ସୁର ସାମ୍ରାଜ୍ଞୀ ଲତା, ସଙ୍ଗୀତ ସାମ୍ରାଜ୍ୟର ବୁଲବୁଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଲତା ମଙ୍ଗେସକର। ସମସ୍ତଙ୍କ ପ୍ରିୟ ଲତା ଜୀ। ୧୯୨୯ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ହୁଅନ୍ତି ଲତା। ପିଲାଟି ଦିନରୁ ସଙ୍ଗୀତ ପ୍ରତି ଥିବା ଅତ୍ୟଧିକ ଦୁର୍ବଳତା ତାଙ୍କୁ ସାରା ବିଶ୍ବରେ ପରିଚିତ କରାଇଛି। ପିଲାଦିନେ ତାଙ୍କ ନାଁ ଥିଲା ହେମା। ପରବର୍ତ୍ତୀ ସମୟରେ ତାହା ଲତାକୁ ପରିବର୍ତ୍ତିତ ହୋଇଥିଲା। ମାତ୍ର ୫ ବର୍ଷ ବୟସରୁ ଲତା ତାଙ୍କ ବାପାଙ୍କ ମ୍ୟୁଜିକାଲ୍ ପ୍ଲେ କରିଥିଲେ। ୧୯୪୨ରେ ଲତା ପ୍ରଥମେ ଏକ ମରାଠୀ ଫିଲ୍ମରେ ଗୀତ ଗାଇଥିଲେ। ୧୯୪୫ରେ ଲତା ମୁମ୍ବାଇକୁ ଆସିଥିଲେ। ସେଠାରେ ସେ ଉସ୍ତାଦ୍ ଅମାନ ଅଲ୍ଲୀ ଖାନଙ୍କ ଠାରୁ ଇଣ୍ଡିଆନ୍ କ୍ଲାସିକାଲ୍ ଶିକ୍ଷା କରିଥିଲେ। ପଚାଶ ଦଶକରେ ଲତା ଜୀ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଗାୟିକା ଭାବେ ପରିଚିତ ହୋଇ ସାରିଥିଲେ। ୧୯୫୧ରେ ଏସଡି ବର୍ମନଙ୍କ ସଜା ଫିଲ୍ମରେ ଲିଡ୍ ଫିମେଲ୍ ସିଙ୍ଗର ଭାବେ ଚାନ୍ସ ପାଇବା ପରେ ପଛକୁ ଚାହିଁ ନ ଥିଲେ ଲତା।

ଷାଠିଏ ଦଶକର ପ୍ୟାର୍ କିୟା ତୋ ଡରନା କିୟା ଗୀତ ଆଜି ବି ଶୁଣିଲେ ମନେପଡ଼େ ମୁଗଲ୍ ଇ ଆଜମର କଥା। ଅଜୀବ ଦାସ୍ତା ହେ ୟେ, ଆଲ୍ଲା ତେରୋ ନାମ୍, କହିଁ ଦୀପ୍ ଜଲେ କହିଁ ଦିଲ୍, କୋରା କାଗଜ୍ ଥା ୟେ ମନ୍ ମେରା, ତେରେ ବିନା ଜିନ୍ଦେଗୀ ସେ କୋଇ, ଲଗ୍ ଜା ଗଲେ, ହୋ ପର୍ ଦେଶିୟା ଆଦି ଗୀତ ସେତେବେଳେ ଲତାଙ୍କୁ ଶିଖରରେ ପହଞ୍ଚାଇ ଦେଇଥିଲା। ସେହିପରି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀରେ ବି ଲତା ମଙ୍ଗେସକର ତାଙ୍କ କଣ୍ଠର ଯାଦୁ ଛାଡ଼ି ଦେଇଛନ୍ତି। ୧୯୬୭ ମସିହାରେ ‘ଅରୁନ୍ଧତୀ’ ସିନେମାର ଆଜି ‘ମୁଁ ଶ୍ରାବଣୀ’ ଗୀତ ବିରହୀ ପ୍ରେମୀର ଆଖି ଜକେଇ ଦେଇଥାଏ। ସେହିପରି ୧୯୬୩ ମସିହାରେ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରର ‘ସେଇ ଚୁନା ଚୁନା ତାରା ଫୁଲ’ ଗୀତ ଆଜି ବି ସେଇ ପୁରୁଣା ଜମାନାକୁ ଫେରାଇ ନିଏ।

ତାଙ୍କ ସଫଳ ଯାତ୍ରା ମଧ୍ୟରେ ଅନେକ ସମ୍ମାନର ଅଧିକାରିଣୀ ହୋଇଛନ୍ତି ଲତା। ୧୯୫୮ରେ ‘ମଧୁମତି’ ଫିଲ୍ମର ‘ଆଜାରେ ପରଦେଶୀ’ ଗୀତ ପାଇଁ ତାଙ୍କୁ ମିଳିଥିଲା ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ। ଏହାପରେ ୧୯୬୩ରେ ‘କହିଁ ଦୀପ୍ ଜଲେ କହିଁ ଦିଲ୍’ ଗୀତ ପାଇଁ ତାଙ୍କୁ ପୁଣି ଥରେ ଫିଲ୍ମ ଫେୟାର୍ ଆୱାର୍ଡ ମିଳିଥିଲା। ତିନି ଥର ଜାତୀୟ ଫିଲ୍ମ ଫେୟାର ଆୱାର୍ଡ, ଚାରି ଥର ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ୍ ପ୍ଲେ ବେକ୍ ସିଙ୍ଗର୍, ଦୁଇ ଥର ସ୍ପେଶାଲ ଫିଲ୍ମ ଫେୟାର ଆୱାର୍ଡ ହେଉଛି ତାଙ୍କ ସାଧନାର ସ୍ୱୀକୃତି। ୧୯୬୯ରେ ସେ ପାଇଥିଲେ ପଦ୍ମ ଭୂଷଣ ସମ୍ମାନ। ଏହାପରେ ୧୯୮୯ରେ ଦାଦା ସାହେବ ଫାଲକେ ପୁରସ୍କାର, ୧୯୯୯ରେ ରାଜୀବ ଗାନ୍ଧି ସଦଭାବନା ସମ୍ମାନ ସହ ମିଳିଥିଲା ପଦ୍ମ ବିଭୂଷଣ ସମ୍ମାନ। ୨୦୦୧ରେ ତାଙ୍କୁ ମିଳିଥିଲା ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ତାଙ୍କ ଜନ୍ମଦିନରେ ଦେଶର ବିଭିନ୍ନ ବର୍ଗର ବ୍ୟକ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲତାଙ୍କ ଜନ୍ମଦିନରେ ବାଲୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।

%d bloggers like this: