ଜାଠ ଭୂମିରେ ଜନସମ୍ପର୍କ ଗଢ଼ିବାକୁ ବିଜେପିର ନୂଆ କୌଶଳ

ପ୍ରିଜମ୍ ନ୍ୟୁଜ (କମଳାକାନ୍ତ ପତି): ତିନି ବିବାଦୀୟ କୃଷି ଆଇନ ବିରୋଧରେ ଜାଠ ଭୂମିରୁ ଉଠିଛି ଆନ୍ଦୋଳନର ସ୍ୱର। ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ପଶ୍ଚିମ ଉତ୍ତର ପ୍ରଦେଶର କୃଷକମାନେ ନୂଆ କୃଷି ଆଇନକୁ ସବୁଠାରୁ ଅଧିକ ବିରୋଧ କରୁଛନ୍ତି। ଅବଶ୍ୟ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କୃଷକ ସଂଗଠନ ଗୁଡ଼ିକ କୃଷି ଆଇନକୁ ବିରୋଧ କରୁଛନ୍ତି। ତେବେ ସାରା ଦେଶରେ ସେହି ସ୍ୱର ଏତେ ଶାଣିତ ହୋଇପାରିନାହିଁ। ଉପରୋକ୍ତ ଚାରି ଅଞ୍ଚଳର କୃଷକମାନେ ହିଁ ପ୍ରାୟ ତିନି ମାସ ଧରି ଦିଲ୍ଲୀ ସୀମାନ୍ତରେ ଧାରଣାରେ ବସିଛନ୍ତି। ଆନ୍ଦୋଳନ କ୍ରମେ ତୀବ୍ର ହୋଇଛି, ଯାହାକି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଇଁ ଚିନ୍ତାର କାରଣ ହୋଇଛି। ଆନ୍ଦୋଳନକାରୀ କୃଷକମାନେ କେବଳ ଏମଏସପି ଓ ମଣ୍ଡି ଉଚ୍ଛେଦ ପ୍ରସଙ୍ଗରେ ସୀମିତ ରହିନାହାନ୍ତି, ସେମାନେ ବିବାଦୀୟ ତିନି କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଉପରେ ଜୋର ଦେଇ ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କର କହିବା କଥା ହେଉଛି, ସରକାରଙ୍କ କୃଷି ଆଇନ ସମ୍ପୂର୍ଣ୍ଣ କୃଷି ଓ କୃଷକ ବିରୋଧୀ ଏବଂ କର୍ପୋରେଟ ବନ୍ଧୁମାନଙ୍କୁ ସୁହାଇଲା ଭଳି।

ଏହି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ। ସରକାର କିନ୍ତୁ ଆଇନ ପ୍ରତ୍ୟାହାର ସପକ୍ଷରେ ନାହାନ୍ତି। ଆନ୍ଦୋଳନକାରୀ କୃଷକମାନେ ଆଇନର ଯେଉଁସବୁ ବିଷୟ ସଂଶୋଧନ ଚାହୁଁଛନ୍ତି ତାହା ଆଲୋଚନାକୁ ଆସି ସ୍ପଷ୍ଟ କରନ୍ତୁ। ସରକାର ସେ ଦିଗରେ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସରକାରଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି କୃଷକ ନେତା। ଫଳରେ ସମାଧାନର କୌଣସି ପନ୍ଥା ବାହାରି ପାରୁନାହିଁ। ସୁତରାଂ ସରକାର ଚାଷୀଙ୍କୁ ବୁଝାଇବା ପାଇଁ ଏବେ ଏକ ଭିନ୍ନ ପନ୍ଥାର ଆଶ୍ରୟ ନେବାର ଯୋଜନା କରୁଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଜାଠ ଭୂମିରେ ଆନ୍ଦୋଳନକାରୀ କୃଷକମାନେ ଏବେ ମହାପଞ୍ଚାୟତ ଆୟୋଜନ କରି କୃଷକ ଓ ସାଧାରଣ ଲୋକଙ୍କୁ କୃଷି ଆଇନର ନକାରାତ୍ମକ ଦିଗ ସମ୍ପର୍କରେ ବୁଝାଉଛନ୍ତି। ଆନ୍ଦୋଳନକୁ ଆହୁରି ତୀବ୍ର କରିବାର ଯୋଜନା ଚାଲିଛି। ଏହି ପରିପ୍ରେକ୍ଷୀରେ ସଦ୍ୟ ସମାପ୍ତ ପଞ୍ଜାବ ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କଂଗ୍ରେସର ବିପୁଳ ବିଜୟ କେନ୍ଦ୍ରର ଗୈରିକ ନେତାମାନଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ବିପୁଳ ବିଜେରେ କଂଗ୍ରେସ ନେତାମାନେ ଅତ୍ୟନ୍ତ ଉତ୍ସାହିତ। ସେମାନେ କହୁଛନ୍ତି ଯେ, କୃଷକ ଆନ୍ଦୋଳନ ହିଁ ବିଜେପି ପାଇଁ କଫିନର ଶେଷ କଣ୍ଟା ହେବ।

ପଞ୍ଜାବ ପୌର ନିର୍ବାଚନ ଫଳ ଦେଖି ବିଜେପି ନେତାମାନେ ବିଶେଷ ଭାବେ ଚିନ୍ତିତ। କେବଳ କୃଷି ଆଇନ ନୁହେଁ, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅପ୍ରତ୍ୟାଶିତ ଦରବୃଦ୍ଧି ବିଜେପିର ଲୋକପ୍ରିୟତାକୁ ତଳିତଳାନ୍ତ କରିଦେଇପାରେ ବୋଲି କେନ୍ଦ୍ରୀୟ ନେତାମାନେ ଆଶଙ୍କା ପ୍ରକାଶ କଲେଣି। ତେଣୁ ପ୍ରଥମେ କିପରି ଆନ୍ଦୋଳକାରୀ କୃଷକମାନଙ୍କୁ ଶାନ୍ତ କରି ଆନ୍ଦୋଳନର ସମାପ୍ତ କରାଯାଇପାରିବ ସେଥିପାଇଁ ସେମାନେ ଉପାୟ ଖୋଜିବା ଆରମ୍ଭ କଲେଣି। ଏବେ ବିଜେପି ନେତାମାନେ ଜାଠ ଭୂମିରେ ଶକ୍ତିଶାଳୀ ଖାପ ପଞ୍ଚାୟତର ସହାୟତା ନେବାକୁ ଆଗଭର ହେଉଛନ୍ତି ବୋଲି ଖବର ମିଳିଲାଣି। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ପଞ୍ଜାବରେ ମଧ୍ଯ ୨୦୨୨ରେ ବିଧାନସଭା ଭୋଟ୍। ସଦ୍ୟ ସମାପ୍ତ ପୌର ନିର୍ବାଚନରେ ପଞ୍ଜାବର ସହରାଞ୍ଚଳ ଭୋଟର ଯେଉଁଭଳି ବିଜେପିକୁ ପ୍ରତ୍ୟାକ୍ଷାନ କରିଛନ୍ତି ତାହା ନେତାଙ୍କ ହୋସ୍ ଉଡ଼ାଇ ଦେଇଛି। ପଞ୍ଜାବର ଶିରୋମଣି ଅକାଳି ଦଳ ଏବେ ଆଉ ବିଜେପି ସହ ନାହିଁ। କୃଷି ଆଇନ ବିରୋଧରେ ସ୍ୱର ଉଠାଇ ଅକାଳୀ ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡ଼ିଏ)ରୁ ଓହରି ଯାଇଛି। ସୁତରାଂ ପଞ୍ଜାବରେ ବିଜେପିର ଶକ୍ତି ହାନୀ ଘଟିଛି, ଯାହାକି ପୌର ନିର୍ବାଚନରୁ ସ୍ପଷ୍ଟ ହୋଇଗଲା। ଉତ୍ତର ପ୍ରଦେଶରେ ସେଭଳି ଅବସ୍ଥା ଯେପରି ନହେଉ ଏଵେ ସେହିଚିନ୍ତା ବିଜେପିକୁ ଘାରିଛି। ପଶ୍ଚିମ ଉତ୍ତର ପ୍ରଦେଶରେ କୃଷକ ଆନ୍ଦୋଳନ ତାତି କମୁନାହିଁ। ଆସନ୍ତା ବର୍ଷ ହେବାକୁ ଯାଉଥିବା ନିର୍ବାଚନରେ ପଶ୍ଚିମ ଉତ୍ତର ପ୍ରଦେଶରେ ଯଦି ବିଜେପିର ଗଡ଼ ଦୋହଲି ଯାଏ ତେବେ ରାଜ୍ୟରେ ସରକାର ଗଢିବା ମୁସ୍କିଲ ହୋଇଯିବ। ତେଣୁ ସେହି ଅଞ୍ଚଳରେ ଯେପରି ଦଳର କୌଣସି କ୍ଷତି ନଘାଟେ ସେଥିପାଇଁ ବିଜେପି ନେତାମାନେ ତତ୍ପର ହୋଇ ଉଠିଲେଣି। ଦଳ ନିଷ୍ପତ୍ତି ନେଇଛି ଯେ, ସେହି ଅଞ୍ଚଳରେ ଖାପ ପଞ୍ଚାୟତ ନେତାଙ୍କ ସହ ଘନ ଘନ ବୈଠକ କରି ନୂଆ କୃଷି ଆଇନର ସୁଫଳ ସମ୍ପର୍କରେ ସେମାନଙ୍କୁ ବିଷଦ ଭାବେ ଅବଗତ କରାଯିବ। ଏହାସହ ଅନ୍ୟ ରାଜ୍ୟର ଜାଠ ଭୂମିରେ ମଧ୍ଯ ଜନ ସମ୍ପର୍କ ପ୍ରଚାର ଅଭିଯାନ ଆରମ୍ଭ କରିବ ବିଜେପି।

ସୂଚନା ଅନୁଯାୟୀ, ଏହି ଜନ ସମ୍ପର୍କ ପ୍ରଚାର ଅଭିଯାନ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ ପି ନଡ୍ଡା ଇତିମଧ୍ୟରେ ପଶ୍ଚିମ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଓ ରାଜସ୍ଥାନର ଜାଠ ସାଂସଦ, ବିଧାୟକ ଏବଂ ନେତା ମାନଙ୍କ ସହ ଦିଲ୍ଲୀ ଠାରେ ଏକାଧିକ ବୈଠକ କରିସାରିଲେଣି। ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ଯ ସାମିଲ କରାଯାଉଛି। ଉତ୍ତର ପ୍ରଦେଶର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ କହିଛନ୍ତି ଯେ, ପଶ୍ଚିମ ଉତ୍ତର ପ୍ରଦେଶର ୨୦ଜଣ ନେତାଙ୍କ ସହ କୃଷି ଆଇନ ନେଇ ବିଜେପି ନେତୃତ୍ୱ କଥାବାର୍ତ୍ତା କରିଛନ୍ତି। ସୂଚିତ କରାଯାଇପାରେ ଯେ, ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରାୟ ପ୍ରତିଦିନ ମହାପଞ୍ଚାୟତ ଅନୁଷ୍ଠିତ ହେଉଛି। କୃଷି ଆଇନ ବିରୋଧରେ ଏଠାରେ ଆଲୋଚନା କରାଯାଉଛି। ତାହାକୁ ନେଇ ବିଜେପି ନେତାମାନେ ଅତ୍ୟନ୍ତ ଉଦବିଗ୍ନ। ମହାପଞ୍ଚାୟତରେ ଅଧିକ ସଂଖ୍ୟକ ଜାଠ ଲୋକମାନଙ୍କୁ ଦେଖିବାକୁ ମିଳୁଛି। ସେହି ମହାପଞ୍ଚାୟତର ଅସଂଖ୍ୟ ଭିଡିଓ କରାଯାଇ ଗ୍ରାମାଞ୍ଚଳର ଲୋକମାନଙ୍କୁ ପ୍ରଦର୍ଶିତ କରାଯାଉଛି। ଖାପ ପଞ୍ଚାୟତର ଅନେକ ନେତା ଓ ସାଧାରଣ ଲୋକ ଏହି ମହାପଞ୍ଚାୟତକୁ ଆସି ସମ୍ମିଳିତ ହେଉଛନ୍ତି। ସେମାନେ କୃଷକ ଆନ୍ଦୋଳନକୁ ସର୍ବାନ୍ତକରଣରେ ସମର୍ଥନ କରୁଛନ୍ତି। ବିଜେପି ସିଦ୍ଧାନ୍ତ ନେଇଛି ଯେ ବାଲିୟାନଙ୍କୁ ସାମ୍ନାରେ ରଖି ଏହାର ମୁକାବିଲା କରାଯିବ। କାରଣ ବାଲିୟାନ ହେଉଛନ୍ତି ଜାଠମାନଙ୍କର ସେହି ଖାପ ନେତା। କୃଷକ ନେତା ରାକେଶ ଟୀକାୟତ ମଧ୍ଯ ଖାପ ନେତା। ଟୀକାୟତ ରାଷ୍ଟ୍ରୀୟ ଲୋକ ଦଳ ନେତା ଅଜିତ ସିଂଙ୍କ ସହ ମିଳିତ ହୋଇ ପାରନ୍ତି ବୋଲି ବିଜେପିର ଆଶଙ୍କା। ମିଳିଥିବା ଖବର ଅନୁଯାୟୀ, ବିଜେପିର ନୂଆ ରାଷ୍ଟ୍ରୀୟ ସହ ସଭାପତି ସୌଦାନ ସିଂହ ଗତ ୧୭ ତାରିଖରେ କେନ୍ଦ୍ର ମନ୍ତ୍ରୀ ବାଲିୟାନଙ୍କ ଘରକୁ ଯାଇ ବୈଠକ କରିଥିଲେ। ସେଠାକୁ ଜାଠ ନେତାମାନଙ୍କୁ ମଧ୍ଯ ଡକା ଯାଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ମନ୍ତ୍ରୀ ସଂଜୀବ ବାଲିୟାନ ହିଁ ଜନ ସମ୍ପର୍କ ପ୍ରଚାର ଅଭିଯାନର ନେତୃତ୍ୱ ନେବେ। ବାଲିୟାନଙ୍କ କହିବା ଅନୁଯାୟୀ, ଖାପ ପଞ୍ଚାୟତ ନେତାମାନେ ଆମର ନେତା। ଆମେ ସେମାନଙ୍କୁ ସାକ୍ଷାତ କରି କୃଷି ଆଇନର ଭଲ ଦିଗ ସମ୍ପର୍କରେ ବୁଝେଇବୁ। ଦଳୀୟ ନେତାମାନେ ନିଜ ଅଞ୍ଚଳରେ ଛୋଟ ଛୋଟ ବୈଠକ ଡାକି ଲୋକଙ୍କୁ କୃଷି ଆଇନର ସୁଫଳ ସମ୍ପର୍କରେ ଅବଗତ କରାଇବେ। ରାଜନୈତିକ ଦଳ ଗୁଡ଼ିକ କିପରି କୃଷକ ଆନ୍ଦୋଳନରେ ପଶି ରାଜନୀତି ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ତାହା ବିଜେପି ନେତାମାନେ ଚାଷୀଙ୍କୁ ବୁଝାଇବେ। ପ୍ରଶ୍ନ ଉଠୁଛି, ବିଜେପିର ଏହି ନୂଆ ରଣକୌଶଳ ସଫଳ ହେବକି ? ଆନ୍ଦୋଳନକାରୀମାନେ ଉକ୍ତ ଅଞ୍ଚଳରେ ଚାଷୀଙ୍କ ମଗଜରେ କୃଷି ଆଇନର ବିଧ୍ଵଂସୀ ଦିଗକୁ ଯେଉଁଭଳି ପୂରାଇ ଦେଇଛନ୍ତି, ତାହାକୁ ବାହାର କରିବା କ’ଣ ଏତେ ସହଜ ହେବ ? ନୂଆ କୃଷି ଆଇନରେ ଥିବା ବ୍ୟବସ୍ଥା କିପରି କୃଷି ଓ କୃଷକଙ୍କୁ ପ୍ରଭାବିତ କରିବ ତାହା ଆନ୍ଦୋଳକାରୀ ଓ ବିରୋଧୀ ରାଜନେତାମାନେ କୃଷକଙ୍କୁ ବୁଝାଇ ଦେଇ ସାରିଛନ୍ତି। ଯେଉଁଥିପାଇଁ ଆନ୍ଦୋଳନ କ୍ରମେ ଅଧିକ ବଳଶାଳୀ ହେଉଛି। ଏଥିରେ ଅଧିକ କୃଷକ ସାମିଲ ହେଲେଣି। ଏଭଳି ସ୍ଥିତିରେ ବିଜେପିର ଜନ ସମ୍ପର୍କ ପ୍ରଚାର ଅଭିଯାନର ସଫଳତାକୁ ନେଇ ପ୍ରଶ୍ନ ଉଠୁଛି।

%d bloggers like this: