ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ ବିଷୟରେ କିଏ ବା ନଜାଣେ। କିମ ଜୋଙ୍ଗ ନିଜର ଅଜବ କରାନାମା ଯୋଗୁଁ ସବୁବେଳେ ଲାଇମଲାଇଟରେ ରହିଥାନ୍ତି । ତେବେ ଉତ୍ତର କୋରିଆକୁ ଏକ ଗୁପ୍ତ ଦେଶ ଭାବରେ ବିବେଚନା କରାଯାଏ, କାରଣ ଏହା ସହ ଜଡିତ କୌଣସି ଜିନିଷ ବାହ୍ୟ ଦୁନିଆରେ ଖୁବ୍ କମ୍ ପହଞ୍ଚେ। ଏଠାରେ କଣ ଘଟୁଛି କେହି ଜାଣିବା ଅତ୍ୟନ୍ତ କଷ୍ଟକର, କାରଣ ଏଠାକାର ଶାସକ ନିଜ ଦେଶର ଘଟଣା ଦୁର୍ଘଟଣା ବାହାରକୁ ଆସିବାକୁ ଦିଅନ୍ତି ନାହିଁ। ଏଠାରେ ଶାସକଙ୍କ ମୃତ୍ୟୁ ପରେ କାନ୍ଦିବାର ଏକ ପ୍ରଥା ମଧ୍ୟ ରହିଛି। ଯଦି କେହି ଏହି ପ୍ରଥା ପାଳନ କରନ୍ତି ନାହିଁ, କିମ ପରିବାର ତାଙ୍କୁ କଠୋର ଦଣ୍ଡ ଦିଅନ୍ତି ବୋଲି କୁହାଯାଏ।
୨୦୧୧ ମସିହାରେ କିମ ଜୋଙ୍ଗ ଉନ ତାଙ୍କ ପିତା କିମ ଜୋଙ୍ଗ ଇଲଙ୍କ ମୃତ୍ୟୁ ପରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା ହୋଇଥିଲେ। ତାଙ୍କ ଜେଜେବାପା କିମ-୨ ସାଙ୍ଗ ଉତ୍ତର କୋରିଆର ପ୍ରତିଷ୍ଠାତା ତଥା ପ୍ରଥମ ନେତା ଥିଲେ, ଯିଏ ୧୯୯୪ ରେ ମରିଥିଲେ। ଏହା ପରେ କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲ କ୍ଷମତା ଗ୍ରହଣ କରିଥିଲେ। କୁହାଯାଏ ଯେ ଉତ୍ତର କୋରିଆର ପ୍ରତ୍ୟେକ ଘରେ କିମ ଜୋଙ୍ଗଙ୍କ ପିତା ଏବଂ ତାଙ୍କ ଜେଜେବାପାଙ୍କ ଚିତ୍ର ରଖିବା ବାଧ୍ୟତାମୂଳକ ହୋଇଛି। କିମ ଜୋଙ୍ଗ ଇଲଙ୍କ ମୃତ୍ୟୁ ପରେ ପ୍ରଜାଙ୍କୁ ସମବେଦନା ସଭାରେ ଖୋଲାଖୋଲି କାନ୍ଦିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଶୋକ ସଭାରେ ଲୋକମାନେ ଚିଲେଇ ଚିଲେଇ କାନ୍ଦୁଥିଲେ ଏବଂ ଛାତି ବାଡେଇ କାନ୍ଦୁଥିଲେ। ଏବଂ ଯିଏ ସଠିକ୍ ଭାବରେ କାନ୍ଦୁ ନଥିଲା ପରଦିନ ସେ ଅଦୃଶ୍ୟ ହୋଇଯାଇଥିଲେ ବୋଲି କୁହାଯାଏ । ଏ ବିଷୟରେ ଗଣମାଧ୍ୟମରେ ଅନେକ ଆଲୋଚନା ହୋଇଥିଲା। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଶାସକଙ୍କ ମୃତ୍ୟୁ ପରେ ନୂତନ ରାଜା କିମ ଜୋଙ୍ଗ ଉନ ପିତାଙ୍କ ପାଇଁ ଅନେକ ଶୋକ କରିଥିଲେ। ଜନସାଧାରଣଙ୍କୁ ଏହି ଶୋକ ସଭାଗୁଡ଼ିକୁ ଆସି କାନ୍ଦି ପ୍ରମାଣ କରିବାକୁ ପଡୁଥିଲା ଯେ ସେମାନେ ବୃଦ୍ଧ ରାଜାଙ୍କୁ ଭଲ ପାଆନ୍ତି।
ଶୋକ ସଭାରେ କାନ୍ଦିବା କିମ ପରିବାର ପ୍ରତି ତାଙ୍କର ବିଶ୍ୱସ୍ତତାର ପ୍ରମାଣ ମଧ୍ୟ କରିଥାଏ। ରିପୋର୍ଟ ଅନୁଯାୟୀ, ଏହି ଶୋକସଭା ୧୦ ଦିନ ଧରି ଚାଲିଥାଏ, ଯେଉଁଠାରେ ସମସ୍ତେ ଯୁବକ, ଶିଶୁ, ବୃଦ୍ଧ, ମହିଳା ଏବଂ ପୁରୁଷ କାନ୍ଦିବା ବାଧ୍ୟତାମୂଳକ ହୋଇଥାଏ। କେବଳ ଏତିକି ନୁହେଁ, ଏହି ଶୋକ ସଭାଗୁଡ଼ିକରେ ଏହା ଉଲ୍ଲେଖ କରାଯାଇଥାଏ ଯେ କିଏ ସଠିକ୍ ଭାବରେ କାନ୍ଦୁନାହାଁନ୍ତି । ଏହା କିମ ପରିବାର ପ୍ରତି ବିଶ୍ୱସ୍ତତାର ଅଭାବ ଭାବରେ ବିବେଚନା କରାଯାଏ। ୧୦ ଦିନିଆ ସମବେଦନା ଅଧିବେଶନ ପରେ ସମାଲୋଚନା ଅଧିବେଶନ କରାଯାଇଥାଏ, ଯେଉଁଥିରେ କିମ ନିଜେ ଉପସ୍ଥିତ ରୁହନ୍ତି। ଏହି ଅଧିବେଶନରେ ନିଷ୍ପତ୍ତି ନିଆଯାଏ ଯେ ଯେଉଁମାନେ ସଠିକ୍ ଭାବରେ କାନ୍ଦି ନାହିଁ ସେମାନଙ୍କୁ ତୁରନ୍ତ ୬ ମାସ କାରାଗାରରେ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ। ଏହା ପରେ ହଜାର ହଜାର ଦୋଷୀଙ୍କୁ ଘରୁ ଉଠାଇ ନିଆଯାଇଥାଏ। କମ୍ କାନ୍ଦିବା ହେତୁ ଅନେକଙ୍କ ପରିବାର ମାସ ମାସ ଧରି ଶ୍ରମ ଶିବିରରେ ରହିଥାନ୍ତି। ସେଠାରେ କଠୋର ପରିଶ୍ରମ କାଟିବାକୁ ପଡିଥାଏ।
0 Comments