ପରଂବ୍ରହ୍ମ ତ୍ରିପାଠୀ ପ୍ରିଜମ ନ୍ୟୁଜ୍ ପରିବାରର ଜଣେ ଶୁଭେଚ୍ଛୁ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ । ଅନେକ ବ୍ୟକ୍ତିତ୍ୱର ସେ ଅଧିକାରୀ । ସାମ୍ବାଦିକତା ହେଉ କି ସାହିତ୍ୟ, ଉପସ୍ଥାପନା କି ଗୀତ ରଚନା । ସେ ସ୍ତମ୍ଭ ଲେଖନ୍ତି ସମାଜର କଥା, ବ୍ୟଥାକୁ ଅନ୍ୟଙ୍କୁ ଅନୁଭବ କରାନ୍ତି। ଠିକ୍ ଏଇ ଯେମିତି ‘ଥରେ ପିଠି ଥାପୁଡ଼େଇ ଦେଖନ୍ତୁ’…..
ବିଦ୍ୟାଳୟମାନଙ୍କ ରୂପାନ୍ତରଣ ନିଶ୍ଚିତ ଭାବେ ଏକ ସକରାତ୍ମକ ଓ ପ୍ରେରଣାଦାୟୀ ପଦକ୍ଷେପ। ସରକାରୀ ବିଦ୍ୟାଳୟଗୁଡିକରେ ଉନ୍ନତ ଭିତ୍ତିଭୂମି, ସ୍ମାର୍ଟ ଶ୍ରେଣୀଗୃହ, ପ୍ରଯୁକ୍ତି ବିଦ୍ୟାର ସୁବିଧା ଯୋଗାଇ ଦେବା ଏକ ପ୍ରଶଂସନୀୟ ପ୍ରୟାସ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଉଭୟ ସହର ଓ ଗ୍ରାମାଞ୍ଚଳରେ ପାଖାପାଖି ୨୯୦୦ ବିଦ୍ୟାଳୟର ରୂପାନ୍ତରଣ ହୋଇଛି ଓ ଆଗାମୀ ଶିକ୍ଷାବର୍ଷମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେବ ବୋଲି ସରକାରୀସ୍ତରରେ ଲକ୍ଷ୍ୟ ରଖାଯାଇଛି। ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବା ଦିଗରେ ଭିତ୍ତିଭୂମିରେ ସୁଧାର ଯେ ଏକ ବଳିଷ୍ଠ ପଦକ୍ଷେପ ଏଥିରେ ସନ୍ଦେହର ଅବକାଶ ନାହିଁ, ମାତ୍ର ଏହା ଏକମାତ୍ର ଉପାୟ ନୁହେଁ। ଶିକ୍ଷା ଵ୍ୟଵସ୍ଥାଟି ଶିକ୍ଷକ, ଭିତ୍ତିଭୂମି, ଛାତ୍ରଛାତ୍ରୀ ଏବଂ ଶିକ୍ଷା ପ୍ରଶାସନର ସୁଗମ ସହଯୋଗରେ ପ୍ରସ୍ଫୁଟିତ ହେଉଥିବା ଏକ ସ୍ବର୍ଣ୍ଣିମ ଵର୍ଗକ୍ଷେତ୍ରଟିଏ। ଅର୍ଥାତ ଏହି ଚାରି ବାହୁର ଦୈର୍ଘ୍ୟ ସମାନ। ତେଣୁ ଯେତେ ବାହ୍ୟ ରୂପାନ୍ତରଣ କରିବାର ଅଛି କରନ୍ତୁ, କିନ୍ତୁ ଶିକ୍ଷକ ଅଭାବ ପୂରଣ ଓ ଶିକ୍ଷକମାନଙ୍କ ମନୋବଳ ନ ବଢ଼େଇବା ଏବଂ ସେମାନଙ୍କ ପ୍ରତି ଶିକ୍ଷା ପ୍ରଶାସନର ଆସ୍ଥା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବ ନ ଆଣିବା ଯାଏ ଆମ ଶିକ୍ଷା ବ୍ୟବସ୍ଥାର କାୟାକଳ୍ପ କରି ପାରିବା ନାହିଁ।
୨୦୨୧ ମସିହା ଅକ୍ଟୋବର ମାସରେ ୟୁନେସ୍କୋ ତରଫରୁ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ, ଓଡ଼ିଶାରେ ୩୧୯୭ଟି ବିଦ୍ୟାଳୟ ମାତ୍ର ଜଣେ ଶିକ୍ଷକରେ ଚାଲିଛି। ଏହି ସଂଖ୍ୟା ଭିତରୁ ୮୮ଭାଗ ବିଦ୍ୟାଳୟ ହେଉଛି ଗ୍ରାମାଞ୍ଚଳର। ଏପରି କ୍ଷେତ୍ରରେ ସମ୍ପୃକ୍ତ ବିଦ୍ୟାଳୟଗୁଡିକରେ ପାଠ ପଢ଼ାଠାରୁ ନେଇ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଦପ୍ତରିକ କାର୍ଯ୍ୟ ଜଣିଏ ଶିକ୍ଷକ କିପରି ଭାବେ ସୁଚାରୁ ରୂପେ ତୁଲାଇ ପାରୁଥିବ ତାହା ଅନୁମାନ କରିବା ପାଇଁ କୌଣସି ସ୍ୱତନ୍ତ୍ର ଗବେଷଣାର ଆବଶ୍ୟକତା ନାହିଁ। ଓଡ଼ିଶାର ସଂଖ୍ୟାଧିକ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଗଣିତ, ବିଜ୍ଞାନ ଭଳି ବୈଷୟିକ ଜିନିଷ ପଢ଼ିବା ପାଇଁ ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି। ଓଡ଼ିଆ କଥା ତ ଛାଡ଼ନ୍ତୁ। ଆମକୁ ଲାଗେନି ଯେ ଓଡ଼ିଆ ପଢେଇବା ପାଇଁ କୌଣସି ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଖେଳ ଶିକ୍ଷକଙ୍କଠାରୁ ନେଇ କିରାଣୀଙ୍କ ପର୍ଯ୍ୟନ୍ତ ଯିଏ ପାରିବେ ସିଏ ପିଲାଙ୍କୁ ଓଡ଼ିଆ ପଢେଇ ପାରିବେ।
ଓଡ଼ିଶାରେ କେତେ ପ୍ରକାରରର ଶିକ୍ଷକ ଅଛନ୍ତି ଏ ପ୍ରଶ୍ନର ଉତ୍ତର ମଧ୍ୟ ଭାରି ଜଟିଳ। ସମାନ ବିଦ୍ୟାଳୟରେ ସମାନ କାମ ପାଇଁ ଭିନ୍ନ ଭିନ୍ନ ଦରମା, ଶିକ୍ଷକମାନଙ୍କ ମନୋବଳ ଭାଙ୍ଗିବାର ଉତପ୍ରେରକ ହେଉନି କି? ଶିକ୍ଷକମାନଙ୍କର ପଦୋନ୍ନତି ପାଇଁ ଆମ ରାଜ୍ୟରେ କୌଣସି ସମୟ ନିର୍ଦ୍ଧାରିତ ବ୍ୟବସ୍ଥା ଅଛି କି? ଯଦି ଅଛି ତାହା କାର୍ଯ୍ୟକାରୀ ହେଉଛି କି? ଆମ ରାଜ୍ୟରେ ଚାକିରୀ ଆରମ୍ଭ ବେଳେ ଶିକ୍ଷକମାନଙ୍କ ପାଇଁ ଯେଉଁ ଦରମା ସ୍ଥିର କରାଯାଇଛି ତାହା ବର୍ତ୍ତମାନ ପିଢ଼ିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନକୁ ଏକ ବୃତ୍ତି ଭାବେ ଗ୍ରହଣ କରିବାକୁ ଆକର୍ଷିତ କରିବାରେ ସକ୍ଷମ କି ? ବଦଳୁଥିବା ପାଠ୍ୟକ୍ରମ ସହିତ ବୟସ୍କ ଶିକ୍ଷକମାନେ କିପରି ସହଜ ହେବେ ତାହା ସୁନିଶ୍ଚିତ କରିବା ପାଇଁ ଆନ୍ତରିକ ଉଦ୍ୟମ ହେଉଛି କି? ଶିକ୍ଷକମାନଙ୍କ ଉପରେ ଅଣଶିକ୍ଷାଦାନ ଭିତ୍ତିକ କାର୍ଯ୍ୟଗୁଡିକର ଚାପ ସୀମିତ କରିବା ବା ସମାପ୍ତ କରିବା ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆ ଯାଇଛି କି? ବିଗତ କୋଡିଏ ବର୍ଷ ଭିତରେ ରାଜ୍ୟ ବଜେଟ ପାଖାପାଖି ଅଠର ଗୁଣ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ , ଆମର ରାଜନୈତିକ ଓ ପ୍ରାଶାସନିକ ଇଛାଶକ୍ତି ଥିଲେ ଆମେ ଶିକ୍ଷା ବ୍ୟବସ୍ଥାରୁ ଠିକା ଶବ୍ଦଟିକୁ ସମ୍ପୂର୍ଣ୍ଣ ଭାବେ ଉଠେଇ ପାରି ନଥାନ୍ତେ କି? ଦରମା ଦେଉଛୁ, ସେତିକି କଣ ବଡ଼ କଥା ନୁହେଁ- ଶିକ୍ଷକମାନଙ୍କ ପାଇଁ ଏଭଳି ଏକ ମାନସିକତା ଶାସନ ଓ ପ୍ରଶାସନର ଚେତନ ଓ ଅବଚେତନରେ ନାହିଁ କି ?
ଓଡ଼ିଶାର ଜଣେ ପୂର୍ବ ଉପମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ରାଜନେତା ଥରେ କହିଥିଲେ ଯେ ଗାଁ ପୋଖରୀତୁଠକୁ ଯାଆନ୍ତୁ, ଯେଉଁ ସ୍ତ୍ରୀଲୋକଟି ହାତରେ ସୁନାଚୁଡ଼ି ପିନ୍ଧିଥିବ ସେ ନିଶ୍ଚିତ ଶିକ୍ଷକଙ୍କ ପତ୍ନୀ ହୋଇଥିବ। ଏହା ଆଦୌ ଏକ ସକାରାତ୍ମକ ମନ୍ତବ୍ୟ ନଥିଲା। କରୋନା ସମୟରେ ସ୍କୁଲ ବନ୍ଦ ଥାଇ ଶିକ୍ଷକମାନେ କାହିଁକି ପୁରା ଦରମା ପାଉଛନ୍ତି ବୋଲି ମଧ୍ୟ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ। ନିଜର ନ୍ୟାର୍ଯ୍ୟ ଦାବିକୁ ନେଇ ବିଭିନ୍ନ ଶିକ୍ଷକ ସଂଗଠନ ଯେତେବେଳେ ଆନ୍ଦୋଳନକୁ ଓହ୍ଲାଇ ଛନ୍ତି ସେତେବେଳେ ପୋଲିସ ଲାଠି ଧରି ପିଟିବାକୁ ଓ ସାଧାରଣ ଲୋକେ ଏ ମାଷ୍ଟ୍ରପଞ୍ଝାଙ୍କର କିଛି କାମ ନାହିଁ ବୋଲି ଅରୁଚିପୁର୍ଣ୍ଣ ମନ୍ତବ୍ୟ ଦେବାକୁ ପଛେଇ ନାହାନ୍ତି। ମୋଟାମୋଟି ଏଇ ହେଉଛି ଆମର ଆମ ଶିକ୍ଷକ ସମାଜ ପ୍ରତି ମନୋଭାବ। ପ୍ରଶାସନ ଠାରୁ ନେଇ ୱେବ ମିଡ଼ିଆର ଅଷ୍ଟମ ଫେଲ ବୁମଧରାଙ୍କ ଯାଏ, ସମସ୍ତଙ୍କ ତାଉ ଶିକ୍ଷକ ସମାଜ ଉପରେ।
ପିଲା ପଣିକିଆ ନକହି ପାରିବା, ପଞ୍ଚମ ଶ୍ରେଣୀର ପିଲା ନିଜ ନାଁ ଲେଖି ନପାରିବା ଇତ୍ୟାଦି ଇତ୍ୟାଦି ଅଘଟଣରେ ଯେ ଶିକ୍ଷକର ଆଦୌ ଦୋଷ ନାହିଁ ଏକଥା ମଧ୍ୟ ସମ୍ପୂର୍ଣ୍ଣ ଯୁକ୍ତିସଂଗତ ନୁହେଁ। ଏପ୍ରକାର ବିଡ଼ମ୍ବନା ଦେଖା ଯାଉଥିବା ବିଦ୍ୟାଳୟ ଓ ଏହାର ଶିକ୍ଷକମାନଙ୍କ ଉପରେ ତୀକ୍ଷଣ ନଜର ରଖାଯାଉ। ଯଦି ସେମାନେ ତାଙ୍କ ଦାୟିତ୍ୱ ନିର୍ବାହରେ ଅବହେଳା କରୁଛନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉ। କିନ୍ତୁ ଏହା ସହିତ ଶିକ୍ଷକମାନଙ୍କ ମନୋବଳ ବଢ଼େଇବା ପାଇଁ ଏକ ସକରାତ୍ମକ ପରିବେଶ ମଧ୍ୟ ସୃଷ୍ଟି କରିଯାଉ। ଗୋଟିଏ ଭଲ ଶିକ୍ଷକ ପାଇଁ ଆମ ରାଜ୍ୟରେ ଗୋଟିଏ ବାର୍ଷିକ ଶିକ୍ଷକ ପୁରସ୍କାର ଛଡା ଅଛି କଣ? ମନେ ପକାଇ କହି ପାରିବେ କି କେବେ ଆମ ଶାସନ ଓ ପ୍ରଶାସନ ଜଣେ ଶିକ୍ଷକକୁ ତାର କର୍ତ୍ତବ୍ୟବୋଧ, ଉଚ୍ଚମାନର ଶିକ୍ଷାଦାନ, ନୂଆ ପିଢି ଗଢିବା ଦିଗରେ ଅବଦାନ ପାଇଁ ମୁକ୍ତ କଣ୍ଠରେ ପ୍ରଶଂସା କରିଛେ ? ଶିକ୍ଷକମାନଙ୍କ କର୍ମ ଓ ବ୍ୟକ୍ତିଗତ ଜୀବନ ସନ୍ତୁଳନ ବା work life balance ରକ୍ଷା କରିବା ପାଇଁ ଆମେ ପ୍ରାଶାସନିକ କ୍ଷେତ୍ରରେ କରିଛେ କ’ଣ ? ଜଣେ ଶହେ ମିଟର ଦଉଡ଼ି ଯାଇ ପଦକଟିଏ ଜିତିଗଲେ ତା’ ମୁଣ୍ଡରେ କୋଟି କୋଟି ଅଜାଡ଼ି ଦେବା ପାଇଁ ବଡ଼ବଡ଼ିଆଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା। ମାତ୍ର ଯେଉଁ ଲୋକଟି ଶହ ଶହ କୋମଳମତିଙ୍କୁ ତାଙ୍କ ଜୀବନଦୌଡ଼ରେ ଜିତିବା ପାଇଁ ନିରନ୍ତର ପ୍ରୟାସ କରି ଚାଲିଛି, ପୁରସ୍କାର ତ ଦୂରର କଥା ତା ପିଠି ଟିକେ ଥାପୁଡ଼େଇ ଦେବା ପାଇଁ ଶାସନ ଓ ପ୍ରଶାସନର ଏତେ କୁଣ୍ଠା କାହିଁକି?
ଅଳ୍ପକିଛି ବ୍ୟତିକ୍ରମକୁ ବାଦ ଦେଲେ ମୋଟାମୋଟି ଶିକ୍ଷକମାନେ ହେଲେ ଏକ ସଂଭ୍ରମ, ସହିଷ୍ଣୁ ଏବଂ ଦୃଢ଼ ପ୍ରତିବାଦ କରି ପାରୁନଥିବା ଜାତି। ସକଳ ଟାଣଟୁଣ ଭିତରେ ବି ପଦଟିଏ ପ୍ରଶଂସା, ନିଜ ଛାତ୍ରଛାତ୍ରୀଙ୍କ ଉନ୍ନତି ସେମାନଙ୍କ ମନ ଭିତରେ ଶତସିଂହର ବଳ ଭରି ଦିଏ। ଠିକ ସେହିପରି ସେମାନଙ୍କ ସଂଭ୍ରମତା ସେମାନଙ୍କୁ ନିଜ ଦାବିକୁ ନେଇ ଅତ୍ୟଧିକ ମୁଖର ହେବାରୁ ବାରଣ କରେ। ଏଠି ଦାୟିତ୍ୱ ଆସେ ଶିକ୍ଷା ପ୍ରଶାସନର ଓ ସାଧାରଣ ନାଗରିକମାନଙ୍କର। ଶିକ୍ଷକମାନଙ୍କ ମୌଳିକ ସମସ୍ୟାର ସମାଧାନ ଏବଂ ସେମାନଙ୍କ ଅବଦାନକୁ ସଠିକ ସ୍ବୀକୃତି ମିଳିପାରିଲେ ରୂପାନ୍ତରଣ ପ୍ରକ୍ରିୟା ସହ ତାଳ ଦେଇ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଯେ ସଫଳତାର ନୂତନ ଶିଖରକୁ ଛୁଇଁବ ଏଥିରେ ସନ୍ଦେହର ଅବକାଶ ନାହିଁ।
0 Comments