ଷ ପରେ ଚାଷୀଙ୍କୁ ମାସକୁ ୧୦ ହଜାର ଟଙ୍କା ଭତ୍ତା ଆଦି ରହିଛି। ବିଦ୍ୟୁତ ବିଲ୍‌ରେ କେଁ ରହୁଛି । ୧୯୪୮ର ବିଦ୍ୟୁତ୍ ଆଇନ ଅନୁଯାୟୀ, ବିଦ୍ୟୁତ ଉତ୍ପାଦନ ଓ ବିତରଣ ସରକାରଙ୍କ ହାତରେ ଥିଲା । ୨୦୦୩ରେ ଏଥିରେ ସଂଶୋଧନ ଆଣି ବିଦ୍ୟୁତକୁ ଘରୋଇ କମ୍ପାନିଙ୍କ ହାତକୁ ଟେକି ଦିଆଗଲା। ସେତେବେଳେ ବିଦ୍ୟୁତର ଦର ଧାର୍ଯ୍ୟ କରିବା ମଧ୍ୟ ସରକାରଙ୍କ ହାତରେ ଥିଲା । କିନ୍ତୁ ୨୦୨୩ ସଂଶୋଧନରେ ଦର ଧାର୍ଯ୍ୟ ଘରୋଇ କମ୍ପାନିଙ୍କ ଉପରେ ଛାଡ଼ି ଦେଇଛନ୍ତି ସରକାର, ଯାହା କେବଳ ଚାଷୀଙ୍କୁ କାହିଁକି ସାଧାରଣ ଖାଉଟିଙ୍କୁ ମଧ୍ୟ ବାଧୁଛି । ଗୋଟେ ପଟେ ସରକାର ଶିଳ୍ପପତି ଏବଂ ବ୍ୟବସାୟୀଙ୍କ ଋଣ ଓ ବିଦ୍ୟୁତ୍ ବିଲ୍ ଛାଡ଼ କରୁଥିବା ବେଳେ ବିଲ୍ ପଇଠରେ ଖିଲାପି ହେଲେ, ଚାଷୀ କିମ୍ବା ସାଧାରଣ ଜନତାଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି । ଏଭଳି ସ୍ଥିତିରେ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଦାବି ଉପରେ ନିଷ୍ପତ୍ତି ନେବା ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହେଉଛି । ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚାଷୀଙ୍କ ଦାବି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ସରକାର, କିଭଳି ପରିସ୍ଥିତି ସହ ଡିଲ୍ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: