ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଦେଶରେ କୋରୋନା ପ୍ରତିଷେଧକ ପ୍ରଦାନ କାର୍ଯ୍ୟ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩କୋଟି କୋଭିଡ୍ ଯୋଦ୍ଧାଙ୍କୁ ଦୁଇ ଡୋଜ ଟିକା ପ୍ରଦାନର ଲକ୍ଷ୍ୟ ରଖିଛନ୍ତି ସରକାର। ଯେଉଁମାନେ ଜାନୁୟାରୀ ୧୬ରେ ପ୍ରଥମ ଡୋଜ୍ ଟିକା ନେଇଥିଲେ, ସେମାନଙ୍କୁ ଚଳିତ ମାସ ୧୩ ତାରିଖରୁ ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଗଲାଣି। ବିଡ଼ମ୍ବନାର ବିଷୟ ହେଉଛି, ଏକ ମାସ ମଧ୍ୟରେ ମାତ୍ର ତିନି ଶତାଂଶ ଲୋକ ଟିକା ନେଇଛନ୍ତି। ଶୁକ୍ରବାର ଅର୍ଥାତ୍ ଫେବୃୟାରୀ ୧୯ ତାରିଖରେ ସରକାର ଦେଇଥିବା ହିସାବ ଅନୁଯାୟୀ ଟିକାକରଣ ଏକ କୋଟି ସଂଖ୍ୟା ଛୁଇଁଛି। ଯଦି ଏଭଳି ମନ୍ଥର ଗତିରେ ଟିକାକରଣ କାର୍ଯ୍ୟ ଚାଲେ, ତେବେ ସରକାର ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣରେ ସମର୍ଥ ହେବେକି ? ଏହି ପରିପ୍ରେକ୍ଷୀରେ ଦେଶର ମହାରାଷ୍ଟ୍ର,ଓ କେରଳ ରାଜ୍ୟର କେତେକ ସ୍ଥାନରେ ନୂଆ ଭୁତାଣୁ ସଂକ୍ରମଣ ଦେଖିବାକୁ ମିଳିଲାଣି।
ବ୍ରିଟେନ ଭୂତାଣୁ, ଦକ୍ଷିଣ ଆଫ୍ରିକା ଭୂତାଣୁ ଓ ବ୍ରାଜିଲ ଭୂତାଣୁ ସରକାରଙ୍କ ଚିନ୍ତା ବଢ଼ାଇଲାଣି। କେବଳ ଦ୍ରୁତ ଟିକାକରଣ କୋରୋନା ସଂକ୍ରମଣ ଆଶଙ୍କାକୁ ରୋକିପାରିବ। କିନ୍ତୁ ଦ୍ରୁତତା କାହିଁ ? ଏକ ମାସ ମଧ୍ୟରେ ଯଦି ମାତ୍ର ୯୦ ଲକ୍ଷ ଲୋକଙ୍କୁ ପ୍ରତିଷେଧକ ଦେବା ସମ୍ଭବ ହେଉଛି। ତେବେ ପ୍ରଥମ ପର୍ଯ୍ୟାୟ ଲକ୍ଷ୍ୟ ପୂରଣ ହେବ କେବେ ? କେବଳ ପ୍ରଥମ ଡୋଜ୍ ନୁହେଁ, ଟିକା ନେଉଥିବା ଲୋକେ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ଆସିବେ। ସେମାନଙ୍କ ସହ ନୂଆ ଲୋକଙ୍କୁ ଟିକାକରଣ ସମାନ୍ତରାଳ ଭାବେ ଚାଲିବ। ସୁତରାଂ ସରକାର ପ୍ରଥମ ପର୍ଯ୍ୟାୟରେ ଯେଉଁ କୋରୋନା ଯୋଦ୍ଧାମାନଙ୍କୁ ଟିକା ଦେଉଛନ୍ତି, ତାହା ନିର୍ଦ୍ଧାରିତ ସମୟ ଜୁଲାଇ ସୁଦ୍ଧା ସାରିବା ନେଇ ସନ୍ଦେହ ଦେଖାଦେଲାଣି। ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲଡ୍ କୋରୋନା ଟିକା ପ୍ରଦାନ କରାଯାଉଛି। ଗୁରୁବାର ସୁଦ୍ଧା ୮୬,୯୯, ୨୩୦ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇ ସାରିଥିଲା। ଫେବୃୟାରୀ ୧୩ରୁ ଆରମ୍ଭ ହୋଇଥିବା ଦ୍ଵିତୀୟ ଡୋଜ ଟିକାକରଣ ଏହି ସମୟ ମଧ୍ୟରେ ୨,୧୯, ୩୩୯ ଜଣଙ୍କ ଠାରେ ସମ୍ଭବ ହୋଇଛି। ଏହି ପରିସଂଖ୍ୟାନ ନୂଆ କରି ଚିନ୍ତା ବଢ଼ାଇଛି। କାରଣ ସରକାର ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା ଲଗାଇବାର ଲକ୍ଷ୍ୟ ରଖିଛନ୍ତି। ତନ୍ମଧ୍ଯରୁ ମାତ୍ର ୩ରୁ ୪ଶତାଂଶ ଲୋକ ଏପର୍ଯ୍ୟନ୍ତ ଟିକା ନେଇଛନ୍ତି। ଅବଶିଷ୍ଟ ୯୬-୯୭ ଶତାଂଶଙ୍କୁ ଟିକା ଦେବା ସକାଶେ ୧୪୮ ଦିନ ବାକି ଅଛି। ଏହି ସମୟରେ ଲକ୍ଷ୍ୟ ପୂରଣ ଅସମ୍ଭବ ବୋଲି ମନେ ହେଉଛି।
ଭାରତ ପୃଥିବୀରେ ବୃହତ୍ତ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ଯ ଏକ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ପଛରେ ପଡ଼ିଛି। ଅବଶ୍ୟ ସେହିସବୁ ଦେଶ ଯଥେଷ୍ଟ ପୂର୍ବରୁ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ। ତେବେ ସମୟ ଅନୁଯାୟୀ ତୁଳନାତ୍ମକ ଭାବେ ଦେଖିଲେ ଟିକାକରଣ ଦ୍ରୁତତା ସେହି ସବୁ ଦେଶରେ ଭାରତ ଠାରୁ ଅଧିକ। ବର୍ତ୍ତମାନ ସୁଦ୍ଧା ଟିକାକରଣ କ୍ଷେତ୍ରରେ ଆମେରିକା ୫କୋଟି ଲୋକଙ୍କୁ ପ୍ରତିଷେଧକ ଦେଇସାରି ଆଗରେ ରହିଛି। ଚୀନ ଇତିମଧ୍ୟରେ ୪କୋଟିରୁ ଅଧିକ ଲୋକଙ୍କୁ ଟିକା ଦେଇସାରିଲାଣି। ବ୍ରିଟେନରେ ୧କୋଟି ୫୬ ଲକ୍ଷ ଟିକା ନେଇ ସାରିଲେଣି। ସେପରିସ୍ଥଳେ ଭାରତରେ ଚଳିତମାସ ୧୯ ତାରିଖରେ ଏକ କୋଟି ପୂରଣ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଶ୍ନ ଉଠୁଛି ଟିକାକରଣ ଏଭଳି ମନ୍ଥର ହେଲେ ସାରା ଦେଶବାସୀ କେବେ ପାଇବେ ପ୍ରତିଷେଧକ ? ଏଥିପାଇଁ କେତେ ଖର୍ଚ୍ଚ କରିବେ ସରକାର ?
ପ୍ରକାଶଯୋଗ୍ୟ ଯେ, ସରକାର ଚଳିତ ବଜେଟରେ କରୋନା ଟିକାକରଣ ପାଇଁ ୩୫ ହଜାର କୋଟି ବରାଦ କରିଛନ୍ତି। ମୋଟ କୋରୋନା ପାଇଁ ବରାଦ ହୋଇଛି ୭୩ ହଜାର କୋଟି ଟଙ୍କା। ତନ୍ମଧ୍ଯରୁ ୩୬୦ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପାଇଁ ଖର୍ଚ୍ଚ କରିବେ ସରକାର। ଏପର୍ଯ୍ୟନ୍ତ ଖର୍ଚ୍ଚ ହେଲାଣି ୩୫୦କୋଟି। ବରାଦ ଅର୍ଥ ମଧ୍ୟରୁ ସରକାର ୧ କୋଟି ୫୬ ଲକ୍ଷ ଟିକା କିଣିଛନ୍ତି। କୋଭିସିଲଡ୍ ଟିକା ୧ କୋଟି ୧୦ ଲକ୍ଷ କିଣାଯାଇଥିବା ବେଳେ ୪୬ ଲକ୍ଷ କୋଭାକ୍ସିନ ଟିକା କିଣାଯାଇଛି। ଏତଦବ୍ୟତୀତ କେନ୍ଦ୍ର ସରକାର କୋରୋନା ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ୧୨୩ କୋଟି ଟଙ୍କା ସାହାଯ୍ୟ ଦେଇଛନ୍ତି। କୁହାଯାଇଛି ଯେ, ଦୁଇ କୋଟି କୋରୋନା ଯୋଦ୍ଧାଙ୍କୁ ଟିକାକରଣ ସକାଶେ ଖର୍ଚ୍ଚ ହେବ ୪୮୦ କୋଟି ଟଙ୍କା। ଟିକାକରଣ ସକାଶେ ଆନୁସଙ୍ଗିକ ଖର୍ଚ୍ଚ ହେବ ୧ ,୩୯୨କୋଟି। ହିସାବରୁ ଆକଳନ କରାଯାଉଛି ଯେ, ଏହି ବୃହତ୍ତ ଟିକାକରଣ ଅଭିଯାନ ସକାଶେ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେବେ ଟିକାଦାନରେ ମନ୍ଥରତା ଲକ୍ଷ୍ୟ ପୂରଣରେ ଅନେକ ବିଳମ୍ବର ଇଙ୍ଗିତ ଦେଉଛି। ସୂଚିତ କରାଯାଇ ପାରେ ଯେ, ଟିକାକରଣ କେବଳ ପ୍ରଥମ ଶ୍ରେଣୀ କୋରୋନା ଯୋଦ୍ଧାଙ୍କ ଠାରେ ସୀମିତ ରହିବ ନାହିଁ। କୋରୋନା ମୃତ୍ୟୁ ହାର କମ୍ କରିବା ସକାଶେ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ପ୍ରଦାନ ଜରୁରୀ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ଯ ଏହା କହିଛନ୍ତି। ସରକାର ଦେଶରେ ଦୁଇଟି ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହା ପରଠାରୁ ଟିକାକରଣ ଆରମ୍ଭ ହୋଇଛି। ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନ ଶୀଘ୍ର ଆରମ୍ଭ କରିବା ଆବଶ୍ୟକ। ସେଥିପାଇଁ କୋରୋନା ଯୋଦ୍ଧାଙ୍କ ଟିକାକରଣ ଯେତେ ଶୀଘ୍ର ସମ୍ଭବ ଶେଷ କରାଯିବା ଉଚିତ୍। ଗତ ଏକ ମାସର ଟିକାକରଣ ଅଭିଯାନରୁ ଯାହା ଆକଳନ କରାଯାଉଛି କେବଳ ସରକାରୀ ପ୍ରତିଷ୍ଠାନ ମାଧ୍ୟମରେ ଟିକାକରଣ କାର୍ଯ୍ୟରେ ତୀବ୍ରତା ଆଣିବା ଅସମ୍ଭବ। ଏଥିପାଇଁ ବେସରକାରୀ ସଂସ୍ଥା ଗୁଡ଼ିକୁ ମଧ୍ଯ ସାମିଲ କରାଯିବା ଆବଶ୍ୟକ, ଯଦ୍ୱାରା ଟିକାକରଣ ଦ୍ରୁତ ହୋଇପାରିବ। ନଚେତ୍ ଜୁଲାଇ ସୁଦ୍ଧା ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ କଷ୍ଟକର ହେବ।