ବିଜେପିର କେଉଁ ଅସ୍ତ୍ରକୁ ଡରୁଛି ବିଜେଡି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ତୈଳଦର ବୃଦ୍ଧିକୁ ନେଇ ପୂର୍ବରୁ ବିଜେଡିର ଆନ୍ଦୋଳନ କାହାକୁ ଅଛପା ନାହିଁ। ଏବେ ରାଜ୍ୟରେ ଆଉ ଏକ ପ୍ରସଙ୍ଗ ଜୋର୍ ଧରିଛି। ସୀମା ବିବାଦ। ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ମାପିଚୁପି ପ୍ରତିକ୍ରିୟା ରଖୁଛି ବିଜେଡି। ଏହାରି ଭିତରେ ରାଜନୈତିକ ସମୀକ୍ଷକମାନେ ଆଉ ଏକ ପ୍ରସଙ୍ଗକୁ ସୁଙ୍ଘି ଦେଇଛନ୍ତି। ବିଜେଡି କେବେ କରିବ ଓଡ଼ିଶା ବନ୍ଦ ? କିଛିଦିନ ପୂର୍ବେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଅବଶ୍ୟ ଦେଶରେ ହେଉ ଅବା ରାଜ୍ୟରେ କଂଗ୍ରେସ ଦଳର ସ୍ଥିତି ଏବେ କାହାକୁ ଅଛପା ନାହିଁ। ହୁଏତ ଦଳ ବାହାରକୁ ବାହାରୁନି, ଅବା ଦଳକୁ ବାହାରକୁ ବାହାରିବାକୁ ଦିଆଯାଉନି। ତାହା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ, ଶାସକ ଦଳ ବିଜେଡି କିଛିମାସ ହେଲା କେନ୍ଦ୍ର ବିରୋଧୀ ନାରା ଦେଉଥିଲେ ସୁଦ୍ଧା ଆଗ ଭଳି ଆଉ ସ୍ୱରକୁ ଶାଣିତ କରୁନି। ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ର ସରକାର ସେସ୍ ଲାଗୁ କରିଛନ୍ତି। ବଜେଟ୍ ଅଧିବେଶନରେ ଅର୍ଥମନ୍ତ୍ରୀ କୃଷି ସେସ୍ ଲାଗୁ କରିବା ନେଇ ଘୋଷଣା କରିଥିଲେ। ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼଼ିବନି ବୋଲି ସଫା ସଫା କହି ବି ଥିଲେ। କିନ୍ତୁ, ଇତି ମଧ୍ୟରେ ପେଟ୍ରୋଲ ଲିଟର ପିଛା ଶହେ ଛୁଇଁବାକୁ ବସିଲାଣି। ଏହା ଖାଉଟିଙ୍କ ଉପରେ ପ୍ରଭାବ ନୁହେଁ କି ? ଏହି ପ୍ରସଙ୍ଗରେ ଶାସକ ଦଳ କାହିଁକି କେନ୍ଦ୍ର ବିରୋଧରେ ଗର୍ଜନ କରୁନି? ନା ସ୍ୱରକୁ ଶାଣିତ ପରିବର୍ତ୍ତେ ନରମ ରଖିବାକୁ ଉପରୁ ଚାପ ପଡ଼ୁଛି ?

ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ହେବାପରେ ବିଜେଡିର ସ୍ୱର ନରମିଲା ଭଳି ଲାଗୁଛି। ନିକଟରେ ବିଜେଡି ମୁଖିଆ ଖୋଦ୍ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ। ଓଡ଼ିଶାର ନ୍ୟାର୍ଯ୍ୟ ଦାବି ନେଇ କେନ୍ଦ୍ର ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ଗର୍ଜନ କରିଥିଲେ। ଏହାପରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଲା। ଏଠାରେ ବିଜେଡି ସାଂସଦ ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରିଥିବା ଟାର୍ଗେଟ୍ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା। କେବଳ ସସ୍ମିତ ନୁହନ୍ତି, ଦଳର ଅନ୍ୟ ସାଂସଦମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଥିଲେ। କିନ୍ତୁ, ଏତିକି ଯଥେଷ୍ଟ କି ? ରାସ୍ତାକୁ ଓହ୍ଲାଇବା ପରିବର୍ତ୍ତେ କେତେକ ନୂଆ ଚେହେରାଙ୍କୁ ନେଇ ପ୍ରେସମିଟ୍ କରିବା ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କି ? ତୈଳଦର ବୃଦ୍ଧି ହେଉ ଅବା କୃଷି ସେସ୍ ଲାଗୁ, ସବୁ ପ୍ରସଙ୍ଗରେ ବିଜେଡିର କେନ୍ଦ୍ର ବିରୋଧୀ ନରମ ଭାବ ଜଳଜଳ ଦିଶୁଛି। ତେଣୁ, ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ବିଜେପିର କେଉଁ ଅସ୍ତ୍ରକୁ ଡରୁଛି ବିଜେଡି ?

%d bloggers like this: