ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନାଁ ରାନୀ କୁମାରୀ। ଘର ବିହାର ଦାନାପୁର ଜାମସାଉଟ୍ ମୁସାହାରୀ ଗାଁ। ୧୧ ବର୍ଷ ପୂର୍ବେ, ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ତାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ। ମାତ୍ର, ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କଲା ପରଠାରୁ ଥରୁଟିଏ ବି ତାଙ୍କର ପାଦ ସେଠାରେ ପଡ଼ିନାହିଁ। ନା ସେ ଆସିଛନ୍ତି, ନା ତାଙ୍କ ସଂଗଠନର ଆଉ କେହି ସଦସ୍ୟ।
ଖବର ଅନୁଯାୟୀ, ୨୦୧୧ ମସିହାରେ ଯେତେବେଳେ ସେମାନେ ତାଙ୍କ ଗାଁକୁ ଆସିଥିଲେ। ସେମାନେ ରାନୀଙ୍କୁ ଦେଖି ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ସ୍ଥିର କରିଥିଲେ। ସେତେବେଳକୁ ରାନୀଙ୍କୁ ଏକ ବର୍ଷ ହୋଇଥିଲା। ହେଲେ ଦିନେ ଦୁନିଆର ସବୁଠୁ ଧନୀ ବିଲ୍ ଗେଟ୍ସଙ୍କ କୋଳରେ ବସି ହସୁଥିବା ରାନୀ ଆଜି ଜୀବନରେ ଆଗକୁ ବଢ଼ିବା ପାଇଁ ସଙ୍ଘର୍ଷ କରୁଛନ୍ତି। ପାଠ ପଢ଼ିବାରେ ଅର୍ଥ ସାଜିଛି ବାଧକ। ଗଣମାଧ୍ୟମ ସାମ୍ନାରେ ସେ ବଖାଣିଛନ୍ତି ତାଙ୍କର ଦୁଃଖ। ପଢ଼ିବାକୁ ଚାହିଁଲେ ବି ପଢ଼ି ପରୁନାହାନ୍ତି। ଏହା ତାଙ୍କର ଅସହାୟତା। କେବଳ ରାନୀ ନୁହନ୍ତି, ସେହି ଗାଁର ଅଧିକାଂଶ ଲୋକ ଅଶିକ୍ଷିତ।
ଏନେଇ ଗାଁ ଲୋକମାନେ କୁହନ୍ତି, ୨୦୧୧ ମସିହା ମାର୍ଚ୍ଚ ୨୩ରେ ବିଲ୍ ଗେଟ୍ସ ତାଙ୍କ ପତ୍ନୀଙ୍କ ସହ ଆମ ଗାଁକୁ ଆସି ରାନୀ କୁମାରୀଙ୍କୁ ଝିଅ ଭାବରେ ଗ୍ରହଣ କରିଥିଲେ। ତାଙ୍କ କୋଳରେ ମଧ୍ୟ ବସାଇ ତାକୁ ଭଲ ପାଉଥିଲେ। ଗାଁର ବିକାଶ ବିଷୟରେ ମଧ୍ୟ ଅନେକ ଆଲୋଚନା କରିଥିଲେ। କିନ୍ତୁ ଏଠାରୁ ଚାଲିଯିବା ପରେ ଆଜି ପର୍ଯ୍ୟନ୍ତ ବିଲ୍ ଗେଟ୍ସ ଆସି ନାହାନ୍ତି। ତାଙ୍କ ସଂଗଠନର ଲୋକମାନେ ମଧ୍ୟ ଏଠାକୁ ଆସି ନାହାନ୍ତି। ଆଜି ରାନୀ ଏବଂ ତାଙ୍କ ପରିବାର ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି। ରାନୀ ଏବେ ସ୍କୁଲ ଯିବାକୁ ମଧ୍ୟ ତାଙ୍କ ପରିବାର ନିକଟରେ ଅର୍ଥ ନାହିଁ। ରାଣୀଙ୍କର ଅସୁସ୍ଥ ଭାଇର ଚିକିତ୍ସା ପାଇଁ ଟଙ୍କା ନାହିଁ। ପିତା ସାଜନ ମଞ୍ଜୀ କୁହନ୍ତି ଯେ, ଖାଇବାକୁ ରୁଟି ନାହିଁ, କିପରି ଚିକିତ୍ସା କରିବି? ତାଙ୍କ ଘରର ଅବସ୍ଥା ବି କହିଲେ ନସରେ। ରାନୀ କୁମାରୀଙ୍କ ମା’ କୁନ୍ତୀ ଦେବୀ ସେହି ୧୧ ବର୍ଷ ତଳ କଥା ମନେ ପକେଇ କୁହନ୍ତି , ଦିନେ ତାଙ୍କ ସାନ ଝିଅ ରାନୀଙ୍କୁ ଗେଟ୍ସ ଦମ୍ପତି ଗ୍ରହଣ କରିଥିଲେ ଏବଂ ତାକୁ ତାଙ୍କ ଝିଅ ବୋଲି କହିଥିଲେ। ଆମେରିକାର ଲୋକମାନେ ଆମ ଘରେ ପହଞ୍ଚି ମୋ ଛୋଟ ଝିଅ ରାନୀଙ୍କୁ ଧରିଥିଲେ। ଏହା ପରେ ସେମାନଙ୍କ ଆଜି ଯାଏ ଦେଖାନାହିଁ।
୨୦୧୦ ମସିହାରେ ବିଲ୍ ଗେଟ୍ସ ଫାଉଣ୍ଡେସନ୍ ଏବଂ ବିହାର ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଂସ୍କାର ପାଇଁ ଏକ ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, ଭାରତରେ ପହଞ୍ଚିବା ସମୟରେ ବିଲ୍ ଗେଟ୍ସ ଦମ୍ପତି ଦାନାପୁରର ଜାମାସାଉଟ୍ ବସ୍ତିରେ ପହଞ୍ଚି ରାନୀ କୁମାରୀଙ୍କୁ ଧରି ନିଜ ଝିଅ ଭଳି କହିବା ସହ ନିଜ କୋଳକୁ ଟେକି ନେଇଥିଲେ।