ପେଟରେ ଓଦାକନା ଦେଇ ଡିଜିଟାଲ ଷ୍ଟ୍ରାଇକ୍, ହାଓ ଇଜ୍ ଦ ଜୋଶ୍ ?

ପେଟରେ ଓଦାକନା ଦେଇ ଡିଜିଟାଲ ଷ୍ଟ୍ରାଇକ୍, ହାଓ ଇଜ୍ ଦ ଜୋଶ୍ ?

ପ୍ରିଜମ୍ ନ୍ୟୁଜ(ସଂପାଦକୀୟ): ଭାରତରେ ଲୋକପ୍ରିୟ ଅନଲାଇନ୍ ଖେଳ ପବ୍-ଜି ବ୍ୟାନ ହୋଇଛି। ଏହାସହ ୧୧୮ଟି ମୋବାଇଲ ଆପ୍ ଉପରେ ଭାରତ ସରକାର ରୋକ୍ ଲଗାଇଛନ୍ତି। ପୂର୍ବରୁ ବ୍ୟାନ୍ ହୋଇଥିବା ଏବଂ ଆଜିର ବ୍ୟାନକୁ ମିଶାଇ ଏଯାବତ୍ ଭାରତ ସରକାର ୨୨୪ଟି ଆପ୍ କୁ ବ୍ୟାନ କରିଛନ୍ତି। ଏହା ଚୀନ୍ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ମାତ୍ର, ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହାଦ୍ୱାରା ଚୀନ୍ ଉପରେ କିଛି ପ୍ରଭାବ ପଡ଼ିବ କି ? ଭାରତ ସରକାର ଏହି ଆପ୍ ଗୁଡ଼ିକୁ ଆଜୀବନ ବ୍ୟାନ୍ କରିପାରିବେ କି ? ଭାରତ ଓ ଚୀନ ବିବାଦ ପ୍ରସଙ୍ଗରେ ନିକଟରେ ‘ଗ୍ଲୋବାଲ୍ ଟାଇମ୍ସ’ ଏକ ସଂପାଦକୀୟ ଲେଖିଥିଲା। ଏଥିରେ ସ୍ପଷ୍ଟ ଲେଖା ହୋଇଛି ଯେ, ୱାସିଂଟନ କେବଳ ଭାରତକୁ ମୌଖିକ ଭାବେ ସମର୍ଥନ କରିପାରିବ। ମାତ୍ର, ଭୂ-ଖଣ୍ଡ ହଡ଼ପ କରିବା ପ୍ରସଙ୍ଗରେ ଆମେରିକା ଭାରତକୁ କେମିତି ସାହାଯ୍ୟ କରିପାରିବ ବୋଲି ଏଥିରେ ପ୍ରଶ୍ନ କରାଯାଇଛି। ଏଥିରୁ ସ୍ପଷ୍ଟ ଅନୁମାନ ଯେ ଦୁଇ ଦେଶ ମଧ୍ୟରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଦେଖା ହୁଏ, ତେବେ ତାହା ଦୁଇ ଦେଶ ହିଁ ସମାଧାନ କରିବେ। ବାହାର ଲୋକ କେହି ବି ପିଠିରେ ପଡ଼ିବେ ନାହିଁ। ସିଏ ଅଲଗା ପ୍ରସଙ୍ଗ, ଏବେ ମୂଳ ପ୍ରସଙ୍ଗକୁ ଫେରିବା।

ଦୁଇ ଦିନ ପୂର୍ବେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ମୋଟ୍ ଘରୋଇ ଉତ୍ପାଦ ବା ଜିଡିପି ୨୩.୯ ପ୍ରତିଶତ ଖସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ତଥ୍ୟ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଭାରତର ଆର୍ଥିକ ସ୍ଥିତି ଭୁଶୁଡ଼ି ସାରିଛି। ଗତ ଚାରି ଦଶନ୍ଧି ମଧ୍ୟରେ ପ୍ରଥମ ଥର ଲାଗି ଭାରତର ଜିଡିପି ମାଇନସ୍ କୁ ଯାଇ ଏତେ ପରିମାଣରେ ଖସିଛି। ୧୯୯୬ ମସିହା ପରଠାରୁ ତ୍ରୈମାସିକ ଜିଡିପି ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଜିଡିପିରେ ଏଭଳି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଜୁନ ତ୍ରୈମାସରେ ଜିଡିପି ୫.୨ ପ୍ରତିଶତ ଥିଲା।

ତେବେ ଦେଶର ଅବସ୍ଥା ଶୋଚନୀୟ ଥିବାବେଳେ ଦେଶର ଅର୍ଥମନ୍ତ୍ରୀ ଏଥିପାଇଁ ଭଗବାନଙ୍କୁ ଦାୟୀ କରିଛନ୍ତି। ଏହା ନିହାତି ଭାବେ ହାସ୍ୟାସ୍ପଦ। କୋରୋନା ପାଇଁ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବା ଏବଂ ବ୍ରିଟେନ୍ ଭଳି ଦେଶ ସହ ନିଜକୁ ତୁଳନା କରିବା ନିର୍ଲଜପଣିଆ ନୁହେଁ ତ ଆଉ କ’ଣ! ଆମେରିକାର ଜିଡିପି ୯.୫ ପ୍ରତିଶତ ହ୍ରାସ ପାଇଛି। ସେହିପରି ଜାପାନର ଜିଡିପି ୭.୬ ପ୍ରତିଶତ, ବ୍ରିଟେନର ଜିଡିପି ୨୦.୪ ପ୍ରତିଶତ, ଫ୍ରାନ୍ସର ଜିଡିପି ୧୩.୮ ପ୍ରତିଶତ, ଇଟାଲିର ଜିଡିପି ୧୨.୪ ପ୍ରତିଶତ ଏବଂ କାନାଡ଼ାର ଜିଡିପି ୧୨ ପ୍ରତିଶତ ଖସିଛି। ତେବେ ଏସବୁ ପରେ ବି ଭାରତ ସରକାରଙ୍କ ଅର୍ଥନୈତିକ ଉପଦେଷ୍ଟା ବ୍ରିଟେନ ସହ ତୁଳନା କରିଛନ୍ତି। ଅବଶ୍ୟ ଫେଲ୍ ହୋଇଥିବା ପିଲା ସର୍ବଦା ଖାତାଦେଖାକୁ ଦାୟୀ କରିଥାଏ। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ, ଜିଡିପିର ୭୭ ପ୍ରତିଶତ ଅଂଶ ଋଣ ହେଲେ ଆର୍ଥିକ ବିକାଶ ସାଧାରଣତଃ ଧୀମା ହୋଇଥାଏ। ସେହିପରି ୭୭ ପ୍ରତିଶତରୁ ଅଧିକ ହେଲେ ଦେଶର ଆର୍ଥିକ ସ୍ଥିତାବସ୍ଥା ୧.୭ ପ୍ରତିଶତକୁ ହ୍ରାସ ପାଇ ଯାଇଥାଏ। ଭାରତୀୟ ଷ୍ଟେଟବ୍ୟାଙ୍କର ଜୁଲାଇ ରିପୋର୍ଟ ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ଅନୁପାତରେ ଋଣର ପ୍ରତିଶତ ୮୭.୬ ପ୍ରତିଶତ ହୋଇଛି। ତେବେ ୨୦୧୨ରେ ଭାରତର ଋଣ ୫୮.୫ ଲକ୍ଷ କୋଟି ଥିଲା। ଜିଡିପି ଅନୁପାତରେ ଏହା ୬୭.୪ ପ୍ରତିଶତ ରହିଥିଲା। କିନ୍ତୁ, ୨୦୨୦ରେ ଏହି ଋଣ ପରିମାଣ ୧୮୬ ଲକ୍ଷ କୋଟି, ଯାହା ଜିଡିପିର ୭୨.୨ ପ୍ରତିଶତ। ଆଗକୁ ଏହା ୭୭ ପ୍ରତିଶତରୁ ଅଧିକ ହେବା ଆଶଙ୍କା କରାଯାଉଛି। ଏତିକିରେ ତ ମାଇନସ୍ ଅବସ୍ଥା ଆମେ ଦେଖି ସାରିଛେ, ଆଗକୁ ପରିସ୍ଥିତି ଆହୁରି ସାଂଘାତିକ ହେବାର ଆଶଙ୍କା କରାଯାଉଛି। ଆମେରିକା, ଜାପାନ ଭଳି ରାଷ୍ଟ୍ର ଭିନ୍ନ ଉପାୟରେ ଆର୍ଥିକ ସ୍ଥିତିକୁ ସୁଧାରି ଥାନ୍ତି। ଆମେରିକା ଡଲାରର ସାହାଯ୍ୟ ନେଇଥାଏ ଏବଂ ଜାପାନରେ ସରକାରଙ୍କ ଅପେକ୍ଷା ଲୋକଙ୍କ ଋଣ ପରିମାଣ ଅଧିକ। କିନ୍ତୁ, ଭାରତରେ ସରକାରଙ୍କ ଋଣ ଅଧିକ।


ସେହିପରି ଭାରତରେ ଲୋକମାନଙ୍କୁ ରୋଜଗାର ମିଳୁନି। ସଂସ୍ଥା ଗୁଡ଼ିକ ଛଟେଇ କରୁଛନ୍ତି। ଲୋକଙ୍କ ଚାକିରି ନାହିଁ। ଲକ୍ ଡାଉନ୍ ନାଁରେ ସରକାର ଲୋକଙ୍କ ହାତଗୋଡ଼ ବାନ୍ଧି ଦେଇଛନ୍ତି। ଦୀର୍ଘ ଛଅ ମାସ ଧରି କୌଣସି କାରବାର ହୋଇ ପାରୁନି। ଏହାରି ଭିତରେ କିନ୍ତୁ କୋରୋନାକୁ ଆମେ ହରାଇବା ପାଇଁ ଦୀପ ଜାଳି ସାରିଛେ, ଥାଳି ଆଉ ଘଣ୍ଚ ବି ବଜାଇ ସାରିଛେ। କେବଳ ସେତିକି ନୁହେଁ, ଶାନ୍ତି ଓ ମୈତ୍ରୀର ପ୍ରତୀକ ପ୍ରଧାନମନ୍ତ୍ରୀ ନିଜର ପଶୁ ଓ ପକ୍ଷୀ ପ୍ରେମକୁ ମଧ୍ୟ ଦୁନିଆ ଆଗରେ ଦେଖାଇ ସାରିଛନ୍ତି। ଆତ୍ମନିର୍ଭର ଭାରତର ସ୍ଲୋଗାନ ଏବଂ ଭୋକାଲ ଫର୍ ଲୋକାଲ୍ ନାରାରେ ଆମେ ନିଜର ଦମ୍ଭୋକ୍ତିକୁ ପ୍ରତିପାଦନ କରି ସାରିଛେ। ଯିଏ ଚାକିରି ନ ପାଉଛି, ନ ପାଉ, ଯିଏ ପେଟକୁ ଗଣ୍ଡେ ଦାନା ନ ପାଉଛି, ନ ପାଉ। ତାଳି ଓ ଥାଳି ବଜାଇ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା। କୋରୋନା ବିରୋଧରେ ଲଢ଼େଇ କରି କୋରୋନାକୁ ପରାସ୍ତ କରିବା।

ଦେଶର ପାଖାପାଖି ଏକ କୋଟି ଲୋକ ରୋଜଗାରହୀନ। କିନ୍ତୁ, ସେହି ଦିଗରେ କେହି ପଦିଏ ହେଲେ କହୁନାହାନ୍ତି। କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯେଉଁ ଲକଡାଉନ୍ କୁ ଢାଲ କରାଯାଇଥିଲା, ଏହା କରିବା ପରେ କୋରୋନା ନିୟନ୍ତ୍ରଣରେ ରହିଛି କି ? ବରଂ ଭାରତ ବିଶ୍ୱ ତାଲିକାରେ ଶ୍ରେଷ୍ଠ ହେବାକୁ ଅଳ୍ପ ବାକି ଅଛି। ବିମୁଦ୍ରୀକରଣ ଏବଂ ଜିଏସଟି ଲାଗୁ ହେବା ପରଠାରୁ ଅଭିବୃଦ୍ଧି ହାର ପ୍ରତିମାସ ଖସି ଚାଲିଥିଲା। ଯେତେବେଳେ ଦେଶର ଅଭିବୃଦ୍ଧି ହାର ୪ ପ୍ରତିଶତରୁ ତଳକୁ ଖସିଲା, ସେତେବେଳେ ଦେଶର ଅର୍ଥମନ୍ତ୍ରୀ ନୂଆ ପିଲା ଏବଂ ଓଲା ଉବେର କଥା କହି ଉଡ଼ାଇ ଦେଇଥିଲେ। ନୂଆ ପିଢ଼ିର ପିଲାମାନେ ଓଲା ଉବର ବ୍ୟବହାର କରିବା ଯୋଗୁ ନୂଆ ଗାଡ଼ିର ଚାହିଦା ହ୍ରାସ ପାଇଛି। ଫଳରେ ଦେଶର ଅଭିବୃଦ୍ଧି ହ୍ରାସ ପାଉଛି। ମାତ୍ର, କୋରୋନା ପୂର୍ବରୁ ସତର୍କ କରାଇଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କଥାକୁ କେହି ଦୃଷ୍ଟି ଦେଇ ନାହାନ୍ତି। ତେଣୁ, ଆଗାମୀ ଦିନରେ ଭାରତ ଯେ ଏକ ଅନ୍ଧାର ଦିଶାକୁ ପ୍ରବେଶ କରୁଛି, ଏଥିରେ ସନ୍ଦେହ ନାହିଁ। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ଡାଟା ଅନୁସାରେ, ଅଗଷ୍ଟ ମାସରେ ସହରାଞ୍ଚଳ ବେକାରୀ ସମସ୍ୟା ୯.୮୩ ପ୍ରତିଶତ ରହିଛି। ଏହା ଜୁଲାଇ ମାସରେ ୯.୧୫ ପ୍ରତିଶତ ଥିଲା। ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦେଶର ସହରାଞ୍ଚଳରେ ପ୍ରତି ଦଶ ଜଣ ଲୋକଙ୍କ ମଧ୍ୟରେ ଜଣେ ବେକାରୀ। ସେହିପରି ଗ୍ରାମାଞ୍ଚଳ ବେକାରୀ କଥା ଚିନ୍ତା କଲେ, ଜୁଲାଇ ମାସରେ ଏହା ୬.୬୬ ପ୍ରତିଶତ ଥିଲା । ଅଗଷ୍ଟ ମାସରେ ବୃଦ୍ଧି ପାଇ ଏହା ୭.୬୫ ପ୍ରତିଶତ ରହିଲା। ତେଣୁ, ଏଥିରୁ ସ୍ପଷ୍ଟ ଯେ ଦେଶର ଅବସ୍ଥା ଭଲ ନାହିଁ।

ଓ ହେନରିଙ୍କ କାହାଣୀ, ‘ଦି ଲାଷ୍ଟ ଲିଫ୍’ରେ ମିଛ କହୁଥିବା ଚିତ୍ରକର ଏବଂ ଦେଶର ସରକାର ପ୍ରାୟ ସମାନ। ସିଏ ଥିଲା ଏକ କାହାଣୀ, କିନ୍ତୁ ଏବେ ଯାହା ଘଟୁଛି ତାହା ବାସ୍ତବିକ। ମିଛ ଚିତ୍ରର ପ୍ରହେଳିକାରେ ବଞ୍ଚୁଥି୍ବା ପ୍ରତିଟି ଭାରତୀୟ ପାଇଁ ଏବେ ପ୍ରକୃତ ସମୟ ଆସିଛି। ଭାରତରେ ଚାଇନିଜ ଆପ୍ ବ୍ୟାନ୍ କରିବା ଅପେକ୍ଷା ଲୋକଙ୍କୁ ନିଯୁକ୍ତି ଦେବା ଏବଂ ପ୍ରକୃତ ଆତ୍ମନିର୍ଭର କରିବାରେ ସରକାର ସମୟ ବିତାଇଲେ ଦେଶର ଅବସ୍ଥା ହୁଏ ତ ସୁଧୁରି ଯାଇପାରେ। ନହେଲେ ଡିଜିଟାଲ ଷ୍ଟ୍ରାଇକ୍ ଆଳରେ ଲୋକେ ଜୋଶ୍ ବଦଳରେ ଭୋକ ଉପାସରେ ପେଟରେ ଓଦା କନା ଦେଇ ଶୋଇବାକୁ ବାଧ୍ୟ ହେବେ, ଏଥିରେ ସନ୍ଦେହ ନାହିଁ।

%d bloggers like this: