(ଶ୍ରୁତକୀର୍ତ୍ତି ତ୍ରିପାଠୀ): ଉତ୍ତରା ପବନକୁ ସାଥୀରେ ନେଇ ଶୀତ ଫେରିଯାଇଛି l ମଳୟ ପବନ ସହିତ ପ୍ରବେଶ କରିଛି ଋତୁରାଜ ବସନ୍ତ l ଶୀତରେ ଜଡ଼ ପାଲଟି ଯାଇଥିବା ପ୍ରକୃତି, ବସନ୍ତର ଯାଦୁକରୀ ସ୍ପର୍ଶରେ ଜୀବନ୍ତ ହୋଇଉଠିଛି l ଚାରିଆଡେ ଫୁଲର ମହକ l ମହୁଲ ଫୁଲର ବାସ୍ନା ସଭିଙ୍କୁ ବିଭୋର କରୁଛି l ହେଲେ ଏ ବସନ୍ତ କୁ ଟିକେ ରହିଯାଇ ମନଭରି ଉପଭୋଗ କରିବା ପାଇଁ ବ୍ୟସ୍ତ ମଣିଷ ପାଖରେ ସମୟ ନାହିଁ l ଏହି ଋତୁରେ କବିଙ୍କ କଳ୍ପନା ଓ ସର୍ଜନା କେଇଗୁଣା ବଢ଼ିଯାଉଥିଲେ ସୁଦ୍ଧା ବସନ୍ତ କୁ ଅନୁଭବ କରିବା ଆଜିକାଲି ଆଉ ସମ୍ଭବ ହେଉନାହିଁ l ଆମର ପୂର୍ବପିଢ଼ି ଯେଉଁମାନେ ବସନ୍ତ ର ଛୁଆଁରେ ଖୁବ ଆନମନା ହୋଇଛନ୍ତି, ସେମାନେ ଏବେ ସେହି ପୁରୁଣା ଦିନଗୁଡିକୁ ଝୁରିବା ହିଁ ସାର ହେଉଛି l
ଆଜିକାଲି ଆମୋଦ ପ୍ରମୋଦ, ଆନନ୍ଦ, ଉତ୍ସବ ପାଇଁ ଅନେକ ମାଧ୍ୟମ ଅଛି l ହେଲେ ଅତୀତରେ କେବଳ ପର୍ବପର୍ବାଣୀ ହିଁ କେବଳ ମାଧ୍ୟମ ଥିଲା l କର୍ତ୍ତବ୍ୟ ଏବଂ ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ, ଟିକେ ଶ୍ରମ ଲାଘବ କରିବା ପାଇଁ, ମଣିଷ ପୂର୍ବେ ପର୍ବପର୍ବାଣୀର ଆଶ୍ରା ନେଉଥିଲା l ଯଦ୍ୱାରା ପରସ୍ପର ମଧ୍ୟରେ ଭାତୃତ୍ୱ, ବନ୍ଧୁତା ଆହୁରି ଦୃଢ ହେଉଥିଲା l ତନ୍ମଧ୍ୟରୁ ବସନ୍ତ ଋତୁରେ ପାଳନ ହେଉଥିବା ଦୋଳପର୍ବ ହେଉଛି ଏକ ବିଶେଷ ପର୍ବ l ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିବା ଏ ପର୍ବକୁ ଦୋଳଯାତ୍ରା ମଧ୍ୟ କୁହାଯାଏ l ଦୋଳବିମାନରେ ରାଧାକୃଷ୍ଣଙ୍କୁ ନେଇ ଗ୍ରାମ ପରିକ୍ରମା କରିବା ପରେ ଏକ ଖୋଲାସ୍ଥାନ ଦେଖି ଆଖପାଖ ଅନେକ ଗାଁ ରୁ ଦୋଳ ବିମାନ ସବୁ ଏକତ୍ର ହୋଇ ମେଳଣ ହୁଏ l ଫଗୁ ଖେଳ ସହିତ ନାଚଗୀତ ର ତାଳେ ତାଳେ ଖୁବ ଜୋର୍ ସୋର୍ ରେ ପାଳନ ହୁଏ ଏହି ପର୍ବ l
ଆଗେ ପାଖପଡ଼ୋଶୀ ଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠାକୁରଙ୍କୁ ବିମାନରେ ବୁଲେଇବା ଦ୍ଵାରା ପରସ୍ପର ମଧ୍ୟରେ ସ୍ନେହ, ଭଲ ପାଇବା ବଢୁଥିଲା l ମଶାଲ ଜାଳିବା ଠାରୁ ପୂଜା ଅର୍ଚ୍ଚନା ପର୍ଯ୍ୟନ୍ତ ସବୁ କାମରେ ସମସ୍ତେ ଯୋଡି ହୋଇଯାଉଥିଲେ l ଗୋଟିଏ ସ୍ଥାନରେ ଏକାଧିକ ଦୋଳବିମାନ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ହେଉଥିଲା l ଘରେ ବନ୍ଧୁବାନ୍ଧବ ଙ୍କ ଗହଳି, ଯାତ୍ରା ପଡିଆର ମେଳଣ ରୁ ଘରକରଣା ଜିନିଷ କିଣା, ଆଖୁଦଣ୍ଡା ଚୋବେଇ ଘରକୁ ଫେରିବା, ପିଲାଙ୍କ କଣ୍ଢେଇ କିଣିବା ପାଇଁ ଅଳି, ବେଲୁନ ଓ ପେଁକାଳିର ଶବ୍ଦ ; ସବୁ ଯେମିତି ଏବେ ଖାଲି ସ୍ମୃତି ହୋଇ ରହିଯାଇଛି l
ସେବେ ମେଳଣ ଦେଖିଯିବା ପାଇଁ ବଡ଼ମାନେ ସାନ ମାନଙ୍କ ହାତକୁ ବଢ଼େଇ ଦିଅନ୍ତି ପଇସା l କେତେଜଣ ସେ ପଇସାରେ ଜିନିଷ କିଣନ୍ତି ତ କିଛି ସାଇତି ରଖନ୍ତି ତାଙ୍କ ଠଣାରେ l ବିଭିନ୍ନ ପ୍ରକାର ମିଠା, ପିଠା, ବାରମଜା କିଣି ସାଙ୍ଗସାଥୀ ଙ୍କ ସହିତ ବୁଲିବୁଲି ଖାଇବା ଦିନସବୁ ଭାରି ମନେପଡେ l ଫୁଲର ମହକ, କୋଇଲିର କୁହୁ ରେ ପୁଣି ହଜିଯିବାକୁ ଇଚ୍ଛା ହୁଏ l ଆମ୍ବ ବଉଳର ବାସ୍ନାରେ ଭରି ରହିଥାଏ ଅପୂର୍ବ ମାଦକତା l ନିମ୍ବ, ବକୁଳ, ଅଶୋକ, ମାଧବୀ, କାମିନୀ, କାଞ୍ଚନ ଙ୍କ ସମ୍ଭାର ରେ ପ୍ରକୃତି ହୋଇଯାଏ ଆହୁରି ସୌନ୍ଦର୍ଯ୍ୟମୟୀ l ନାଲି ପଲାଶ, ହଳଦିଆ ସୁନାରୀ ଫୁଲ ର ରଙ୍ଗରେ ରଙ୍ଗେଇ ହୁଏ ଋତୁରାଜ ବସନ୍ତ l ଦିନରେ ଖରା ହେଲେ ବି ପାହାନ୍ତିଆ ର ଅଳ୍ପ ଶୀତ ମନକୁ ଆନନ୍ଦ ପ୍ରଦାନ କରେ l
କଥିତ ଅଛି ଶ୍ରୀକୃଷ୍ଣ ଗୋପରେ ଥିଲାବେଳେ ଗୋପୀଙ୍କ ସହିତ ମିଶି ଦୋଳ ପର୍ବ ପାଳନ କରୁଥିଲେ l ଗୋପାଳ ସମ୍ପ୍ରଦାୟର ଯୁବକମାନେ ଗୋପାଳ ବେଶ ହୋଇ ବିମାନ ସହିତ ଯାତ୍ରା କରୁଥିଲେ l ମୁଣ୍ଡରେ ଠେକା, ଅଣ୍ଟାରେ ଗାମୁଛା, ପାଦରେ ଘୁଙ୍ଗୁର, ଘାଗୁଡ଼ିମାଳ, ଖୋଳ, କରତାଳ, ଭେରୀ, ଶିଙ୍ଗା, ତୂରୀ ଆଦି ବାଦ୍ୟଯନ୍ତ୍ର ସହିତ ତାଳ ଦେଇ ନୃତ୍ୟ କରୁଥିଲେ l ‘ ଗୋମାତା ‘ ଙ୍କୁ ଫଗୁ ଦେଇ ପୂଜନ କରିବାର ଵିଧି ଏବେ ମଧ୍ୟ ଅନେକ ସ୍ଥାନରେ ଦେଖାଯାଏ l କୃଷକମାନେ କ୍ଷେତରେ ପାଚିଥିବା ଫସଲ କୁ ନେଇ ଏକ ନିଶ୍ଚିନ୍ତ ଭବିଷ୍ୟତର ସ୍ବପ୍ନ ଦେଖିବା ଆରମ୍ଭ କରନ୍ତି ଏ ଫଗୁଣରେ l
ମାତ୍ର ଆଜିର ଋତୁରାଜ ବସନ୍ତ ଏବଂ ଅତୀତ ମଧ୍ୟରେ କାହିଁ କେତେ ପ୍ରଭେଦ l କୋଇଲି ଘଞ୍ଚ ଗଛଟିଏ ନ ପାଇ ତାର ସୁମଧୁର ସ୍ୱରରେ ଡ଼ାକିବା ବନ୍ଦ କରିଦେଇଛି l ପ୍ରାକୃତିକ ଜଙ୍ଗଲ ହ୍ରାସ ବସନ୍ତର ସୌନ୍ଦର୍ଯ୍ୟ କୁ ମଳିନ କରିଛି l ପବନରୁ କମିଯାଉଛି ସୁନ୍ଦରୀ ଫୁଲମାନଙ୍କ ମନଲୋଭା ମହକ l ମାତ୍ରାଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ବସନ୍ତ ଋତୁର ଅପୂର୍ବ ମହନୀୟତା ଅନୁଭବ ସମ୍ଭବ ହିଁ ହେଉନାହିଁ l ମନରେ ସଂଶୟ ଜାତ ହେଉଛି, ଯେ ଏମିତି ନ ହେଉ ଦିନେ ମଣିଷର ଅଵିଵେକୀତା ଯୋଗୁଁ ଋତୁରାଜ ବସନ୍ତ ତାର ଅସ୍ତିତ୍ୱ ହିଁ ହରେଇଦେଉ l
ଓଡ଼ିଶାରେ ଅନୁଭୂତ ହେଉଥିବା ୬ ଋତୁ ଭିତରୁ ଏବେ କେବଳ ୩ ଋତୁର ହିଁ ପରିଚୟ ଶେଷ ରହିଯାଇଛି l ମଧୁମାସ ବସନ୍ତ କୁ ପ୍ରଦୂଷଣ ଓ ଆଧୁନିକତା କେବଳ ପ୍ରଭାବିତ କରିନାହିଁ , ଛଡେଇ ନେଇଛି ସଭିଙ୍କ ମନରୁ ପୂର୍ବର ସେହି ଉତ୍ସାହ ଓ ଆନନ୍ଦ l ଲୋକେ ବସନ୍ତ ଋତୁରେ ହୋଲିପର୍ବର ମଜା କୁ ଅତୀତର ସ୍ମୃତିରେ ରୋମନ୍ଥନ କରି ସୁଖ ଖୋଜୁଛନ୍ତି l ଦୋଳପର୍ବ, ମେଳଣ ସବୁଥିରେ ଏବର୍ଷ ମଧ୍ୟ କଟକଣା l କାରଣ ଆଗରୁ ମହାମାରୀ କରୋନା ର ଚତୁର୍ଥ ଲହର ଆସିବାର ଆଶଙ୍କା ଏବେ ବି ସମସ୍ତଙ୍କୁ ଆତଙ୍କିତ କରି ରଖିଛି l ଏବେ ମଧ୍ୟ ବଲବତ୍ତର ରହିଛି ସାମାଜିକ ଦୂରତା l ଦଳବଦ୍ଧ ଭାବରେ ହୋଲି ଖେଳିବା ପାଇଁ ଏବେ ବି ମଣିଷ ପ୍ରସ୍ତୁତ ହୋଇପାରୁନାହିଁ l ମାସ୍କ ର ବ୍ୟବହାର ଭିତରେ ଅଣନିଶ୍ୱାସୀ ହୋଇଯାଉଛି ଭାଇଚାରା ଓ ବନ୍ଧୁପଣିଆ l ସଂକ୍ରମଣର ଭୟ ରେ ଏବେ ବି ବିଶ୍ୱବାସୀ l ଅନିଶ୍ଚିତତା ଓ ଭୟ ପ୍ରତି ହୃଦୟରେ ବାସ କରି ଘଡି କୁ ଘଡି ଚେତେଇ ଦେଇ ଯାଉଛି, ଯେ କରୋନା ଏବେ ମଧ୍ୟ ନିଷ୍କ୍ରିୟ ହୋଇନାହିଁ l ଜଣେ ଅନ୍ୟ ଜଣଙ୍କୁ ଦେଖି ହସିଲେ, ସେ ହସକୁ ଘୋଡେଇ ରଖିଛି ମାସ୍କର ଆସ୍ତରଣ l ଏକତ୍ରିତ ହୋଇ ଖୁସି ମନେଇବା ଗତ ଦୁଇ ବର୍ଷ ହେଲା ଲୋକେ ପ୍ରାୟ ଭୁଲିଗଲେଣି l ମେଳଣ ପଡ଼ିଆର ଦୃଶ୍ୟ, ସାଙ୍ଗସାଥୀ ଏବଂ ପରିବାର ମେଳରେ ଦୋଳ ଓ ହୋଲି ପାଳନର ଦୃଶ୍ୟ ଧୀରେ ଧୀରେ ଫିକା ପଡ଼ି ଆସୁଛି l
ତଥାପି ମଣିଷ ଏକ ସମାଜିକ ପ୍ରାଣୀ l ସମାଜ କୁ ନେଇ ମଣିଷର ଗତାନୁଗତିକତା l ଏବେ ଆମେ ମଣିଷ ଜାତି ଆଶାବାଦୀ ଯେ ଏ ଦୁଃସମୟ ଦିନେ ଚାଲିଯିବ l ପୁଣିଥରେ ବସନ୍ତର ମାଦକତା ପ୍ରକୃତିପ୍ରେମୀଙ୍କୁ, କବିଙ୍କୁ, ପ୍ରେମିକ /ପ୍ରେମିକା ମାନଙ୍କୁ ଆବୋରି ବସିବ l ପୁଣି ଘଞ୍ଚ ଆମ୍ବ ଗଛ କନ୍ଦିରୁ କୋଇଲିର ମଧୁର ସ୍ୱର ଶୁଭିବ l ମନ୍ଦ ମଳୟ ପ୍ରବାହରେ ପ୍ରକୃତି ପୁନଃ ଜୀବନ୍ତ ହୋଇଉଠିବ l ଏସବୁର ସମାହାରରେ ଋତୁରାଜ ବସନ୍ତ ପୁଣିଥରେ ନିଜ ମୁକୁଟ ସଳଖି ସଭିଙ୍କ ଆଗରେ ନିଜର ପ୍ରତିପତ୍ତି କୁ ଜାହିର କରିବାକୁ ସକ୍ଷମ ହେବ l
(ଫୋନ – 6370516478)
0 Comments