(କିମାଶ୍ଚର୍ଯ୍ୟମ୍-୧୩)- ବିକାଶର ନଳଅଙ୍କ

(କିମାଶ୍ଚର୍ଯ୍ୟମ୍-୧୩)- ବିକାଶର ନଳଅଙ୍କ


ପରଂବ୍ରହ୍ମ ତ୍ରିପାଠୀ

ପାଣିକୁଣ୍ଡ ଆଉ ନଳ ଅଙ୍କ ? ମନେ ଅଛିନା? ପ୍ରଶ୍ନଟି ଅଶୀ, ନବେ, ୨୦୦୦ ଯାଏ ପାଠ ପଢ଼ୁଥିବା ସଭିଙ୍କ ପାଇଁ। ସପ୍ତମ ଶ୍ରେଣୀ ଅଙ୍କ ବହିରେ ଥିଲା ଏ ପାଣିକୁଣ୍ଡ ଆଉ ନଳ ଅଙ୍କ। ପ୍ରଶ୍ନ ଥିଲା ମୋଟା ମୋଟି ତିନି ପ୍ରକାରର। ପ୍ରଥମ ପ୍ରଶ୍ନଟି ହେଲା, କୁଣ୍ଡର ପାଣି ଧାରଣ କ୍ଷମତା ଏତିକି, କୁଣ୍ଡ ସହ ସଂଯୁକ୍ତ ନଳରୁ ମିନିଟକୁ ଏତିକି ପାଣି ବୁହେ, କୁଣ୍ଡଟି କେତେ ସମୟରେ ପୂର୍ଣ୍ଣ ହେବ? ଦ୍ଵିତୀୟ ପ୍ରକାର ପ୍ରଶ୍ନଟି ଏମିତି ଆସୁଥିଲା ଯେ, କୁଣ୍ଡରେ ଏତିକି ପାଣି ଅଛି, ନଳ ଦ୍ୱାରା ଗୋଟେ ମିନିଟରେ ଏତିକି ପାଣି ଖାଲି ହୁଏ, ତାହାଲେ ପୂର୍ଣ୍ଣ କୁଣ୍ଡଟି କେତେ ସମୟରେ ଖାଲି ହେବ? ଏ ଦୁଇଟି ତ ଗଲା ସହଜ, ମାଷ୍ଟ୍ରେ ଶ୍ରେଣୀର ବୁଦ୍ଧିମାନ ପିଲା ପାଇଁ ତୃତୀୟ ପ୍ରଶ୍ନଟି ଲୁଚେଇ ରଖୁଥିଲେ। ପିଲା ଯେତେବେଳେ ପ୍ରଥମ ଦୁଇଟି ପ୍ରଶ୍ନର ଉତ୍ତର ଦେଇ ନିଜ ବଡ଼ପଣିଆ ଜାହିର କରିବାକୁ ବସୁଥିଲା, ସେତେବେଳେ ମାଷ୍ଟ୍ରେ ଫୋପଡୁଥିଲେ ତୃତୀୟ ପ୍ରଶ୍ନ, ତୃତୀୟ ନଳ ଅଙ୍କ। ପ୍ରଶ୍ନଟି ହେଉଥିଲା, ପ୍ରଥମ ନଳ ଦ୍ୱାରା ମିନିଟକରେ ଏତିକି ପାଣି ପଶୁଛି, ଦ୍ଵିତୀୟ ନଳ ଦ୍ୱାରା ମିନିଟକରେ ଏତିକି ପାଣି ନିଷ୍କାସିତ ହେଉଛି, ଦୁଇଟି ଯାକ ନଳ ଏକ ସମୟରେ ଖୋଲା ରହିଲା, ତାହାଲେ କୁଣ୍ଡଟି କେତେ ମିନିଟରେ ପୁରା ହେବ?

ମନେ ପଡିଲା? ସେଇଠି ଅନେକ ଥର ଝୁଣ୍ଟି ଥିଲେ ନା? ଏକା ଆପଣ ନୁହେଁ , ଆପଣଙ୍କ ଭଳି ଲକ୍ଷ ଲକ୍ଷ ଝୁଣ୍ଟିଥିବେ ସେଇ ପ୍ରଶ୍ନରେ, ଭିନ୍ନ ଭିନ୍ନ ବୟସରେ। ଆଉ ଝୁଣ୍ଟିବା ବି ସ୍ୱାଭାବିକ। କାରଣ ଆମେ, ଆମକୁ ବଡ଼ କରୁଥିବା ପରିବେଶ, ଆମ ଯୋଜନା, ଆମ ଶିକ୍ଷା ବ୍ୟବସ୍ଥା, ଆମ ବଡ଼ ହେବାର ପ୍ରକ୍ରିୟା ମୂଳରୁ ଏକପାଖିଆ। ଏଠି ଦୁଇଟି କାରକ ଏକା ସମୟରେ ପ୍ରତିକ୍ରିୟା ଘଟେଇଲେ ପରୀକ୍ଷା କରୁଥିବା ବ୍ୟକ୍ତି ବା ପଦାର୍ଥର ନିଜସ୍ୱ ପ୍ରତିକ୍ରିୟା/ଅଭିବ୍ୟକ୍ତି କଣ ହେବ ସେ ବିଷୟରେ କମ ଆଲୋଚନା ହୁଏ ବା ଆଲୋଚନା କରିବାକୁ ନିରୁତ୍ସାହିତ କରାଯାଏ।

ଦଳେ ଜ୍ଞାନୀ ଅଛନ୍ତି କହିବେ କୁଣ୍ଡ ଖାଲି ଅଛି, ଏତିକି ସ୍ପୀଡରେ ପାଣି ଭର, କୁଣ୍ଡ ଏଗାର ମିନିଟ ତେର ସେକେଣ୍ଡରେ ପୁରିଯିବ। ତାଙ୍କ କହିବା ବି ଭୁଲ ନୁହେଁ। ସେମାନେ ପୋଥି ବିଜ୍ଞାନୀ, ବହୁ ଗବେଷଣା କରିଛନ୍ତି, ଜାଣିଛନ୍ତି ଗାତ କେତେ ଫୁଟର, କେତେ ପାଣି ପଡିଲେ କେତେ ସମୟରେ ଗାତ ପୁରିବ। ଯଦି ସବୁ ତଥ୍ୟ ଅନୁସାରେ ଚଳୁଥାନ୍ତା ତାହେଲେ ନିଶ୍ଚିତ ହେଇଥାନ୍ତା ସେଇଟା। ହେଲେ , ସବୁ ଗାତ ଭିତରେ ବା ଛୋଟ ଗାତ, ଆଉ ଛୋଟ ଗାତ ଭିତରେ ପୁଣି ମିଲି ଓ ମାଇକ୍ରୋମିଲି ଗାତ। ତେଣୁ କେବଳ ଗୋଟିଏ ମୁହଁ ବାଟେ ଗର୍ତ୍ତପୁରଣର ଉଦ୍ଦେଶ୍ୟ ଯେତେ ମହାନ ହେଲେ ବି ଇପ୍ସିତ ଫଳ ପାଇବ କି?

ଆଉ ଦଳେ ଜ୍ଞାନୀଙ୍କ ମତ, ସବୁତ ବୋହିଯିବ ନଳାରେ। ତମେ ଭରି ଚାଲ, କିନ୍ତୁ ବାହାରି ଯିବାର ବାଟ ଏତେ ପ୍ରଶସ୍ତ ଯେ କୁଣ୍ଡ ଭରିବା ପ୍ରଶ୍ନ ନୁହେଁ, ବରଂ ପ୍ରଶ୍ନ ହେଉଛି କୁଣ୍ଡ କେବେ ଓ କେତେ ଶୀଘ୍ର ଖାଲି ହେବ। ସେମାନଙ୍କ ନୈରାଶ୍ୟ ଓ ସଂଶୟକୁ ବାଦ ଦେଇ ଥଣ୍ଡା ମୁଣ୍ଡରେ ଭାବିଲେ ସେମାନଙ୍କ ପ୍ରଶ୍ନଟି ଏତେ ଅଯୌକ୍ତିକ ଓ ନକରାତ୍ମକ ମନେ ହେବ ନାହିଁ। ସେମାନେ ନୈରାଶ୍ୟବାଦୀ ହୋଇ ଥାଇ ପାରନ୍ତି, ମାତ୍ର ସେମାନେ ଉଠାଇ ଥିବା ପ୍ରଶ୍ନ ବିଲକୁଲ ଅଯୌକ୍ତିକ ନୁହେଁ। ସବୁ ତ ବୋହି ଯିବ, ରହିବ କଣ? ପ୍ରଶ୍ନରେ ନିରାଶା ଥାଇ ପାରେ, କିନ୍ତୁ ପ୍ରଶ୍ନଟି ଅଯୌକ୍ତିକ ନୁହେଁ।

ଏବେ ତୃତୀୟ ଅଙ୍କ କଥା, ଏପଟେ ଏତିକି ପଶିବ, ସେପଟେ ସେତିକି ବହାରିବ। ପୁରିବ କେବେ। ଏଇଟି ହିଁ ବାସ୍ତବତା, କିନ୍ତୁ ଏ ପ୍ରଶ୍ନକୁ ଶୀଘ୍ର ଓ ଉପଲବ୍ଧ ସାଧନର ସର୍ବୋତ୍କୃଷ୍ଟ ବ୍ୟବହାର କରି ସମାଧାନ କରିବା ପାଇଁ ଆମକୁ କଣ ଦରକାର? ପ୍ରଥମେ, ପ୍ରଥମ ପ୍ରଶ୍ନର ସେ ନଳ ଯିଏ ଅଧିକ ପାଣି ଭର୍ତ୍ତି କରି ପାରୁଥିବ। ଆଉ ଦ୍ଵିତୀୟରେ ହେଉଛି, ଦ୍ଵିତୀୟ ପ୍ରଶ୍ନର ସବୁଠାରୁ ସ୍ମାର୍ଟ ଉତ୍ତରଦାତା, ମାନେ ଯିଏ ଯେତେ ଶୀଘ୍ର ନାଳ/କଣା କୋଉଠି ଅଛି ତାକୁ ଚିହ୍ନଟ କରି, ସେଇଟିକୁ କେତେ ଶୀଘ୍ର ବନ୍ଦ କରିପାରୁଥିବ।

ଦୁଇଟି ଯାକ ଏକା ସାଙ୍ଗେ ହେବା ଦରକାର। ନହେଲେ କୁଣ୍ଡ କେବଳ ଭାଷଣରେ ପୁରୁଥିବ, ପ୍ରଥମ ଅଙ୍କ କସୁଥିବା ଦଳେ କୁଣ୍ଡ ପୂରଣ ହେବା ଆଗରୁ ଆମେ ପୂରଣ କରିଦେଲୁ ବୋଲି ଚିତ୍କାର କରୁଥିବେ, ଦ୍ଵିତୀୟ ଅଙ୍କ କଷୁଥିବା ଦଳକ ସେମିନାରରେ ଜ୍ଞାନ ଦେଇ ଚାଲିଥିବେ ଯେ ଆମେ କହିଥିଲୁ ନା କୁଣ୍ଡ ପୂରଣ ହେବନି ବୋଲି, ଆଉ ତୃତୀୟ ଅଙ୍କ କେବଳ ବହିରେ ଥିବ। ଆମ ନିତିଦିନିଆ ଜୀବନରେ ଆସୁନଥିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: