(ଜ୍ୟୋତି ନନ୍ଦ): ଏଇ ଲେଖାର ଉଲ୍ଲେଖ ପରେ ସମ୍ଭବତଃ ଆମର ଅନେକ ଅନୁସୃଜକ ଏଠାରେ ଉଲ୍ଲେଖ କରାଯାଇଥିବା ମୂଳ ଲେଖା ଟିକୁ ଯଥାଶିଘ୍ର ଅନୁସୃଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ଉପସ୍ଥିତ ଲେଖକ ନିଜେ ବିଚାର କରେ ଯେ ଏହି ଲେଖା ଯେଉଁଠାରୁ ଆସିଛି ତାହାର ମୂଳଲେଖାକୁ ବଙ୍ଗଳାରୁ ପୁରାପୁରି ଆମ ଭାଷାକୁ ଅନୁବାଦ କରାଯିବା ଉଚିତ । କାରଣ ଏଇ ଲେଖାଟି ଯାହା ଉପରେ ଆଧାରିତ ସେ ବସ୍ତୁତଃ ଜଣେ ନିବୁଜ ରାଜନେତା। ତାଙ୍କ ବିଷୟରେ କେହି କିଛି ଜାଣନ୍ତି ନାହିଁ । ସେଇଥିପାଇଁ ତାଙ୍କୁ ନେଇ ସବୁବେଳେ ସର୍ବସାଧାରଣରେ ତଥା ଆଖପାଖ ରାଜନୈତିକ ମହଲରେ ଅନେକ କଥା ନିର୍ମାଣ କରି କୁହାଯାଏ । ସେଥିରେ ସତ କେତେ ମିଛ କେତେ ତାହା କେହି ଜାଣନ୍ତି ନାହିଁ ।
ଏକ ଦୁର୍ଭେଦ୍ୟ ଗୋପନତା ଭିତରେ ସେ ବାସ କରୁଥିବାରୁ ତାଙ୍କ ଉପରେ ଯାହା ଯାହା କାହାଣୀମାନ ଆମକୁ ଶୁଣିବାକୁ ମିଳିଥାଏ ତାହା ଗୋଟିଏ କଥାରେ କହିଲେ ଆମକୁ ଶୁଣିବାକୁ ଭଲ ଲାଗେ, କାରଣ ଯିଏ ଯେତିକି ଗୋପନୀୟ ତାଙ୍କ ପ୍ରତି ଆମର ସେତିକି ସେତିକି କୌତୁହଳ,ବିସ୍ମୟ ।
ସେ ନିଜ ତରଫରୁ ଯେତିକି କଥା ଆମ ଆଗରେ ପ୍ରକାଶ କରିଥାନ୍ତି ଆମେ ବସ୍ତୁତଃ ସେତିକି କଥା ପ୍ରାମାଣିକ ଭାବରେ ତାଙ୍କ ବିଷୟରେ ଜାଣିବାକୁ ସମର୍ଥ ହୋଇଥାଉ ।
ସେଇଥିପାଇଁ ସେ ଯେତେବେଳେ ଆମକୁ ପଚାରନ୍ତି,ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି।
ଏତିକିରେ ଆପଣମାନଙ୍କ ଆଗରେ ଆଉ ସନ୍ଦେହ ନାହିଁ ଯେ ଏଇ ଲେଖାଟି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ଲିଖିତ।
ମୂଳ ବଙ୍ଗଳା ଲେଖାଟିର ଶୀର୍ଷକ ହେଉଛି “ରାଜନୀତିର ନବୀନ ବିସ୍ମୟ”। ଏହାର ଲେଖକ ହେଉଛନ୍ତି ଅଗ୍ନି ରାୟ । ଏଇ ଲେଖାଟି ଆନନ୍ଦବଜାର ପତ୍ରିକା ତରଫରୁ ପ୍ରକାଶିତ ଚଳିତ ୧୪୨୯ ବଙ୍ଗାବ୍ଦ ଅର୍ଥାତ୍ ଇଂରେଜୀ ୨୦୨୨ ସାଲ ର ଶାରଦୀୟ ସଂଖ୍ୟା “ପତ୍ରିକା” ରେ ପ୍ରକାଶିତ ।
ମୂଳ ଲେଖାଟି ନିହାତି ସୁଖପାଠ୍ୟ ।
ଲେଖାର ଆରମ୍ଭ ଟି ଏହି ଭଳି ହୋଇଛି :
” ଓଡିଆ ଭାଷାରେ ସୁପଣ୍ଡିତ ଏବଂ ବିଜୁ ପଟ୍ଟନାୟକ ଙ୍କ ପ୍ରିୟ ଭାଜନ ରାଜ କିଶୋର ମିଶ୍ର ଙ୍କ ଠାରୁ ଶୁଣା ଗୋଟିଏ ଗପ ରୁ କଥାଟିକୁ ଆରମ୍ଭ କରାଯାଉ । ରାଜ କିଶୋରଙ୍କ ଆଉ ଗୋଟିଏ ପ୍ରାସଙ୍ଗିକ ପରିଚୟ,ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଓଡିଆ ଭାଷାର ଗୃହଶିକ୍ଷକ ମଧ୍ୟ। ଫରାସୀ ଏବଂ ଇଂରେଜୀ ଭାଷାଭୂବନରେ ସର୍ବଦା ଆମୋଦିତ ନବୀନ,ମଧ୍ୟବୟସରେ ଅବସ୍ଥାଚକ୍ରରେ ପଡି ସେତେବେଳେ ରାଜକିଶୋରଙ୍କ ଶରଣାପନ୍ନ। ଓଡିଆ ଲେଖିବା ଆଉ ପଢିବା ତ ଦୂରର କଥା ସେତେବେଳେ ସେ ଭଲ କରି ଓଡିଆ କହି ପାରୁନଥିଲେ ! ଅଥଚ ରାଜ୍ୟର ମୁଖ୍ୟମନ୍ତ୍ରୀ ବୋଲି କଥା,ଅଳ୍ପ କିଛି ନ ଜାଣିଲେ ଚଳିବ କେମିତି !
” ଗୃହଶିକ୍ଷକଙ୍କ ପାଖରେ ସେତେବେଳେ ଜୋରଦାର ତାଲିମ ଚାଲିଛି । କିନ୍ତୁ ସେଥିରେ ଯେ ଛାତ୍ରର ଉନ୍ନତି ହେଉଛି,ସେଇ ଭଳି କିଛି କୁହାଯାଇ ପାରିବ ନାହିଁ ।ତାହାର ପ୍ରଧାନ କାରଣ ଛାତ୍ରର ପ୍ରବଳ ଅନାଗ୍ରହ । ଓଡିଆରୁ କିଛି ରସ ମିଳୁନାହିଁ,ଆପୋଲିନେର୍,
ବଦଲେୟାର୍,ସିମୋନ ଦି ବଭୁଆର,
କାମ୍ୟୁ,ସାର୍ତ୍ତ୍ରେ ଭଳି ରଥିଙ୍କୁ ହଜମ କରିଥିବା ଲୋକ ନବୀନ । ତାହା ଫଳରେ ଶିକ୍ଷା ଚାଲିଛି ମନ୍ଦଗତିରେ। ଏଇଭଳି ସମୟରେ ମୁଖ୍ୟମନ୍ତ୍ରୀ ନଜର କରିଥିଲେ,ତାଙ୍କର ଏହି ଅଜ୍ଞତାକୁ ଘେରି ଚାରିପଟେ ବ୍ୟଙ୍ଗ ଥଟ୍ଟା ଚାଲିଛି ମନ୍ଦଗତିରେ ! ଅର୍ଥାତ୍ କିଛି ମନ୍ତ୍ରୀ ଆଉ ବିଧାୟକ ଭଲ ମଣିଷ ପରି ମୁହଁ କରି ,ତାଙ୍କର ସାମ୍ନାରେ ତାଙ୍କ ଉଦ୍ଦେଶ୍ୟରେ ପ୍ରାୟତଃ କଥାର ମଝିରେ ବଛା ବଛା ଦୁଇ ତିନୋଟି ଗାଳି ଯୋଡି ଦେଉଥିଲେ ଓଡିଆ ଭାଷାରେ । ଅର୍ଥ ନ ବୁଝିଲେ ବି ନିଜର ପ୍ରଖର କାଣ୍ଡଜ୍ଞାନ ରୁ ଏଇ ଘଟଣାକୁ ଧରିପାରିଲେ ନବୀନ । ସେହି ଶବ୍ଦ ଗୁଡିକୁ ମୁଖସ୍ଥ କରି ଫେରି ଆସି ସେ ଗୃହଶିକ୍ଷକ ମିଶ୍ର ଙ୍କ ଠାରୁ ଏସବୁର ଅର୍ଥ ଜାଣିବାକୁ ଚାହିଁଥିଲେ । ବୁଝିନେଲେ,ତାଙ୍କର ସନ୍ଦେହ ଅମୂଳକ ନୁହଁ । ପରଦିନର ବୈଠକରେ ସେଇ ଭଳି ସମାନ ଭାବରେ ଗାଳି ଦେବା ଆରମ୍ଭ ହେଲା । ନବୀନ ଗମ୍ଭୀର ଭାବରେ ଉପରକୁ ମଥା ଟେକି କେବଳ ଏତିକି କହିଥିଲେ ,ମୁଁ ସବୁ ବୁଝି ପାରୁଛି । ବାସ୍ ,ଘରେ ତାହାପରେ କିଛି ସମୟ ନୀରବତା । “
ନିଜର ଲେଖାରେ ଅଗ୍ନି ରାୟ ପରବର୍ତ୍ତି ଅଂଶରେ ଲେଖିଛନ୍ତି :
” ନବୀନ ପଟ୍ଟନାୟକଙ୍କୁ ନେଇ ଗଳ୍ପର,କାହାଣୀର ,ଏପରିକି ଲୋକକଥାର ବୋଧହୁଏ କୌଣସି ଶେଷ ନାହିଁ । ତାଙ୍କୁ ଏବଂ ତାଙ୍କର ରାଜନୈତିକ ସଫଳତା କୁ କେନ୍ଦ୍ର କରି ରାଜନୈତିକ ପର୍ଯ୍ୟବେକ୍ଷକଙ୍କର କୌତୁହଳ ଯଥେଷ୍ଟ ଗଭୀର । ଆପାଦମସ୍ତକ ବର୍ଣ୍ଣମୟ ଏକ ଉପନ୍ୟାସୋପମ ଏଇ ମଣିଷଜଣକ ,ସ୍ୱଭାବରେ,ଗୋତ୍ରରେ,ରୁଚିରେ,ଜୀବନଯାପନରେ ଏତେପରିମାଣରେ ସ୍ୱତନ୍ତ୍ର ଯେ, ତାଙ୍କର ସମସାମୟିକ ଜୀବିତ ବା ମୃତ ଯେ କୌଣସି ରାଜନୈତିକ ନେତା ବା ମନ୍ତ୍ରୀ ଙ୍କ ସହିତ ତାଙ୍କର ତୁଳନା ଅଯଥାର୍ଥ ମନେହେବ । ପିତା ବିଜୁ ପଟ୍ଟନାୟକ ଥିଲେ ଓଡିଶାର ରାଜନୀତି ର କିମ୍ବଦନ୍ତୀ। କିନ୍ତୁ ପିତା ଆଉ ପୁତ୍ର ଭିତରେ କେତେ ଯେ ଅମିଳ!”
ଅନ୍ୟତ୍ର ଅଗ୍ନି ରାୟ ଲେଖିଛନ୍ତି,” ଅନ୍ୟାନ୍ୟ ରାଜନୈତିକ ନେତାଙ୍କ ଭଳି ସେ ଉଚ୍ଚକିତ ନୁହଁନ୍ତି,ବରଂ ଅନ୍ତର୍ମୁଖୀ ।”
ଅଗ୍ନି ରାୟ ଲେଖିଛନ୍ତି :
” ନବୀନ ପଟ୍ଟନାୟକ ଙ୍କ କକଟେଲ୍ ସର୍କିଟ୍ କୁ ନେଇ କେତେ ଯେ ଗଳ୍ପ ! ସାମ୍ବାଦିକା ତଭଲିନ୍ ସିଂହ ତାଙ୍କର “ଦରବାର”(୨୦୧୨) ବହିରେ ଏବିଷୟରେ କିଛି କିଛି ଲେଖିଛନ୍ତି । ଦିଲ୍ଲୀ ସ୍ଥିତ ନବୀନଙ୍କ ଘର ସେ ସମୟରେ ହାଇପ୍ରୋଫାଇଲ୍ ପାର୍ଟି ପାଇଁ ବିଖ୍ୟାତ ଥିଲା ।
ରୋଲିଂ ଷ୍ଟୋନସ୍ ର ମିକ୍ ଜାଗର ଠାରୁ ଆରମ୍ଭ କରି ଅଭିନେତ୍ରୀ କୁ ଷ୍ଟାର୍କ (ଯିଏ ବ୍ରିଟେନ୍ ର ଯୁବରାଜ ଆଣ୍ଡ୍ରିଉ ଙ୍କର ଏକଦା ପ୍ରେମିକା ଥିଲେ ଏବଂ ଔପନ୍ୟାସିକ ବ୍ରିସ୍ ଚାଟୱିନ -ଏଇ ଭଳି ମହିମାଦୀପ୍ତ ବିଦେଶୀ ଅଭ୍ୟାଗତଙ୍କର ଭୀଡ ସେଇଠି ଲାଗି ରହିଥାଏ । ଯଦିଓ ଆଜୀବନ ଜନଗଣର ଦୃଷ୍ଟିର ଆଢୁଆଳରେ ରହିବାକୁ ନବୀନ ପସନ୍ଦ କରୁଛନ୍ତି,କିନ୍ତୁ ତାଙ୍କର ସାମାଜିକ ସଂଯୋଗ ଆଖିକୁ ଝଲସାଇଦେବା ଭଳି ଥିଲା। ଥରେ ଜଣେ ବିଦେଶୀ ବନ୍ଧୁ ତାଙ୍କ ସହିତ ଯୋଗାଯୋଗ କରି କହିଥିଲେ,”ରବର୍ଟ” ନାମକ ଜଣେ ବ୍ୟକ୍ତି ତାଙ୍କର ଯାତ୍ରାପଥରେ କିଛି ଦିନ ପାଇଁ ଦିଲ୍ଲୀରେ ରହିବାକୁ ଚାହାଁନ୍ତି ,ତାଙ୍କର ଆତିଥ୍ୟ ଗ୍ରହଣ କରିବା କ’ଣ ସମ୍ଭବପର ହେବ ? ନବୀନ ସମ୍ମତ ହୁଅନ୍ତି ଏବଂ ସେହି “ରବର୍ଟ” ତାଙ୍କ ଘରେ ତାହାପରେ କିଛିଦିନ ଅତିବାହିତ କରି ନିଜ ଦେଶକୁ ଫେରି
ଯାଆନ୍ତି । ପରେ ଜଣାଯାଏ ଯେ,ସେଇ “ରବର୍ଟ” ଆଉ କେହି ନୁହଁନ୍ତି, ହଲିଉଡ୍ ର ସୁପରଷ୍ଟାର ରବର୍ଟ ଡି ନିରୋ । “
ନବୀନ ବାବୁ ରବର୍ଟ ଡି ନିରୋଙ୍କ ଭଳି ଜଣେ ପ୍ରଖ୍ୟାତ ହଲିଉଡ୍ ର ସୁପରଷ୍ଟାରଙ୍କ ସହ କିଛି ଦିନ ଏକାଠି ବିତାଇଥିବା ଘଟଣାକୁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ କରିବାର ଲୋଭ ହିଁ ଅଗ୍ନି ରାୟଙ୍କ ଏଇ ଲେଖାକୁ ଏଇଠି ରଖିବା ପଛ ର ଉପସ୍ଥିତ ଲେଖକର ପ୍ରମୁଖ କାରଣ ।
ନବୀନ ପଟ୍ଟନାୟକ ଶିଳ୍ପ ଆଉ କଳାର ଅନୁରାଗୀ। ଅବନୀନ୍ଦ୍ରନାଥ ସ୍କୁଲ ଅଫ୍ ଆର୍ଟ ର ଜଣେ ନିଷ୍ଠାପର ଭକ୍ତ । ଅଗ୍ନି ରାୟ ତାଙ୍କର ଲେଖାରେ ଏକଥା ଲେଖିଛନ୍ତି । ଅବନୀନ୍ଦ୍ରନାଥ ସ୍କୁଲ ଅଫ୍ ଆର୍ଟସ୍ ର ପରିସର ରେ ନବୀନ ଙ୍କର ଏକ ଫଟୋଗ୍ରାଫ୍ କୁ ଶ୍ରୀଯୁକ୍ତ ରାୟ ତାଙ୍କର ମୂଳ ଲେଖାରେ ସ୍ଥାନିତ କରିଛନ୍ତି ।
ଆଉ ଥରେ କହୁଛି ମୂଳ ଲେଖାଟି ପୁରାପୁରି ଭାବରେ ଆମ ଭାଷାରେ ଅନୁସୃଜିତ ହେବା ଆବଶ୍ୟକ । ଆମେ ସେଥିରୁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତି ପକ୍ଷ ଏବଂ ରାଜନୈତିକ ପକ୍ଷକୁ କିଛି ପରିମାଣରେ ବୁଝିପାରିବା ।
ଶେଷରେ ଉପସ୍ଥିତ ଲେଖକ ନିଜର ଗୋଟିଏ ଅଭିମତ ସହିତ ଏଇ ଲେଖାର ଉପସଂହାର କରିବ।
ଓଡିଶାରେ କୋହିନୂର ହୀରାକୁ ନେଇ ପ୍ରଚୁର ଆଗ୍ରହ। ଆମେ ଓଡିଆ ମାନେ ବିଶ୍ୱାସ କରୁ ଯେ ରାଜା ରଣଜିତ ସିଂ ନିଜର ବୃଦ୍ଧାବସ୍ଥାରେ ଅସୁସ୍ଥତା କାରଣରୁ ଦୈବକୃପା ଲାଭ ଆଶାରେ ସେହି ହୀରାକୁ ପ୍ରଭୂ ଶ୍ରୀଶ୍ରୀ ଜଗନ୍ନାଥ ଙ୍କୁ ସଂପ୍ରଦାନ କରିବା ନିମନ୍ତେ ସଂକଳ୍ପ
କରିଥିଲେ । ସେହି କାରଣରୁ ଏହି ହୀରା ର ମାଲିକାନା ଆମର ହେବା ଉଚିତ ।
ଏହି ପ୍ରସଂଗ ଟି ଯେତେବେଳେ ଉଠିଥିଲା ଉପସ୍ଥିତ ଲେଖକ ର ପିଲାଏ ତାହାକୁ ଏ ବିଷୟରେ ପଚାରିଥିଲେ, ସାର୍ ଏ ବିଷୟରେ ଆପଣଙ୍କ ମତ କ’ଣ ? କୋହିନୂର ହୀରା ସତରେ କ’ଣ ଆମର ନୁହଁ?
ଉପସ୍ଥିତ ଲେଖକ ର ଉତ୍ତର ଥିଲା ,ଏବିଷୟରେ ପ୍ରାମାଣିକ ଭାବରେ କିଛି ଜାଣିବାପାଇଁ ମାନ୍ୟବର ନବୀନ ପଟ୍ଟନାୟକଙ୍କ ପାଖରେ ଗୋଟିଏ ସମର୍ଥ ଉତ୍ସ ରହିଅଛି । ସେହି ଉତ୍ସଟି ହେଉଛି ପ୍ରସିଦ୍ଧ ଇତିହାସକାର ଉଇଲିଅମ୍ ଡାର୍ଲିମ୍ପଲ୍ । ଡାର୍ଲିମ୍ପଲ୍ ଏସଂକ୍ରାନ୍ତରେ ଗୋଟିଏ ବହି ଲେଖିଛନ୍ତି ,ଯାହାର ଶୀର୍ଷକ ହେଉଛି,କୋହିନୁର,ଦି ଷ୍ଟୋରି ଅଫ୍ ୱାର୍ଲଡସ୍ ଇନଫେମସ୍ ଡାଇମଣ୍ଡ ।
ଲେଖକ ଉଇଲିଅମ୍ ଡାର୍ଲିମ୍ପଲ୍ ତାଙ୍କର ପ୍ରଥମ ପୁସ୍ତକ ଦି ସିଟି ଅଫ୍ ଜିନସ୍ ର ପାଣ୍ଡୁଲିପି ତାଙ୍କର ବନ୍ଧୁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପଢିବାକୁ ଦେଇ ଉପଯୁକ୍ତ ସଂଶୋଧନ ର କାମନା କରିଛନ୍ତି ବୋଲି ସେହି ବହିର ମୁଖବନ୍ଧରେ ଉଲ୍ଲେଖ ରହିଛି । ଦି ସିଟି ଅଫ୍ ଜିନସ୍ ବହିଟି ଦିଲ୍ଲୀ ଉପରେ ଲିଖିତ ଆଉ ଏହି କାରଣରୁ ଡାର୍ଲିମ୍ପଲ୍ ଏବଂ ନବୀନ ବାବୁଙ୍କ ବୌଦ୍ଧିକ ସଖ୍ୟତାକୁ ବୁଝାଯାଇ ପାରିବ ।
0 Comments